1. ଯେଉଁମାନେ ଆପଣା ଆପଣା ଶଯ୍ୟାରେ ଅଧର୍ମ କଳ୍ପନା କରନ୍ତି ଓ କୁକର୍ମ ସ୍ଥିର କରନ୍ତି, ସେମାନେ ସନ୍ତାପର ପାତ୍ର! ପ୍ରଭାତ ହେବାମାତ୍ର ସେମାନେ ତାହା ସାଧନ କରନ୍ତି, କାରଣ ତାହା ସେମାନଙ୍କ ହସ୍ତର କ୍ଷମତାଧୀନ ।
2. ଆଉ, ସେମାନେ କ୍ଷେତ୍ରକୁ ଲୋଭ କରନ୍ତି ଓ ବଳରେ ତାହା ଛଡ଼ାଇ ନିଅନ୍ତି ଓ ଗୃହକୁ ଲୋଭ କରି ତାହା ହରଣ କରି ନିଅନ୍ତି; ଆଉ, ସେମାନେ ପୁରୁଷ ଓ ତାହାର ଗୃହ ପ୍ରତି, ହଁ, ମନୁଷ୍ୟ ଓ ତାହାର ପୈତୃକ ଅଧିକାର ପ୍ରତି ଦୌରାତ୍ମ୍ୟ କରନ୍ତି ।
3. ଏହେତୁ ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଆମ୍ଭେ ଏହି ଗୋଷ୍ଠୀ ବିରୁଦ୍ଧରେ ଅମଙ୍ଗଳ କଳ୍ପନା କରୁଅଛୁ, ତହିଁରୁ ତୁମ୍ଭେମାନେ ଆପଣା ଆପଣା ବେକ କାଢ଼ି ନେବାକୁ କିଅବା ଗର୍ବ କରି ଚାଲିବାକୁ ପାରିବ ନାହିଁ; କାରଣ ତାହା ଦୁଃସମୟ ଅଟେ ।
4. ସେଦିନ ଲୋକମାନେ ତୁମ୍ଭ ବିରୁଦ୍ଧରେ ଗୋଟିଏ ପ୍ରବାଦ ଧରି ଅତିଶୟ ବିଳାପ କରିବେ, ଆଉ କହିବେ, ଆମ୍ଭମାନଙ୍କର ସର୍ବନାଶ ହେଲା; ସେ ଆମ୍ଭ ଲୋକମାନଙ୍କର ଅଧିକାର ହସ୍ତାନ୍ତର କରନ୍ତି; ସେ କିପରି ଆମ୍ଭଠାରୁ ତାହା ଦୂର କରନ୍ତି । ସେ ଆମ୍ଭମାନଙ୍କର କ୍ଷେତ୍ର ବିଭାଗ କରି ବିଦ୍ରୋହୀମାନଙ୍କୁ ଦିଅନ୍ତି ।
5. ଏଥିପାଇଁ ଗୁଲିବାଣ୍ଟ ଦ୍ଵାରା ପରିମାପକ ରଜ୍ଜୁ ପକାଇବା ପାଇଁ ସଦାପ୍ରଭୁଙ୍କ ସମାଜରେ ତୁମ୍ଭର କେହି ନ ଥିବେ ।
6. ତୁମ୍ଭେମାନେ ବାକ୍ୟ ପ୍ରଚାର ନ କର, ସେମାନେ ଏପରି ପ୍ରଚାର କରନ୍ତି । ଏମାନଙ୍କ ନିକଟରେ ସେମାନେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରିବେ ନାହିଁ; ଅପମାନ ଘୁଞ୍ଚିବ ନାହିଁ ।
7. ହେ ଯାକୁବ-ବଂଶ, ସଦାପ୍ରଭୁଙ୍କର ଆତ୍ମା କି ସଙ୍କୁଚିତ ହୋଇଅଛି? ଏହିସବୁ କି ତାହାଙ୍କର କର୍ମ? କି ଏହା କୁହାଯିବ? ଯେଉଁଜନ ସରଳ ଆଚରଣ କରେ, ଆମ୍ଭର ବାକ୍ୟସକଳ କି ତାହାର ମଙ୍ଗଳ ନ କରେ?
8. ମାତ୍ର ଅଳ୍ପ କାଳ ହେଲା, ଆମ୍ଭର ଲୋକମାନେ ଶତ୍ରୁ ତୁଲ୍ୟ ହୋଇ ଉଠିଅଛନ୍ତି; ଯୁଦ୍ଧରୁ ବିମୁଖ ଲୋକମାନଙ୍କ ତୁଲ୍ୟ ନିଶ୍ଚି; ପଥିକମାନଙ୍କ ଗାତ୍ରୀୟ ବସ୍ତ୍ରରୁ ତୁମ୍ଭେମାନେ ଉତ୍ତରୀୟ ବସ୍ତ୍ର ଛଡ଼ାଇ ନେଉଅଛ ।
9. ଆମ୍ଭ ଲୋକମାନଙ୍କର ନାରୀଗଣକୁ ସେମାନଙ୍କର ସୁଖଜନକ ଗୃହରୁ ତୁମ୍ଭେମାନେ ଦୂର କରି ଦେଉଅଛ; ସେମାନଙ୍କର ସନ୍ତାନଗଣଠାରୁ ତୁମ୍ଭେମାନେ ଆମ୍ଭର (ଦତ୍ତ) ଗୌରବ ଚିରକାଳର ନିମନ୍ତେ ହରଣ କରି ନେଉଅଛ ।
10. ତୁମ୍ଭେମାନେ ଉଠ ଓ ପ୍ରସ୍ଥାନ କର; କାରଣ ଏ ତୁମ୍ଭମାନଙ୍କର ବିଶ୍ରାମ ସ୍ଥାନ ନୁହେଁ; ଯେହେତୁ ଅଶୁଚିତା ବିନାଶ, ଅର୍ଥାତ୍, ଭୟାନକ ବିନାଶ କରୁଅଛି ।
11. ଯେବେ କୌଣସି ଲୋକ ବାୟୁ ଓ ମିଥ୍ୟା କଥାର ଅନୁଗାମୀ ହୋଇ ମିଥ୍ୟାରେ କହେ, ଆମ୍ଭେ ଦ୍ରାକ୍ଷାରସ ଓ ସୁରା ବିଷୟକ ଭବିଷ୍ୟଦ୍ବାକ୍ୟ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିବା, ତେବେ ସେ ତ ଏହି ଲୋକମାନଙ୍କର ଭବିଷ୍ୟଦ୍ବକ୍ତା ହେବ ।
12. ହେ ଯାକୁବ, ଆମ୍ଭେ ଅବଶ୍ୟ ତୁମ୍ଭର ଯାବତୀୟ ଲୋକଙ୍କୁ ଏକତ୍ର କରିବା; ଆମ୍ଭେ ଅବଶ୍ୟ ଇସ୍ରାଏଲର ଅବଶିଷ୍ଟାଂଶକୁ ସଂଗ୍ରହ କରିବା; ଆମ୍ଭେ ସେମାନଙ୍କୁ ବସ୍ରାର ମେଷଗଣ ତୁଲ୍ୟ ଏକତ୍ର ରଖିବା; ନିଜ ଚରାଣି-ସ୍ଥାନ ମଧ୍ୟରେ ଯେପରି ମେଷପଲ, ସେପରି ମନୁଷ୍ୟ-ବାହୁଲ୍ୟ ହେତୁରୁ ସେମାନେ ମହାଶଦ୍ଦ କରିବେବ ।
13. ଭଗ୍ନକାରୀ ସେମାନଙ୍କର ଅଗ୍ରଗାମୀ ହୋଇଅଛନ୍ତି; ସେମାନେ ବେଢ଼ା ଭାଙ୍ଗି ଦ୍ଵାର ପର୍ଯ୍ୟନ୍ତ ଯାଇଅଛନ୍ତି ଓ ସେହି ଦ୍ଵାର ଦେଇ ବାହାରି ଯାଇଅଛନ୍ତି; ପୁଣି, ସେମାନଙ୍କର ରାଜା ସେମାନଙ୍କର ଆଗେ ଆଗେ ଯାଇଅଛନ୍ତି ଓ ସଦାପ୍ରଭୁ ସେମାନଙ୍କର ଅଗ୍ରଗାମୀ ଅଛନ୍ତି।