1. କିନ୍ତୁ ମୁଁ କହୁଅଛି, ଯେତେ ଦିନ ପର୍ଯ୍ୟନ୍ତ ଉତ୍ତରାଧିକାରୀ ନାବାଳକ ଥାଏ, ସେତେ ଦିନ ପର୍ଯ୍ୟନ୍ତ ସେ ସମସ୍ତ ବିଷୟର କର୍ତ୍ତା ହେଲେ ହେଁ କୌଣସି ପ୍ରକାରେ ଦାସଠାରୁ ଭିନ୍ନ ନୁହେଁ,
2. କିନ୍ତୁ ପିତାଙ୍କ ନିରୂପିତ ସମୟ ପର୍ଯ୍ୟନ୍ତ ସେ ଅଭିଭାବକ ଓ ବେବର୍ତ୍ତାମାନଙ୍କ ଅଧୀନରେ ଥାଏ ।
3. ସେହିପରି ଆମ୍ଭେମାନେ ମଧ୍ୟ ଯେତେବେଳେ ଧର୍ମରେ ନାବାଳକ ଥିଲୁ, ସେତେବେଳେ ଜଗତର ପ୍ରାଥମିକ ବିଷୟଗୁଡ଼ାକର ଦାସ ଥିଲୁ;
4. କିନ୍ତୁ କାଳ ସମ୍ପୂର୍ଣ୍ଣ ହୁଅନ୍ତେ, ଈଶ୍ଵର ଆପଣା ନିକଟରୁ ନିଜ ପୁତ୍ରଙ୍କୁ ପ୍ରେରଣ କଲେ; ସେ ସ୍ତ୍ରୀଜାତ ହୋଇ ବ୍ୟବସ୍ଥାଧୀନ ହେଲେ,
5. ଯେପରି ସେ ମୂଲ୍ୟ ଦେଇ ବ୍ୟବସ୍ଥାଧୀନ ଲୋକମାନଙ୍କୁ ମୁକ୍ତ କରନ୍ତି, ପୁଣି ଆମ୍ଭେମାନେ ପୁତ୍ରତ୍ଵର ଅଧିକାର ପ୍ରାପ୍ତ ହେଉ ।
6. ଆଉ ତୁମ୍ଭେମାନେ ପୁତ୍ର, ଏଥିସକାଶେ ଈଶ୍ଵର ଆପଣା ନିକଟରୁ ନିଜ ପୁତ୍ରଙ୍କ ଆତ୍ମାଙ୍କୁ ଆମ୍ଭମାନଙ୍କ ହୃଦୟକୁ ପ୍ରେରଣ କଲେ; ସେହି ଆତ୍ମା ଆବ୍ବା, ପିତଃ ବୋଲି ଡାକନ୍ତି ।
7. ଏଣୁ ତୁମ୍ଭେ ଆଉ ଦାସ ନୁହଁ, କିନ୍ତୁ ପୁତ୍ର, ପୁଣି ଯଦି ପୁତ୍ର, ତେବେ ଈଶ୍ଵରଙ୍କ କର୍ତ୍ତୃକ ଉତ୍ତରାଧିକାରୀ ।
8. ମାତ୍ର ପୂର୍ବରେ ତୁମ୍ଭେମାନେ ଈଶ୍ଵରଙ୍କୁ ନ ଜାଣି, ଯେଉଁମାନେ ପ୍ରକୃତରେ ଈଶ୍ଵର ନୁହନ୍ତି, ସେମାନଙ୍କର ଦାସ ଥିଲ;
9. କିନ୍ତୁ ଏବେ ଈଶ୍ଵରଙ୍କ ପରିଚୟ ପାଇଅଛ; ବରଞ୍ଚ ଈଶ୍ଵରଙ୍କ ଦ୍ଵାରା ପରିଚିତ ହୋଇଅଛ, ତେବେ କିପରି ଆଉ ଥରେ ଦୁର୍ବଳ ଓ ଅକିଞ୍ଚନ ପ୍ରାଥମିକ ବିଷୟଗୁଡ଼ାକ ପ୍ରତି ଫେରିଯାଇ ପୁନର୍ବାର ସେହିସବୁର ଦାସ ହେବାକୁ ଇଚ୍ଛା କରୁଅଛ?
10. ତୁମ୍ଭେମାନେ ବିଶେଷ ବିଶେଷ ଦିନ, ମାସ, ପର୍ବ ଓ ବର୍ଷ ପାଳନ କରିଥାଅ ।
11. ତୁମ୍ଭମାନଙ୍କ ନିମନ୍ତେ ମୁଁ ଯେଉଁ ପରିଶ୍ରମ କରିଅଛି, କାଳେ ତାହା ବ୍ୟର୍ଥ ହୁଏ, ତୁମ୍ଭମାନଙ୍କ ସମ୍ଵନ୍ଧରେ ମୋହର ଏହି ଭୟ ହେଉଅଛି ।
12. ହେ ଭାଇମାନେ, ମୁଁ ତୁମ୍ଭମାନଙ୍କୁ ନିବେଦନ କରୁଅଛି, ତୁମ୍ଭେମାନେ ମୋʼ ପରି ହୁଅ, କାରଣ ମୁଁ ତୁମ୍ଭମାନଙ୍କ ପରି ହୋଇଅଛି । ତୁମ୍ଭେମାନେ ମୋʼ ପ୍ରତି କୌଣସି ଅନ୍ୟାୟ କରି ନାହଁ ।
13. କିନ୍ତୁ ତୁମ୍ଭେମାନେ ଜାଣ ଯେ, ଶାରୀରିକ ପୀଡ଼ା ହେତୁ ମୁଁ ତୁମ୍ଭମାନଙ୍କ ନିକଟରେ ପ୍ରଥମ ଥର ସୁସମାଚାର ପ୍ରଚାର କରିଥିଲି;
14. ଆଉ, ତୁମ୍ଭମାନଙ୍କ ପରୀକ୍ଷା ସ୍ଵରୂପ ମୋହର ଶାରୀରିକ ଅବସ୍ଥା ତୁମ୍ଭେମାନେ ତୁଚ୍ଛ କଲ ନାହିଁ ବା ଘୃଣା କଲ ନାହିଁ, କିନ୍ତୁ ତୁମ୍ଭେମାନେ ଈଶ୍ଵରଙ୍କ ଜଣେ ଦୂତ ସ୍ଵରୂପେ, ଏପରିକି ଖ୍ରୀଷ୍ଟ ଯୀଶୁଙ୍କ ସ୍ଵରୂପେ ମୋତେ ଗ୍ରହଣ କଲ ।
15. ତେବେ ତୁମ୍ଭମାନଙ୍କର ସେହି ଆନନ୍ଦ କାହିଁ? କାରଣ ମୁଁ ତୁମ୍ଭମାନଙ୍କ ପକ୍ଷରେ ସାକ୍ଷ୍ୟ ଦେଉଅଛି ଯେ, ସମ୍ଭବ ହୋଇଥିଲେ ତୁମ୍ଭେମାନେ ଆପଣା ଆପଣାର ଚକ୍ଷୁ ଉତ୍ପାଟନ କରି ମୋତେ ଦେଇଥାଆନ୍ତ ।
16. ଅତଏବ ମୁଁ ତୁମ୍ଭମାନଙ୍କୁ ସତ୍ୟକହିବାରୁ କି ତୁମ୍ଭମାନଙ୍କର ଶତ୍ରୁ ହୋଇଅଛି?
17. ସେମାନେ ତ ତୁମ୍ଭମାନଙ୍କ ବିଷୟରେ ଉଦ୍ଯୋଗୀ, କିନ୍ତୁ ଭଲ ଅଭିପ୍ରାୟରେ ନୁହେଁ, ବରଞ୍ଚ ତୁମ୍ଭେମାନେ ଯେପରି ସେମାନଙ୍କ ବିଷୟରେ ଉଦ୍ଯୋଗୀ ହୁଅ, ଏଥିନିମନ୍ତେ ସେମାନେ ତୁମ୍ଭମାନଙ୍କୁ ମୋʼଠାରୁ ପୃଥକ କରିବାକୁ ଇଚ୍ଛା କରୁଅଛନ୍ତି ।
18. କେବଳ ମୁଁ ତୁମ୍ଭମାନଙ୍କ ସହିତ ଥିବା ସମୟରେ ନୁହେଁ, ମାତ୍ର ସବୁ ସମୟରେ ଉତ୍ତମ ବିଷୟରେ ଉଦ୍ଯୋଗୀ ହେବା ଭଲ ।
19. ହେ ମୋହର ପିଲାମାନେ, ଯେପର୍ଯ୍ୟନ୍ତ ତୁମ୍ଭମାନଙ୍କ-ଠାରେ ଖ୍ରୀଷ୍ଟ ମୂର୍ତ୍ତିମାନ ହୋଇ ନାହାନ୍ତି, ସେପର୍ଯ୍ୟନ୍ତ ତୁମ୍ଭମାନଙ୍କ ସକାଶେ ପୁନର୍ବାର ପ୍ରସବବେଦନାରେ ବ୍ୟଥିତ ହେଉଅଛି ।
20. ମୁଁ ଯେପରି ବର୍ତ୍ତମାନ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇ ଅନ୍ୟ ଭାବରେ କଥା କହି ପାରନ୍ତି, ଏହା ମୋହର ଇଚ୍ଛା; କାରଣ ମୁଁ ତୁମ୍ଭମାନଙ୍କ ବିଷୟରେ ହତବୁଦ୍ଧି ହେଉଅଛି ।
21. ବ୍ୟବସ୍ଥାର ଅଧୀନ ହେବାକୁ ଇଚ୍ଛା କରୁଅଛ ଯେ ତୁମ୍ଭେମାନେ, ମୋତେ କୁହ ତ, ତୁମ୍ଭେମାନେ କଅଣ ବ୍ୟବସ୍ଥାର ବାକ୍ୟ ଶୁଣୁ ନାହଁ?
22. କାରଣ ଲେଖା ଅଛି, ଅବ୍ରହାମଙ୍କର ଦୁଇଟି ପୁତ୍ର ଥିଲେ, ଜଣେ ଦାସୀଠାରୁ ଓ ଆଉ ଜଣେ ସ୍ଵାଧୀନା ସ୍ତ୍ରୀଠାରୁ ଜାତ ।
23. ଯେ ଦାସୀର ପୁତ୍ର, ସେ ଶାରୀରିକ ସ୍ଵଭାବା-ନୁସାରେ ଜାତ ହେଲା; ମାତ୍ର ଯେ ସ୍ଵାଧୀନା ସ୍ତ୍ରୀର ପୁତ୍ର, ସେ ପ୍ରତିଜ୍ଞା ବଳରେ ଜାତ ହେଲା ।
24. ଏହି ସମସ୍ତ କଥାର ରୂପକ ଅର୍ଥ ଅଛି, କାରଣ ଏହି ସ୍ତ୍ରୀମାନେ ଦୁଇଟି ନିୟମ ସ୍ଵରୂପ; ଗୋଟିଏ ନିୟମ ସୀନୟ ପର୍ବତରୁ ଉତ୍ପନ୍ନ, ତାହା ଦାସତ୍ଵ ନିମନ୍ତେ ସନ୍ତାନ ପ୍ରସବକାରଣୀ, ହାଗାର ସେଥିର ନିଦର୍ଶନ ।
25. ହାଗାର, ଏହି ଶଦ୍ଦ ଆରବରେ ସୀନୟ ପର୍ବତକୁ ବୁଝାଏ, ପୁଣି, ତାହା ବର୍ତ୍ତମାନ ଯିରୂଶାଲମର ସମତୁଲ୍ୟ, କାରଣ ଏ ଆପଣା ସନ୍ତାନମାନଙ୍କ ସହିତ ଦାସତ୍ଵରେ ରହିଅଛି ।
26. କିନ୍ତୁ ଊର୍ଦ୍ଧ୍ଵସ୍ଥ ଯିରୂଶାଲମ ସ୍ଵାଧୀନା, ସେ ଆମ୍ଭମାନଙ୍କ ଜନନୀ;
27. ଯେଣୁ ଲେଖାଅଛି, “ଆଗୋ ବନ୍ଧ୍ୟେ, ଅପ୍ରସୂତେ, ଆନନ୍ଦ କର, ଆଗୋ ପ୍ରସବବେଦନା ରହିତେ, ଉଚ୍ଚ ସ୍ଵରରେ ଜୟଧ୍ଵନୀ କର; କାରଣ ସଧବାର ସନ୍ତାନଠାରୁ ଅନାଥାର ସନ୍ତାନ ଅଧିକ ।”
28. ହେ ଭାଇମାନେ, ତୁମ୍ଭେମାନେ ଇସ୍ହାକଙ୍କ ପରି ପ୍ରତିଜ୍ଞାର ସନ୍ତାନ ।
29. କିନ୍ତୁ ଶାରୀରିକ ସ୍ଵଭାବାନୁସାରେ ଯେ ଜାତ, ସେ ଯେପରି ସେସମୟରେ ଆତ୍ମାଙ୍କ ପ୍ରତିଜ୍ଞା ଅନୁସାରେ ଯେ ଜାତ, ତାଙ୍କୁ ତାଡ଼ନା କରୁଥିଲା, ସେହିପରି ଏବେ ମଧ୍ୟ ଘଟୁଅଛି ।
30. ମାତ୍ର ଶାସ୍ତ୍ର କଅଣ କୁହେ? ଦାସୀ ଓ ତାʼର ପୁତ୍ରକୁ ବାହାର କରିଦିଅ; କାରଣ ଦାସୀର ପୁତ୍ର ସ୍ଵାଧୀନା ସ୍ତ୍ରୀର ପୁତ୍ର ସହିତ ଉତ୍ତରାଧିକାରୀ ହେବ ନାହିଁ ।
31. ଅତଏବ, ଭାଇମାନେ, ଆମ୍ଭେମାନେ ଦାସୀର ସନ୍ତାନ ନୋହୁଁ, କିନ୍ତୁ ସ୍ଵାଧୀନା ସ୍ତ୍ରୀର ସନ୍ତାନ ।