1. ହେ ମୋହର ପୁତ୍ର, ମୋʼ ଜ୍ଞାନରେ ମନ ଦିଅ; ମୋʼ ବୁଦ୍ଧି ପ୍ରତି ତୁମ୍ଭ କାନ ଡେର;
2. ଯେପରି ତୁମ୍ଭେ ପରିଣାମଦର୍ଶିତା ରକ୍ଷା କରି ପାରିବ ଓ ଯେପରି ତୁମ୍ଭ ଓଷ୍ଠାଧର ଜ୍ଞାନର (କଥା) ପାଳନ କରି ପାରିବ ।
3. ଯେହେତୁ ପରସ୍ତ୍ରୀର ଓଷ୍ଠରୁ ଟୋପା ଟୋପା ମଧୁ କ୍ଷରେ, ତାହାର ମୁଖ ତୈଳ ଅପେକ୍ଷା ଅଧିକ ଚିକ୍କଣ ଅଟେ ।
4. କିନ୍ତୁ ତାହାର ଶେଷ ଦଶା ନାଗଦଅଣା ନ୍ୟାୟ ପିତା, ଦ୍ଵିଧାର ଖଡ଼୍ଗ ତୁଲ୍ୟ ତୀକ୍ଷ୍ଣ ।
5. ତାହାର ପାଦ ମୃତ୍ୟୁ ଆଡ଼କୁ ଓହ୍ଲାଇ ଯାଏ; ତାହାର ପାଦବିକ୍ଷେପ ପାତାଳରେ ପଡ଼େ;
6. ଏଣୁ ସେ ଜୀବନର ସମାନ ପଥ ପାଏ ନାହିଁ; ତାହାର ପଥସବୁ ଚଞ୍ଚଳ, ଆଉ ସେ ତାହା ଜାଣେ ନାହିଁ ।
7. ଏହେତୁ ହେ ମୋହର ପୁତ୍ରମାନେ, ମୋʼ କଥା ଶୁଣ ଏବଂ ମୋʼ ମୁଖର ବାକ୍ୟରୁ ବିମୁଖ ହୁଅ ନାହିଁ ।
8. ତାହା (ସେହି ସ୍ତ୍ରୀ) ଠାରୁ ଆପଣା ପଥ ଦୂରରେ ରଖ ଏବଂ ତାହାର ଗୃହଦ୍ଵାର ନିକଟକୁ ଯାଅ ନାହିଁ ।
9. କେଜାଣି ତୁମ୍ଭେ ଅନ୍ୟମାନଙ୍କୁ ଆପଣା ଇଜ୍ଜତ ଓ ନିର୍ଦ୍ଦୟ ଲୋକଙ୍କୁ ଆପଣାର ପରମାୟୁ ଦେବ;
10. କେଜାଣି ଅପରିଚିତ ଲୋକମାନେ ତୁମ୍ଭ ବଳରେ ପୂର୍ଣ୍ଣ ହେବେ ଏବଂ ତୁମ୍ଭ ଶ୍ରମର ଫଳ ବିଦେଶୀର ଗୃହରେ ଥୁଆ ଯିବ;
11. ଆଉ ତୁମ୍ଭ ଶେଷ ଅବସ୍ଥାରେ ଯେତେବେଳେ ତୁମ୍ଭ ମାଂସ ଓ ଶରୀର କ୍ଷୟ ପାଏ, ତୁମ୍ଭେ କେଜାଣି ବିଳାପ କରିବ,
12. ଆଉ କହିବ, ମୁଁ ଉପଦେଶ କିପରି ଘୃଣା କଲି! ପୁଣି, ମୋହର ମନ ଅନୁଯୋଗକୁ କିପରି ତୁଚ୍ଛ କଲା!
13. ମୁଁ ଆପଣା ଶିକ୍ଷକମାନଙ୍କ କଥା ମାନିଲି ନାହିଁ ଓ ଯେଉଁମାନେ ମୋତେ ଶିକ୍ଷା ଦେଲେ, ସେମାନଙ୍କ ବାକ୍ୟ ପ୍ରତି ଆପଣା କାନ ଡେରିଲି ନାହିଁ,
14. ମୁଁ ସମାଜ ଓ ମଣ୍ତଳୀ ମଧ୍ୟରେ ପ୍ରାୟ ସର୍ବପ୍ରକାର ଦୁର୍ଦ୍ଦଶାରେ ପଡ଼ିଲି ।
15. ତୁମ୍ଭେ ନିଜ ଜଳାଶୟରୁ ଜଳ ପାନ କର ଓ ନିଜ କୂପରୁ ସ୍ରୋତଜଳ ପାନ କର ।
16. ତୁମ୍ଭର ନିର୍ଝର କʼଣ ବାହାରେ ଏଣେତେଣେ ବିସ୍ତାରିତ ହେବ? ଓ ରାଜଦାଣ୍ତରେ କʼଣ ଜଳସ୍ରୋତ ବହିଯିବ?
17. ତାହା କେବଳ ତୁମ୍ଭର ହେଉ, ତୁମ୍ଭ ସହିତ ଅପରିଚିତ ଲୋକମାନଙ୍କର ନ ହେଉ ।
18. ତୁମ୍ଭର ନିର୍ଝର ଧନ୍ୟ ହେଉ; ଆଉ, ତୁମ୍ଭେ ଆପଣା ଯୌବନକାଳର ଭାର୍ଯ୍ୟାଠାରେ ଆମୋଦ କର ।
19. ସେ ପ୍ରେମିକା ହରିଣୀ ଓ ରୂପବତୀ ବାଉଟୀ ପରି, ତାହାର ବକ୍ଷ ସର୍ବଦା ତୁମ୍ଭକୁ ତୁଷ୍ଟ କରୁ; ଆଉ, ତାହାର ପ୍ରେମରେ ତୁମ୍ଭେ ସର୍ବଦା ଆସକ୍ତ ହୁଅ ।
20. ହେ ମୋହର ପୁତ୍ର, ପରକୀୟାଠାରେ ତୁମ୍ଭେ କାହିଁକି ଆସକ୍ତ ହେବ? ଏବଂ ଅନ୍ୟର କୋଳ କାହିଁକି ଆଲିଙ୍ଗନ କରିବ?
21. ଯେହେତୁ ମନୁଷ୍ୟର ସବୁ ଗତି ସଦାପ୍ରଭୁଙ୍କର ଦୃଷ୍ଟିଗୋଚର ଅଟେ ଓ ସେ ତାହାର ସବୁ ପଥ ସମାନ କରନ୍ତି ।
22. ଦୁଷ୍ଟ ଲୋକର ନିଜ ଅପରାଧ ତାହାକୁ ଧରିବ, ସେ ନିଜ ପାପରୂପ ଦୌଡ଼ିରେ ବନ୍ଧା ହେବ ।
23. ସେ ଉପଦେଶ ଅଭାବରେ ମରିଯିବ ଓ ଆପଣା ଅଜ୍ଞାନତାର ଆଧିକ୍ୟରେ ଭ୍ରାନ୍ତ ହେବ ।