1. {#1ଯିହୁଦାର ରାଜା ଅସରୀୟ } [PS]ଇସ୍ରାଏଲର ରାଜା ଯାରବୀୟାମ୍ଙ୍କ ରାଜତ୍ଵର ସତାଇଶ ବର୍ଷରେ ଯିହୁଦାର ରାଜା ଅମତ୍ସୀୟଙ୍କର ପୁତ୍ର ଅସରୀୟ ରାଜତ୍ଵ କରିବାକୁ ଆରମ୍ଭ କଲେ।
2. ସେ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ଷୋଳ ବର୍ଷ ବୟସ୍କ ହୋଇଥିଲେ; ଆଉ ସେ ଯିରୂଶାଲମରେ ବାବନ ବର୍ଷ ରାଜ୍ୟ କଲେ; ତାଙ୍କ ମାତାଙ୍କର ନାମ ଯିଖଲୀୟା, ସେ ଯିରୂଶାଲମ ନିବାସିନୀ ଥିଲେ।
3. ପୁଣି ସେ ଆପଣା ପିତା ଅମତ୍ସୀୟଙ୍କର ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ।
4. ତଥାପି ଉଚ୍ଚସ୍ଥଳୀମାନ ଦୂରୀକୃତ ହେଲା ନାହିଁ; ଲୋକମାନେ ସେସମୟରେ ହେଁ ଉଚ୍ଚସ୍ଥଳୀମାନରେ ବଳିଦାନ କଲେ ଓ ଧୂପ ଜ୍ୱଳାଇଲେ। [PE]
5. [PS]ପୁଣି ସଦାପ୍ରଭୁ ରାଜାଙ୍କୁ ଆଘାତ କଲେ, ତହିଁରେ ସେ ଆପଣା ମରଣ ଦିନ ପର୍ଯ୍ୟନ୍ତ କୁଷ୍ଠୀ ହୋଇ ଏକ ପୃଥକ୍ ଗୃହରେ ବାସ କଲେ। ଆଉ ରାଜାଙ୍କର ପୁତ୍ର ଯୋଥମ୍ ଗୃହର କର୍ତ୍ତା ହୋଇ ଦେଶସ୍ଥ ଲୋକମାନଙ୍କର ବିଚାର କଲେ।
6. ଏହି ଅସରୀୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା କ’ଣ ଯିହୁଦାର ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ ?
7. ଏଥିଉତ୍ତାରେ ଅସରୀୟ ମୃତ୍ୟୁବରଣ କଲେ; ତହିଁରେ ଲୋକମାନେ ତାଙ୍କୁ ଦାଉଦ ନଗରରେ ତାଙ୍କର ପିତୃଗଣ ସହିତ କବର ଦେଲେ; ତହୁଁ ତାଙ୍କର ପୁତ୍ର ଯୋଥମ୍ ତାଙ୍କର ପଦରେ ରାଜ୍ୟ କଲେ। [PE]
8. {#1ଇସ୍ରାଏଲର ରାଜା ଜିଖରୀୟ } [PS]ଯିହୁଦାର ରାଜା ଅସରୀୟଙ୍କ ରାଜତ୍ଵର ଅଠତିରିଶ ବର୍ଷରେ ଯାରବୀୟାମ୍ଙ୍କ ପୁତ୍ର ଜିଖରୀୟ ଶମରୀୟାରେ ଇସ୍ରାଏଲ ଉପରେ ଛଅ ମାସ ରାଜ୍ୟ କଲେ।
9. ପୁଣି ସେ ଆପଣା ପୂର୍ବପୁରୁଷମାନଙ୍କ ପରି ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ନବାଟର ପୁତ୍ର ଯାରବୀୟାମ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ସମସ୍ତ ପାପରୁ ସେ ବିମୁଖ ହେଲେ ନାହିଁ।
10. ଆଉ ଯାବେଶଙ୍କର ପୁତ୍ର ଶଲ୍ଲୁମ୍ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରି ଓ ଲୋକମାନଙ୍କ ସମ୍ମୁଖରେ ତାଙ୍କୁ ଆଘାତ କରି ବଧ କଲେ ଓ ତାଙ୍କର ପଦରେ ରାଜ୍ୟ କଲେ।
11. ଏହି ଜିଖରୀୟଙ୍କ ଅବଶିଷ୍ଟ ବୃତ୍ତାନ୍ତ ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ଅଛି।
12. ସଦାପ୍ରଭୁ ଯେହୂଙ୍କୁ ଏହି କଥା କହିଥିଲେ, ଯଥା, “ତୁମ୍ଭ ପୁତ୍ରମାନେ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହେବେ।” ଆଉ ସେହିପରି ହେଲା। [PE]
13. {ଇସ୍ରାଏଲର ରାଜା ଶଲ୍ଲୁମ୍ } [PS]ଯିହୁଦାର ରାଜା ଉଷୀୟଙ୍କ ରାଜତ୍ଵର ଅଣଚାଳିଶ ବର୍ଷରେ ଯାବେଶଙ୍କର ପୁତ୍ର ଶଲ୍ଲୁମ୍ ରାଜତ୍ଵ କରିବାକୁ ଆରମ୍ଭ କଲେ; ଆଉ ସେ ଶମରୀୟାରେ ଏକ ମାସ କାଳ ରାଜ୍ୟ କଲେ।
14. ଆଉ ଗାଦିର ପୁତ୍ର ମନହେମ୍ ତିର୍ସାରୁ ଯାଇ ଶମରୀୟାରେ ଉପସ୍ଥିତ ହେଲେ ଓ ଯାବେଶଙ୍କର ପୁତ୍ର ଶଲ୍ଲୁମ୍ଙ୍କୁ ଶମରୀୟାରେ ଆଘାତ କରି ବଧ କଲେ, ପୁଣି ତାଙ୍କ ପଦରେ ରାଜ୍ୟ କଲେ।
15. ଏହି ଶଲ୍ଲୁମ୍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର କୃତ ଚକ୍ରାନ୍ତ ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ଅଛି।
16. ଏଥିଉତ୍ତାରେ ମନହେମ୍ ତିର୍ସାଠାରୁ, ତିପ୍ସହ ଓ ତନ୍ମଧ୍ୟବର୍ତ୍ତୀ ସମସ୍ତଙ୍କୁ, ପୁଣି ତିପ୍ସହର ସମସ୍ତ ଅଞ୍ଚଳକୁ ଆଘାତ କଲେ। ଲୋକମାନେ ତାଙ୍କ ପାଇଁ ନଗର ମୁକ୍ତ ନ କରିବାରୁ ସେ ତାହା ଆଘାତ କଲେ; ପୁଣି ତନ୍ମଧ୍ୟବର୍ତ୍ତିନୀ ଗର୍ଭବତୀ ସ୍ତ୍ରୀ ସମସ୍ତଙ୍କର ଉଦର ବିଦୀର୍ଣ୍ଣ କଲେ। [PE]
17. {ଇସ୍ରାଏଲର ରାଜା ମନହେମ୍ } [PS]ଯିହୁଦାର ରାଜା ଅସରୀୟଙ୍କ ରାଜତ୍ଵର ଅଣଚାଳିଶ ବର୍ଷରେ ଗାଦିର ପୁତ୍ର ମନହେମ୍ ଇସ୍ରାଏଲ ଉପରେ ରାଜତ୍ଵ କରିବାକୁ ଆରମ୍ଭ କରି ଶମରୀୟାରେ ଦଶ ବର୍ଷ ରାଜ୍ୟ କଲେ।
18. ପୁଣି ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ନବାଟର ପୁତ୍ର ଯାରବୀୟାମ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ସମସ୍ତ ପାପରୁ ସେ ଆପଣାର ଯାବଜ୍ଜୀବନ ବିମୁଖ ହେଲେ ନାହିଁ। [PE]
19. [PS]ଅଶୂରର ରାଜା ପୂଲ୍ ଦେଶର ବିରୁଦ୍ଧରେ ଆସନ୍ତେ, ମନହେମ୍ ଆପଣା ହସ୍ତରେ ରାଜ୍ୟ ଦୃଢ଼ କରିବା ପାଇଁ ଯେପରି ପୂଲ୍ର ହସ୍ତ ତାଙ୍କର ସହାୟ ହେବ, ଏଥିପାଇଁ ସେ ତାହାକୁ ଏକ ସହସ୍ର ତାଳନ୍ତ ରୂପା ଦେଲେ।
20. ପୁଣି ମନହେମ୍ ଏହି ମୁଦ୍ରା ଇସ୍ରାଏଲ ମଧ୍ୟରୁ ଆଦାୟ କଲେ, ଅର୍ଥାତ୍, ଅଶୂରର ରାଜାକୁ ଦେବା ପାଇଁ ସମଗ୍ର ଧନଶାଳୀ ଲୋକଙ୍କର ପ୍ରତିଜଣଠାରୁ ପଚାଶ ଶେକଲ ଲେଖାଏଁ ରୂପା[* 600 ଗ୍ରାମ୍ ରୂପା ] ନେଲେ, ତହିଁରେ ଅଶୂରର ରାଜା ଫେରିଗଲା ଓ ଦେଶର ସେସ୍ଥାନରେ ରହିଲା ନାହିଁ।
21. ଏହି ମନହେମ୍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା କ’ଣ ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ ?
22. ଏଥିଉତ୍ତାରେ ମନହେମ୍ ମୃତ୍ୟୁବରଣ କଲେ; ତହୁଁ ତାଙ୍କର ପୁତ୍ର ପକହୀୟ ତାଙ୍କ ପଦରେ ରାଜ୍ୟ କଲେ। [PE]
23. {#1ଇସ୍ରାଏଲର ରାଜା ପକହୀୟ } [PS]ଯିହୁଦାର ରାଜା ଅସରୀୟଙ୍କ ରାଜତ୍ଵର ପଚାଶ ବର୍ଷରେ ମନହେମ୍ଙ୍କର ପୁତ୍ର ପକହୀୟ ଶମରୀୟାରେ ଇସ୍ରାଏଲ ଉପରେ ରାଜତ୍ଵ କରିବାକୁ ଆରମ୍ଭ କରି ଦୁଇ ବର୍ଷ ରାଜ୍ୟ କଲେ।
24. ପୁଣି ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ନବାଟର ପୁତ୍ର ଯାରବୀୟାମ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ସମସ୍ତ ପାପରୁ ସେ ବିମୁଖ ହେଲେ ନାହିଁ। [PE]
25. [PS]ଆଉ ରମଲୀୟଙ୍କର ପୁତ୍ର ପେକହ ନାମକ ତାଙ୍କର ସେନାପତି ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରି ତାଙ୍କୁ ଓ ତାଙ୍କ ସଙ୍ଗେ ଅର୍ଗୋବ ଓ ଅରୀୟିକୁ ଶମରୀୟାସ୍ଥ ରାଜଗୃହର ଦୁର୍ଗରେ ଆଘାତ କଲେ। ପୁଣି ତାଙ୍କ ସଙ୍ଗେ ପଚାଶ ଜଣ ଗିଲୀୟଦୀୟ ଲୋକ ଥିଲେ; ଆଉ ସେ ତାଙ୍କୁ ବଧ କରି ତାଙ୍କ ପଦରେ ରାଜ୍ୟ କଲେ।
26. ଏହି ପକହୀୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ଅଛି। [PE]
27. {#1ଇସ୍ରାଏଲର ରାଜା ପେକହ } [PS]ଯିହୁଦାର ରାଜା ଅସରୀୟଙ୍କ ରାଜତ୍ଵର ବାବନ ବର୍ଷରେ ରମଲୀୟଙ୍କର ପୁତ୍ର ପେକହ ଶମରୀୟାରେ ଇସ୍ରାଏଲ ଉପରେ ରାଜତ୍ଵ କରିବାକୁ ଆରମ୍ଭ କରି କୋଡ଼ିଏ ବର୍ଷ ରାଜ୍ୟ କଲେ।
28. ପୁଣି ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ନବାଟର ପୁତ୍ର ଯାରବୀୟାମ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହିସବୁ ପାପରୁ ସେ ବିମୁଖ ହେଲେ ନାହିଁ।
29. ଇସ୍ରାଏଲର ରାଜା ପେକହଙ୍କର ସମୟରେ ଅଶୂରର ରାଜା ତିଗ୍ଲାତ୍-ପିଲେସର୍ ଆସି ଇୟୋନ୍ ଓ ଆବେଲ୍-ବେଥ୍-ମାଖା ଓ ଯାନୋହ ଓ କେଦଶ ଓ ହାସୋର ଓ ଗିଲୀୟଦ ଓ ଗାଲିଲୀ ଓ ସମୁଦାୟ ନପ୍ତାଲି ଦେଶ ହସ୍ତଗତ କଲା; ଆଉ ସେ ଲୋକମାନଙ୍କୁ ବନ୍ଦୀ କରି ଅଶୂରକୁ ନେଇଗଲା।
30. ଏଥିଉତ୍ତାରେ ଏଲାଙ୍କର ପୁତ୍ର ହୋଶେୟ ରମଲୀୟଙ୍କର ପୁତ୍ର ପେକହଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ ଓ ସେ ତାଙ୍କୁ ଆଘାତ କରି ବଧ କଲେ, ପୁଣି ଉଷୀୟଙ୍କର ପୁତ୍ର ଯୋଥମ୍ଙ୍କ ରାଜତ୍ଵର କୋଡ଼ିଏ ବର୍ଷରେ ସେ ପେକହଙ୍କ ପଦରେ ରାଜ୍ୟ କଲେ।
31. ଏହି ପେକହଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ଇସ୍ରାଏଲର ରାଜାମାନଙ୍କର ଇତିହାସ ପୁସ୍ତକରେ ଲିଖିତ ଅଛି। [PE]
32. {ଯିହୁଦାର ରାଜା ଯୋଥମ୍ } [PS]ଇସ୍ରାଏଲର ରାଜା ରମଲୀୟଙ୍କର ପୁତ୍ର ପେକହଙ୍କ ରାଜତ୍ଵର ଦ୍ୱିତୀୟ ବର୍ଷରେ ଯିହୁଦାର ରାଜା ଉଷୀୟଙ୍କର ପୁତ୍ର ଯୋଥମ୍ ରାଜତ୍ଵ କରିବାକୁ ଆରମ୍ଭ କଲେ।
33. ସେ ରାଜତ୍ଵ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ଷୋଳ ବର୍ଷ ରାଜ୍ୟ କଲେ। ଆଉ ତାଙ୍କ ମାତାଙ୍କର ନାମ ଯିରୁଶା, ସେ ସାଦୋକର କନ୍ୟା ଥିଲେ। [PE]
34. [PS]ଯୋଥମ୍ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ; ସେ ଆପଣା ପିତା ଉଷୀୟଙ୍କର ସମସ୍ତ କ୍ରିୟାନୁସାରେ କର୍ମ କଲେ।
35. ତଥାପି ଉଚ୍ଚସ୍ଥଳୀମାନ ଦୂରୀକୃତ ହେଲା ନାହିଁ; ଲୋକମାନେ ସେସମୟରେ ହେଁ ଉଚ୍ଚସ୍ଥଳୀମାନରେ ବଳିଦାନ କଲେ ଓ ଧୂପ ଜ୍ୱଳାଇଲେ। ସେ ସଦାପ୍ରଭୁଙ୍କ ଗୃହର ଉପର ଦ୍ୱାର ଦୃଢ଼ କଲେ।
36. ଏହି ଯୋଥମ୍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା କ’ଣ ଯିହୁଦା ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ ?
37. ସେସମୟରେ ସଦାପ୍ରଭୁ ଅରାମର ରାଜା ରତ୍ସୀନକୁ ଓ ରମଲୀୟଙ୍କର ପୁତ୍ର ପେକହଙ୍କୁ ଯିହୁଦା ବିରୁଦ୍ଧରେ ପଠାଇବାକୁ ଆରମ୍ଭ କଲେ।
38. ଏଥିଉତ୍ତାରେ ଯୋଥମ୍ ମୃତ୍ୟୁବରଣ କଲେ ଓ ଆପଣା ପୂର୍ବପୁରୁଷ ଦାଉଦଙ୍କର ନଗରରେ ଆପଣା ପିତୃଗଣ ସହିତ କବର ପ୍ରାପ୍ତ ହେଲେ; ତହୁଁ ତାଙ୍କର ପୁତ୍ର ଆହସ୍ ତାଙ୍କର ପଦରେ ରାଜ୍ୟ କଲେ। [PE]