1. ପରେ ସେମାନେ ଆଂଫିପଲି ଓ ଆପଲ୍ଲୋନିଆ ଦେଇ ଯାତ୍ରା କରି ଥେସଲନୀକୀକୁ ଆସିଲେ; ସେଠାରେ ଯିହୁଦୀମାନଙ୍କର ଗୋଟିଏ ସମାଜଗୃହ ଥିଲା ।
2. ଆଉ, ପାଉଲ ଆପଣା ରୀତି ଅନୁସାରେ ସେମାନଙ୍କ ନିକଟକୁ ଗଲେ, ପୁଣି ତିନି ବିଶ୍ରାମବାର ପର୍ଯ୍ୟନ୍ତ ଶାସ୍ତ୍ରର ବାକ୍ୟ ଘେନି ସେମାନଙ୍କୁ ଉପଦେଶ ଦେଲେ,
3. ପୁଣି, ଖ୍ରୀଷ୍ଟଙ୍କର ଯେ ମୃତ୍ୟୁଭୋଗ ଓ ମୃତମାନଙ୍କ ମଧ୍ୟରୁ ଉତ୍ଥାନ କରିବା ଆବଶ୍ୟକ ଥିଲା, ଆଉ ସେ ଯେଉଁ ଯୀଶୁଙ୍କୁ ସେମାନଙ୍କ ନିକଟରେ ଘୋଷଣା କରୁଅଛନ୍ତି, ସେ ଯେ ଖ୍ରୀଷ୍ଟ, ଏହାର ସ୍ପଷ୍ଟ ପ୍ରମାଣ ଦେଲେ ।
4. ସେଥିରେ ସେମାନଙ୍କ ମଧ୍ୟରୁ କେତେକ ଜଣ ବିଶ୍ଵାସ କରି ପାଉଲ ଓ ଶୀଲାଙ୍କ ସହିତ ଯୋଗ ଦେଲେ; ପୁଣି, ଯିହୁଦୀମତାବଲମ୍ଵୀ ଗ୍ରୀକ୍ମାନଙ୍କ ମଧ୍ୟରୁ ବହୁସଂଖ୍ୟକ ଲୋକ ଓ ଅନେକ ଭଦ୍ର ମହିଳା ସେମାନଙ୍କ ସହିତ ଯୋଗ ଦେଲେ ।
5. କିନ୍ତୁ ଯିହୁଦୀମାନେ ଈର୍ଷାରେ ଜ୍ଵଳିଉଠି ବଜାରର କେତେକ ଦୁଷ୍ଟ ଲୋକଙ୍କୁ ସାଙ୍ଗରେ ଘେନି ଲୋକଗହଳ କରି ନଗରରେ ଗଣ୍ତଗୋଳ ଲଗାଇଦେଲେ, ଆଉ ଯାସୋନଙ୍କ ଗୃହ ଆକ୍ରମଣ କରି ସେମାନଙ୍କୁ ଲୋକମାନଙ୍କ ନିକଟକୁ ବାହାର କରି ଆଣିବା ପାଇଁ ଚେଷ୍ଟା କଲେ ।
6. ମାତ୍ର ସେମାନଙ୍କୁ ନ ପାଇବାରୁ ସେମାନେ ଯାସୋନ ଓ କେତେକ ଭାଇଙ୍କୁ ନଗରର ଶାସନକର୍ତ୍ତାମାନଙ୍କ ନିକଟକୁ ଟାଣିଆଣି ଉଚ୍ଚସ୍ଵରରେ ଡାକି କହିଲେ, ଏ ଯେଉଁ ଲୋକଗୁଡ଼ାକ ଜଗତକୁ ଓଲଟପାଲଟ କରିପକାଇଲେଣି, ସେମାନେ ଏଠାକୁ ମଧ୍ୟ ଆସିଅଛନ୍ତି; ସେମାନଙ୍କୁ ଯାସୋନ ଗ୍ରହଣ କରିଅଛି ।
7. ଯୀଶୁ ନାମରେ ଆଉ ଜଣେ ରାଜା ଅଛି ବୋଲି କହି ଏମାନେ ସମସ୍ତେ କାଇସରଙ୍କ ଆଜ୍ଞାର ବିରୁଦ୍ଧାଚରଣ କରୁଅଛନ୍ତି ।
8. ସେମାନଙ୍କର ଏହି କଥା ଶୁଣି ଲୋକସମୂହ ଓ ନଗରର ଶାସନକର୍ତ୍ତାମାନେ ଉଦ୍ବିଗ୍ନ ହେଲେ ।
9. ପରେ ସେମାନେ ଯାସୋନ ଓ ତାଙ୍କ ସଙ୍ଗୀମାନଙ୍କ-ଠାରୁ ଜାମିନ୍ ନେଇ ସେମାନଙ୍କୁ ଛାଡ଼ିଦେଲେ ।
10. ପୁଣି, ଭାଇମାନେ ଅବିଳମ୍ଵରେ ପାଉଲ ଓ ଶୀଲାଙ୍କୁ ରାତ୍ରିକାଳରେ ବେରୟାକୁ ପଠାଇଦେଲେ; ସେମାନେ ସେହି ସ୍ଥାନରେ ପହଞ୍ଚି ଯିହୁଦୀମାନଙ୍କ ସମାଜଗୃହକୁ ଗଲେ ।
11. ଥେସଲନୀକୀରେ ଥିବା ଯିହୁଦୀମାନଙ୍କଠାରୁ ଏମାନେ ସୁଶୀଳ ଥିଲେ । ଏମାନେ ପୂର୍ଣ୍ଣ ଆଗ୍ରହରେ ବାକ୍ୟ ଗ୍ରହଣ କଲେ, ପୁଣି ଏହିସମସ୍ତ ସତ୍ୟକି ନା, ତାହା ଜାଣିବା ନିମନ୍ତେ ପ୍ରତିଦିନ ଶାସ୍ତ୍ର ଅନୁସନ୍ଧାନ କରୁଥିଲେ ।
12. ତେଣୁ ସେମାନଙ୍କ ମଧ୍ୟରୁ ଅନେକେ ଓ ଗ୍ରୀକ୍ମାନଙ୍କ ମଧ୍ୟରୁ ଅନେକ ସମ୍ଭ୍ରାନ୍ତ ମହିଳା ଓ ପୁରୁଷ ମଧ୍ୟ ବିଶ୍ଵାସ କଲେ ।
13. କିନ୍ତୁ ଯେତେବେଳେ ଥେସଲନୀକୀୟ ଯିହୁଦୀମାନେ ଜାଣିଲେ ଯେ, ଈଶ୍ଵରଙ୍କ ବାକ୍ୟ ପାଉଲଙ୍କ ଦ୍ଵାରା ବେରୟାରେ ସୁଦ୍ଧା ପ୍ରଚାରିତ ହେଉଅଛି, ସେତେବେଳେ ସେମାନେ ସେସ୍ଥାନକୁ ମଧ୍ୟ ଆସି ଲୋକସମୂହଙ୍କୁ ଉତ୍ତେଜିତ ଓ ଉଦ୍ବିଗ୍ନ କଲେ ।
14. ସେଥିରେ ଭାଇମାନେ ଅବିଳମ୍ଵରେ ପାଉଲଙ୍କୁ ସମୁଦ୍ର ଆଡ଼କୁ ଯିବା ପାଇଁ ପଠାଇଦେଲେ, ଆଉ ଶୀଲା ଓ ତୀମଥି ସେହି ସ୍ଥାନରେ ରହିଲେ ।
15. କିନ୍ତୁ ଯେଉଁମାନେ ପାଉଲଙ୍କୁ ସାଙ୍ଗରେ ଘେନିଗଲେ, ସେମାନେ ତାଙ୍କୁ ଏଥେନ୍ସ୍ ପର୍ଯ୍ୟନ୍ତ ଆଣିଲେ, ଆଉ ଶୀଲା ଓ ତୀମଥି ଯେପରି ଅତି ଶୀଘ୍ର ତାଙ୍କ ନିକଟକୁ ଆସନ୍ତି, ଏହି ଆଜ୍ଞା ପାଇ ସେମାନେ ପ୍ରସ୍ଥାନ କଲେ ।
16. ଆଥୀନୀରେ ପାଉଲ ସେମାନଙ୍କ ଅପେକ୍ଷାରେ ଥିବା ସମୟରେ ସେହି ନଗରକୁ ପ୍ରତିମାରେ ପରିପୂର୍ଣ୍ଣ ଦେଖି ତାଙ୍କ ଆତ୍ମା ଉତ୍ତପ୍ତ ହୋଇ ଉଠିଲା ।
17. ତେଣୁ ସେ ସମାଜଗୃହରେ ଯିହୁଦୀ ଓ ଯିହୁଦୀ-ମତାବଲମ୍ଵୀ ବିଜାତୀୟମାନଙ୍କ ସହିତ, ଆଉ ବଜାର-ଛକରେ ପ୍ରତିଦିନ ଯେଉଁମାନଙ୍କ ସାଙ୍ଗରେ ଦେଖା ହେଉଥିଲା, ସେମାନଙ୍କୁ ଉପଦେଶ ଦେଉଥିଲେ ।
18. ସେଥିରେ ଏପିକୂରୀୟ ଓ ସ୍ତୋୟିକ କେତେକ ଦାର୍ଶନିକ ମଧ୍ୟ ତାଙ୍କ ସହିତ ବାଦାନୁବାଦ କରିବାକୁ ଲାଗିଲେ, ପୁଣି କେହି କେହି କହିଲେ, ଏ ବାଚାଳଟା କଅଣ କହିବାକୁ ଇଚ୍ଛା କରୁଅଛି? ଆଉ କେହି କେହି କହିଲେ, ସେ ଅଜଣା ଦେବତାମାନଙ୍କର ପ୍ରଚାରକ ହେଲା ପରି ଜଣାଯାଉଅଛି; କାରଣ ସେ ଯୀଶୁ ଓ ପୁନରୁତ୍ଥାନ ବିଷୟକ ସୁସମାଚାର ପ୍ରଚାର କରୁଥିଲେ ।
19. ପରେ ସେମାନେ ତାଙ୍କୁ ଆରୟପାଗକୁ ଘେନିଯାଇ କହିଲେ, ଏହି ଯେ ନୂତନ ଶିକ୍ଷା ଆପଣ ଦେଉଅଛନ୍ତି, ତାହା କʼଣ ବୋଲି ଆମ୍ଭେମାନେ ଜାଣି ପାରିବା କି?
20. କାରଣ ଆପଣ କେତେକ ଅଦ୍ଭୁତ ବିଷୟ ଆମ୍ଭମାନଙ୍କ କର୍ଣ୍ଣଗୋଚର କରୁଅଛନ୍ତି; ଅତଏବ, ଏହିସମସ୍ତ କଥାର ଅର୍ଥ କʼଣ, ଆମ୍ଭେମାନେ ତାହା ଜାଣିବାକୁ ଇଚ୍ଛା କରୁ ।
21. ଆଥୀନୀୟ ଲୋକସମସ୍ତେ ଓ ସେଠାରେ ପ୍ରବାସୀ ବିଦେଶୀୟମାନେ କେବଳ କୌଣସି ନୂତନ କଥା କହିବା ଓ ଶୁଣିବା ଛଡ଼ା ଆଉ କାହିଁରେ କାଳ କ୍ଷେପଣ କରୁ ନ ଥିଲେ ।
22. ଏଥିରେ ପାଉଲ ଆରୟପାଗର ମଧ୍ୟସ୍ଥଳରେ ଠିଆ ହୋଇ କହିଲେ, ହେ ଆଥୀନୀୟ ଲୋକମାନେ, ଆପଣମାନେ ଯେସମସ୍ତ ବିଷୟରେ ବଡ଼ ଦେବଭକ୍ତ, ଏହା ମୁଁ ଦେଖୁଅଛି ।
23. କାରଣ ମୁଁ ଭ୍ରମଣ କରିବା ସମୟରେ ଆପଣମାନଙ୍କର ପୂଜ୍ୟ ବସ୍ତୁସମସ୍ତ ଦେଖୁ ଦେଖୁ ଗୋଟିଏ ବେଦି ମଧ୍ୟ ଦେଖିଲି, ଯାହା ଉପରେ ଏହି କଥା ଲେଖା ହୋଇଅଛି, ‘ଅଜ୍ଞାତ ଦେବତାଙ୍କ ଉଦ୍ଦେଶ୍ୟରେ ।ʼ ଅତଏବ, ଆପଣମାନେ ନ ଜାଣି ଯାହାଙ୍କର ପୂଜା କରୁଅଛନ୍ତି, ମୁଁ ତାଙ୍କୁ ଆପଣମାନଙ୍କ ନିକଟରେ ପ୍ରଚାର କରୁଅଛି ।
24. ଯେଉଁ ଈଶ୍ଵର ଜଗତ ଓ ତନ୍ମଧ୍ୟସ୍ଥ ସମସ୍ତ ପଦାର୍ଥ ସୃଷ୍ଟି କରିଅଛନ୍ତି, ସେ ସ୍ଵର୍ଗ ଓ ପୃଥିବୀର ପ୍ରଭୁ ହେବାରୁ ହସ୍ତନିର୍ମିତ ମନ୍ଦିରସମୂହରେ ବାସ କରନ୍ତି ନାହିଁ,
25. କିଅବା ତାହାଙ୍କର କୌଣସି ଅଭାବ ଥିବାରୁ ମନୁଷ୍ୟହସ୍ତ ଦ୍ଵାରା ସେବିତ ହୁଅନ୍ତି ନାହିଁ, ଯେଣୁ ସେ ସ୍ଵୟଂ ସମସ୍ତଙ୍କୁ ଜୀବନ, ନିଶ୍ଵାସ ଓ ସମସ୍ତ ପଦାର୍ଥ ଦାନ କରନ୍ତି ।
26. ଆଉ, ସେ ପୃଥିବୀର ସର୍ବତ୍ର ବାସ କରିବା ନିମନ୍ତେ ଏକ ବ୍ୟକ୍ତିଠାରୁ ସମସ୍ତ ମାନବଜାତି ସୃଷ୍ଟି କରିଅଛନ୍ତି; ସେ ସେମାନଙ୍କର ନିର୍ଦ୍ଦିଷ୍ଟ କାଳ ଓ ନିବାସର ସୀମା ସ୍ଥିର କରିଅଛନ୍ତି,
27. ସେମାନେ ଯେପରି ଈଶ୍ଵରଙ୍କର ଅନ୍ଵେଷଣ କରି କାଳେ ଦରାଣ୍ତି ଦରାଣ୍ତି ତାହାଙ୍କର ଉଦ୍ଦେଶ୍ୟ ପାଇ ପାରନ୍ତି, ଯଦ୍ୟପି ସେ ଆମ୍ଭମାନଙ୍କର କାହାରିଠାରୁ ଦୂରରେ ନାହାନ୍ତି ।
28. କାରଣ ତାହାଙ୍କଠାରେ ଆମ୍ଭମାନଙ୍କର ଅସ୍ତି, ଗତି ଓ ସ୍ଥିତି, ଯେପରି ଆପଣମାନଙ୍କର ନିଜ କବିମାନଙ୍କ ମଧ୍ୟରୁ ସୁଦ୍ଧା କେତେକ କହିଅଛନ୍ତି, “କାରଣ ଆମ୍ଭେମାନେ ମଧ୍ୟ ତାହାଙ୍କ ବଂଶ ।”
29. ତେବେ, ଆମ୍ଭେମାନେ ଈଶ୍ଵରଙ୍କର ବଂଶ ହେବାରୁ ଈଶ୍ଵରଙ୍କ ସ୍ଵରୂପକୁ ମନୁଷ୍ୟର ଶିଳ୍ପ ଓ କଳ୍ପନା ଅନୁସାରେ ଖୋଦିତ ସ୍ଵର୍ଣ୍ଣ କି ରୌପ୍ୟ କି ପ୍ରସ୍ତର ତୁଲ୍ୟ ଜ୍ଞାନ କରିବା ଆମ୍ଭମାନଙ୍କର ଉଚିତ ନୁହେଁ ।
30. ଈଶ୍ଵର ସେହି ଅଜ୍ଞାନତାର କାଳ ଉପେକ୍ଷା କରିଅଛନ୍ତି ସତ୍ୟ, କିନ୍ତୁ ଏବେ ସେ ସର୍ବତ୍ର ସମସ୍ତ ମନୁଷ୍ୟଙ୍କୁ ମନ ପରିବର୍ତ୍ତନ କରିବା ନିମନ୍ତେ ଜଣାନ୍ତି;
31. କାରଣ ଯେଉଁଦିନ ସେ ଆପଣା ନିରୂପିତ ବ୍ୟକ୍ତିଙ୍କ ଦ୍ଵାରା ଧାର୍ମିକତାରେ ଜଗତର ବିଚାର କରିବେ, ଏହିପରି ଗୋଟିଏ ଦିନ ସ୍ଥିର କରିଅଛନ୍ତି, ଆଉ ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉତ୍ଥାପନ କରି ଏ ବିଷୟରେ ସମସ୍ତଙ୍କ ନିକଟରେ ପ୍ରମାଣ ଦେଇଅଛନ୍ତି ।
32. ମୃତମାନଙ୍କର ପୁନରୁତ୍ଥାନ କଥା ଶୁଣି କେହି କେହି ପରିହାସ କରିବାକୁ ଲାଗିଲେ; ଆଉ କେହି କେହି କହିଲେ, ଆମ୍ଭେମାନେ ଆଉ ଥରେ ଆପଣଙ୍କଠାରୁ ଏହି ବିଷୟ ଶୁଣିବା ।
33. ଏହିପ୍ରକାରେ ପାଉଲ ସେମାନଙ୍କ ମଧ୍ୟରୁ ବାହାରିଗଲେ ।
34. କିନ୍ତୁ କୌଣସି କୌଣସି ଲୋକ ତାଙ୍କ ସପକ୍ଷ ହୋଇ ବିଶ୍ଵାସ କଲେ; ସେମାନଙ୍କ ମଧ୍ୟରେ ଆରୟ-ପାଗୀୟ ଦୀୟନୂସୀୟ, ଦାମାରି ନାମ୍ନୀ ଜଣେ ମହିଳା ଓ ସେମାନଙ୍କ ସହିତ ଆଉ କେତେକ ଲୋକ ଥିଲେ ।