1. ଯେଉଁ ଦରିଦ୍ର ଆପଣା ସିଦ୍ଧତାରେ ଚଳେ, ସେ କୁଟିଳୋଷ୍ଠ ଓ ମୂର୍ଖ ଲୋକ ଅପେକ୍ଷା ଭଲ ।
2. ମଧ୍ୟ ପ୍ରାଣ ବିଦ୍ୟାହୀନ ହେବାର ଭଲ ନୁହେଁ; ପୁଣି, ଯେ ବେଗ କରି ପାଦ ପକାଏ, ସେ ପାପ କରେ ।
3. ମନୁଷ୍ୟର ଅଜ୍ଞାନତା ତାହାର ଗତି ଓଲଟାଇ ପକାଏ, ପୁଣି ତାହାର ମନ ସଦାପ୍ରଭୁଙ୍କ ବିରୁଦ୍ଧରେ ବିରକ୍ତ ହୁଏ ।
4. ଧନ ବହୁତ ମିତ୍ର ଲାଭ କରେ; ମାତ୍ର ଦରିଦ୍ର ଲୋକ ଆପଣା ମିତ୍ରଠାରୁ ଭିନ୍ନ ହୁଏ ।
5. ମିଥ୍ୟାସାକ୍ଷୀ ଅଦଣ୍ତିତ ନୋହିବ; ପୁଣି, ମିଥ୍ୟାବାଦୀ ରକ୍ଷା ପାଇବ ନାହିଁ ।
6. ଅନେକେ ବଦାନ୍ୟ ଲୋକର ଅନୁଗ୍ରହ ପ୍ରାର୍ଥନା କରନ୍ତି, ପୁଣି ପ୍ରତି ଜଣ ଦାନଶୀଳ ଲୋକର ମିତ୍ର ହୁଅନ୍ତି ।
7. ଦରିଦ୍ରର ସମସ୍ତ ଭ୍ରାତା ତାହାକୁ ଘୃଣା କରନ୍ତି; ତାହାର ମିତ୍ରମାନେ ତାହାଠୁଁ କେତେ ଅଧିକ ଦୂରକୁ ନ ଯିବେ! ସେ ଆଳାପ ଚେଷ୍ଟା କରେ, ମାତ୍ର ସେମାନେ ନାହାନ୍ତି ।
8. ଯେଉଁ ଲୋକ ବୁଦ୍ଧି ଲାଭ କରେ, ସେ ଆପଣା ପ୍ରାଣକୁ ପ୍ରେମ କରେ; ଯେ ବିବେଚନା ରକ୍ଷା କରେ, ସେ ମଙ୍ଗଳ ପାଏ ।
9. ମିଥ୍ୟାସାକ୍ଷୀ ଅଦଣ୍ତିତ ନୋହିବ; ପୁଣି, ମିଥ୍ୟାବାଦୀ ବିନଷ୍ଟ ହେବ ।
10. ମୂର୍ଖର ସୁଖଭୋଗ ଅନୁପଯୁକ୍ତ; ଅଧିପତିମାନଙ୍କ ଉପରେ ଦାସର କର୍ତ୍ତୃତ୍ଵ ତତୋଧିକ ଅନୁପଯୁକ୍ତ ।
11. ମନୁଷ୍ୟର ସୁବୁଦ୍ଧି ତାହାକୁ କ୍ରୋଧ କରିବାକୁ ଧୀର କରେ; ପୁଣି, ଦୋଷ ଛାଡ଼ିଦେବାର ତାହାର ଭୂଷଣ ।
12. ରାଜାର କୋପ ସିଂହଗର୍ଜ୍ଜନ ପରି; ମାତ୍ର ତାହାର ଅନୁଗ୍ରହ ତୃଣ ଉପରେ ଥିବା କାକର ତୁଲ୍ୟ ।
13. ମୂର୍ଖ ପୁତ୍ର ତାହାର ପିତାର ଦୁଃଖଦାୟକ; ପୁଣି, ସ୍ତ୍ରୀର କଳି ଅବିରତ ବିନ୍ଦୁପାତ ପରି ।
14. ଗୃହ ଓ ଧନ ପିତୃଲୋକଙ୍କଠାରୁ ପ୍ରାପ୍ତ ଅଧିକାର; ମାତ୍ର ବୁଦ୍ଧିମତୀ ଭାର୍ଯ୍ୟା ସଦାପ୍ରଭୁଙ୍କଠାରୁ ପ୍ରାପ୍ତ ହୁଏ ।
15. ଆଳସ୍ୟ ଘୋର ନିଦ୍ରାରେ ପକାଏ; ପୁଣି, ଅଳସ ପ୍ରାଣୀ କ୍ଷୁଧା ଭୋଗ କରିବ ।
16. ଆଜ୍ଞାପାଳନକାରୀ ଆପଣା ପ୍ରାଣ ରକ୍ଷା କରେ; ମାତ୍ର ଆପଣା ପଥ ବିଷୟରେ ଯେ ଅସାବଧାନ ହୁଏ, ସେ ମରିବ ।
17. ଯେ ଦରିଦ୍ରକୁ ଦୟା କରେ, ସେ ସଦାପ୍ରଭୁଙ୍କୁ ଋଣ ଦିଏ; ପୁଣି, ସେ ତାହାର ଉତ୍ତମ କର୍ମର ପରିଶୋଧ କରିବେ ।
18. ଆପଣା ପୁତ୍ରକୁ ଶାସନ କର, କାରଣ ଭରସା ଅଛି; ପୁଣି, ତୁମ୍ଭର ମନ ତାହାର ବିନାଶ ଇଚ୍ଛା ନ କରୁ ।
19. ଅତି ରାଗୀ ଲୋକ ଶାସ୍ତି ଭୋଗ କରିବ, ଯେହେତୁ ତୁମ୍ଭେ ତାହାକୁ ଥରେ ଉଦ୍ଧାର କଲେ, ତାହା ତୁମ୍ଭକୁ ପୁନର୍ବାର କରିବାକୁ ହେବ ।
20. ଶେଷାବସ୍ଥାରେ ତୁମ୍ଭେ ଯେପରି ଜ୍ଞାନବାନ ହୁଅ, ଏଥିପାଇଁ ମନ୍ତ୍ରଣା ଶୁଣ ଓ ଉପଦେଶ ଗ୍ରହଣ କର ।
21. ମନୁଷ୍ୟର ମନରେ ନାନା ସଙ୍କଳ୍ପ ଥାଏ, ମାତ୍ର ସଦାପ୍ରଭୁଙ୍କ ମନ୍ତ୍ରଣା ସ୍ଥିର ହେବ ।
22. ମନୁଷ୍ୟର ବାସନା ତାହାର ଦୟାର ପରିମାଣ ଏବଂ ମିଥ୍ୟାବାଦୀ ଅପେକ୍ଷା ଦରିଦ୍ର ଲୋକ ଶ୍ରେଷ୍ଠ ।
23. ସଦାପ୍ରଭୁଙ୍କ ବିଷୟକ ଭୟ ଜୀବନଦାୟକ, ତାହା ଯେଉଁ ଲୋକଠାରେ ଥାଏ, ସେ ତୃପ୍ତ ହୋଇ ବାସ କରିବ; ଆପଦ ତାହାର ନିକଟ ଦେଇ ଯିବ ନାହିଁ ।
24. ଅଳସୁଆ ଆପଣା ଥାଳୀରେ ହାତ ବୁଡ଼ାଇଲେ, ଆଉ ଥରେ ତାହା ଆପଣା ମୁଖକୁ ନେବାକୁ ସୁଦ୍ଧା ଇଚ୍ଛା କରେ ନାହିଁ ।
25. ନିନ୍ଦକକୁ ପ୍ରହାର କଲେ, ନିର୍ବୋଧ ଲୋକ ସତର୍କତା ଶିକ୍ଷା କରିବ; ପୁଣି, ବୁଦ୍ଧିମାନକୁ ଅନୁଯୋଗ କଲେ, ସେ ଜ୍ଞାନ ବୁଝିବ ।
26. ଯେଉଁ ପୁତ୍ର ଆପଣା ପିତାର ଧନ ନଷ୍ଟ କରେ, ପୁଣି ଆପଣା ମାତାକୁ ତଡ଼ି ଦିଏ, ସେ ଲଜ୍ଜାକର ଓ ଅପମାନ-ଜନକ ।
27. ହେ ଆମ୍ଭର ପୁତ୍ର, ଯେଉଁ ଉପଦେଶ ଜ୍ଞାନର କଥାରୁ ତୁମ୍ଭକୁ ଭୁଲାଏ, ତାହା ଶୁଣିବାରୁ ନିବୃତ୍ତ ହୁଅ ।
28. ପାଷାଣ୍ତ ସାକ୍ଷୀ ନ୍ୟାୟ ବିଚାରକୁ ନିନ୍ଦା କରେ ଓ ଦୁଷ୍ଟର ମୁଖ ଅଧର୍ମ ଗିଳେ ।
29. ନିନ୍ଦକମାନଙ୍କ ପାଇଁ ଦଣ୍ତାଜ୍ଞା ଓ ମୂର୍ଖମାନଙ୍କ ପିଠି ପାଇଁ ପ୍ରହାର ପ୍ରସ୍ତୁତ ଅଛି ।