1. ଅନନ୍ତର ସଦାପ୍ରଭୁ ସୀନୟ-ପର୍ବତରେ ମୋଶାଙ୍କୁ କହିଲେ,
2. ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦେବା, ତୁମ୍ଭେମାନେ ସେହି ଦେଶରେ ପ୍ରବେଶ କଲେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୂମି ବିଶ୍ରାମ ଭୋଗ କରିବ ।
3. ଛଅ ବର୍ଷ ପର୍ଯ୍ୟନ୍ତ ତୁମ୍ଭେ ଆପଣା କ୍ଷେତ୍ରରେ ବୀଜ ବୁଣିବ ଓ ଛଅ ବର୍ଷ ପର୍ଯ୍ୟନ୍ତ ତୁମ୍ଭେ ଆପଣା ଦ୍ରାକ୍ଷାଲତା ଝାଡ଼ିବ ଓ ତହିଁର ଫଳ ସଂଗ୍ରହ କରିବ;
4. ମାତ୍ର ସପ୍ତମ ବର୍ଷରେ ଭୂମିର ମହାବିଶ୍ରାମ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବିଶ୍ରାମ ହେବ; ତୁମ୍ଭେ ଆପଣା କ୍ଷେତ୍ରରେ ବୁଣିବ ନାହିଁ, କି ଆପଣା ଦ୍ରାକ୍ଷାଲତା ଝାଡ଼ିବ ନାହିଁ ।
5. ଯେଉଁ ଶସ୍ୟ ତୁମ୍ଭ କ୍ଷେତ୍ରରେ ଆପେ ବଢ଼େ, ତାହା ତୁମ୍ଭେ କାଟିବ ନାହିଁ ଓ ତୁମ୍ଭେ ଆପଣା ଅଝଡ଼ା ଦ୍ରାକ୍ଷାଲତାର ଫଳ ସଂଗ୍ରହ କରିବ ନାହିଁ; ତାହା ଭୂମିର ମହାବିଶ୍ରାମ-ବର୍ଷ ହେବ ।
6. ଆଉ, ଭୂମିର ବିଶ୍ରାମ ତୁମ୍ଭମାନଙ୍କର ଭକ୍ଷ୍ୟ ସ୍ଵରୂପ ହେବ; ତୁମ୍ଭର କ୍ଷେତ୍ରୋତ୍ପନ୍ନ ସମସ୍ତ ଦ୍ରବ୍ୟ ତୁମ୍ଭର ଓ ତୁମ୍ଭ ଦାସର ଓ ତୁମ୍ଭ ଦାସୀର ଓ ତୁମ୍ଭ ବର୍ତ୍ତନଜୀବୀର ଓ ତୁମ୍ଭ ସହବାସୀ ବିଦେଶୀର;
7. ପୁଣି, ତୁମ୍ଭ ପଶୁର ଓ ତୁମ୍ଭ ଦେଶୀୟ ବନପଶୁର ଆହାର ନିମନ୍ତେ ହେବ ।
8. ଆଉ, ତୁମ୍ଭେ ଆପଣା ନିମନ୍ତେ ସାତ ବିଶ୍ରାମ ବର୍ଷ, ଅର୍ଥାତ୍, ସାତଗୁଣ ସାତବର୍ଷ ଗଣନା କରିବ; ତହିଁରେ ସେହି ସାତଗୁଣ ସାତ ବର୍ଷର ଦିନ ତୁମ୍ଭ ପ୍ରତି ଅଣଞ୍ଚାଶ ବର୍ଷ ହେବ ।
9. ତହୁଁ ସପ୍ତମ ମାସର ଦଶମ ଦିନରେ ତୁମ୍ଭେ ମହାଶଦ୍ଦକାରୀ ତୂରୀ ବଜାଇବ; ପ୍ରାୟଶ୍ଚିତ୍ତ ଦିନରେ ତୁମ୍ଭେମାନେ ଆପଣାମାନଙ୍କ ସମସ୍ତ ଦେଶରେ ତୂରୀ ବଜାଇବ ।
10. ପୁଣି, ତୁମ୍ଭେମାନେ ପଚାଶତମ ବର୍ଷକୁ ପବିତ୍ର ରୂପେ ମାନ୍ୟ କରିବ, ଆଉ ସମୁଦାୟ ଦେଶରେ ତହିଁର ସମସ୍ତ ନିବାସୀମାନଙ୍କ ପ୍ରତି ମୁକ୍ତି ଘୋଷଣା କରିବ; ତାହା ତୁମ୍ଭମାନଙ୍କ ନିମନ୍ତେ ଯୋବେଲ (ମହୋଲ୍ଲାସ-ଉତ୍ସବ) ହେବ ଓ ତୁମ୍ଭେମାନେ ପ୍ରତି ଜଣ ଆପଣା ଆପଣା ଅଧିକାରକୁ ଫେରିଯିବ ଓ ପ୍ରତି ଜଣ ଆପଣା ଆପଣା ବଂଶ ନିକଟକୁ ଫେରିଯିବ ।
11. ସେହି ପଚାଶତମ ବର୍ଷ ବ୍ୟାପୀ ତୁମ୍ଭମାନଙ୍କ ନିମନ୍ତେ ଯୋବେଲ ହେବ; ତୁମ୍ଭେମାନେ ବୁଣିବ ନାହିଁ; କିଅବା ଯେଉଁ ଶସ୍ୟ ଆପେ ବଢ଼େ, ତାହା କାଟିବ ନାହିଁ ଓ ଅଝଡ଼ା ଦ୍ରାକ୍ଷାଲତାର ଫଳ ସଂଗ୍ରହ କରିବ ନାହିଁ ।
12. କାରଣ ତାହା ଯୋବେଲ ଅଟେ; ତାହା ତୁମ୍ଭମାନଙ୍କ ପ୍ରତି ପବିତ୍ର ହେବ । ତଥାପି ତୁମ୍ଭେମାନେ କ୍ଷେତ୍ରୋତ୍ପନ୍ନ ଶସ୍ୟାଦି ଖାଇ ପାରିବ ।
13. ସେହି ଯୋବେଲ ବର୍ଷରେ ପ୍ରତି ଜଣ ଆପଣା ଆପଣା ଅଧିକାରକୁ ଫେରିଯିବ ।
14. ଯେବେ ତୁମ୍ଭେ ଆପଣା ପ୍ରତିବାସୀକି କୌଣସି ଭୂମ୍ୟାଦି ବିକ, ଅବା ଆପଣା ପ୍ରତିବାସୀ ହସ୍ତରୁ କିଣ, ତେବେ ତୁମ୍ଭେମାନେ ଏକଆରେକ ପ୍ରତି ଅନ୍ୟାୟ କରିବ ନାହିଁ ।
15. ତୁମ୍ଭେ ଯୋବେଲ ପରବର୍ଷର ସଂଖ୍ୟାନୁସାରେ ଆପଣା ପ୍ରତିବାସୀଠାରୁ କିଣିବ ଓ ଫଳ-ଉତ୍ପତ୍ତି ବର୍ଷର ସଂଖ୍ୟାନୁସାରେ ସେ ତୁମ୍ଭକୁ ବିକିବ ।
16. ତୁମ୍ଭେ ବର୍ଷର ଆଧିକ୍ୟ ଅନୁସାରେ ତହିଁର ମୂଲ୍ୟ ବୃଦ୍ଧି କରିବ ଓ ବର୍ଷର ନ୍ୟୂନତାନୁସାରେ ମୂଲ୍ୟ ଊଣା କରିବ; କାରଣ ସେ ତୁମ୍ଭକୁ ଫଳ-ଉତ୍ପତ୍ତି ବର୍ଷର ସଂଖ୍ୟାନୁସାରେ ଭୂମି ବିକ୍ରୟ କରିବ ।
17. ତୁମ୍ଭେମାନେ ଏକଆରେକର ଅନ୍ୟାୟ କରିବ ନାହିଁ, ମାତ୍ର ତୁମ୍ଭେ ଆପଣା ପରମେଶ୍ଵରଙ୍କୁ ଭୟ କରିବ, କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ଵର ଅଟୁ ।
18. ଏନିମନ୍ତେ ତୁମ୍ଭେମାନେ ଆମ୍ଭର ବିଧି ଅନୁସାରେ ଆଚରଣ କରିବ ଓ ଆମ୍ଭର ଶାସନସକଳ ମାନିବ ଓ ପାଳନ କରିବ; ତହିଁରେ ତୁମ୍ଭେମାନେ ଦେଶରେ ନିର୍ଭୟରେ ବାସ କରିବ ।
19. ପୁଣି, ଭୂମି ନିଜ ଫଳ ଉତ୍ପନ୍ନ କରିବ, ତହିଁରେ ତୁମ୍ଭେମାନେ ତୃପ୍ତି ପର୍ଯ୍ୟନ୍ତ ଭୋଜନ କରିବ ଓ ଦେଶରେ ନିର୍ଭୟରେ ବାସ କରିବ ।
20. ଆଉ ତୁମ୍ଭେମାନେ ଯେବେ କହିବ, ଦେଖ, ଆମ୍ଭେମାନେ ତ ବୁଣିବୁ ନାହିଁ, କି ଉତ୍ପନ୍ନ ଫଳ ସଂଗ୍ରହ କରିବୁ ନାହିଁ, ତେବେ ଆମ୍ଭେମାନେ ସପ୍ତମ ବର୍ଷରେ କଅଣ ଖାଇବୁ?
21. ଆମ୍ଭେ ଷଷ୍ଠ ବର୍ଷରେ ତୁମ୍ଭମାନଙ୍କ ଉପରେ ଆଶୀର୍ବାଦ ଆଜ୍ଞା କରିବା, ତହିଁରେ ତାହା ତିନି ବର୍ଷର ଫଳ ଉତ୍ପନ୍ନ କରିବ ।
22. ପୁଣି, ଅଷ୍ଟମ ବର୍ଷରେ ତୁମ୍ଭେମାନେ ବୁଣିବ ଓ ପୁରାତନ ଶସ୍ୟ ଖାଇବ; ନବମ ବର୍ଷ ପର୍ଯ୍ୟନ୍ତ ଫଳ ଉତ୍ପନ୍ନ ହେବାଯାଏ, ତୁମ୍ଭେମାନେ ପୁରାତନ ଶସ୍ୟ ଭୋଜନ କରିବ ।
23. ଆଉ ଭୂମି ସଦାକାଳ ନିମନ୍ତେ ବିକା ଯିବ ନାହିଁ; କାରଣ ଭୂମି ଆମ୍ଭର; ତୁମ୍ଭେମାନେ ଆମ୍ଭ ସହିତ ବିଦେଶୀ ଓ ପ୍ରବାସୀ ଅଟ ।
24. ଆଉ, ତୁମ୍ଭେମାନେ ଆପଣାମାନଙ୍କ ଅଧିକୃତ ଦେଶର ସମସ୍ତ ଭୂମି ମୁକ୍ତ କରିବାକୁ ଦେବ ।
25. ଯେବେ ତୁମ୍ଭର ଭ୍ରାତା ଦରିଦ୍ର ହୋଇ ଆପଣା ଅଧିକାରରୁ କିଛି ବିକ୍ରୟ କରେ, ତେବେ ତାହାର ମୁକ୍ତିକର୍ତ୍ତା ନିକଟସ୍ଥ ଜ୍ଞାତି ଆସି ଆପଣା ଭ୍ରାତାର ବିକ୍ରୀତ ଭୂମି ମୁକ୍ତ କରି ନେବ ।
26. ପୁଣି, ଯେବେ ତାହା ମୁକ୍ତ କରିବାକୁ ତାହାର କେହି ନ ଥାଏ ଓ ସେ ବର୍ଦ୍ଧିଷ୍ଣୁ ହୋଇ ତାହା ମୁକ୍ତ କରିବାକୁ ଯଥେଷ୍ଟ ଧନ ପାଏ,
27. ତେବେ ସେ ତହିଁର ବିକ୍ରୟ-ବର୍ଷ ଗଣନା କରୁ ଓ ତଦନୁସାରେ ଅତିରିକ୍ତ ମୂଲ୍ୟ କ୍ରୟକର୍ତ୍ତାକୁ ଫେରାଇ ଦେଉ; ତହିଁରେ ସେ ପୁନର୍ବାର ଆପଣା ଅଧିକାରକୁ ଫେରିଯିବ ।
28. ମାତ୍ର ଯେବେ ସେ ତାହା ଫେରାଇ ନେବାକୁ ଅସମର୍ଥ ହୁଏ, ତେବେ ସେ ଯାହା ବିକିଅଛି, ତାହା ଯୋବେଲ ପର୍ଯ୍ୟନ୍ତ କ୍ରୟକର୍ତ୍ତାର ହସ୍ତରେ ରହିବ; ପୁଣି, ତାହା ଯୋବେଲ ସମୟରେ ମୁକ୍ତ ହେବ ଓ ସେ ପୁନର୍ବାର ଆପଣା ଅଧିକାରକୁ ଫେରିଯିବ ।
29. ଆଉ, ଯେବେ କେହି ପ୍ରାଚୀରବେଷ୍ଟିତ ନଗରର ମଧ୍ୟବର୍ତ୍ତୀ ବାସଗୃହ ବିକ୍ରୟ କରେ, ତେବେ ସେ ବିକ୍ରୟ ବର୍ଷର ଶେଷ ପର୍ଯ୍ୟନ୍ତ ତାହା ମୁକ୍ତ କରି ପାରିବ; ପୂର୍ଣ୍ଣ ଏକ ବର୍ଷ ପର୍ଯ୍ୟନ୍ତ ସେ ତାହା ମୁକ୍ତ କରିବାର ଅଧିକାର ପାଇବ ।
30. ମାତ୍ର ଯେବେ ପୂର୍ଣ୍ଣ ଏକ ବର୍ଷ ମଧ୍ୟରେ ତାହା ମୁକ୍ତ କରା ନ ଯାଏ, ତେବେ ପ୍ରାଚୀରବେଷ୍ଟିତ ନଗର-ମଧ୍ୟବର୍ତ୍ତୀ ସେହି ଗୃହ ପୁରୁଷ-ପରମ୍ପରାରେ କ୍ରୟକର୍ତ୍ତାର ନିତ୍ୟ ଅଧିକାର ହେବ; ଯୋବେଲ ସମୟରେ ତାହା ମୁକ୍ତ ହେବ ନାହିଁ ।
31. ମାତ୍ର ପ୍ରାଚୀରହୀନ ଗ୍ରାମର ମଧ୍ୟବର୍ତ୍ତୀ ଗୃହମାନ ଦେଶର କ୍ଷେତ୍ର ମଧ୍ୟରେ ଗଣାଯିବ; ତାହା ମୁକ୍ତ ହୋଇପାରେ, ପୁଣି ଯୋବେଲ ସମୟରେ ତାହା ମୁକ୍ତ ହେବ ।
32. ମାତ୍ର ଲେବୀୟମାନଙ୍କର ନଗରମାନ, ସେମାନଙ୍କ ଅଧିକୃତ ନଗରର ଗୃହସକଳ ମୁକ୍ତ କରିବାର ଅଧିକାର ଲେବୀୟମାନଙ୍କ ପକ୍ଷରେ ଅନନ୍ତକାଳସ୍ଥାୟୀ ହେବ ।
33. ପୁଣି, ଯେବେ କେହି ଲେବୀୟମାନଙ୍କଠାରୁ ତାହା ମୁକ୍ତ କରେ, ତେବେ ସେହି ବିକ୍ରୀତ ଗୃହ ଓ ତାହାର ଅଧିକୃତ ନଗର ଯୋବେଲ ସମୟରେ ମୁକ୍ତ ହେବ; କାରଣ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଲେବୀୟମାନଙ୍କ ଗୃହସକଳ ସେମାନଙ୍କର ଅଧିକାର ।
34. ମାତ୍ର ସେମାନଙ୍କ ନଗରର ପ୍ରାନ୍ତର-ଭୂମି ବିକା ଯିବ ନାହିଁ; କାରଣ ତାହା ସେମାନଙ୍କର ଅନନ୍ତକାଳୀନ ଅଧିକାର ।
35. ଆଉ ଯେବେ ତୁମ୍ଭର ଭାଇ ଦରିଦ୍ର ହୋଇଯାଏ ଓ ତୁମ୍ଭ ନିକଟରେ ତାହାର ହାତ ପଡ଼ିଯାଏ, ତେବେ ତୁମ୍ଭେ ତାହାକୁ ଧରି ରଖିବ; ସେ ବିଦେଶୀ ଓ ପ୍ରବାସୀ ପରି ତୁମ୍ଭ ସହିତ ଜୀବନଧାରଣ କରିବ ।
36. ତୁମ୍ଭେ ତାହାଠାରୁ ସୁଧ କି ଦେଢ଼ି ନିଅ ନାହିଁ; ମାତ୍ର ଆପଣା ପରମେଶ୍ଵରଙ୍କୁ ଭୟ କର; ତହିଁରେ ତୁମ୍ଭର ଭାଇ ତୁମ୍ଭ ସହିତ ଜୀବନଧାରଣ କରିବ ।
37. ତୁମ୍ଭେ ସୁଧରେ ତାହାକୁ ଟଙ୍କା ଦେବ ନାହିଁ, କିଅବା ଦେଢ଼ି ପାଇଁ ତାହାକୁ ଆପଣା ଅନ୍ନ ଦେବ ନାହିଁ ।
38. ଯେ ତୁମ୍ଭମାନଙ୍କର ପରମେଶ୍ଵର ହେବା ପାଇଁ ତୁମ୍ଭମାନଙ୍କୁ କିଣାନ ଦେଶ ଦେବା ନିମନ୍ତେ ମିସର ଦେଶରୁ ବାହାର କରି ଆଣିଲେ, ତୁମ୍ଭମାନଙ୍କର ପରମେଶ୍ଵର ସେହି ସଦାପ୍ରଭୁ ଆମ୍ଭେ ଅଟୁ ।
39. ଆଉ ଯେବେ ତୁମ୍ଭ ଭାଇ ଦରିଦ୍ର ହୋଇଯାଏ ଓ ତୁମ୍ଭ ନିକଟରେ ଆପଣାକୁ ବିକ୍ରୟ କରେ, ତେବେ ତୁମ୍ଭେ ତାହାକୁ ବନ୍ଧା-ଦାସ ପରି ପରିଶ୍ରମ କରାଇବ ନାହିଁ ।
40. ସେ ବର୍ତ୍ତନଜୀବୀ ଓ ପ୍ରବାସୀ ନ୍ୟାୟ ତୁମ୍ଭ ସହିତ ବାସ କରିବ; ସେ ଯୋବେଲ ବର୍ଷ ପର୍ଯ୍ୟନ୍ତ ତୁମ୍ଭର ଦାସ୍ୟକର୍ମ କରିବ ।
41. ତହୁଁ ସେ ଆପଣା ସନ୍ତାନଗଣ ସହିତ ତୁମ୍ଭଠାରୁ ମୁକ୍ତ ହୋଇ ଆପଣା ବଂଶ ନିକଟକୁ ଓ ତାହାର ପୈତୃକ ଅଧିକାରକୁ ଫେରିଯିବ ।
42. କାରଣ ସେମାନେ ଆମ୍ଭର ଦାସ, ଆମ୍ଭେ ସେମାନଙ୍କୁ ମିସର ଦେଶରୁ ବାହାର କରି ଆଣିଅଛୁ; ସେମାନେ ବନ୍ଧାଦାସ ତୁଲ୍ୟ ବିକ୍ରୀତ ହେବେ ନାହିଁ ।
43. ତୁମ୍ଭେ ତାହା ଉପରେ କଠିନ କର୍ତ୍ତୃତ୍ଵ କରିବ ନାହିଁ; ମାତ୍ର ଆପଣା ପରମେଶ୍ଵରଙ୍କୁ ଭୟ କରିବ ।
44. ତୁମ୍ଭର ବନ୍ଧା-ଦାସ ଓ ବନ୍ଧା-ଦାସୀ ରଖିବାର ହେଲେ, ତୁମ୍ଭେମାନେ ଆପଣା ଚତୁର୍ଦ୍ଦିଗସ୍ଥ ଅନ୍ୟ ଦେଶୀୟମାନଙ୍କଠାରୁ ବନ୍ଧା-ଦାସ ଓ ବନ୍ଧା-ଦାସୀ କିଣିବ ।
45. ଆହୁରି ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସୀ ବିଦେଶୀୟ ସନ୍ତାନମାନଙ୍କଠାରୁ ଓ ତୁମ୍ଭମାନଙ୍କ ଦେଶରେ ସେମାନଙ୍କଠାରୁ ଉତ୍ପନ୍ନ ଯେ ଯେ ବଂଶ ତୁମ୍ଭମାନଙ୍କର ସହବର୍ତ୍ତୀ ଥାʼନ୍ତି, ସେମାନଙ୍କଠାରୁ କ୍ରୟ କରିବ, ପୁଣି, ସେମାନେ ତୁମ୍ଭମାନଙ୍କର ଅଧିକାର ହେବେ ।
46. ପୁଣି, ତୁମ୍ଭେମାନେ ଆପଣା ଉତ୍ତାରେ ଆପଣା ଭବିଷ୍ୟତ ସନ୍ତାନଗଣର ଅଧିକାର ନିମନ୍ତେ ପୈତୃକ ସମ୍ପତ୍ତି ରୂପେ ସେମାନଙ୍କୁ ଦେଇ ପାରିବ; ତୁମ୍ଭେମାନେ ସେମାନଙ୍କୁ ନିତ୍ୟ ଆପଣାମାନଙ୍କର ଦାସ୍ୟକର୍ମ କରାଇ ପାରିବ; ମାତ୍ର ତୁମ୍ଭେମାନେ ଆପଣାମାନଙ୍କ ଭ୍ରାତା ଇସ୍ରାଏଲ-ସନ୍ତାନଗଣ ଉପରେ ପରସ୍ପର କଠିନ କର୍ତ୍ତୃତ୍ଵ କରିବ ନାହିଁ ।
47. ଆଉ ଯେବେ ତୁମ୍ଭମାନଙ୍କ ମଧ୍ୟରେ କୌଣସି ବିଦେଶୀ କି ପ୍ରବାସୀ ଲୋକର ହସ୍ତ ଧନରେ ବଢ଼େ, ପୁଣି, ତାହାର ନିକଟବର୍ତ୍ତୀ ତୁମ୍ଭର ଭ୍ରାତା ଦରିଦ୍ର ହୋଇଯାଏ ଓ ସେହି ବିଦେଶୀ କି ପ୍ରବାସୀ କିଅବା ସେହି ବିଦେଶୀ ବଂଶରୁ ଉତ୍ପନ୍ନ କାହାରି ନିକଟରେ ଆପଣାକୁ ବିକେ;
48. ତେବେ ସେହି ବିକ୍ରୟ ଉତ୍ତାରେ ତାହାର ମୁକ୍ତି ହୋଇ ପାରିବ; ତାହାର ଜ୍ଞାତି ମଧ୍ୟରୁ କେହି ତାହାକୁ ମୁକ୍ତ କରି ପାରିବ ।
49. କିଅବା ତାହାର ପିତୃବ୍ୟ କି ପିତୃବ୍ୟପୁତ୍ର ତାହାକୁ ମୁକ୍ତ କରି ପାରିବ, ଅବା ତାହାର ବଂଶଜାତ ନିକଟବର୍ତ୍ତୀ କୌଣସି ଜ୍ଞାତି ତାହାକୁ ମୁକ୍ତ କରି ପାରିବ । ଅବା ଯେବେ ତାହାର ହସ୍ତ ଧନରେ ବୃଦ୍ଧି ପାଏ, ତେବେ ସେ ଆପଣାକୁ ମୁକ୍ତ କରି ପାରିବ ।
50. ତହିଁରେ ତାହାର ବିକ୍ରୟ-ବର୍ଷଠାରୁ ଯୋବେଲ-ବର୍ଷ ପର୍ଯ୍ୟନ୍ତ ସେ କ୍ରୟକର୍ତ୍ତା ସହିତ ଗଣନା କରିବ, ପୁଣି ବିକ୍ରୟ-ବର୍ଷର ସଂଖ୍ୟାନୁସାରେ ତାହାର ମୂଲ୍ୟ ହେବ; ବର୍ତ୍ତନଜୀବୀର ଦିନ ତୁଲ୍ୟ ତାହାର ଦାସତ୍ଵ-କାଳ ହେବ ।
51. ଯେବେ ଅନେକ ବର୍ଷ ବାକୀ ଥାଏ, ତେବେ ତଦନୁସାରେ ସେ କ୍ରୟମୂଲ୍ୟରୁ ଆପଣା ମୁକ୍ତିର ମୂଲ୍ୟ ଫେରାଇ ଦେବ ।
52. ଆଉ ଯେବେ ଯୋବେଲ-ବର୍ଷ ପର୍ଯ୍ୟନ୍ତ ଅଳ୍ପ ବର୍ଷ ବାକୀ ଥାଏ, ତେବେ ସେ ତାହା ସହିତ ଗଣନା କରିବ; ସେହି ସେହି ବର୍ଷାନୁସାରେ ସେ ଆପଣା ମୁକ୍ତିର ମୂଲ୍ୟ ଫେରାଇ ଦେବ ।
53. ବର୍ଷକୁ ବର୍ଷ ନିଯୁକ୍ତ ଦାସ ତୁଲ୍ୟ ସେ ତାହା ସହିତ ରହିବ; ତୁମ୍ଭ ସାକ୍ଷାତରେ ତାହା ଉପରେ କେହି କଠିନ କର୍ତ୍ତୃତ୍ଵ କରିବ ନାହିଁ ।
54. ଆଉ ଯେବେ ସେ ଏହିରୂପେ ମୁକ୍ତ ନ ହୁଏ, ତେବେ ସେ ଯୋବେଲ-ବର୍ଷରେ ଆପଣା ସନ୍ତାନଗଣ ସହିତ ମୁକ୍ତ ହୋଇ ବାହାରି ଯିବ ।
55. କାରଣ ଇସ୍ରାଏଲ-ସନ୍ତାନଗଣ କେବଳ ଆମ୍ଭର ଦାସ, ସେମାନେ ଆମ୍ଭର ଦାସ, ଆମ୍ଭେ ସେମାନଙ୍କୁ ମିସର ଦେଶରୁ ବାହାର କରି ଆଣିଅଛୁ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ଵର ଅଟୁ ।