1. {ଆମର ସ୍ୱର୍ଗୀୟ ଗୃହ} [PS] କାରଣ ଯଦି ଆମ୍ଭମାନଙ୍କର ଏହି ତମ୍ବୁରୂପ ପାର୍ଥିବ ଗୃହ ଭାଙ୍ଗିଯାଏ, ତେବେ ଈଶ୍ୱରକୃତ ଅହସ୍ତନିର୍ମିତ ଆମ୍ଭମାନଙ୍କର ଏକ ଅନନ୍ତକାଳସ୍ଥାୟୀ ଗୃହ ଯେ ସ୍ୱର୍ଗରେ ଅଛି, ଏହା ଆମ୍ଭେମାନେ ଜାଣୁ ।
2. ଯେଣୁ ଆମ୍ଭେମାନେ ତ ଆମ୍ଭମାନଙ୍କ ସ୍ୱର୍ଗୀୟ ଗୃହରୂପ ବସ୍ତ୍ରରେ ପରିହିତ ହେବାକୁ ଏକାନ୍ତ ଇଚ୍ଛା କରି ଏହି ଗୃହରେ ଥାଉ ଥାଉ ଆର୍ତ୍ତନାଦ କରୁଅଛୁ;
3. ଏହିପରି ପରିହିତ ହେଲେ ଆମ୍ଭେମାନେ ଉଲଙ୍ଗ ଦେଖାଯିବା ନାହିଁ ।
4. କାରଣ ଆମ୍ଭେମାନେ ଏହି ତମ୍ବୁରେ ବାସ କରି ଭାରଗ୍ରସ୍ତ ହୋଇ ଆର୍ତ୍ତନାଦ କରୁଅଛୁ; ଯେଣୁ ଆମ୍ଭେମାନେ ଯେ ପରିିଚ୍ଛଦ ତ୍ୟାଗ କରିବାକୁ ଇଚ୍ଛା କରୁ, ତାହା ନୁହେଁ, ମାତ୍ର ଜୀବନ ଯେପରି ମର୍ତ୍ତ୍ୟକୁ ଗ୍ରାସ କରେ, ଏଥି ନିମନ୍ତେ ଏହି ପରିଚ୍ଛଦ ଉପରେ ଅନ୍ୟ ବସ୍ତ୍ର ପରିଧାନ କରିବାକୁ ଆମ୍ଭେମାନେ ଇଚ୍ଛା କରୁଅଛୁ ।
5. ଆଉ ଯେ ଏଥି ନିମନ୍ତେ ଆମ୍ଭମାନଙ୍କୁ ପ୍ରସ୍ତୁତ କରିଅଛନ୍ତି, ସେ ଈଶ୍ୱର, ସେ ଆମ୍ଭମାନଙ୍କୁ ବଇନା ସ୍ୱରୂପେ ଆତ୍ମା ମଧ୍ୟ ଦାନ କରିଅଛନ୍ତି ।
6. ଅତଏବ ଆମ୍ଭେମାନେ ସର୍ବଦା ସାହସୀ ଅଟୁ, ଆଉ ଏହି ଶରୀରରେ ଯେପର୍ପ୍ୟନ୍ତ ନିବାସ କରୁଅଛୁ, ସେପର୍ଯ୍ୟନ୍ତ ଯେ ପ୍ରଭୁଙ୍କଠାରୁ ଦୂରରେ ପ୍ରବାସ କରୁଅଛୁ, ଏହା ଜାଣୁ ।
7. (କାରଣ ଆମ୍ଭେମାନେ ଦୃଶ୍ୟ ବିଷୟ ଦେଇ ଜୀବନଯାପନ ନ କରି ବିଶ୍ୱାସରେ ଜୀବନଯାପନ କରୁଅଛୁ),
8. ହଁ, ଆମ୍ଭେମାନେ ସାହସୀ ଅଟୁ, ଆଉ ଶରୀରଠାରୁ ଦୂରରେ ବାସ କରି ବରଂ ପ୍ରଭୁଙ୍କ ନିକଟରେ ନିବାସ କରିବାରେ ଆମ୍ଭମାନଙ୍କର ଅଧିକ ସନ୍ତୋଷ ।
9. ଏଣୁ ମଧ୍ୟ ନିବାସୀ ହେଉ ବା ପ୍ରବାସୀ ହେଉ, ତାହାଙ୍କ ନିକଟରେ ସନ୍ତୋଷପାତ୍ର ହେବା ଆମ୍ଭମାନଙ୍କର ଏକାନ୍ତ ବାସନା ।
10. କାରଣ ଭଲ ହେଉ ବା ମନ୍ଦ ହେଉ, ପ୍ରତ୍ୟେକ ଜଣ ଆପଣା ଶରୀର ଦ୍ୱାରା କୃତ କର୍ମାନୁସାରେ ଫଳ ପାଇବା ନିମନ୍ତେ ଖ୍ରୀଷ୍ଟଙ୍କ ବିଚାରାସନ ଛାମୁରେ ଆମ୍ଭ ସମସ୍ତଙ୍କୁ ଉପସ୍ଥିତ ହେବାକୁ ହେବ । [PS]
11. {ଖ୍ରୀଷ୍ଟଙ୍କ ସହ ସମ୍ମିଳନର ସେବକତ୍ୱ} [PS] ଅତଏବ, ପ୍ରଭୁ ବିଷୟକ ଭୟ ଜ୍ଞାତ ହେବାରୁ ଆମ୍ଭେମାନେ ମନୁଷ୍ୟମାନଙ୍କୁ ପ୍ରବର୍ତ୍ତାଉଅଛୁ, କିନ୍ତୁ ଆମ୍ଭେମାନେ ଈଶ୍ୱରଙ୍କ ଛାମୁରେ ପ୍ରକାଶିତ ଅଟୁ ଏବଂ ତୁମ୍ଭମାନଙ୍କ ବିବେକ ନିକଟରେ ମଧ୍ୟ ଯେ ପ୍ରକାଶିତ ଅଟୁ, ଏହା ମୁଁ ଆଶା କରେ ।
12. ଆମ୍ଭେମାନେ ପୁନର୍ବାର ତୁମ୍ଭମାନଙ୍କ ନିକଟରେ ଆତ୍ମପ୍ରଶଂସା କରୁ ନାହୁଁ, କିନ୍ତୁ ଯେଉଁମାନେ ଆନ୍ତରିକ ବିଷୟରେ ଦର୍ପ ନ କରି ବାହ୍ୟ ବିଷୟରେ ଦର୍ପ କରନ୍ତି, ସେମାନଙ୍କୁ ଯେପରି ଉତ୍ତର ଦେଇପାରୁ, ଏଥି ନିମନ୍ତେ ଆମ୍ଭମାନଙ୍କ ସପକ୍ଷରେ ଦର୍ପ କରିବା ନିମନ୍ତେ ତୁମ୍ଭମାନଙ୍କୁ ସୁଯୋଗ ଦେଉଅଛୁ ।
13. ଯେଣୁ ଯଦି ଆମ୍ଭେମାନେ ନିର୍ବୋଧ, ତାହା ଈଶ୍ୱରଙ୍କ ନିମନ୍ତେ; କିଅବା ଯଦି ସୁବୋଧ, ତାହା ତୁମ୍ଭମାନଙ୍କ ନିମନ୍ତେ ।
14. କାରଣ ଖ୍ରୀଷ୍ଟଙ୍କ ପ୍ରେମ ଆମ୍ଭମାନଙ୍କୁ ବଶରେ ରଖି ଚଳାଉଅଛି, ଯେଣୁ ଆମ୍ଭେମାନେ ଏହି ବିଚାର କରିଅଛୁ ଯେ, ଜଣେ ସମସ୍ତଙ୍କ ନିମନ୍ତେ ମୃତ୍ୟୁଭୋଗ କରିଥିବାରୁ ସମସ୍ତେ ମୃତ ହେଲେ;
15. ଆଉ ସେ ସମସ୍ତଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ଯେପରି ଯେଉଁମାନେ ଜୀବିତ, ସେମାନେ ଆଉ ଆପଣା ଆପଣା ନିମନ୍ତେ ଜୀବନ ଯାପନ ନ କରି ବରଂ ଯେ ସେମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ ଓ ଉତ୍ଥିତ ହେଲେ, ତାହାଙ୍କ ନିମନ୍ତେ ଜୀବନ ଯାପନ କରନ୍ତି । [PS]
16. {ଖ୍ରୀଷ୍ଟଙ୍କଠାରେ ନୂତନ ସୃଷ୍ଟି} [PS] ଅତଏବ ଆଜିଠାରୁ ଆମ୍ଭେମାନେ ଶରୀର ଅନୁସାରେ କାହାରିକୁ ଜାଣୁ ନାହୁଁ; ଯଦ୍ୟପି ଖ୍ରୀଷ୍ଟଙ୍କୁ ଶରୀର ଅନୁସାରେ ଆମ୍ଭେମାନେ ଜାଣିଅଛୁ, ତଥାପି ଏବେ ଆଉ ତାହାଙ୍କୁ ସେହି ପ୍ରକାରେ ଜାଣୁ ନାହୁଁ ।
17. ଏଣୁ ଯଦି କେହି ଖ୍ରୀଷ୍ଟଙ୍କଠାରେ ଅଛି, ତେବେ ସେ ନୂତନ ସୃଷ୍ଟି ହୋଇଅଛି ପୁରାତନ ବିଷୟସବୁ ଲୋପ ପାଇଅଛି, ଦେଖ, ନୂତନ ବିଷୟସବୁ ହୋଇଅଛି ।
18. କିନ୍ତୁ ସମସ୍ତ ବିଷୟ ଈଶ୍ୱରଙ୍କଠାରୁ ହୋଇଅଛି; ସେ ଖ୍ରୀଷ୍ଟଙ୍କ ଦ୍ୱାରା ଆପଣା ସହିତ ଆମ୍ଭମାନଙ୍କୁ ସମ୍ମିଳିତ କରିଅଛନ୍ତି ଓ ସେହି ସମ୍ମିଳନର ସେବକପଦ ଆମ୍ଭମାନଙ୍କୁ ଦେଇଅଛନ୍ତି;
19. ସେହି ସମ୍ମିଳନର ବାକ୍ୟ ଏହି, ଈଶ୍ୱର ଖ୍ରୀଷ୍ଟଙ୍କଠାରେ ଜଗତକୁ ଆପଣା ସହିତ ସମ୍ମିଳିତ କରୁଥିଲେ; ସେ ଜଗତବାସୀଙ୍କର ଅପରାଧ ଗଣନା ନ କରି ସେହି ସମ୍ମିଳନର ବାକ୍ୟ ଆମ୍ଭମାନଙ୍କ ନିକଟରେ ସମର୍ପଣ କରିଅଛନ୍ତି ।
20. ଅତଏବ, ଈଶ୍ୱର ଆମ୍ଭମାନଙ୍କ ଦ୍ୱାରା ଆହ୍ୱାନ କରୁଥିବାରୁ ଆମ୍ଭେମାନେ ଖ୍ରୀଷ୍ଟଙ୍କ ପକ୍ଷରେ ରାଜଦୂତର କର୍ମ କରୁଅଛୁ; ଖ୍ରୀଷ୍ଟଙ୍କ ପକ୍ଷରୁ ଆମ୍ଭେମାନେ ନିବେଦନ କରୁଅଛୁ, ତୁମ୍ଭେମାନେ ଈଶ୍ୱରଙ୍କ ସହିତ ସମ୍ମିଳିତ ହୁଅ ।
21. ଯାହାଙ୍କଠାରେ ପାପର ଲେଶମାତ୍ର ନ ଥିଲା,ତାହାଙ୍କୁ ସେ ଆମ୍ଭମାନଙ୍କ ନିମନ୍ତେ ପାପ ସ୍ୱରୂପ କଲେ, ଯେପରି ଆମ୍ଭେମାନେ ତାହାଙ୍କ ଦ୍ୱାରା ଈଶ୍ୱରଙ୍କର ଧାର୍ମିକତାସ୍ୱରୂପ ହେଉ । [PE]