1. ତତ୍ପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସିୟୋନ ପର୍ବତ ଉପରେ ମେଷଶାବକ, ଆଉ ଯେଉଁମାନଙ୍କ କପାଳରେ। ତାହାଙ୍କ ନାମ ଓ ତାହାଙ୍କ ପିତାଙ୍କ ନାମ ଲିଖିତ ଥିଲା, ଏପରି ଏକ ଲକ୍ଷ ଚୌରାଳିଶ ସହସ୍ର ଲୋକଙ୍କୁ ତାହାଙ୍କ ସହିତ ଦଣ୍ତାୟମାନ ଥିବାର ଦେଖିଲି ।
2. ପୁଣି ମୁଁ ସ୍ଵର୍ଗରୁ ବହୁଜଳକଲ୍ଲୋଳ ଓ ମହାବଜ୍ରନାଦ ତୁଲ୍ୟ ଗୋଟିଏ ସ୍ଵର ଶୁଣିଲି; ଯେଉଁ ସ୍ଵର ମୁଁ ଶୁଣିଲି; ତାହା ବୀଣାବାଦ୍ୟକାରୀମାନଙ୍କ ବୀଣାର ଶଦ୍ଦ ପରି ।
3. ସେମାନେ ସିଂହାସନ, ଚାରି ପ୍ରାଣୀ ଓ ପ୍ରାଚୀନ-ମାନଙ୍କ ସମ୍ମୁଖରେ ଗୋଟିଏ ନୂତନ ଗୀତ ଗାନ କଲେ, ପୁଣି ପୃଥିବୀରୁ କ୍ରୀତ ସେହି ଏକ ଲକ୍ଷ ଚୌରାଳିଶ ସହସ୍ର ଲୋକଙ୍କ ବିନା ଆଉ କେହି ସେ ଗୀତ ଶିଖି ପାରିଲେ ନାହିଁ ।
4. ସେମାନେ ସ୍ତ୍ରୀସଂସର୍ଗରେ ଆପଣା ଆପଣାକୁ କଳୁଷିତ କରି ନ ଥିଲେ, କାରଣ ସେମାନେ ଶୁଚି । ମେଷଶାବକ ଯେକୌଣସି ସ୍ଥାନକୁ ଗମନ। କରନ୍ତି, ସେ ସ୍ଥାନକୁ ସେମାନେ ତାହାଙ୍କର ଅନୁଗାମୀ ହୁଅନ୍ତି । ସେମାନେ ଈଶ୍ଵର ଓ ମେଷଶାବକଙ୍କ ଉଦ୍ଦେଶ୍ୟରେ ପ୍ରଥମଜାତ ଫଳସ୍ଵରୂପେ ମନୁଷ୍ୟମାନଙ୍କ ମଧ୍ୟରୁ କ୍ରୀତ ହୋଇଅଛନ୍ତି;
5. ସେମାନଙ୍କ ମୁଖରେ କୌଣସି ମିଥ୍ୟାକଥା ନାହିଁ, ସେମାନେ ନିର୍ଦ୍ଦୋଷ ।
6. ପରେ ମୁଁ ଆଉ ଜଣେ ଦୂତଙ୍କୁ ଆକାଶର ମଧ୍ୟଭାଗରେ ଉଡ଼ିବାର ଦେଖିଲି, ସେ ପୃଥିବୀ ନିବାସୀ ସମସ୍ତ ଜାତି, ଗୋଷ୍ଠୀ, ଭାଷାବାଦୀ ଓ ବଂଶୀୟ ଲୋକଙ୍କ ନିକଟରେ ପ୍ରଚାର କରିବା ନିମନ୍ତେ ଏକ ଅନନ୍ତକାଳସ୍ଥାୟୀ ସୁସମାଚାର ପ୍ରାପ୍ତ ହୋଇ ଉଚ୍ଚ ସ୍ଵରରେ କହିଲେ,
7. ଈଶ୍ଵରଙ୍କୁ ଭୟ କର ଓ ତାହାଙ୍କୁ ଗୌରବ ପ୍ରଦାନ କର, କାରଣ ତାହାଙ୍କ ବିଚାର ସମୟ ଉପସ୍ଥିତ, ପୁଣି ଯେ ଆକାଶ, ପୃଥିବୀ, ସମୁଦ୍ର ଓ ନିର୍ଝରିଣୀସମୂହ, ସୃଷ୍ଟି କରିଅଛନ୍ତି, ତାହାଙ୍କୁ ପ୍ରଣାମ କର ।
8. ତାହାଙ୍କ ପଶ୍ଚାତରେ ଆଉ ଜଣେ, ଅର୍ଥାତ୍, ଦ୍ଵିତୀୟ ଦୂତ ଆସି କହିଲେ, ଯେଉଁ ମହାନଗରୀ ବାବିଲ ସମସ୍ତ ଜାତିଙ୍କୁ ଆପଣା ବ୍ୟଭିଚାରର କାମରୂପ ମଦିରା ପାନ କରାଇଅଛି, ସେ ପତିତ, ଅଧଃପତିତ ହୋଇଅଛି ।
9. ସେମାନଙ୍କ ପଶ୍ଚାତରେ ଆଉ ଜଣେ, ଅର୍ଥାତ୍ ତୃତୀୟ ଦୂତ ଆସି ଉଚ୍ଚ ସ୍ଵରରେ କହିଲେ, ଯଦି କେହି ସେହି ପଶୁ ଓ ତାହାର ପ୍ରତିମାକୁ ପ୍ରଣାମ କରେ, ପୁଣି ଆପଣା କପାଳରେ କି ହାତରେ ତାହାର ଚିହ୍ନ ଗ୍ରହଣ କରେ, ଣପ୍ରକା. ୧୩:୧୬
10. ତେବେ ସେ ମଧ୍ୟ ଈଶ୍ଵରଙ୍କ କୋପରୂପ ଯେଉଁ ମଦିରା ଅମିଶ୍ରିତ ଭାବେ ତାହାଙ୍କ କ୍ରୋଧର ପାତ୍ରରେ ପ୍ରସ୍ତୁତ କରାଯାଇଅଛି, ତାହା ପାନ କରିବ ପୁଣି ପବିତ୍ର ଦୂତଗଣଙ୍କ ଓ ମେଷଶାବକଙ୍କ ସାକ୍ଷାତରେ ଅଗ୍ନି ଓ ଗନ୍ଧକ ଦ୍ଵାରା ଯନ୍ତ୍ରଣା ପ୍ରାପ୍ତ ହେବ ।
11. ଏପରି ଲୋକମାନଙ୍କ ଯନ୍ତ୍ରଣାର ଧୂମ ଯୁଗେ ଯୁଗେ ଉଠୁଥିବ; ଯେଉଁମାନେ ପଶୁ ଓ ତାହାର ପ୍ରତିମାକୁ ପ୍ରଣାମ କରନ୍ତି, ପୁଣି ତାହାର ନାମର ଚିହ୍ନ ଗ୍ରହଣ କରନ୍ତି, ସେମାନଙ୍କର ଦିବାରାତ୍ର ବିଶ୍ରାମ ନାହିଁ ।
12. ଏଠାରେ ସାଧୁମାନଙ୍କର, ଅର୍ଥାତ୍, ଯେଉଁମାନେ ଈଶ୍ଵରଙ୍କ ଆଜ୍ଞା ପାଳନ କରନ୍ତି ଓ ଯୀଶୁଙ୍କ ପ୍ରତି ବିଶ୍ଵାସ ରଖନ୍ତି, ସେମାନଙ୍କର ଧୈର୍ଯ୍ୟ ଆବଶ୍ୟକ ।
13. ପୁଣି ମୁଁ ସ୍ଵର୍ଗରୁ ଏହି ବାଣୀ ଶୁଣିଲି, ଲେଖ, ଯେଉଁମାନେ ଏଣିକି ପ୍ରଭୁଙ୍କଠାରେ ଥାଇ ମରନ୍ତି, ସେମାନେ ଧନ୍ୟ; ହଁ, ଆତ୍ମା କହୁଅଛନ୍ତି, ସେମାନେ ଆପଣା ଆପଣା ପରିଶ୍ରମରୁ ବିଶ୍ରାମ ପ୍ରାପ୍ତ ହେବେ, କାରଣ ସେମାନଙ୍କ କର୍ମ ସେମାନଙ୍କର ଅନୁବର୍ତ୍ତୀ ହେବ ।
14. ତତ୍ପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ଶୁଭ୍ରବର୍ଣ୍ଣ ଖଣ୍ତେ ମେଘ, ତହିଁ ଉପରେ ମନୁଷ୍ୟପୁତ୍ରଙ୍କ ସଦୃଶ ଜଣେ ଉପବିଷ୍ଟ, ତାହାଙ୍କ ମସ୍ତକରେ ସୁବର୍ଣ୍ଣ ମୁକୁଟ ଓ ହସ୍ତରେ ସୁତୀକ୍ଷ୍ମ ଦାଆ ।
15. ସେଥିରେ ମନ୍ଦିରରୁ ଆଉ ଜଣେ ଦୂତ ବାହାରି ସେହି ମେଘାରୂଢ଼ ବ୍ୟକ୍ତିଙ୍କି ଉଚ୍ଚ ସ୍ଵରରେ କହିଲେ, ଆପଣଙ୍କ ଦାଆ ଲଗାଇ ଶସ୍ୟ କାଟନ୍ତୁ, କାରଣ କାଟିବାର ସମୟ ଉପସ୍ଥିତ, ଆଉ ପୃଥିବୀର ଶସ୍ୟ ଅତିରିକ୍ତ ପରିପକ୍ଵ ହୋଇଅଛି ।
16. ତହୁଁ ସେହି ମେଘାରୂଢ଼ ବ୍ୟକ୍ତି ପୃଥିବୀରେ ଆପଣା ଦାଆ ଲଗାନ୍ତେ ସେଥିର ଶସ୍ୟ କଟାଗଲା ।
17. ତତ୍ପରେ ସ୍ଵର୍ଗସ୍ଥ ମନ୍ଦିରରୁ ଆଉ ଜଣେ ଦୂତ ବାହାର ହେଲେ, ତାହାଙ୍କ ହସ୍ତରେ ମଧ୍ୟ ଗୋଟିଏ ସୁତୀକ୍ଷ୍ମ ଦାଆ ଥିଲା ।
18. ପୁଣି, ବେଦି ନିକଟରୁ ଆଉ ଜଣେ ଦୂତ ବାହାର ହେଲେ, ସେ ଅଗ୍ନି ଉପରେ କ୍ଷମତାପ୍ରାପ୍ତ; ଯାହାଙ୍କ ହସ୍ତରେ ସୁତୀକ୍ଷ୍ମ ଦାଆ ଥିଲା, ତାହାଙ୍କୁ ସେ ଉଚ୍ଚ ସ୍ଵରରେ ଡାକି କହିଲେ, ତୁମ୍ଭର ସୁତୀକ୍ଷ୍ମ ଦାଆ ଲଗାଅ ଓ ପୃଥିବୀର ଦ୍ରାକ୍ଷାପେଣ୍ତାସବୁ ସଂଗ୍ରହ କର, କାରଣ ସେଥିରେ ଦ୍ରାକ୍ଷାଫଳସବୁ ପରିପକ୍ଵ ହୋଇଅଛି ।
19. ତହିଁରେ ସେହି ଦୂତ ପୃଥିବୀରେ ଆପଣା ଦାଆ ଲଗାଇ ସେଥିରେ ଦ୍ରାକ୍ଷାଫଳସବୁ ସଂଗ୍ରହ କଲେ ଓ ଈଶ୍ଵରଙ୍କ କ୍ରୋଧରୂପ ମହା ଦ୍ରାକ୍ଷାକୁଣ୍ତରେ ସେହିସବୁ ନିକ୍ଷେପ କଲେ ।
20. ନଗରର ବାହାରେ ସେହି ଦ୍ରାକ୍ଷାକୁଣ୍ତ ଦଳିତ ହେଲା, ଆଉ ସେଥିରୁ ରକ୍ତ ବାହାର ହୋଇ ଅଶ୍ଵମାନଙ୍କ ଲଗାମ ପର୍ଯ୍ୟନ୍ତ ଉଠି ଏକଶହ କୋଶ ପର୍ଯ୍ୟନ୍ତ ବ୍ୟାପ୍ତ ହେଲା ।