1. ଯିହୁଦାର ରାଜା ଉଷୀୟର ଅଧିକାର ସମୟରେଣଓ ଯୋୟାଶର ପୁତ୍ର ଇସ୍ରାଏଲର ରାଜା ଯାରବୀୟାମର ଅଧିକାର ସମୟରେ, ଭୂମିକମ୍ପର। ଦୁଇ ବର୍ଷର ପୂର୍ବରେ ତକୋୟସ୍ଥ ଗୋପାଳକମାନଙ୍କର ମଧ୍ୟବର୍ତ୍ତୀ ଆମୋଷ ଇସ୍ରାଏଲ ବିଷୟରେ ଯେ ଯେ ଦର୍ଶନ ପାଇଲେ, ତଦ୍ବିଷୟକ ତାଙ୍କର ବାକ୍ୟ ।
2. ପୁଣି ସେ କହିଲେ, ସଦାପ୍ରଭୁ ସିୟୋନରୁ ଗର୍ଜନ କରିବେ ଓ ଯିରୂଶାଲମରୁ ଆପଣା ରବ ଶୁଣାଇବେ; ତହିଁରେ ମେଷପାଳକମାନଙ୍କର ଚରାଣି-ସ୍ଥାନସକଳ ଶୋକ କରିବ ଓ କର୍ମିଲର ଶିଖର ଶୁଷ୍କ ହେବ ।
3. ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ଦାମାସ୍କସ୍ର ତିନି, ହଁ, ଚାରି ଅପରାଧ ସକାଶୁ ତହିଁର ଦଣ୍ତ ନିବାରଣ କରିବା ନାହିଁ; କାରଣ ସେମାନେ ଲୌହମୟ ଶସ୍ୟମର୍ଦ୍ଦନ-ଯନ୍ତ୍ରରେ ଗିଲୀୟଦକୁ ମର୍ଦ୍ଦନ କରିଅଛନ୍ତି;
4. ମାତ୍ର ଆମ୍ଭେ ହସାୟେଲ ବଂଶ ନିକଟକୁ ଅଗ୍ନି ପ୍ରେରଣ କରିବା ଓ ତାହା ବିନ୍ହଦଦ୍ର ଅଟ୍ଟାଳିକାସକଳ ଗ୍ରାସ କରିବ ।
5. ପୁଣି, ଆମ୍ଭେ ଦାମାସ୍କସ୍ର ଅର୍ଗଳ ଭାଙ୍ଗି ପକାଇବା ଓ ଆବନର୍ ଉପତ୍ୟକାରୁ ନିବାସକାରୀକି ଓ ଏଦନ-ବଂଶରୁ ରାଜଦଣ୍ତଧାରୀକି ଉଚ୍ଛିନ୍ନ କରିବା; ପୁଣି, ସଦାପ୍ରଭୁ କହନ୍ତି, ଅରାମର ଲୋକମାନେ ନିର୍ବାସିତ ହୋଇ କୀର୍କୁ ଯିବେ ।
6. ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ଘସାର ତିନି, ହଁ, ଚାରି ଅପରାଧ ସକାଶୁ ତହିଁର ଦଣ୍ତ ନିବାରଣ କରିବା ନାହିଁ; କାରଣ ସେମାନେ ଇଦୋମର ହସ୍ତରେ ସମର୍ପଣ କରିବା ପାଇଁ ସମୁଦାୟ ଲୋକଙ୍କୁ ବନ୍ଦୀ କରି ନେଇ ଗଲେ ।
7. ମାତ୍ର ଆମ୍ଭେ ଘସାର ପ୍ରାଚୀର ଉପରେ ଅଗ୍ନି ନିକ୍ଷେପ କରିବା ଓ ତାହା ତହିଁର ଅଟ୍ଟାଳିକାସକଳ ଗ୍ରାସ କରିବ ।
8. ଆଉ, ଆମ୍ଭେ ଅସ୍ଦୋଦରୁ ନିବାସକାରୀକି ଓ ଅସ୍କିଲୋନରୁ ରାଜଦଣ୍ତଧାରୀକି ଉଚ୍ଛିନ୍ନ କରିବା; ଆମ୍ଭେ ଇକ୍ରୋଣର ବିପକ୍ଷରେ ଆପଣା ହସ୍ତ ଫେରାଇବା ଓ ପଲେଷ୍ଟୀୟମାନଙ୍କର ଅବଶିଷ୍ଟାଂଶ ବିନଷ୍ଟ ହେବେ ⇧, ଏହା ପ୍ରଭୁ ସଦାପ୍ରଭୁ କହନ୍ତି ।
9. ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ସୋରର ତିନି, ହଁ, ଚାରି ଅପରାଧ ସକାଶୁ ତହିଁର ଦଣ୍ତ ନିବାରଣ କରିବା ନାହିଁ; କାରଣ ସେମାନେ ସମୁଦାୟ ଲୋକଙ୍କୁ ଇଦୋମର ହସ୍ତରେ ସମର୍ପଣ କଲେ ଓ ଭ୍ରାତୃ ନିୟମ ସ୍ମରଣ କଲେ ନାହିଁ;
10. ମାତ୍ର ଆମ୍ଭେ ସୋରର ପ୍ରାଚୀର ଉପରେ ଅଗ୍ନି ନିକ୍ଷେପ କରିବା ଓ ତାହା ତହିଁର ଅଟ୍ଟାଳିକାସକଳ ଗ୍ରାସ କରିବ ।
11. ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ଇଦୋମର ତିନି, ହଁ, ଚାରି ଅପରାଧ ସକାଶୁ ତହିଁର ଦଣ୍ତ ନିବାରଣ କରିବା ନାହିଁ; କାରଣ ସେ ଖଡ଼୍ଗ ଧରି ଆପଣା ଭ୍ରାତାକୁ ଗୋଡ଼ାଇଲା ଓ ସବୁ ଦୟା ପରିତ୍ୟାଗ କଲା, ତାହାର କ୍ରୋଧ ନିତ୍ୟ ବିଦୀର୍ଣ୍ଣ କଲା ଓ ସେ ଆପଣା କୋପ ସଦାକାଳ ରଖିଲା ।
12. ମାତ୍ର ଆମ୍ଭେ ତୈମନ୍ ଉପରେ ଅଗ୍ନି ନିକ୍ଷେପ କରିବା ଓ ତାହା ବସ୍ରାର ଅଟ୍ଟାଳିକାସକଳ ଗ୍ରାସ କରିବ ।
13. ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ଅମ୍ମୋନ-ସନ୍ତାନଗଣର ତିନି, ହଁ, ଚାରି ଅପରାଧ ସକାଶୁ ସେମାନଙ୍କରଦଣ୍ତ ନିବାରଣ କରିବା ନାହିଁ; କାରଣ ସେମାନେ ଆପଣାମାନଙ୍କର ସୀମା ବୃଦ୍ଧି କରିବା ନିମନ୍ତେ ଗିଲୀୟଦର ଗର୍ଭିଣୀ ସ୍ତ୍ରୀମାନଙ୍କର ଉଦର ଚିରି ପକାଇଅଛନ୍ତି ।
14. ମାତ୍ର ଆମ୍ଭେ ରବ୍ବାର ପ୍ରାଚୀର ଉପରେ ଅଗ୍ନି ଜ୍ଵଳାଇବା ଓ ତାହା ଯୁଦ୍ଧ ଦିନରେ ମହାନାଦ ଓ ଘୂର୍ଣ୍ଣିବାୟୁର ଦିନରେ ପ୍ରଚଣ୍ତ ତୋଫାନ ସହିତ ତହିଁର ଅଟ୍ଟାଳିକାସକଳ ଗ୍ରାସ କରିବ;
15. ପୁଣି, ସେମାନଙ୍କର ରାଜା, ସେ ଓ ତାହାର ଅଧିପତିଗଣ ଏକ ସଙ୍ଗେ ନିର୍ବାସିତ ହୋଇଯିବେ; ଏହା ସଦାପ୍ରଭୁ କହନ୍ତି ।