1. {#1ଯିଶାଇୟଙ୍କୁ ଦର୍ଶନ ଓ ଆହ୍ୱାନ } [PS]ଉଷୀୟ ରାଜା ମୃତ ହେବା ବର୍ଷ ମୁଁ ପ୍ରଭୁଙ୍କୁ ଏକ ଉଚ୍ଚ ଓ ଉନ୍ନତ ସିଂହାସନରେ ଉପବିଷ୍ଟ ଦେଖିଲି, ତାହାଙ୍କ ରାଜବସ୍ତ୍ରର ଅଞ୍ଚଳ ମନ୍ଦିରକୁ ପରିପୂର୍ଣ୍ଣ କଲା।
2. ତାହାଙ୍କ ନିକଟରେ ସରାଫଗଣ ଠିଆ ହେଲେ; ସେ ପ୍ରତ୍ୟେକର ଛଅ ଛଅ ପକ୍ଷ ଥିଲା; ପ୍ରତ୍ୟେକେ ଦୁଇ ପକ୍ଷରେ ଆପଣା ଆପଣା ମୁଖ ଆଚ୍ଛାଦନ କଲେ, ଦୁଇ ପକ୍ଷରେ ଚରଣ ଆଚ୍ଛାଦନ କଲେ ଓ ଦୁଇ ପକ୍ଷରେ ଉଡ଼ିଲେ।
3. ଆଉ, ସେମାନେ ପରସ୍ପର ଡାକି କହିଲେ, “ସୈନ୍ୟାଧିପତି ସଦାପ୍ରଭୁ ପବିତ୍ର, ପବିତ୍ର, ପବିତ୍ର; ସମୁଦାୟ ପୃଥିବୀ ତାହାଙ୍କ ମହିମାରେ ପରିପୂର୍ଣ୍ଣ।”
4. ସେତେବେଳେ ଘୋଷଣାକାରୀର ରବରେ ଦ୍ୱାର ସମ୍ମୁଖ ସ୍ଥାନର ମୂଳଦୁଆ କମ୍ପିତ ହେଲା ଓ ମନ୍ଦିର ଧୂମରେ ପରିପୂର୍ଣ୍ଣ ହେଲା।
5. ତେବେ ମୁଁ କହିଲି, “ହାୟ ହାୟ ! ମୁଁ ନଷ୍ଟ ହେଲି; କାରଣ ମୁଁ ଅଶୁଚି ଓଷ୍ଠାଧରବିଶିଷ୍ଟ ମନୁଷ୍ୟ ଓ ମୁଁ ଅଶୁଚି ଓଷ୍ଠାଧରବିଶିଷ୍ଟ ଗୋଷ୍ଠୀ ମଧ୍ୟରେ ବାସ କରୁଅଛି; ତଥାପି ମୋହର ଚକ୍ଷୁ ସୈନ୍ୟାଧିପତି ସଦାପ୍ରଭୁ ରାଜାଙ୍କୁ ଦେଖିଅଛି !”
6. ଏଥିଉତ୍ତାରେ ସେହି ସରାଫଗଣ ମଧ୍ୟରୁ ଏକ ଜଣ ମୋ’ ନିକଟକୁ ଉଡ଼ି ଆସିଲେ, ତାଙ୍କ ହସ୍ତରେ ଖଣ୍ଡେ ଜ୍ୱଳନ୍ତ ଅଙ୍ଗାର ଥିଲା, ସେ ଯଜ୍ଞବେଦିରୁ ଚିମୁଟା ଦ୍ୱାରା ତାହା ନେଇ ଥିଲେ;
7. ପୁଣି, ସେ ତଦ୍ଦ୍ୱାରା ମୋର ମୁଖ ସ୍ପର୍ଶ କରି କହିଲେ, “ଦେଖ, ଏହା ତୁମ୍ଭ ଓଷ୍ଠାଧରକୁ ସ୍ପର୍ଶ କରିଅଛି; ଏଣୁ ତୁମ୍ଭର ଅପରାଧ ଦୂରୀକୃତ ହେଲା ଓ ତୁମ୍ଭର ପାପ ମୋଚନ ହେଲା।”
8. ଏଥିଉତ୍ତାରେ “ମୁଁ କାହାକୁ ପଠାଇବି ? ଓ କିଏ ଆମ୍ଭମାନଙ୍କ ପାଇଁ ଯିବ ?” ପ୍ରଭୁଙ୍କର ଏହି ରବ ମୁଁ ଶୁଣିଲି। ତେବେ ମୁଁ କହିଲି, “ମୁଁ ଅଛି; ମୋତେ ପଠାଅ।”
9. ତହିଁରେ ସେ କହିଲେ, “ଯାଅ ଓ ଏହି ଗୋଷ୍ଠୀକୁ କୁହ, ତୁମ୍ଭେମାନେ ଶୁଣୁଛ ନିଶ୍ଚୟ, ମାତ୍ର ବୁଝୁ ନାହଁ ଓ ଦେଖୁଛ ନିଶ୍ଚୟ, ମାତ୍ର ଜାଣୁ ନାହଁ।
10. ଏହି ଲୋକମାନେ ଆପଣା ଆପଣା ଚକ୍ଷୁରେ ଦେଖି ଓ କର୍ଣ୍ଣରେ ଶୁଣି ଓ ଅନ୍ତଃକରଣରେ ବୁଝି ମନ ଫେରାଇ ଯେପରି ସୁସ୍ଥ ନ ହୁଅନ୍ତି, ଏଥିପାଇଁ ତୁମ୍ଭେ ସେମାନଙ୍କ ଅନ୍ତଃକରଣ ସ୍ଥୂଳ କର ଓ ସେମାନଙ୍କ କର୍ଣ୍ଣ ଭାରୀ କର ଓ ସେମାନଙ୍କ ଚକ୍ଷୁ ମୁଦି ଦିଅ।”
11. ତେବେ ମୁଁ ପଚାରିଲି, “ହେ ପ୍ରଭୁ, କେତେ କାଳ ଯାଏ ?” ତହିଁରେ ସେ ଉତ୍ତର କଲେ, ଯେପର୍ଯ୍ୟନ୍ତ ନଗରସବୁ ନିବାସୀବିହୀନ ଓ ଗୃହସବୁ ନରଶୂନ୍ୟ ହୋଇ ଉଜାଡ଼ ନ ହୁଏ ଓ ଭୂମି ସମ୍ପୂର୍ଣ୍ଣ ରୂପେ ଉଜାଡ଼ ନ ହୁଏ,
12. ପୁଣି, ସଦାପ୍ରଭୁ ଲୋକମାନଙ୍କୁ ଅତି ଦୂର କରି ନ ଦିଅନ୍ତି ଓ ଦେଶ ମଧ୍ୟରେ ପରିତ୍ୟକ୍ତ ସ୍ଥାନ ଅନେକ ନ ହୁଏ, ସେପର୍ଯ୍ୟନ୍ତ।
13. ଆଉ, ଯଦିବା ତହିଁରେ ଦଶମାଂଶ ରହେ, ତଥାପି ତାହା ପୁନର୍ବାର ବିନଷ୍ଟ ହେବ; ଏଲା ଓ ଅଲୋନ ବୃକ୍ଷ ହଣା ଗଲେ ହେଁ ଯେପରି ତାହାର ଗଣ୍ଡି ରହେ; ସେହିପରି ସେହି ପବିତ୍ର ବଂଶ ଏହି ଗୋଷ୍ଠୀର ଗଣ୍ଡିସ୍ୱରୂପ ଅଟେ। [PE]