1. ଯେଉଁ ଜନ ସର୍ବୋପରିସ୍ଥଙ୍କ ଆବୃତ ସ୍ଥାନରେ ବାସ କରେ, ସେ ସର୍ବଶକ୍ତିମାନଙ୍କ ଛାୟା ତଳେ ବସତି କରିବ ।
2. ମୁଁ ସଦାପ୍ରଭୁଙ୍କ ବିଷୟରେ କହିବି, ସେ ମୋହର ଆଶ୍ରୟ ଓ ମୋହର ଦୁର୍ଗ; ମୋହର ପରମେଶ୍ଵର, ମୁଁ ତାହାଙ୍କଠାରେ ନିର୍ଭର ରଖେ ।
3. କାରଣ ସେ ତୁମ୍ଭକୁ ବ୍ୟାଧର ଫାନ୍ଦରୁ ଓ ସର୍ବନାଶକ ମହାମାରୀରୁ ରକ୍ଷା କରିବେ ।
4. ସେ ଆପଣା ପକ୍ଷରେ ତୁମ୍ଭକୁ ଆବୋରିବେ ଓ ତାହାଙ୍କ ଡେଣା ତଳେ ତୁମ୍ଭେ ଆଶ୍ରୟ ନେବ; ତାହାଙ୍କ ସତ୍ୟତା ଢାଲ ଓ ଫଳକ ସ୍ଵରୂପ ଅଟେ ।
5. ତୁମ୍ଭେ ରାତ୍ରିର ତ୍ରାସ, କିଅବା ଦିବସର ଉଡ଼ନ୍ତା ତୀର,
6. ଅନ୍ଧକାରଗାମୀ ମହାମାରୀ, କିଅବା ମଧ୍ୟାହ୍ନରେ ବିନାଶକ ସଂହାର ବିଷୟରେ ଭୀତ ହେବ ନାହିଁ ।
7. ତୁମ୍ଭ ପାର୍ଶ୍ଵରେ ସହସ୍ର ଓ ତୁମ୍ଭ ଦକ୍ଷିଣ ପାଖରେ ଅୟୁତ ଲୋକ ପଡ଼ିବେ; ମାତ୍ର ତାହା ତୁମ୍ଭ କତିକି ଆସିବ ନାହିଁ ।
8. ତୁମ୍ଭେ କେବଳ ସ୍ଵଚକ୍ଷୁରେ ନିରୀକ୍ଷଣ କରିବ ଓ ଦୁଷ୍ଟମାନଙ୍କର ପ୍ରତିଫଳ ଦେଖିବ ।
9. କାରଣ, ହେ ସଦାପ୍ରଭୋ, ତୁମ୍ଭେ ମୋହର ଆଶ୍ରୟ । ସର୍ବୋପରିସ୍ଥଙ୍କୁ ତୁମ୍ଭେ ଆପଣା ବାସସ୍ଥାନ କରିଅଛ ।
10. ତୁମ୍ଭକୁ କୌଣସି ବିପଦ ଘଟିବ ନାହିଁ, କିଅବା କୌଣସି ମାରୀ ତୁମ୍ଭ ତମ୍ଵୁ ନିକଟକୁ ଆସିବ ନାହିଁ ।
11. କାରଣ ସେ ତୁମ୍ଭର ସବୁ ଗତିରେ ତୁମ୍ଭକୁ ରକ୍ଷା କରିବା ପାଇଁ ଆପଣା ଦୂତଗଣକୁ ତୁମ୍ଭ ବିଷୟରେ ଆଜ୍ଞା ଦେବେ ।
12. ତୁମ୍ଭ ଚରଣ ଯେପରି ପଥରରେ ନ ବାଜିବ, ଏଥିପାଇଁ ସେମାନେ ସ୍ଵହସ୍ତରେ ତୁମ୍ଭକୁ ବହିବେ ।
13. ତୁମ୍ଭେ ସିଂହ ଓ କାଳସର୍ପ ଉପରେ ଚାଲିବ; ତୁମ୍ଭେ ଯୁବାସିଂହ ଓ ସର୍ପକୁ ପାଦ ତଳେ ଦଳିବ ।
14. ସେ ଆମ୍ଭ ଉପରେ ଆପଣା ସ୍ନେହ ରଖିଅଛି, ଏହେତୁ ଆମ୍ଭେ ତାହାକୁ ଉଦ୍ଧାର କରିବା; ସେ ଆମ୍ଭ ନାମ ଜାଣିଅଛି, ଏହେତୁ ଆମ୍ଭେ ତାହାକୁ ଉଚ୍ଚରେ ରଖିବା ।
15. ସେ ଆମ୍ଭ ନିକଟରେ ପ୍ରାର୍ଥନା କଲେ, ଆମ୍ଭେ ତାହାକୁ ଉତ୍ତର ଦେବା; ଦୁଃଖ ବେଳେ ଆମ୍ଭେ ତାହାର ସହବର୍ତ୍ତୀ ହେବା; ଆମ୍ଭେ ତାହାକୁ ରକ୍ଷା କରିବା ଓ ତାହାକୁ ସମ୍ଭ୍ରମ କରିବା ।
16. ଆମ୍ଭେ ଦୀର୍ଘାୟୁ ଦେଇ ତାହାକୁ ତୃପ୍ତ କରିବା ଓ ଆମ୍ଭର ପରିତ୍ରାଣ ତାହାକୁ ଦେଖାଇବା ।