1. ବାବିଲର ରାଜା ନବୂଖଦ୍ନିତ୍ସର, ଯିହୋୟାକୀମ୍ର ପୁତ୍ର, ଯିହୁଦାର ରାଜା ଯିହୋୟାଖୀନ୍କୁ ଓ ଯିହୁଦାର ଅଧିପତିମାନଙ୍କୁ, ଶିଳ୍ପକରଣଓ କର୍ମକାରକମାନଙ୍କ ସହିତ ଯିରୂଶାଲମରୁ ବନ୍ଦୀ କରି ବାବିଲକୁ ନେଇ ଗଲା ଉତ୍ତାରେ ସଦାପ୍ରଭୁ ମୋତେ ଏକ ଦର୍ଶନ ଦେଖାଇଲେ, ଆଉ ଦେଖ, ସଦାପ୍ରଭୁଙ୍କର ମନ୍ଦିର ସମ୍ମୁଖରେ ଦୁଇ ଡାଲା ଡିମିରି ଫଳ ରଖାଯାଇଅଛି ।
2. ଏକ ଡାଲାରେ ଆଦ୍ୟ ପକ୍ଵ ଡିମିରି ଫଳ ତୁଲ୍ୟ ଅତି ଉତ୍ତମ ଡିମିରି ଥିଲା; ପୁଣି, ଅନ୍ୟ ଡାଲାରେ ଅତି ମନ୍ଦ ଡିମିରି ଫଳ ଥିଲା, ସେସବୁ ଏଡ଼େ ମନ୍ଦ ଯେ, ଭୋଜନ କରାଯାଇ ନ ପାରେ ।
3. ତେବେ ସଦାପ୍ରଭୁ ମୋତେ କହିଲେ, ହେ ଯିରିମୀୟ, ତୁମ୍ଭେ କଅଣ ଦେଖୁଅଛ? ତହିଁରେ ମୁଁ କହିଲି, ଡିମିରି ଫଳ, ଉତ୍ତମ ଡିମିରି, ଅତି ଉତ୍ତମ ଓ ମନ୍ଦ ଡିମିରି, ଅତି ମନ୍ଦ, ସେସବୁ ଏଡ଼େ ମନ୍ଦ ଯେ, ଭୋଜନ କରାଯାଇ ନ ପାରେ ।
4. ଅନନ୍ତର ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ।
5. ଯଥା, ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଏହି କଥା କହନ୍ତି, ଆମ୍ଭେ ଯେଉଁ ନିର୍ବାସିତ ଯିହୁଦୀୟମାନଙ୍କୁ ଏହି ସ୍ଥାନରୁ କଲ୍ଦୀୟମାନଙ୍କର ଦେଶକୁ ପଠାଇଅଛୁ, ସେମାନଙ୍କର ମଙ୍ଗଳ ନିମନ୍ତେ ଆମ୍ଭେ ସେମାନଙ୍କୁ ଏହି ଉତ୍ତମ ଡିମିରି ଫଳ ତୁଲ୍ୟ ଜ୍ଞାନ କରିବା ।
6. କାରଣ ଆମ୍ଭେ ମଙ୍ଗଳ ପାଇଁ ସେମାନଙ୍କ ପ୍ରତି ଆପଣା ଦୃଷ୍ଟି ରଖିବା ଓ ସେମାନଙ୍କୁ ପୁନର୍ବାର ଏହି ଦେଶକୁ ଆଣିବା; ଆଉ, ଆମ୍ଭେ ସେମାନଙ୍କୁ ନିର୍ମାଣ କରିବା ଓ ଭଗ୍ନ କରିବା ନାହିଁ; ଆମ୍ଭେ ସେମାନଙ୍କୁ ରୋପଣ କରିବା ଓ ଉତ୍ପାଟନ କରିବା ନାହିଁ ।
7. ପୁଣି, ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ଜାଣିବାର ମନ ସେମାନଙ୍କୁ ଦେବା; ତହିଁରେ ସେମାନେ ଆମ୍ଭର ଲୋକ ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ଵର ହେବା; କାରଣ ସେମାନେ ସର୍ବାନ୍ତଃକରଣ ସହିତ ଆମ୍ଭ ନିକଟକୁ ଫେରି ଆସିବେ ।
8. ଆଉ, ଯେପରି ସେହି ମନ୍ଦ ଡିମିରି ଫଳ ଏଡ଼େ ମନ୍ଦ ହେବାରୁ ଭୋଜନ କରାଯାଇ ନ ପାରେ, ସେପରି ସଦାପ୍ରଭୁ କହନ୍ତି, ଆମ୍ଭେ ନିଶ୍ଚୟ ଯିହୁଦାର ରାଜା ସିଦିକୀୟକୁ, ତାହାର ଅଧିପତିଗଣକୁ ଓ ଯିରୂଶାଲମର ଯେଉଁ ଅବଶିଷ୍ଟାଂଶ ଲୋକେ ଏହି ଦେଶରେ ଅଛନ୍ତି, ସେମାନଙ୍କୁ ଓ ଯେଉଁମାନେ ମିସର ଦେଶରେ ବାସ କରନ୍ତି, ଆମ୍ଭେ ସେମାନଙ୍କୁ ତ୍ୟାଗ କରିବା ।
9. ଆମ୍ଭେ ସେମାନଙ୍କର ଅମଙ୍ଗଳ ନିମନ୍ତେ ପୃଥିବୀର ସକଳ ରାଜ୍ୟ ମଧ୍ୟରେ ସେମାନଙ୍କୁ ଏଣେତେଣେ ନିକ୍ଷିପ୍ତ ହେବା ପାଇଁ, ପୁଣି ଯେସବୁ ସ୍ଥାନରେ ଆମ୍ଭେ ସେମାନଙ୍କୁ ତଡ଼ି ଦେବା, ସେହିସବୁ ସ୍ଥାନରେ ଦୁର୍ନାମ, ପ୍ରବାଦ ଓ ଉପହାସ ଓ ଅଭିଶାପର ପାତ୍ର ହେବା ପାଇଁ ଆମ୍ଭେ ସେମାନଙ୍କୁ ସମର୍ପି ଦେବା ।
10. ପୁଣି, ଆମ୍ଭେ ସେମାନଙ୍କୁ ଓ ସେମାନଙ୍କର ପିତୃପୁରୁଷମାନଙ୍କୁ ଯେଉଁ ଦେଶ ଦେଲୁ, ତହିଁରୁ ସେମାନେ ଯେପର୍ଯ୍ୟନ୍ତ ଉଚ୍ଛିନ୍ନ ନ ହୁଅନ୍ତି, ସେପର୍ଯ୍ୟନ୍ତ ଆମ୍ଭେ ସେମାନଙ୍କ ମଧ୍ୟକୁ ଖଡ଼୍ଗ ଦୁର୍ଭିକ୍ଷ ଓ ମହାମାରୀ ପଠାଇବା ।