3. ଏଣୁ ମୋୟାବ ଲୋକମାନଙ୍କ ସକାଶୁ ଅତିଶୟ ଭୀତ ହେଲେ, କାରଣ ସେମାନେ ବହୁତ ଥିଲେ; ଆଉ ମୋୟାବ ଇସ୍ରାଏଲ-ସନ୍ତାନଗଣ ସକାଶୁ ଉଦ୍ବିଗ୍ନ ହେଲେ ।
|
4. ଏଥିରେ ମୋୟାବ ମିଦୀୟନୀୟ ପ୍ରାଚୀନଗଣକୁ କହିଲେ, ଗୋରୁ ଯେପରି ପଦାରୁ ଘାସ ଚାଟି ଖାଏ, ସେପରି ଏହି ଜନତା ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ସବୁ ଚାଟି ପକାଇବେ । ଏହି ସମୟରେ ସିପ୍ପୋରର ପୁତ୍ର ବାଲାକ ମୋୟାବର ରାଜା ଥିଲେ ।
|
5. ଏନିମନ୍ତେ ସେ ବିୟୋରର ପୁତ୍ର ବିଲୀୟମକୁ ଡାକିବା ପାଇଁ ଆପଣା ଲୋକମାନଙ୍କ ସନ୍ତାନଗଣର ଦେଶ-ନିକଟସ୍ଥ ନଦୀର ନିକଟବର୍ତ୍ତୀ ପଥୋର ନଗରକୁ ଦୂତ ପଠାଇ ଏହା କହିଲେ, ଦେଖ, ମିସରରୁ ବାହାର ହୋଇ ଏକ ଜନତା ଆସିଅଛନ୍ତି; ଦେଖ, ସେମାନେ ପୃଥିବୀର ମୁଖ ଆଚ୍ଛନ୍ନ କରନ୍ତି; ପୁଣି ଆମ୍ଭ ସମ୍ମୁଖରେ ବାସ କରନ୍ତି ।
|
6. ଏହେତୁ ଆମ୍ଭେ ନିବେଦନ କରୁଅଛୁ, ତୁମ୍ଭେ ଆସି ଆମ୍ଭ ନିମନ୍ତେ ଏହି ଲୋକମାନଙ୍କୁ ଶାପ ଦିଅ; କାରଣ ସେମାନେ ଆମ୍ଭ ପ୍ରତି ଅତି ବଳବାନ୍; ହୋଇପାରେ, ଆମ୍ଭେ ସେମାନଙ୍କୁ ପରାଜୟ କରି ଦେଶରୁ ଦୂର କରି ପାରିବା; ଯେହେତୁ ଆମ୍ଭେ ଜାଣୁ, ତୁମ୍ଭେ ଯାହାକୁ ଆଶୀର୍ବାଦ କର, ସେ ଆଶୀର୍ବାଦ ପାଏ, ପୁଣି ତୁମ୍ଭେ ଯାହାକୁ ଶାପ ଦିଅ, ସେ ଶାପଗ୍ରସ୍ତ ହୁଏ ।
|
7. ତହିଁରେ ମୋୟାବର ପ୍ରାଚୀନବର୍ଗ ଓ ମିଦୀୟନର ପ୍ରାଚୀନବର୍ଗ ମନ୍ତ୍ରର ପୁରସ୍କାର ହସ୍ତରେ ଘେନି ପ୍ରସ୍ଥାନ କଲେ; ପୁଣି ସେମାନେ ବିଲୀୟମ ନିକଟରେ ଉପସ୍ଥିତ ହୋଇ ବାଲାକଙ୍କ କଥା ତାହାକୁ କହିଲେ ।
|
8. ତହୁଁ ସେ ସେମାନଙ୍କୁ କହିଲା, ତୁମ୍ଭେମାନେ ଆଜି ରାତ୍ରି ଏଠାରେ ରୁହ, ଆଉ ସଦାପ୍ରଭୁ ମୋତେ ଯାହା କହିବେ, ତାହା ମୁଁ ପୁନର୍ବାର ତୁମ୍ଭମାନଙ୍କୁ ଜଣାଇବି; ତହିଁରେ ମୋୟାବର ଅଧିପତିମାନେ ବିଲୀୟମ ସଙ୍ଗରେ ରହିଲେ ।
|
10. ତହୁଁ ବିଲୀୟମ ପରମେଶ୍ଵରଙ୍କୁ କହିଲା, ମୋୟାବର ରାଜା ସିପ୍ପୋରର ପୁତ୍ର ବାଲାକ ମୋʼ ନିକଟକୁ ଏହା କହି ପଠାଇ ଅଛନ୍ତି;
|
11. ଦେଖ, ଏହି ଯେଉଁ ଲୋକମାନେ ମିସରରୁ ବାହାରି ଆସିଅଛନ୍ତି, ସେମାନେ ପୃଥବୀର ମୁଖ ଆଚ୍ଛନ୍ନ କରୁଅଛନ୍ତି; ଏବେ ତୁମ୍ଭେ ଆସି ଆମ୍ଭ ନିମନ୍ତେ ସେମାନଙ୍କୁ ଶାପ ଦିଅ, ହୋଇପାରେ, ଆମ୍ଭେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରି ସେମାନଙ୍କୁ ତଡ଼ି ଦେଇ ପାରିବା ।
|
12. ତହିଁରେ ପରମେଶ୍ଵର ବିଲୀୟମକୁ କହିଲେ, ତୁମ୍ଭେ ସେମାନଙ୍କ ସଙ୍ଗେ ଯିବ ନାହିଁ; ତୁମ୍ଭେ ସେହି ଲୋକମାନଙ୍କୁ ଶାପ ଦେବ ନାହିଁ; କାରଣ ସେମାନେ ଆଶୀର୍ବାଦପ୍ରାପ୍ତ ଅଟନ୍ତି ।
|
13. ଏଥିରେ ବିଲୀୟମ ପ୍ରାତଃକାଳରେ ଉଠି ବାଲାକଙ୍କ ଅଧିପତିମାନଙ୍କୁ କହିଲା, ତୁମ୍ଭେମାନେ ଆପଣା ଦେଶକୁ ଯାଅ, କାରଣ ସଦାପ୍ରଭୁ ମୋତେ ତୁମ୍ଭମାନଙ୍କ ସହିତ ଯିବା ପାଇଁ ଅନୁମତି ଦେବାକୁ ନାସ୍ତି କରୁଅଛନ୍ତି ।
|
14. ଏଣୁ ମୋୟାବର ଅଧିପତିମାନେ ଉଠି ବାଲାକଙ୍କ ନିକଟକୁ ଯାଇ କହିଲେ, ବିଲୀୟମ ଆମ୍ଭମାନଙ୍କ ସଂଗେ ଆସିବାକୁ ନାସ୍ତି କରୁଅଛି।
|
16. ତହୁଁ ସେମାନେ ବିଲୀୟମ ନିକଟକୁ ଆସି ତାହାକୁ କହିଲେ, ସିପ୍ପୋରର ପୁତ୍ର ବାଲାକ ଏହି କଥା କହନ୍ତି, ଆମ୍ଭେ ବିନୟ କରୁଅଛୁ, ଆମ୍ଭ କତିକି ଆସିବାକୁ ତୁମ୍ଭେ ନିବାରିତ ହୁଅ ନାହିଁ ।
|
17. କାରଣ ଆମ୍ଭେ ତୁମ୍ଭକୁ ସମ୍ଭ୍ରମ ଦେଇ ମହାସମ୍ଭ୍ରାନ୍ତ କରିବା, ପୁଣି ଯାହା ତୁମ୍ଭେ ଆମ୍ଭକୁ କହିବ, ଆମ୍ଭେ ତାହା କରିବା; ଏଣୁ ବିନୟ କରୁଅଛୁ, ଆସ, ଆମ୍ଭ ନିମନ୍ତେ ଏହି ଲୋକମାନଙ୍କୁ ଶାପ ଦିଅ ।
|
18. ଏଥିରେ ବିଲୀୟମ ଉତ୍ତର ଦେଇ ବାଲାକଙ୍କ ଦାସମାନଙ୍କୁ କହିଲା, ଯଦ୍ୟପି ବାଲାକ ରୂପା ଓ ସୁନାରେ ପରିପୂର୍ଣ୍ଣ ଆପଣା ଗୃହ ମୋତେ ଦିଅନ୍ତି, ତଥାପି ଊଣା କି ଅଧିକ କରିବାକୁ ମୁଁ ଆପଣା ପରମେଶ୍ଵର ସଦାପ୍ରଭୁଙ୍କ ବାକ୍ୟର ବାହାରେ ଯାଇ ପାରେ ନାହିଁ ।
|
19. ଏନିମନ୍ତେ ବିନୟ କରୁଅଛି, ତୁମ୍ଭେମାନେ ହେଁ ଆଜି ରାତ୍ରି ଏଠାରେ ରୁହ, ସଦାପ୍ରଭୁ ମୋତେ ଆଉ ଯାହା କହିବେ, ତାହା ମୁଁ ଜାଣିବି ।
|
20. ଏଥିରେ ପରମେଶ୍ଵର ରାତ୍ରିରେ ବିଲୀୟମ ନିକଟକୁ ଆସି କହିଲେ, ଯେବେ ଏହି ଲୋକମାନେ ତୁମ୍ଭକୁ ଡାକିବାକୁ ଆସନ୍ତି, ତେବେ ଉଠ, ସେମାନଙ୍କ ସଂଗେ ଯାଅ; ମାତ୍ର ଆମ୍ଭେ ତୁମ୍ଭକୁ ଯେଉଁ କଥା କହିବା; କେବଳ ତାହା ହିଁ ତୁମ୍ଭେ କହିବ ।
|
22. ଏଥିରେ ସେ ଯିବା ସକାଶୁ ପରମେଶ୍ଵରଙ୍କ କ୍ରୋଧ ପ୍ରଜ୍ଵଳିତ ହେଲା, ପୁଣି ସଦାପ୍ରଭୁଙ୍କ ଦୂତ ତାହାର ଶତ୍ରୁ ରୂପେ ପଥ ମଧ୍ୟରେ ଠିଆ ହୋଇ ରହିଲେ; ସେତେବେଳେ ସେ ଆପଣା ଗର୍ଦ୍ଦଭୀ ଉପରେ ଚଢ଼ି ଯାଉଥିଲା ଓ ତାହାର ଦୁଇ ଦାସ ତାହା ସଙ୍ଗରେ ଥିଲେ ।
|
23. ଏଥିରେ ସେହି ଗର୍ଦ୍ଦଭୀ ସଦାପ୍ରଭୁଙ୍କ ଦୂତଙ୍କୁ ପଥ ମଧ୍ୟରେ ନିଷ୍କୋଷ ଖଡ଼୍ଗ ହସ୍ତରେ ଧରି ଠିଆ ହୋଇଥିବାର ଦେଖିଲା; ତହୁଁ ଗର୍ଦ୍ଦଭୀ ବାଟ ଛାଡ଼ି ବିଲ ଆଡ଼କୁ ଗଲା; ତହିଁରେ ବିଲୀୟମ ଗର୍ଦ୍ଦଭୀକି ବାଟକୁ ଫେରାଇ ଆଣିବା ପାଇଁ ପ୍ରହାର କଲା;
|
24. ତେବେ ସଦାପ୍ରଭୁଙ୍କ ଦୂତ ଦୁଇ ଦ୍ରାକ୍ଷାକ୍ଷେତ୍ରର ଏପାଖେ ପ୍ରାଚୀର ଓ ସେପାଖେ ପ୍ରାଚୀର ଥିବା ଗଳିପଥରେ ଠିଆ ହେଲେ ।
|
25. ସେତେବେଳେ ଗର୍ଦ୍ଦଭୀ ସଦାପ୍ରଭୁଙ୍କ ଦୂତଙ୍କୁ ଦେଖି କାନ୍ଥ ଆଡ଼କୁ ଠେଲି ହୋଇ ଯିବାରୁ ବିଲୀୟମର ଗୋଡ଼ କାନ୍ଥରେ ଘଷି ହେଲା; ତହିଁରେ ସେ ପୁନର୍ବାର ତାହାକୁ ପ୍ରହାର କଲା ।
|
26. ଏଉତ୍ତାରେ ସଦାପ୍ରଭୁଙ୍କ ଦୂତ ଆହୁରି ଆଗକୁ ଯାଇ ଏକ ସଂକୀର୍ଣ୍ଣ ସ୍ଥାନରେ ଠିଆ ହେଲେ, ସେଠାରେ ଡାହାଣରେ କି ବାମରେ ଫେରିବାର ସ୍ଥାନ ନ ଥିଲା ।
|
27. ସେତେବେଳେ ଗର୍ଦ୍ଦଭୀ ସଦାପ୍ରଭୁଙ୍କୁ ଦୂତଙ୍କୁ ଦେଖି ବିଲୀୟମର ତଳେ ଶୋଇ ପଡ଼ିଲା; ତହିଁରେ ବିଲୀୟମର କ୍ରୋଧ ପ୍ରଜ୍ଵଳିତ ହୁଅନ୍ତେ, ସେ ଗର୍ଦ୍ଦଭୀକି ଆପଣା ଯଷ୍ଟିରେ ପ୍ରହାର କଲା ।
|
28. ତହୁଁ ସଦାପ୍ରଭୁ ଗର୍ଦ୍ଦଭୀର ମୁଖ ଫିଟାଇଲେ, ତେଣୁ ସେ ବିଲୀୟମକୁ କହିଲା, ମୁଁ ତୁମ୍ଭର କଅଣ କଲି ଯେ, ତୁମ୍ଭେ ମୋତେ ଏହି ତିନିଥର ପ୍ରହାର କଲ?
|
29. ତେବେ ବିଲୀୟମ ଗର୍ଦ୍ଦଭୀକି କହିଲା, କାରଣ ତୁ ମୋତେ ପରିହାସ କରୁଅଛୁ; ମୋʼ ହାତରେ ଖଣ୍ତା ଥିଲେ ମୁଁ ଏବେ ତୋତେ ବଧ କରନ୍ତି ।
|
30. ପୁଣି ଗର୍ଦ୍ଦଭୀ ବିଲୀୟମକୁ କହିଲା, ତୁମ୍ଭେ ଜନ୍ମାବଧି ଆଜି ପର୍ଯ୍ୟନ୍ତ ଯାହା ଉପରେ ଚଢ଼ି ଆସିଅଛ, ମୁଁ କି ତୁମ୍ଭର ସେହି ଗର୍ଦ୍ଦଭୀ ନୁହେଁ? ମୁଁ କି ପୂର୍ବେ କେବେ ତୁମ୍ଭ ପ୍ରତି ଏପରି କରିଥିଲି? ତହୁଁ ସେ କହିଲା, ‘ନାʼ ।
|
31. ଏଥିରେ ସଦାପ୍ରଭୁ ବିଲୀୟମର ଚକ୍ଷୁ ପ୍ରସନ୍ନ କରନ୍ତେ, ସେ ସଦାପ୍ରଭୁଙ୍କ ଦୂତଙ୍କୁ ପଥ ମଧ୍ୟରେ ନିଷ୍କୋଷ ଖଡ଼୍ଗ ହସ୍ତରେ ଧରି ଠିଆ ହୋଇଥିବାର ଦେଖିଲା; ତହିଁରେ ସେ ମସ୍ତକ ନୁଆଁଇ ମୁହଁ ମାଡ଼ି ପଡ଼ିଲା ।
|
32. ସେତେବେଳେ ସଦାପ୍ରଭୁଙ୍କ ଦୂତ ତାହାକୁ କହିଲେ, ତୁମ୍ଭେ ଏହି ତିନିଥର ଆପଣା ଗର୍ଦ୍ଦଭୀକି କିହେତୁ ପ୍ରହାର କଲ? ଦେଖ, ଆମ୍ଭେ ତୁମ୍ଭର ଶତ୍ରୁ ରୂପେ ବାହାର ହୋଇଅଛୁ, ଯେହେତୁ ଆମ୍ଭ ସାକ୍ଷାତରେ ତୁମ୍ଭର ଗତି ବିପଥଗାମୀ ହୋଇଅଛି;
|
33. ପୁଣି ଗର୍ଦ୍ଦଭୀ ଆମ୍ଭକୁ ଦେଖି ଏହି ତିନିଥର ଆମ୍ଭ ସମ୍ମୁଖରୁ ଫେରିଲା; ସେ ଯେବେ ଆମ୍ଭ ସମ୍ମୁଖରୁ ଫେରି ନ ଥାʼନ୍ତା, ତେବେ ନିଶ୍ଚୟ ଆମ୍ଭେ ତୁମ୍ଭକୁ ବଧ କରିଥାʼନ୍ତୁ, ଆଉ ତାହାକୁ ଜୀଅନ୍ତା ରଖିଥାʼନ୍ତୁ ।
|
34. ତହିଁରେ ବିଲୀୟମ ସଦାପ୍ରଭୁଙ୍କ ଦୂତଙ୍କୁ କହିଲା, ‘ମୁଁ ପାପ କରିଅଛିʼ; କାରଣ ତୁମ୍ଭେ ଯେ ମୋʼ ବିପକ୍ଷରେ ପଥରେ ଠିଆ ହୋଇଅଛ; ତାହା ମୁଁ ଜାଣିଲି ନାହିଁ; ଏଣୁ ଏବେ, ଯେବେ ତାହା ତୁମ୍ଭ ଦୃଷ୍ଟିରେ ମନ୍ଦ ହୁଏ, ତେବେ ମୁଁ ଫେରିଯିବି ।
|
35. ତହିଁରେ ସଦାପ୍ରଭୁଙ୍କ ଦୂତ ବିଲୀୟମକୁ କହିଲେ, ସେହି ଲୋକମାନଙ୍କ ସଙ୍ଗେ ଯାଅ; ମାତ୍ର ଆମ୍ଭେ ତୁମ୍ଭକୁ ଯେଉଁ କଥା କହିବା, କେବଳ ତାହା ତୁମ୍ଭେ କହିବ । ତହିଁରେ ବିଲୀୟମ ବାଲାକଙ୍କ ଅଧିପତିମାନଙ୍କ ସହିତ ଗମନ କଲା ।
|
36. ଅନନ୍ତର ବିଲୀୟମର ଆଗମନ ସମ୍ଵାଦ ଶୁଣି ବାଲାକ ତାହା ସଙ୍ଗେ ଭେଟିବା ପାଇଁ ଦେଶର ପ୍ରାନ୍ତସ୍ଥିତ ଅର୍ଣ୍ଣୋନର ସୀମାନ୍ତବର୍ତ୍ତୀ ମୋୟାବ ନଗରକୁ ଗମନ କଲେ ।
|
37. ପୁଣି ବାଲାକ ବିଲୀୟମକୁ କହିଲେ, ଆମ୍ଭେ କି ତୁମ୍ଭକୁ ଡାକିବା ପାଇଁ ଅତି ଯନିରେ ଲୋକ ପଠାଇଲୁ ନାହିଁ? ତୁମ୍ଭେ କାହିଁକି ଆମ୍ଭ ନିକଟକୁ ଆସିଲ ନାହିଁ? ଆମ୍ଭେ କି ତୁମ୍ଭକୁ ସମ୍ଭ୍ରମ ଦେଇ ସମ୍ଭ୍ରାନ୍ତ କରିବାକୁ ନିତା; ଅସମର୍ଥ?
|
38. ତହୁଁ ବିଲୀୟମ ବାଲାକଙ୍କୁ କହିଲା, ଏହି ଦେଖ, ମୁଁ ତୁମ୍ଭ ନିକଟକୁ ଆସିଲି; ମାତ୍ର ଏବେ କୌଣସି କଥା କହିବାକୁ କି ମୋହର କିଛି ସାମର୍ଥ୍ୟ ଅଛି? ପରମେଶ୍ଵର ମୋʼ ମୁଖରେ ଯେଉଁ ବାକ୍ୟ ଦେବେ ତାହା ହିଁ ମୁଁ କହିବି ।
|
41. ପୁଣି ପ୍ରଭାତରେ ବାଲାକ ବିଲୀୟମକୁ ସଂଗେ ନେଇ ବାଲର ଉଚ୍ଚସ୍ଥଳୀରେ ଆରୋହଣ କରାଇଲେ; ଆଉ ସେହିଠାରୁ ସେ ଲୋକମାନଙ୍କର ଶେଷ ସୀମା ପର୍ଯ୍ୟନ୍ତ ଦେଖିଲେ ।
|