1. ଅନନ୍ତର ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ତଳୀ ସୀନ ପ୍ରାନ୍ତରରୁ ଯାତ୍ରା କରି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ନିରୂପିତ ସକଳ ଉତ୍ତରଣ-ସ୍ଥାନ ଦେଇ ରଫୀଦୀମରେ ଛାଉଣି ସ୍ଥାପନ କଲେ; ମାତ୍ର ସେ ସ୍ଥାନରେ ଲୋକମାନଙ୍କର ପାନ କରିବାକୁ ଜଳ ନ ଥିଲା ।
|
2. ଏଣୁକରି ଲୋକମାନେ ମୋଶାଙ୍କ ସଙ୍ଗରେ ବିବାଦ କରି କହିଲେ, ଆମ୍ଭମାନଙ୍କୁ ଜଳ ଦିଅ, ଆମ୍ଭେମାନେ ପାନ କରିବୁ। ତହିଁରେ ମୋଶା କହିଲେ, ତୁମ୍ଭେମାନେ ମୋʼ ସଙ୍ଗରେ କାହିଁକି ବିବାଦ କର? କିହେତୁ ସଦାପ୍ରଭୁଙ୍କୁ ପରୀକ୍ଷା କର?
|
3. ସେତେବେଳେ ଲୋକମାନେ ସେହି ସ୍ଥାନରେ ଜଳାଭାବ ହେତୁ ତୃଷାକୂଳ ହୋଇ ମୋଶାଙ୍କ ବିରୁଦ୍ଧରେ ବଚସା କରିକହିଲେ, ତୁମ୍ଭେ ଆମ୍ଭମାନଙ୍କୁ ଓ ଆମ୍ଭମାନଙ୍କ ସନ୍ତାନମାନଙ୍କୁ ଓ ପଶୁଗଣକୁ ପିପାସାରେ ମାରିବା ନିମନ୍ତେ ମିସରଠାରୁ କିହେତୁ ଆଣିଲ?
|
4. ତହିଁରେ ମୋଶା ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, ମୁଁ ଏହି ଲୋକମାନଙ୍କ ନିମନ୍ତେ କʼଣ କରିବି? ସେମାନେ ମୋତେ ପଥର ପକାଇ ମାରିବାକୁ ପ୍ରାୟ ଉଦ୍ୟତ।
|
5. ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଯଦ୍ଦ୍ଵାରା ନଦୀକି ଆଘାତ କରିଥିଲ, ସେହି ଯଷ୍ଟି ହସ୍ତରେ ଘେନି କେତେକ ପ୍ରାଚୀନଙ୍କୁ ସଙ୍ଗ କରି ଇସ୍ରାଏଲ-ଲୋକମାନଙ୍କ ଆଗେ ଆଗେ ଯାଅ ।
|
6. ଦେଖ, ଆମ୍ଭେ ହୋରେବ୍ରେ ସେହି ଶୈଳ ଉପରେ ତୁମ୍ଭ ସମ୍ମୁଖରେ ଠିଆ ହେବା; ତୁମ୍ଭେ ସେହି ଶୈଳକୁ ଆଘାତ କଲେ, ତହିଁରୁ ଜଳ ନିର୍ଗତ ହେବ, ଆଉ ଲୋକମାନେ ତାହା ପାନ କରିବେ; ତେବେ ମୋଶା ଇସ୍ରାଏଲର ପ୍ରାଚୀନବର୍ଗଙ୍କ ଦୃଷ୍ଟିରେ ସେହିରୂପ କଲେ ।
|
7. ପୁଣି ସେହି ସ୍ଥାନରେ ଇସ୍ରାଏଲ-ସନ୍ତାନଗଣର ବିବାଦ ହେତୁରୁ ଓ ସଦାପ୍ରଭୁ ଆମ୍ଭମାନଙ୍କ ମଧ୍ୟରେ ଅଛନ୍ତି କି ନାହିଁ, ଏହା କହି ସଦାପ୍ରଭୁଙ୍କୁ ପରୀକ୍ଷା କରିବା ହେତୁରୁ ସେ ସେହି ସ୍ଥାନର ନାମ ମଃସା ଓ ମିରୀବା (ପରୀକ୍ଷା ଓ ବିବାଦ) ରଖିଲେ । ଅମାଲେକୀୟମାନଙ୍କ ପରାଜୟ
|
9. ତହିଁରେ ମୋଶା ଯିହୋଶୂୟଙ୍କୁ କହିଲେ, ତୁମ୍ଭେ ଆମ୍ଭମାନଙ୍କ ନିମନ୍ତେ ଲୋକ ମନୋନୀତ କରି ଅମାଲେକ ସହିତ ଯୁଦ୍ଧ କରିବାକୁ ଯାଅ; କାଲି ମୁଁ ଆପଣା ହସ୍ତରେ ପରମେଶ୍ଵରଙ୍କ ଯଷ୍ଟିଘେନି ପର୍ବତ ଶୃଙ୍ଗରେ ଛିଡ଼ା ହେବି ।
|
10. ତହୁଁ ମୋଶାଙ୍କ ଆଜ୍ଞାନୁସାରେ ଯିହୋଶୂୟ ଅମାଲେକ ସହିତ ଯୁଦ୍ଧ କଲେ, ପୁଣି ମୋଶା ଓ ହାରୋଣ, ହୂର ପର୍ବତ ଶୃଙ୍ଗରେ ଆରୋହଣ କଲେ ।
|
11. ପୁଣି ମୋଶା ଆପଣା ହସ୍ତ ଊର୍ଦ୍ଧ୍ଵକୁ ଟେକିଥିବା ସମୟରେ ଇସ୍ରାଏଲ ଜୟୀ ହେଲେ ଓ ସେ ଆପଣା ହସ୍ତ ନୁଆଁଇଥିବା ସମୟରେ ଅମାଲେକ ଜୟୀ ହେଲେ ।
|
12. ମାତ୍ର ମୋଶାଙ୍କର ହସ୍ତ ଭାରୀ ହେଲା; ଏହେତୁ ସେମାନେ ଖଣ୍ତିଏ ପ୍ରସ୍ତର ଆଣି ତାହା ତଳେ ରଖନ୍ତେ, ମୋଶା ତହିଁ ଉପରେ ବସିଲେ, ପୁଣି ହାରୋଣ ଓ ହୂର ଜଣେ ଏପାଖେ ଆଉ ଜଣେ ସେପାଖେ ତାଙ୍କର ହାତ ଟେକି ଧରିଲେ; ତହିଁରେ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ତାଙ୍କର ହସ୍ତ ସ୍ଥିର ରହିଲା ।
|
14. ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ଏହି କଥା ସ୍ମରଣାର୍ଥେ ପୁସ୍ତକରେ ଲେଖି ରଖ, ପୁଣି ଯିହୋଶୂୟର କର୍ଣ୍ଣଗୋଚରରେ ତାହା ପାଠ କର; ଯଥା, ଆମ୍ଭେ ଆକାଶ ତଳରୁ ଅମାଲେକର ସ୍ମରଣ ଲୋପ କରିବା ।
|