ଗୀତସଂହିତା ଅଧ୍ୟାୟ 107
1. ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ; କାରଣ ସେ ମଙ୍ଗଳମୟ; ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ ।
2. ସେ ଯେଉଁମାନଙ୍କୁ ବିପକ୍ଷର ହସ୍ତରୁ ମୁକ୍ତ କରିଅଛନ୍ତି ଓ ନାନା ଦେଶରୁ, ପୂର୍ବ ଓ ପଶ୍ଚିମରୁ,
3. ଉତ୍ତର ଓ ଦକ୍ଷିଣରୁ ସଂଗ୍ରହ କରିଅଛନ୍ତି, ସଦାପ୍ରଭୁଙ୍କ ସେହି ମୁକ୍ତ ଲୋକମାନେ ତାହା କହନ୍ତୁ ।
4. ସେମାନେ ପ୍ରାନ୍ତରରେ ନିର୍ଜ୍ଜନ ପଥରେ ଭ୍ରମଣ କଲେ; ସେମାନେ କୌଣସି ବସତି-ନଗର ପାଇଲେ ନାହିଁ ।
5. କ୍ଷୁଧିତ ଓ ତୃଷିତ ହୋଇ ସେମାନଙ୍କର ପ୍ରାଣ ସେମାନଙ୍କ ଅନ୍ତରରେ ମୂର୍ଚ୍ଛିତ ହେଲା ।
6. ତେବେ ସେମାନେ ଆପଣାମାନଙ୍କ ସଙ୍କଟ ସମୟରେ ସଦାପ୍ରଭୁଙ୍କ ନିକଟରେ କାକୁକ୍ତି କଲେ, ତହିଁରେ ସେ ସେମାନଙ୍କ ଦୁର୍ଦ୍ଦଶାରୁ ସେମାନଙ୍କୁ ଉଦ୍ଧାର କଲେ ।
7. ଆହୁରି, ସେମାନେ ଯେପରି ବସତି-ନଗରକୁ ଯାଇ ପାରିବେ, ଏଥିପାଇଁ ସେ ସେମାନଙ୍କୁ ସଳଖ ପଥରେ ଘେନି ଗଲେ ।
8. ଆଃ, ଲୋକମାନେ ସଦାପ୍ରଭୁଙ୍କ ମଙ୍ଗଳଦାନ ଓ ମନୁଷ୍ୟସନ୍ତାନଗଣ ପ୍ରତି ତାହାଙ୍କ ଆଶ୍ଚର୍ଯ୍ୟକ୍ରିୟା ସକାଶୁ ତାହାଙ୍କର ପ୍ରଶଂସା କରନ୍ତୁ ।
9. ଯେହେତୁ ସେ ତୃଷିତ ପ୍ରାଣକୁ ପରିତୃପ୍ତ କରନ୍ତି ଓ କ୍ଷୁଧିତ ପ୍ରାଣକୁ ଉତ୍ତମ ଦ୍ରବ୍ୟରେ ପୂର୍ଣ୍ଣ କରନ୍ତି ।
10. କେହି କେହି ପରମେଶ୍ଵରଙ୍କ ବାକ୍ୟର ବିରୁଦ୍ଧାଚରଣ ଓ ସର୍ବୋପରିସ୍ଥଙ୍କ ମନ୍ତ୍ରଣା ତୁଚ୍ଛ କରିବା ସକାଶୁ,
11. ସେମାନେ ଦୁଃଖ ଓ ଲୌହ ଶୃଙ୍ଖଲରେ ବଦ୍ଧ ହୋଇ ଅନ୍ଧକାରରେ ଓ ମୃତ୍ୟୁଛାୟାରେ ବସିଲେ;
12. ସେ ସେମାନଙ୍କ ହୃଦୟକୁ କ୍ଳେଶରେ ଅବନତ କଲେ; ସେମାନେ ପତିତ ହେଲେ ଓ ସାହାଯ୍ୟ କରିବାକୁ କେହି ନ ଥିଲା ।
13. ତେବେ ସେମାନେ ଆପଣାମାନଙ୍କ ସଙ୍କଟ ସମୟରେ ସଦାପ୍ରଭୁଙ୍କ ନିକଟରେ କାକୁକ୍ତି କଲେ, ତହିଁରେ ସେ ସେମାନଙ୍କ ଦୁର୍ଦ୍ଦଶାରୁ ସେମାନଙ୍କୁ ତ୍ରାଣ କଲେ ।
14. ସେ ଅନ୍ଧକାର ଓ ମୃତ୍ୟୁଛାୟାରୁ ସେମାନଙ୍କୁ ବାହାର କରି ଆଣିଲେ ଓ ସେମାନଙ୍କ ବନ୍ଧନ ଛେଦନ କଲେ ।
15. ଆଃ, ଲୋକମାନେ ସଦାପ୍ରଭୁଙ୍କ ମଙ୍ଗଳଦାନ ଓ ମନୁଷ୍ୟ-ସନ୍ତାନଗଣ ପ୍ରତି ତାହାଙ୍କ ଆଶ୍ଚର୍ଯ୍ୟକ୍ରିୟା ସକାଶୁ ତାହାଙ୍କର ପ୍ରଶଂସା କରନ୍ତୁ!
16. ଯେହେତୁ ସେ ପିତ୍ତଳ-ଦ୍ଵାର ଭାଙ୍ଗିଅଛନ୍ତି ଓ ଲୌହ-ଅର୍ଗଳ କାଟି ପକାଇଅଛନ୍ତି ।
17. ମୂର୍ଖମାନେ ଆପଣା ଆପଣା ଅପରାଧ ଓ ଅଧର୍ମାଚରଣ ସକାଶୁ କ୍ଳେଶ ପାଆନ୍ତି ।
18. ସେମାନଙ୍କ ପ୍ରାଣ ସର୍ବପ୍ରକାର ଖାଦ୍ୟଦ୍ରବ୍ୟ ଘୃଣା କରଇ ଓ ସେମାନେ ମୃତ୍ୟୁଦ୍ଵାରର ନିକଟବର୍ତ୍ତୀ ହୁଅନ୍ତି ।
19. ତେବେ ସେମାନେ ଆପଣା ଆପଣା ସଙ୍କଟ ସମୟରେ ସଦାପ୍ରଭୁଙ୍କ ନିକଟରେ କାକୁକ୍ତି କରନ୍ତି, ତହିଁରେ ସେ ସେମାନଙ୍କ ଦୁର୍ଦ୍ଦଶାରୁ ସେମାନଙ୍କୁ ତ୍ରାଣ କରନ୍ତି ।
20. ସେ ଆପଣା ବାକ୍ୟ ପଠାଇ ସେମାନଙ୍କୁ ସୁସ୍ଥ କରନ୍ତି, ପୁଣି ବିନାଶରୁ ସେମାନଙ୍କୁ ଉଦ୍ଧାର କରନ୍ତି ।
21. ଆଃ, ଲୋକମାନେ ସଦାପ୍ରଭୁଙ୍କ ମଙ୍ଗଳଦାନ ଓ ମନୁଷ୍ୟ-ସନ୍ତାନଗଣ ପ୍ରତି ତାହାଙ୍କ ଆଶ୍ଚର୍ଯ୍ୟକ୍ରିୟା ସକାଶୁ ତାହାଙ୍କର ପ୍ରଶଂସା କରନ୍ତୁ ।
22. ସେମାନେ ଧନ୍ୟବାଦରୂପ ବଳି ଉତ୍ସର୍ଗ କରନ୍ତୁ ଓ ଗାନ କରି ତାହାଙ୍କ କର୍ମସକଳ ବର୍ଣ୍ଣନା କରନ୍ତୁ ।
23. ଯେଉଁମାନେ ଜାହାଜ ଚଢ଼ି ସମୁଦ୍ର-ଯାତ୍ରା କରନ୍ତି, ଯେଉଁମାନେ ମହାଜଳରାଶିରେ କାରବାର କରନ୍ତି,
24. ସେମାନେ ସଦାପ୍ରଭୁଙ୍କ କାର୍ଯ୍ୟ ଓ ଗଭୀର ଜଳରେ ତାହାଙ୍କର ଅଦ୍ଭୁତ ବ୍ୟାପାର ଦେଖନ୍ତି ।
25. ଯେହେତୁ ସେ ଆଜ୍ଞା ଦେଲେ, ପ୍ରଚଣ୍ତ ବାୟୁ ଉଠଇ, ତଦ୍ଦ୍ଵାରା ସମୁଦ୍ରର ତରଙ୍ଗମାଳା ଉଠେ ।
26. ସେମାନେ ଆକାଶକୁ ଉଠନ୍ତି, ପୁନର୍ବାର ସେମାନେ ଗଭୀର ଜଳକୁ ଉତ୍ତରନ୍ତି; ବିପଦ ସକାଶୁ ସେମାନଙ୍କ ପ୍ରାଣ ତରଳି ଯାଏ ।
27. ସେମାନେ ମତ୍ତଲୋକ ପରି ଏଣେତେଣେ ଦୋହଲି ଢଳି ପଡ଼ନ୍ତି ଓ ସେମାନଙ୍କ ବୁଦ୍ଧି ହଜିଯାଏ ।
28. ତେବେ ସେମାନେ ଆପଣା ଆପଣା ସଙ୍କଟ ସମୟରେ ସଦାପ୍ରଭୁଙ୍କ ନିକଟରେ କାକୁକ୍ତି କରନ୍ତି, ତହିଁରେ ସେ ସେମାନଙ୍କ ଦୁର୍ଦ୍ଦଶାରୁ ସେମାନଙ୍କୁ ଉଦ୍ଧାର କରନ୍ତି ।
29. ସେ ବତାସକୁ ସୁସ୍ଥିର କରନ୍ତି, ତହୁଁ ସମୁଦ୍ରର ତରଙ୍ଗମାଳା ନିରସ୍ତ ହୁଏ ।
30. ତେବେ ସେସବୁ ନିବୃତ୍ତ ହେବା ସକାଶୁ ସେମାନେ ଆନନ୍ଦ କରନ୍ତି; ଏହିରୂପେ ସେ ସେମାନଙ୍କୁ ବାଞ୍ଛିତ ବନ୍ଦରରେ ପ୍ରବେଶ କରାନ୍ତି ।
31. ଆଃ, ଲୋକମାନେ ସଦାପ୍ରଭୁଙ୍କ ମଙ୍ଗଳଦାନ ଓ ମନୁଷ୍ୟ-ସନ୍ତାନଗଣ ପ୍ରତି ତାହାଙ୍କ ଆଶ୍ଚର୍ଯ୍ୟକ୍ରିୟା ସକାଶୁ ତାହାଙ୍କର ପ୍ରଶଂସା କରନ୍ତୁ!
32. ଆହୁରି, ସେମାନେ ଲୋକମାନଙ୍କ ସମାଜରେ ତାହାଙ୍କର ପ୍ରତିଷ୍ଠା କରନ୍ତୁ ଓ ପ୍ରାଚୀନମାନଙ୍କ ସଭାରେ ତାହାଙ୍କର ପ୍ରଶଂସା କରନ୍ତୁ ।
33. ସେ ନଦନଦୀକି ପ୍ରାନ୍ତର ଓ ନିର୍ଝରସକଳକୁ ଶୁଷ୍କ ଭୂମି କରନ୍ତି ।
34. ସେ ଦେଶନିବାସୀମାନଙ୍କ ଦୁଷ୍ଟତା ସକାଶୁ ଉର୍ବରା ଦେଶକୁ ଲବଣ-ପ୍ରାନ୍ତର କରନ୍ତି ।
35. ସେ ପ୍ରାନ୍ତରକୁ ଜଳାଶୟ ଓ ଶୁଷ୍କ ଭୂମିକି ଝରମୟ କରନ୍ତି ।
36. ପୁଣି, କ୍ଷୁଧିତ ଲୋକମାନେ ଯେପରି ବସତି-ନଗର ନିର୍ମାଣ କରିବେ ଓ କ୍ଷେତ୍ରରେ ବୀଜ ବପନ ଓ ଦ୍ରାକ୍ଷାଲତା ରୋପଣ କରିବେ
37. ଓ ତଦୁତ୍ପନ୍ନ ଫଳ ପ୍ରାପ୍ତ ହେବେ, ଏଥିପାଇଁ ସେସ୍ଥାନରେ ସେ ସେମାନଙ୍କୁ ବାସ କରାନ୍ତି ।
38. ଆହୁରି, ସେ ସେମାନଙ୍କୁ ଆଶୀର୍ବାଦ କରନ୍ତି, ତହିଁରେ ସେମାନେ ଅତିଶୟ ବୃଦ୍ଧି ପାଆନ୍ତି; ପୁଣି, ସେ ସେମାନଙ୍କ ପଶୁପଲ ଊଣା ହେବାକୁ ଦିଅନ୍ତି ନାହିଁ ।
39. ପୁନର୍ବାର ସେମାନେ ଉପଦ୍ରବ, ବିପଦ ଓ ଶୋକ ଦ୍ଵାରା ନ୍ୟୂନୀକୃତ ଓ ଅବନତ ହୁଅନ୍ତି ।
40. ସେ ଅଧିପତିମାନଙ୍କ ଉପରେ ତୁଚ୍ଛତା ଢାଳି ଦିଅନ୍ତି, ପୁଣି ସେମାନଙ୍କୁ ପଥହୀନ ମରୁଭୂମିରେ ଭ୍ରମଣ କରାନ୍ତି ।
41. ତଥାପି ସେ ଦୀନହୀନକୁ ଦୁଃଖରୁ ଉଚ୍ଚରେ ସ୍ଥାପନ କରନ୍ତି ଓ ମେଷପଲ ତୁଲ୍ୟ ତାହାକୁ ପରିବାର ଦିଅନ୍ତି ।
42. ସରଳ ଲୋକମାନେ ତାହା ଦେଖି ଆନନ୍ଦିତ ହେବେ; ପୁଣି ସବୁ ଅଧର୍ମ ଆପଣା ମୁଖ ବନ୍ଦ କରିବ ।
43. ଯେ ଜ୍ଞାନବାନ, ସେ ଏହିସବୁ ବିଷୟରେ ମନୋଯୋଗ କରିବ, ପୁଣି ସେମାନେ ସଦାପ୍ରଭୁଙ୍କ ବିବିଧ ଦୟା ବିବେଚନା କରିବେ ।