1. ମଲାଖିଙ୍କ ଦ୍ଵାରା ଇସ୍ରାଏଲ ପ୍ରତି ସଦାପ୍ରଭୁଙ୍କର ଭାରୋକ୍ତି ।
2. ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭମାନଙ୍କୁ ପ୍ରେମ କରିଅଛୁ। ତଥାପି ତୁମ୍ଭେମାନେ କହୁଅଛ, ତୁମ୍ଭେ କାହିଁରେ ଆମ୍ଭମାନଙ୍କୁ ପ୍ରେମ କରିଅଛ? ସଦାପ୍ରଭୁ କହନ୍ତି, ଏଷୌ କି ଯାକୁବର ଭାଇ ନ ଥିଲା? ତଥାପି ଆମ୍ଭେ ଯାକୁବକୁ ପ୍ରେମ କଲୁ ।
3. ମାତ୍ର ଏଷୌକୁ ଆମ୍ଭେ ଅପ୍ରେମ କଲୁ ଓ ତାହାର ପର୍ବତଗଣକୁ ଧ୍ଵଂସ ସ୍ଥାନ କଲୁ, ଆଉ ତାହାର ଅଧିକାର ପ୍ରାନ୍ତରସ୍ଥ ଶୃଗାଳଗଣକୁ ଦେଲୁ ।
4. ଇଦୋମ କହୁଅଛି, ଆମ୍ଭେମାନେ ନିପାତିତ ହୋଇଅଛୁ ନିଶ୍ଚୟ, ମାତ୍ର ଆମ୍ଭେମାନେ ଫେରି ଉଜାଡ଼ ସ୍ଥାନସବୁ ନିର୍ମାଣ କରିବା; ଏଥିପାଇଁ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ସେମାନେ ନିର୍ମାଣ କରିବେ, ମାତ୍ର ଆମ୍ଭେ ଭାଙ୍ଗି ପକାଇବା; ଆଉ, ଲୋକମାନେ ସେମାନଙ୍କୁ ଦୁଷ୍ଟତାର ଅଞ୍ଚଳ ଓ ପରମେଶ୍ଵରଙ୍କର ନିତ୍ୟ କ୍ରୋଧପାତ୍ର ସ୍ଵରୂପ ଗୋଷ୍ଠୀ ବୋଲି ନାମ ଦେବେ ।
5. ପୁଣି, ତୁମ୍ଭମାନଙ୍କର ଚକ୍ଷୁ ତାହା ଦେଖିବ ଓ ତୁମ୍ଭେମାନେ କହିବ, ସଦାପ୍ରଭୁ ଇସ୍ରାଏଲର ସୀମାର ବାହାରେ ହେଁ ମହିମାନ୍ଵିତ ହେଉନ୍ତୁ ।
6. ପୁତ୍ର ଆପଣା ପିତାକୁ ଓ ଦାସ ଆପଣା ମୁନିବକୁ ସମାଦର କରେ; ମାତ୍ର ଆମ୍ଭେ ଯେବେ ପିତା ଅଟୁ, ତେବେ ଆମ୍ଭର ସମାଦର କାହିଁ? ଓ ଆମ୍ଭେ ଯେବେ ମୁନିବ ଅଟୁ, ତେବେ ଆମ୍ଭ ପ୍ରତି ଭୟ କାହିଁ? ହେ ଆମ୍ଭ ନାମର ଅବଜ୍ଞାକାରୀ ଯାଜକଗଣ, ସୈନ୍ୟାଧିପତି ସଦାପ୍ରଭୁ ତୁମ୍ଭମାନଙ୍କୁ ଏହା କହନ୍ତି । ପୁଣି, ତୁମ୍ଭେମାନେ କହୁଅଛ, ଆମ୍ଭେମାନେ କାହିଁରେ ତୁମ୍ଭ ନାମ ଅବଜ୍ଞା କରିଅଛୁ ⇧?
7. ତୁମ୍ଭେମାନେ ଆମ୍ଭ ଯଜ୍ଞବେଦିର ଉପରେ ଅଶୁଚି ରୋଟୀ ଉତ୍ସର୍ଗ କରୁଅଛ, ତଥାପି କହୁଅଛ, ଆମ୍ଭେମାନେ କାହିଁରେ ତୁମ୍ଭକୁ ଅଶୁଚି କରିଅଛୁ? ସଦାପ୍ରଭୁଙ୍କ ମେଜ ଯେ ତୁଚ୍ଛ, ଏହା କହି, ତାହା କରୁଅଛ ।
8. ପୁଣି, ତୁମ୍ଭେମାନେ ଯଜ୍ଞ ନିମନ୍ତେ ଯେତେବେଳେ ଅନ୍ଧ ପଶୁ ଉତ୍ସର୍ଗ କର, ସେ କʼଣ ମନ୍ଦ ନୁହେଁ? ଓ ଯେତେବେଳେ ଲେଙ୍ଗଡ଼ା ଓ ରୋଗୀ ପଶୁ ଉତ୍ସର୍ଗ କର, ସେ କʼଣ ମନ୍ଦ ନୁହେଁ? ଏବେ ତୁମ୍ଭର ଦେଶାଧ୍ୟକ୍ଷକୁ ତାହା ଭେଟି ଦିଅ; ସେ କି ତୁମ୍ଭ ପ୍ରତି ପ୍ରସନ୍ନ ହେବେ? ଅବା ସେ କି ତୁମ୍ଭଙ୍କୁ ଗ୍ରାହ୍ୟ କରିବେ? ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି ।
9. ଆଉ, ଏବେ ମୁଁ ବିନତି କରେ, ପରମେଶ୍ଵର ଯେପରି ଆମ୍ଭମାନଙ୍କ ପ୍ରତି ଦୟାଳୁ ହେବେ, ଏଥିପାଇଁ ତାହାଙ୍କର ଅନୁଗ୍ରହ ପ୍ରାର୍ଥନା କର; ଏହା ତୁମ୍ଭମାନଙ୍କ କାର୍ଯ୍ୟ ଦ୍ଵାରା ହୋଇଅଛି; ସେ କʼଣ ତୁମ୍ଭମାନଙ୍କ ମଧ୍ୟରୁ କାହାକୁ ଗ୍ରାହ୍ୟ କରିବେ? ସୈନ୍ୟାଧିପତି ସଦାପ୍ରଭୁ କହନ୍ତି ।
10. ଆଃ, ତୁମ୍ଭେମାନେ ଯେପରି ବୃଥାରେ ଆମ୍ଭ ଯଜ୍ଞବେଦି ଉପରେ ଅଗ୍ନି ଜ୍ଵଳାଇ ନ ପାରିବ, ଏଥିପାଇଁ କବାଟ ବନ୍ଦ କରିବାକୁ ଯେବେ ତୁମ୍ଭମାନଙ୍କ ମଧ୍ୟରେ ଜଣେ ଥାଆନ୍ତା! ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ତୁମ୍ଭମାନଙ୍କଠାରେ ଆମ୍ଭର କିଛି ସନ୍ତୋଷ ନାହିଁ, ଆଉ ତୁମ୍ଭମାନଙ୍କ ହସ୍ତରୁ ଆମ୍ଭେ ନୈବେଦ୍ୟ ଗ୍ରହଣ କରିବା ନାହିଁ ।
11. କାରଣ ସୂର୍ଯ୍ୟର ଉଦୟ ସ୍ଥାନଠାରୁ ତହିଁର ଅସ୍ତ ଗମନ ସ୍ଥାନ ପର୍ଯ୍ୟନ୍ତ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ଆମ୍ଭର ନାମ ମହତ ଅଟେ ଓ ପ୍ରତ୍ୟେକ ସ୍ଥାନରେ ଆମ୍ଭ ନାମର ଉଦ୍ଦେଶ୍ୟରେ ଧୂପ ଓ ପବିତ୍ର ନୈବେଦ୍ୟ ଉତ୍ସର୍ଗ କରାଯାଉଅଛି; କାରଣ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ଆମ୍ଭର ନାମ ମହତ ଅଟେଜ ।
12. ମାତ୍ର ସଦାପ୍ରଭୁଙ୍କର ମେଜ ଅଶୁଚି ହୋଇଅଛି ଓ ତହିଁର ଫଳ, ଅର୍ଥାତ୍, ତାହାଙ୍କର ଖାଦ୍ୟ ତୁଚ୍ଛ,ଏହା କହି ତୁମ୍ଭେମାନେ ସେ ନାମ ଅଶୁଚି କରୁଅଛ ।
13. ଆହୁରି, ତୁମ୍ଭେମାନେ କହୁଅଛ, ଦେଖ, ଏହା କିପରି କ୍ଳାନ୍ତିଜନକ ଓ ତୁମ୍ଭେମାନେ ତାହା ତୁଚ୍ଛ ଜ୍ଞାନ କରିଅଛ, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି; ଆଉ, ତୁମ୍ଭେମାନେ ବଳାତ୍କାରରେ ଧୃତ ଓ ଲେଙ୍ଗଡ଼ା ଓ ରୋଗୀ ପଶୁ ଆଣିଅଛ; ଏହିରୂପେ ତୁମ୍ଭେମାନେ ନୈବେଦ୍ୟ ଆଣୁଅଛ; ଏହା କି ଆମ୍ଭେ ତୁମ୍ଭମାନଙ୍କ ହସ୍ତରୁ ଗ୍ରହଣ କରିବା? ଏହା ସଦାପ୍ରଭୁ କହନ୍ତି ।
14. ମାତ୍ର ଆପଣା ପଲର ପୁଂପଶୁ ଥିଲେ ହେଁ ଯେଉଁ ପ୍ରତାରକ ମାନତ କରି ପ୍ରଭୁଙ୍କ ଉଦ୍ଦେଶ୍ୟରେ ଖୁନ୍ତବିଶିଷ୍ଟ ପଶୁ ଉତ୍ସର୍ଗ କରେ, ସେ ଶାପଗ୍ରସ୍ତ ହେଉ; କାରଣ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଆମ୍ଭେ ମହାନ ରାଜା ଅଟୁ ଓ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ଆମ୍ଭର ନାମ ଭୟଙ୍କର ଅଟେ ।