1. ଦେଖ, ଏକ ରାଜା ଧର୍ମାନୁସାରେ ରାଜତ୍ଵ କରିବେ ଓ ଅଧିପତିମାନେ ନ୍ୟାୟାନୁସାରେ ଶାସନ କରିବେ ।
2. ପୁଣି, ପ୍ରତ୍ୟେକ ମନୁଷ୍ୟ ବତାସରୁ ଆଶ୍ରୟ ସ୍ଥାନ ଓ ଝଡ଼ରୁ ଆଶ୍ରୟ, ଶୁଷ୍କ ସ୍ଥାନରେ ଜଳସ୍ରୋତ, ଶ୍ରାନ୍ତିଜନକ ଭୂମିରେ ବୃହତ୍ ଶୈଳର ଛାୟା ସ୍ଵରୂପ ହେବେ ।
3. ପୁଣି, ଦର୍ଶକମାନଙ୍କ ଚକ୍ଷୁ ଧନ୍ଦଳା ନୋହିବ ଓ ଶ୍ରୋତାମାନଙ୍କର କର୍ଣ୍ଣ ମନୋଯୋଗ କରିବ ।
4. ଆହୁରି, ଅବିବେଚକର ଚିତ୍ତ ଜ୍ଞାନ ପାଇବ ଓ ତୋତଲାମାନଙ୍କର ଜିହ୍ଵା ସହଜରେ ସ୍ପଷ୍ଟ କଥା କହିବ ।
5. ମୂଢ଼ ଲୋକ ମହାତ୍ମା ବୋଲି ଓ ଖଳ ଲୋକ ଉଦାର ବୋଲି ଆଉ ବିଖ୍ୟାତ ନୋହିବ ।
6. କାରଣ ପାଷାଣ୍ତତା ବ୍ୟବହାର କରିବା ପାଇଁ ଓ ସଦାପ୍ରଭୁଙ୍କ ପ୍ରତିକୂଳରେ ଭ୍ରାନ୍ତିର କଥା କହିବା ପାଇଁ, କ୍ଷୁଧିତର ପ୍ରାଣ ଶୂନ୍ୟ କରିବା ପାଇଁ ଓ ତୃଷିତର ଜଳ ବାରଣ କରିବା ପାଇଁ ମୂଢ଼ ଲୋକ ଦୁଷ୍ଟତାର କଥା କହିବ ଓ ତାହାର ହୃଦୟ ଅଧର୍ମ କଳ୍ପନା କରିବ ।
7. ଆହୁରି, ଖଳ ଲୋକର ଉପାୟସବୁ ମନ୍ଦ; ସେ ନମ୍ର ଲୋକକୁ, ଅର୍ଥାତ୍, ଯଥାର୍ଥ କଥା କହିବା ବେଳେ ଦୀନହୀନକୁ ମିଥ୍ୟା କଥା ଦ୍ଵାରା ନାଶ କରିବା ପାଇଁ କୁସଂକଳ୍ପ କଳ୍ପନା କରେ ।
8. ମାତ୍ର ମହାତ୍ମା ମାହାତ୍ମ୍ୟର ମନ୍ତ୍ରଣା କରେ ଓ ସେ ମାହାତ୍ମ୍ୟର ଚେଷ୍ଟାରେ ସ୍ଥିର ରହିବ ।
9. ହେ ସୁଖିନୀ ନାରୀଗଣ, ତୁମ୍ଭେମାନେ ଉଠି ମୋହର ରବ ଶୁଣ, ହେ ନିଶ୍ଚିନ୍ତା କନ୍ୟାଗଣ, ମୋʼ ବାକ୍ୟରେ କର୍ଣ୍ଣପାତ କର ।
10. ହେ ନିଶ୍ଚିନ୍ତା ନାରୀଗଣ, ତୁମ୍ଭେମାନେ ଏକ ବର୍ଷର ଉପରେ କେତେକ ଦିନ ଉଦ୍ବିଗ୍ନା ହେବ; କାରଣ ଦ୍ରାକ୍ଷାଫଳର ଅଭାବ ହେବ, ଫଳ ଅମଳର ସମୟ ଆସିବ ନାହିଁ ।
11. ହେ ସୁଖିନୀ ନାରୀଗଣ, ତୁମ୍ଭେମାନେ କମ୍ପିତା ହୁଅ; ହେ ନିଶ୍ଚିନ୍ତାମାନେ, ଉଦ୍ବିଗ୍ନା ହୁଅ; ବସ୍ତ୍ର କାଢ଼ି ବିବସ୍ତ୍ରା ହୁଅ ଓ ତୁମ୍ଭମାନଙ୍କ କଟିଦେଶରେ ଚଟ ବାନ୍ଧ ।
12. ସେମାନେ ମନୋରମ କ୍ଷେତ୍ର ଓ ଫଳବତୀ ଦ୍ରାକ୍ଷାଲତା ନିମନ୍ତେ ଛାତିରେ ମାରିହେବେ ।
13. ମୋʼ ଲୋକମାନଙ୍କ ଭୂମି କଣ୍ଟକ ଓ କାନକୋଳି ବୃକ୍ଷମୟ ହେବ; ହଁ, ଉଲ୍ଲାସପ୍ରିୟ ନଗରର ଯାବତୀୟ ଆନନ୍ଦ-ଗୃହ ତାହା ହିଁ ହେବ;
14. କାରଣ, ରାଜପୁରୀ ପରିତ୍ୟକ୍ତ ହେବ ଓ ଜନପୂର୍ଣ୍ଣ ନଗର ଜନଶୂନ୍ୟ ହେବ; ଗିରି ଓ ପ୍ରହରୀ-ଦୁର୍ଗ ଚିରକାଳ ଗୁହାମୟ, ବନଗର୍ଦ୍ଦଭମାନଙ୍କର ଉଲ୍ଲାସ ଭୂମି ଓ ପଶୁପଲର ଚରାସ୍ଥାନ ହେବନ୍ତ
15. ଶେଷରେ ଊର୍ଦ୍ଧ୍ଵରୁ ଆମ୍ଭମାନଙ୍କ ଉପରେ ଆତ୍ମା ଢଳା ଗଲେ ପ୍ରାନ୍ତର ଉର୍ବରା କ୍ଷେତ୍ର ହେବ ଓ ଉର୍ବରା କ୍ଷେତ୍ର ଅରଣ୍ୟ ବୋଲି ଗଣାଯିବ ।
16. ସେତେବେଳେ ପ୍ରାନ୍ତରରେ ନ୍ୟାୟ ବିଚାର ବାସ କରିବ ଓ ଉର୍ବରା କ୍ଷେତ୍ରରେ ଧାର୍ମିକତା ବସତି କରିବ ।
17. ପୁଣି, ଧାର୍ମିକତାର କାର୍ଯ୍ୟ ଶାନ୍ତିମୟ ହେବନ୍ତ ଆଉ, ଧାର୍ମିକତାର ଫଳ ନିତ୍ୟ ସୁସ୍ଥିରତା ଓ ନିର୍ଭୟତା ହେବ ।
18. ପୁଣି, ମୋହର ଲୋକମାନେ ଶାନ୍ତିମୟ ବସତି ସ୍ଥାନରେ, ଦୃଢ଼ ଆବାସରେ ଓ ସୁସ୍ଥିର ବିଶ୍ରାମ ସ୍ଥାନରେ ବାସ କରିବେ ।
19. ମାତ୍ର ଅରଣ୍ୟର ପତନରେ ଶିଳାବୃଷ୍ଟି ହେବ ଓ ନଗର ସମ୍ପୂର୍ଣ୍ଣ ରୂପେ ନିପାତିତ ହେବ ।
20. ସଜଳ ସ୍ଥାନସବୁରେ ବୀଜ ବୁଣୁଅଛ ଓ ଗୋରୁ ଗର୍ଦ୍ଦଭକୁ ବାହାରେ ପଠାଉଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ଧନ୍ୟ ।