1. ମୁଁ ଆପଣା ମନେ ମନେ କହିଲି, ଆସ, ମୁଁ ଏବେ ତୁମ୍ଭକୁ ଆନନ୍ଦ ଦ୍ଵାରା ପରୀକ୍ଷା କରିବି; ଏହେତୁ ସୁଖଭୋଗ କର; ଆଉ ଦେଖ, ତାହା ମଧ୍ୟ ଅସାର ।
2. ମୁଁ ହାସ୍ୟ ବିଷୟରେ କହିଲି, ତାହା ବାତୁଳତା; ଆନନ୍ଦ ବିଷୟରେ କହିଲି, ତାହା କଅଣ କରେ?
3. ମୁଁ କିରୂପେ ମଦ୍ୟପାନରେ ଶରୀରକୁ ତୁଷ୍ଟ କରିବି ଓ ଆକାଶ ତଳେ ମନୁଷ୍ୟ-ସନ୍ତାନଗଣର ଯାବଜ୍ଜୀବନ କଅଣ କରିବା ଭଲ, ଏହା ଜାଣିପାରିବା ପର୍ଯ୍ୟନ୍ତ କିରୂପେ ଅଜ୍ଞାନତା ଅବଲମ୍ଵନ କରିବି, ଏହା ମନେ ମନେ ଅନୁସନ୍ଧାନ କଲି, ଏହି ସମୟରେ ହେଁ ମୋହର ମନ ଜ୍ଞାନରେ ମୋତେ ପଥପ୍ରଦର୍ଶନ କରୁଥିଲା ।
4. ମୁଁ ଆପଣା ନିମନ୍ତେ ମହତ ମହତ କର୍ମ କଲି; ମୁଁ ଗୃହମାନ ନିର୍ମାଣ କଲି; ମୁଁ ଅନେକ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କଲି;
5. ମୁଁ ଆପଣା ନିମନ୍ତେ ଉଦ୍ୟାନ ଓ ଉପବନ ପ୍ରସ୍ତୁତ କରି, ତହିଁ ମଧ୍ୟରେ ସର୍ବପ୍ରକାର ଫଳବୃକ୍ଷ ରୋପଣ କଲି;
6. ମୁଁ ବୃକ୍ଷର ଚାରା-ଉତ୍ପାଦକ ବନରେ ଜଳସେଚନ ପାଇଁ ପୁଷ୍କରିଣୀମାନ ଖୋଳାଇଲି;
7. ମୁଁ ଦାସଦାସୀଗଣ କ୍ରୟ କଲି ଓ ମୋହର ଗୃହଜାତ ଦାସଗଣ ଥିଲେ; ଆହୁରି ମୋʼ ପୂର୍ବେ ଯିରୂଶାଲମସ୍ଥିତ ସମସ୍ତଙ୍କ ଅପେକ୍ଷା ମୋହର ଗୋମେଷାଦି ପଶୁପଲ ଅଧିକ ଥିଲେ;
8. ମୁଁ ରୂପା ଓ ସୁନା, ପୁଣି ନାନା ରାଜାର ଓ ନାନା ପ୍ରଦେଶର ବିଶେଷ ବିଶେଷ ସମ୍ପତ୍ତି ସଂଗ୍ରହ କଲି; ମୁଁ ଗାୟକ ଓ ଗାୟିକା, ଆଉ ମନୁଷ୍ୟ-ସନ୍ତାନଗଣର ତୁଷ୍ଟିକାରଣୀ ଅନେକ ଉପପନିୀ ପାଇଲି ।
9. ଏହିରୂପେ ମୋʼ ପୂର୍ବେ ଯିରୂଶାଲମରେ ଯେଉଁମାନେ ଥିଲେ, ସେସମସ୍ତଙ୍କ ଅପେକ୍ଷା ମହାନ ଓ ବର୍ଦ୍ଧିଷ୍ଣୁ ହେଲି; ମଧ୍ୟ ମୋହର ଜ୍ଞାନ ମୋʼଠାରେ ରହିଲା ।
10. ପୁଣି, ମୋʼ ଚକ୍ଷୁ ଯାହା ବାଞ୍ଛା କଲା, ତାହା ମୁଁ ତାହାକୁ ନିଷେଧ କଲି ନାହିଁ; ମୁଁ ଆପଣା ହୃଦୟକୁ କୌଣସି ସୁଖଭୋଗରୁ ବାରଣ କଲି ନାହିଁ, କାରଣ ମୋହର ସମସ୍ତ ପରିଶ୍ରମ ସକାଶୁ ମୋହର ହୃଦୟ ଆନନ୍ଦ କଲା; ପୁଣି, ମୋହର ସକଳ ପରିଶ୍ରମରୁ ଏହା ମୋହର ଅଂଶ ଥିଲା ।
11. ତହୁଁ ମୋହର ହସ୍ତ ଯେସମସ୍ତ କାର୍ଯ୍ୟ କରିଥିଲା ଓ ଯେ ଯେ ପରିଶ୍ରମରେ ମୁଁ ପରିଶ୍ରା; ହୋଇଥିଲି, ତହିଁ ପ୍ରତି ମୁଁ ଦୃଷ୍ଟିପାତ କଲି; ଆଉ,ଦେଖ, ସବୁ ଅସାର ଓ ବାୟୁର ପଶ୍ଚାଦ୍ଧାବନମାତ୍ର, ପୁଣି ସୂର୍ଯ୍ୟ ତଳେ କୌଣସି ଲାଭ ନ ଥିଲା ।
12. ଅନନ୍ତର ମୁଁ ଜ୍ଞାନ, ଉନ୍ମତ୍ତତା ଓ ଅଜ୍ଞାନତା ଦେଖିବାକୁ ପ୍ରବୃତ୍ତ ହେଲି; କାରଣ ଯେଉଁ ଲୋକ ରାଜାର ଉତ୍ତାରୁ ଆସଇ, ସେ କଅଣ କରିବ? ଯାହା କରାଯାଇଅଛି, ତାହା ହିଁ ମାତ୍ର ।
13. ତହୁଁ ମୁଁ ଦେଖିଲି, ଯେପରି ଅନ୍ଧକାର ଅପେକ୍ଷା ଦୀପ୍ତି ଉତ୍ତମ, ସେପରି ଅଜ୍ଞାନତା ଅପେକ୍ଷା ଜ୍ଞାନ ଉତ୍ତମ ।
14. ଜ୍ଞାନବାନର ଚକ୍ଷୁ ତାହାର ମସ୍ତକରେ ଥାଏ, ପୁଣି ମୂର୍ଖ ଅନ୍ଧକାରରେ ଭ୍ରମଣ କରଇ, ତଥାପି ସମସ୍ତଙ୍କ ପ୍ରତି ଏକ ଦଶା ଘଟଇ, ଏହା ମୁଁ ଦେଖିଲି ।
15. ତହିଁରେ ମୁଁ ଆପଣା ମନେ ମନେ କହିଲି, ମୂର୍ଖ ପ୍ରତି ଯେରୂପ ଘଟେ, ମୋʼ ପ୍ରତି ହିଁ ସେରୂପ ଘଟିବ; ତେବେ ମୁଁ କାହିଁକି ଅଧିକ ଜ୍ଞାନବାନ ହେଲି? ତହୁଁ ମୁଁ ମନେ ମନେ କହିଲି, ଏହା ହିଁ ଅସାର ।
16. କାରଣ ଯେପରି ମୂର୍ଖର, ସେପରି ଜ୍ଞାନବାନ ଲୋକର ସ୍ମରଣ ସଦାକାଳ ନ ଥାଏ; ଯେହେତୁ ଆସନ୍ତା କାଳକୁ ସମସ୍ତେ ବିସ୍ମୃତ ହୋଇ ଯାଇଥିବେ । ଆହା! ମୂର୍ଖ ଯେପରି ମରେ, ଜ୍ଞାନୀ ହିଁ ସେପରି ମରେ ।
17. ତହୁଁ ମୁଁ ଜୀବନକୁ ଘୃଣା କଲି; ଯେହେତୁ ସୂର୍ଯ୍ୟ ତଳେ କୃତ କାର୍ଯ୍ୟ ମୋʼ ପ୍ରତି କ୍ଳେଶବୋଧକ ହେଲା; କାରଣ ସବୁ ଅସାର ଓ ବାୟୁର ପଶ୍ଚାଦ୍ଧାବନମାତ୍ର ।
18. ପୁଣି, ସୂର୍ଯ୍ୟ ତଳେ ମୁଁ ଯହିଁରେ ପରିଶ୍ରା; ହେଲି, ମୋହର ସେସବୁ ପରିଶ୍ରମକୁ ମୁଁ ଘୃଣା କଲି; କାରଣ ମୋହର ଉତ୍ତରାଧିକାରୀ ପାଇଁ ତାହାସବୁ ଛାଡ଼ି ଯିବାକୁ ହେବ ।
19. ଆଉ, ସେ ଜ୍ଞାନୀ କି ମୂର୍ଖ ହେବ, କିଏ ଜାଣେ? ତଥାପି ମୁଁ ସୂର୍ଯ୍ୟ ତଳେ ଯେ ଯେ ପରିଶ୍ରମରେ ପରିଶ୍ରା; ହୋଇ ଜ୍ଞାନ ପ୍ରକାଶ କଲି, ସେ ମୋହର ସେହି ସକଳ ପରିଶ୍ରମର ଫଳାଧିକାରୀ ହେବ; ଏହା ହିଁ ଅସାର ।
20. ଏହେତୁ ସୂର୍ଯ୍ୟ ତଳେ ମୁଁ ଯେ ଯେ ପରିଶ୍ରମରେ ପରିଶ୍ରା; ହେଲି, ସେସକଳ ବିଷୟରେ ଆପଣା ଅନ୍ତଃକରଣକୁ ନିରାଶ କରାଇବାକୁ ପ୍ରବୃତ୍ତ ହେଲି ।
21. କାରଣ ଏକ ବ୍ୟକ୍ତି ଜ୍ଞାନ ଓ ବିଦ୍ୟା ଓ ଦକ୍ଷତା ସହିତ ପରିଶ୍ରମ କରଇ; ତଥାପି ଯେଉଁ ବ୍ୟକ୍ତି ତହିଁରେ ପରିଶ୍ରମ କରି ନାହିଁ, ତାହାର ଅଧିକାର ନିମନ୍ତେ ସେ ତାହା ଛାଡ଼ିଯିବ । ଏହା ହିଁ ଅସାର ଓ ଅତି ମନ୍ଦ ।
22. ତେବେ ସୂର୍ଯ୍ୟ ତଳେ ମନୁଷ୍ୟ ଯେ ଯେ ପରିଶ୍ରମରେ ଓ ହୃଦୟର ଚିନ୍ତାରେ ପରିଶ୍ରା; ହୁଏ, ସେସବୁରୁ ସେ କʼଣ ପାଏ?
23. କାରଣ ତାହାର ଦିନସବୁ କେବଳ ଦୁଃଖମୟ ଓ ତାହାର ଆୟାସ ମନସ୍ତାପଜନକ; ରାତ୍ରିରେ ହିଁ ତାହାର ହୃଦୟ ବିଶ୍ରାମ ପାଏ ନାହିଁ । ଏହା ମଧ୍ୟ ଅସାର ।
24. ଭୋଜନପାନ ଓ ନିଜ ପରିଶ୍ରମରେ ଆପଣା ପ୍ରାଣକୁ ସୁଖଭୋଗ କରାଇବା ଅପେକ୍ଷା ମନୁଷ୍ୟର ଆଉ ଅଧିକ ମଙ୍ଗଳ ବିଷୟ ନାହିଁ । ମଧ୍ୟ ମୁଁ ଦେଖିଲି, ଏହା ପରମେଶ୍ଵରଙ୍କ ହସ୍ତରୁ ହୁଅଇ ।
25. କାରଣ ମୋʼଠାରୁ କିଏ ଅଧିକ ଭୋଜନ, ଅବା ସୁଖଭୋଗ କରିପାରେ?
26. ଯେହେତୁ ଯେଉଁ ବ୍ୟକ୍ତି ପରମେଶ୍ଵରଙ୍କୁ ତୃଷ୍ଟ କରେ, ସେ ତାହାକୁ ଜ୍ଞାନ ଓ ବିଦ୍ୟା ଓ ଆନନ୍ଦ ଦିଅନ୍ତି; ମାତ୍ର ପରମେଶ୍ଵରଙ୍କ ତୁଷ୍ଟିକାରୀ ଲୋକକୁ ଦେବା ପାଇଁ ସଂଗ୍ରହ ଓ ସଞ୍ଚୟ କରଣାର୍ଥେ ପାପୀକି ସେ ଆୟାସ ଦିଅନ୍ତି । ଏହା ହିଁ ଅସାର ଓ ବାୟୁର ପଶ୍ଚାଦ୍ଧାବନମାତ୍ର ।