1. ସେହି ସମୟରେ ସାମ; ରାଜା ହେରୋଦ ଯୀଶୁଙ୍କ ସମ୍ଵନ୍ଧୀୟ ସମାଚାର ଶୁଣି ଆପଣା ଦାସମାନଙ୍କୁ କହିଲେ,
2. ଏ ବାପ୍ତିଜକ ଯୋହନ, ସେ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ସେଥିସକାଶେ ଏହି ସମସ୍ତ ଶକ୍ତି ତାଙ୍କଠାରେ କାର୍ଯ୍ୟ କରୁଅଛି ।
3. ଯେଣୁ ହେରୋଦ ଆପଣା ଭ୍ରାତା ଫିଲିପ୍ପଙ୍କ ଭାର୍ଯ୍ୟା ହେରୋଦିଆଙ୍କ ସକାଶେ ଯୋହନଙ୍କୁ ଧରି ଓ ବାନ୍ଧି ବନ୍ଦୀଶାଳାରେ ପକାଇଥିଲେ ।
4. କାରଣ ଯୋହନ ତାଙ୍କୁ କହୁଥିଲେ, ଏହାଙ୍କୁ ରଖିବା ଆପଣଙ୍କର ବିଧିସଙ୍ଗତ ନୁହେଁ ।
5. ଆଉ, ସେ ତାଙ୍କୁ ବଧ କରିବାକୁ ଇଚ୍ଛା କଲେ ସୁଦ୍ଧା ଲୋକସମୂହକୁ ଭୟ କଲେ, କାରଣ ସେମାନେ ତାଙ୍କୁ ଭାବବାଦୀ ବୋଲି ମାନୁଥିଲେ ।
6. କିନ୍ତୁ ହେରୋଦଙ୍କ ଜନ୍ମଦିନ ପଡ଼ନ୍ତେ, ହେରୋଦିଆଙ୍କ କନ୍ୟା ସଭା ମଧ୍ୟରେ ନୃତ୍ୟ କରି ହେରୋଦଙ୍କୁ ମୁଗ୍ଧ କରିଦେଲା ।
7. ସେଥିରେ ସେ ଶପଥ କରି ପ୍ରତିଜ୍ଞା କଲେ ଯେ, ସେ ଯାହା କିଛି ମାଗିବ, ସେ ତାହାକୁ ତାହା ଦେବେ ।
8. ଆଉ, ସେ ଆପଣା ମାଆର ଶିକ୍ଷାରେ ପଡ଼ି କହିଲା, ବାପ୍ତିଜକ ଯୋହନର ମସ୍ତକ ଏଠାରେ ଗୋଟିଏ ଥାଳିରେ ମୋତେ ଦିଅନ୍ତୁ ।
9. ଏଥିରେ ରାଜା ଦୁଃଖିତ ହେଲେ ସୁଦ୍ଧା ନିଜ ଶପଥ ଓ ଆପଣା ସହିତ ଭୋଜିରେ ଉପବିଷ୍ଟ ବ୍ୟକ୍ତିମାନଙ୍କ ସକାଶେ ତାହା ଦେବାକୁ ଆଜ୍ଞା କଲେ,
10. ପୁଣି ଲୋକ ପଠାଇ ବନ୍ଦୀଶାଳାରେ ଯୋହନଙ୍କ ମସ୍ତକ ଛେଦନ କରାଇଲେ,
11. ଆଉ ତାହାଙ୍କର ମସ୍ତକ ଗୋଟିଏ ଥାଳିରେ ଅଣାଯାଇ ସେହି ବାଳିକାକୁ ଦିଆଗଲା, ପୁଣି ସେ ଆପଣା ମାଆ ନିକଟକୁ ତାହା ଘେନିଗଲା ।
12. ସେଥିରେ ତାଙ୍କ ଶିଷ୍ୟମାନେ ଆସି ଶବ ଘେନିଯାଇ ତାଙ୍କୁ ସମାଧି ଦେଲେ ଓ ଯାଇ ଯୀଶୁଙ୍କୁ ଜଣାଇଲେ ।
13. ଯୀଶୁ ତାହା ଶୁଣି ସେଠାରୁ ଅନ୍ତର ହୋଇ ନୌକାରେ ଗୋଟିଏ ନିର୍ଜ୍ଜନ ସ୍ଥାନକୁ ପ୍ରସ୍ଥାନ କଲେ । ଲୋକସମୂହ ଏହା ଶୁଣି ନଗରଗୁଡ଼ିକରୁ ଆସି ପାଦ-ଗତିରେ ତାହାଙ୍କର ପଶ୍ଚାଦ୍ଗମନ କଲେ;
14. ଆଉ, ସେ ନୌକାରୁ ବାହାରି ବହୁସଂଖ୍ୟକ ଲୋକଙ୍କୁ ଦେଖି ସେମାନଙ୍କ ପ୍ରତି ଦୟାରେ ବିଗଳିତ ହେଲେ ଓ ସେମାନଙ୍କର ରୋଗୀମାନଙ୍କୁ ଆରୋଗ୍ୟ କଲେ ।
15. ବେଳ ଗଡ଼ିଯିବାରୁ ଶିଷ୍ୟମାନେ ତାହାଙ୍କ ନିକଟକୁ ଆସି କହିଲେ, ଏ ସ୍ଥାନ ତ ନିର୍ଜ୍ଜନ, ପୁଣି ବେଳ ତ ଗଲାଣି; ଏଣୁ ଲୋକସମୂହ ଯେପରି ଗ୍ରାମମାନଙ୍କୁ ଯାଇ ଆପଣା ଆପଣା ନିମନ୍ତେ ଖାଦ୍ୟ କିଣନ୍ତି, ସେଥିପାଇଁ ସେମାନଙ୍କୁ ବିଦାୟ ଦିଅନ୍ତୁ ।
16. କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, ସେମାନଙ୍କର ଯିବା ଆବଶ୍ୟକ ନୁହେଁ, ତୁମ୍ଭେମାନେ ସେମାନଙ୍କୁ ଭୋଜନ କରାଅ ।
17. ସେମାନେ ତାହାଙ୍କୁ କହିଲେ, ଆମ୍ଭମାନଙ୍କର ଏଠାରେ କେବଳ ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛ ଅଛି ।
18. ସେ କହିଲେ, ସେଗୁଡ଼ିକ ଏଠାକୁ ମୋʼ ପାଖକୁ ଆଣ ।
19. ପୁଣି, ସେ ଲୋକସମୂହକୁ ଘାସ ଉପରେ ବସିବା ପାଇଁ ଆଜ୍ଞା ଦେଲେ, ଆଉ ସେ ସେହି ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛ ଘେନି ସ୍ଵର୍ଗ ଆଡ଼େ ଊର୍ଦ୍ଧ୍ଵଦୃଷ୍ଟି କରି ଆଶୀର୍ବାଦ କଲେ ଏବଂ ରୋଟୀଗୁଡ଼ିକ ଭାଙ୍ଗି ଶିଷ୍ୟମାନଙ୍କୁ ଦେଲେ, ଆଉ ଶିଷ୍ୟମାନେ ଲୋକସମୂହକୁ ଦେଲେ ।
20. ପୁଣି, ସମସ୍ତେ ଭୋଜନ କରି ତୃପ୍ତ ହେଲେ ଓ ଭଙ୍ଗା ରୋଟୀରୁ ଯାହା ବଳିଲା, ତାହା ସେମାନେ ଉଠାଇ ବାର ଟୋକାଇ ଭର୍ତ୍ତି କଲେ ।
21. ଭୋଜନ କରିବା ଲୋକେ, ସ୍ତ୍ରୀ ଓ ପିଲାମାନଙ୍କ ଛଡ଼ା, ପ୍ରାୟ ପାଞ୍ଚହଜାର ପୁରୁଷ ଥିଲେ ।
22. ସେହିକ୍ଷଣି ଯୀଶୁ ଶିଷ୍ୟମାନଙ୍କୁ ନୌକାରେ ଚଢ଼ି ତାହାଙ୍କ ଆଗରେ ଅପର ପାରିକି ଯିବା ପାଇଁ ବଳାଇଲେ, ପୁଣି ସେ ଇତିମଧ୍ୟରେ ଲୋକସମୂହକୁ ବିଦାୟ ଦେଲେ ।
23. ଲୋକସମୂହକୁ ବିଦାୟ ଦେଲା ଉତ୍ତାରେ ଯୀଶୁ ପ୍ରାର୍ଥନା କରିବା ନିମନ୍ତେ ଅନ୍ତର ହୋଇ ପର୍ବତ ଉପରକୁ ଗଲେ, ଆଉ ସନ୍ଧ୍ୟା ହେଲା ପରେ ସେ ସେଠାରେ ଏକାକୀ ଥିଲେ ।
24. କିନ୍ତୁ ନୌକା ସେତେବେଳେ କୂଳରୁ ଅନେକ ଦୂରରେ ଥିଲା ଏବଂ ପ୍ରତିକୂଳ ବାୟୁ ହେତୁ ତାହା ଲହଡ଼ିରେ ଟଳମଳ ହେଉଥିଲା ।
25. କିନ୍ତୁ ରାତ୍ରିର ଚତୁର୍ଥ ପ୍ରହରରେ ସେ ସମୁଦ୍ର ଉପରେ ଚାଲି ସେମାନଙ୍କ ପାଖକୁ ଆସିଲେ,
26. ପୁଣି ଶିଷ୍ୟମାନେ ତାହାଙ୍କୁ ସମୁଦ୍ର ଉପରେ ଚାଲିବାର ଦେଖି ଉଦ୍ବିଗ୍ନ ହୋଇ କହିଲେ, ଏ ତ ଭୂତ; ଆଉ, ସେମାନେ ଭୟରେ ଚିତ୍କାର କଲେ ।
27. କିନ୍ତୁ ଯୀଶୁ ସେହିକ୍ଷଣି ସେମାନଙ୍କ ସହିତ କଥାବାର୍ତ୍ତା କରି କହିଲେ, ସାହସ ଧର, ଏ ତ ମୁଁ, ଭୟ କର ନାହିଁ ।
28. ସେଥିରେ ପିତର ଉତ୍ତର ଦେଲେ, ହେ ପ୍ରଭୁ, ଯେବେ ଆପଣ, ତେବେ ଜଳ ଉପରେ ଆପଣଙ୍କ ନିକଟକୁ ଯିବା ପାଇଁ ମୋତେ ଆଜ୍ଞା କରନ୍ତୁ ।
29. ଯୀଶୁ କହିଲେ, ଆସ । ସେଥିରେ ପିତର ନୌକାରୁ ଓହ୍ଳାଇ ଜଳ ଉପରେ ଚାଲି ଯୀଶୁଙ୍କ ନିକଟକୁ ଗଲେ ।
30. ମାତ୍ର ସେ ପବନ ଦେଖି ଭୟ କଲେ, ପୁଣି ବୁଡ଼ି ଯାଉ ଯାଉ ଚିତ୍କାର କରି କହିଲେ, ହେ ପ୍ରଭୁ, ମୋତେ ରକ୍ଷା କରନ୍ତୁ ।
31. ଯୀଶୁ ସେହିକ୍ଷଣି ହାତ ବଢ଼ାଇ ତାଙ୍କୁ ଧରି କହିଲେ, ହେ ଅଳ୍ପବିଶ୍ଵାସୀ, କାହିଁକି ସନ୍ଦେହ କଲ?
32. ପୁଣି, ସେମାନେ ନୌକାରେ ଚଢ଼ନ୍ତେ, ପବନ ବନ୍ଦ ହେଲା ।
33. ସେଥିରେ ନୌକାରେ ଥିବା ଲୋକମାନେ ତାହାଙ୍କୁ ପ୍ରଣାମ କରି କହିଲେ, ଆପଣ ନିଶ୍ଚୟ ଈଶ୍ଵରଙ୍କ ପୁତ୍ର ।
34. ସେମାନେ ପାର ହୋଇ ଗିନ୍ନେସରତ୍ ଅଞ୍ଚଳରେ ପହଞ୍ଚିଲେ ।
35. ପୁଣି, ସେହି ସ୍ଥାନର ଲୋକମାନେ ତାହାଙ୍କୁ ଚିହ୍ନି ସେଥିର ଚତୁର୍ଦ୍ଦିଗସ୍ଥ ସମସ୍ତ ଅଞ୍ଚଳକୁ ସମ୍ଵାଦ ପଠାଇଲେ ଏବଂ ଲୋକେ ସମସ୍ତ ରୋଗୀଙ୍କୁ ତାହାଙ୍କ ନିକଟକୁ ଆଣିଲେ;
36. ଆଉ, ସେମାନେ ଯେପରି କେବଳ ତାହାଙ୍କ ବସ୍ତ୍ରର ଝୁମ୍ପା ଛୁଅଁନ୍ତି, ଏହା ତାହାଙ୍କୁ ବିନତି କରିବାକୁ ଲାଗିଲେ, ପୁଣି ଯେତେ ଲୋକ ଛୁଇଁଲେ, ସମସ୍ତେ ସୁସ୍ଥ ହେଲେ ।