1. ଆହୁରି, ସଦାପ୍ରଭୁଙ୍କ ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା,
2. ହେ ମନୁଷ୍ୟ-ସନ୍ତାନ, ପ୍ରଭୁ ସଦାପ୍ରଭୁ ଇସ୍ରାଏଲ ଦେଶ ପ୍ରତି କହନ୍ତି: ଅନ୍ତିମ କାଳ, ଦେଶର ଚାରି କୋଣରେ ଅନ୍ତିମ କାଳ ଉପସ୍ଥିତ ହୋଇଅଛି ।
3. ଏବେ ତୁମ୍ଭର ଅନ୍ତିମ କାଳ ଉପସ୍ଥିତ, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆପଣା କ୍ରୋଧ ପ୍ରେରଣ କରିବା ଓ ତୁମ୍ଭର ଆଚରଣାନୁସାରେ ତୁମ୍ଭର ବିଚାର କରିବା ଓ ତୁମ୍ଭର ଘୃଣାଯୋଗ୍ୟ ସକଳ କର୍ମର ଫଳ ତୁମ୍ଭ ଉପରେ ବର୍ତ୍ତାଇବା ।
4. ଆମ୍ଭେ ତୁମ୍ଭ ପ୍ରତି ଚକ୍ଷୁଲଜ୍ଜା କରିବା ନାହିଁ, କିଅବା ଆମ୍ଭେ ଦୟା କରିବା ନାହିଁ ମାତ୍ର ତୁମ୍ଭ ଆଚରଣର ଫଳ ଆମ୍ଭେ ତୁମ୍ଭ ଉପରେ ବର୍ତ୍ତାଇବା ଓ ତୁମ୍ଭର ଘୃଣାଯୋଗ୍ୟ କ୍ରିୟାସବୁ ତୁମ୍ଭ ମଧ୍ୟରେ ରହିବ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ ।
5. ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ଅମଙ୍ଗଳ, କେବଳ ହିଁ ଅମଙ୍ଗଳ; ଦେଖ, ତାହା ଆସୁଅଛି ।
6. ଅନ୍ତିମ କାଳ ଉପସ୍ଥିତ, ସେହି ଅନ୍ତିମ କାଳ ଉପସ୍ଥିତ, ତାହା ତୁମ୍ଭ ବିରୁଦ୍ଧରେ ଜାଗି ଉଠୁଅଛି; ଦେଖ, ତାହା ଆସୁଅଛି ।
7. ହେ ଦେଶନିବାସୀ ଲୋକ, ତୁମ୍ଭର ଶେଷ ବିଚାରାଜ୍ଞା ଉପସ୍ଥିତ, ସେହି ସମୟ ଉପସ୍ଥିତ, ସେହି ଦିନ ସନ୍ନିକଟ; ତାହା କୋଳାହଳର ଦିନ ଓ ପର୍ବତଗଣ ଉପରେ ଆନନ୍ଦ ଧ୍ଵନିର ଦିନ ନୁହେଁ ।
8. ଏବେ ଆମ୍ଭେ ଅବିଳମ୍ଵରେ ଆମ୍ଭର କୋପ ତୁମ୍ଭ ଉପରେ ଢାଳିଦେବା ଓ ତୁମ୍ଭ ବିରୁଦ୍ଧରେ ଆପଣା କ୍ରୋଧ ସଫଳ କରିବା, ଆଉ ତୁମ୍ଭର ଆଚରଣାନୁସାରେ ତୁମ୍ଭର ବିଚାର କରିବା; ଆମ୍ଭେ ତୁମ୍ଭର ଘୃଣାଯୋଗ୍ୟ ସକଳ କ୍ରିୟାର ଫଳ ତୁମ୍ଭ ଉପରେ ବର୍ତ୍ତାଇବା ।
9. ପୁଣି, ଆମ୍ଭେ ଚକ୍ଷୁଲଜ୍ଜା କରିବା ନାହିଁ; କିଅବା ଦୟା କରିବା ନାହିଁ; ଆମ୍ଭେ ତୁମ୍ଭର ଆଚରଣାନୁସାରେ ତୁମ୍ଭ ଉପରେ ଫଳ ବର୍ତ୍ତାଇବା ଓ ତୁମ୍ଭର ଘୃଣାଯୋଗ୍ୟ କ୍ରିୟାସକଳ ତୁମ୍ଭ ମଧ୍ୟରେ ରହିବ; ତହିଁରେ ଆମ୍ଭେ ସଦାପ୍ରଭୁ ଆଘାତ କରୁ, ଏହା ତୁମ୍ଭେମାନେ ଜାଣିବ ।
10. ଦେଖ, ସେହି ଦିନ, ଦେଖ, ତାହା ଆସୁଅଛି; ତୁମ୍ଭର ଶେଷ ବିଚାରାଜ୍ଞା ନିର୍ଗତ ହେଲା; ଯଷ୍ଟି ପୁଷ୍ପିତ ହୋଇଅଛି, ଅହଙ୍କାର ଅଙ୍କୁରିତ ହୋଇଅଛି ।
11. ଦୌରାତ୍ମ୍ୟ ବଢ଼ି ଉଠି ଦୁଷ୍ଟତାରୂପ ଯଷ୍ଟି ହୋଇଅଛି; ସେମାନଙ୍କର କେହି କିଅବା ସେମାନଙ୍କର ଲୋକାରଣ୍ୟ କିଅବା ସେମାନଙ୍କର ଧନ ରହିବ ନାହିଁ; ଅଥବା ସେମାନଙ୍କ ମଧ୍ୟରେ ଶ୍ରେଷ୍ଠତା ରହିବ ନାହିଁ ।
12. ସମୟ ଉପସ୍ଥିତ ହେଲା, ଦିନ ନିକଟବର୍ତ୍ତୀ ହେଉଅଛି; କ୍ରୟକାରୀ ଆନନ୍ଦ ନ କରୁ ଓ ବିକ୍ରୟକାରୀ ଶୋକ ନ କରୁ; କାରଣ ସେସ୍ଥାନର ସମସ୍ତ ଲୋକାରଣ୍ୟ ଉପରେ କୋପ ଉପସ୍ଥିତ ।
13. ଯେହେତୁ ସେମାନେ ଜୀବିତ ଥିଲେ ହେଁ ବିକ୍ରୟକାରୀ ବିକ୍ରୀତ ଅଧିକାରକୁ ଫେରିଯିବ ନାହିଁ; କାରଣ ଏହି ଦର୍ଶନ ସେସ୍ଥାନସ୍ଥ ସମୁଦାୟ ଲୋକାରଣ୍ୟ ବିଷୟକ ଅଟେ, କେହି ଫେରିଯିବେ ନାହିଁ; ପୁଣି, ଆପଣା ଜୀବନର ଅଧର୍ମରେ କେହି ଆପଣାକୁ ସବଳ କରିବେ ନାହିଁ ।
14. ସେମାନେ ତୂରୀ ବଜାଇ ସବୁ ପ୍ରସ୍ତୁତ କରିଅଛନ୍ତି; ମାତ୍ର କେହି ଯୁଦ୍ଧକୁ ଯାଏ ନାହିଁ; କାରଣ ସେସ୍ଥାନର ସମସ୍ତ ଲୋକାରଣ୍ୟ ଉପରେ ଆମ୍ଭର କୋପ ଅଛି ।
15. ବାହାରେ ଖଡ଼୍ଗ, ଭିତରେ ମହାମାରୀ ଓ ଦୁର୍ଭିକ୍ଷ ଅଛି; ଯେଉଁ ଲୋକ କ୍ଷେତ୍ରରେ ଅଛି, ସେ ଖଡ଼୍ଗରେ ମରିବ ଓ ଯେ ନଗର ମଧ୍ୟରେ ଅଛି, ଦୁର୍ଭିକ୍ଷ ଓ ମହାମାରୀ ତାକୁ ଗ୍ରାସ କରିବ ।
16. ମାତ୍ର ସେମାନଙ୍କ ମଧ୍ୟରୁ ଯେଉଁମାନେ ପଳାନ୍ତି, ସେମାନେ ରକ୍ଷା ପାଇବେ ଓ ଉପତ୍ୟକାର ଘୁଘୁ ପରି ପର୍ବତରେ ସମସ୍ତେ ବିଳାପ କରିବେ, ପ୍ରତ୍ୟେକେ ଆପଣା ଆପଣା ଅଧର୍ମ ହେତୁ ବିଳାପ କରିବେ ।
17. ସମସ୍ତଙ୍କର ହସ୍ତ ଦୁର୍ବଳ ହେବ, ସମସ୍ତଙ୍କର ଆଣ୍ଠୁ ଜଳ ପରି ତରଳ ହେବ ।
18. ମଧ୍ୟ ସେମାନେ କଟୀଦେଶରେ ଚଟବସ୍ତ୍ର ବାନ୍ଧିବେ ଓ ମହାଶଙ୍କା ସେମାନଙ୍କୁ ଆଚ୍ଛନ୍ନ କରିବ; ଆଉ, ସମସ୍ତଙ୍କ ମୁଖ ଲଜ୍ଜିତ ହେବ ଓ ସମସ୍ତଙ୍କର ମସ୍ତକ ଟାଙ୍ଗରା ହେବ ।
19. ସେମାନେ ଆପଣା ଆପଣା ରୂପା ଦାଣ୍ତରେ ପକାଇ ଦେବେ ଓ ସେମାନଙ୍କର ସୁନା ଅଶୁଚି ବସ୍ତୁ ତୁଲ୍ୟ ହେବ; ସଦାପ୍ରଭୁଙ୍କ କୋପର ଦିନରେ ସେମାନଙ୍କର ରୂପା ଓ ସୁନା ସେମାନଙ୍କୁ ରକ୍ଷା କରି ପାରିବ ନାହିଁ; ତାହା ସେମାନଙ୍କ ପ୍ରାଣକୁ ତୃପ୍ତ କିଅବା ଉଦର ପୂର୍ଣ୍ଣ କରିବ ନାହିଁ; କାରଣ ତାହା ହିଁ ସେମାନଙ୍କର ଅଧର୍ମଜନକ ବିଘ୍ନ ହୋଇଅଛି ।
20. ସେ ଆପଣାର ଶୋଭାରୂପ ଅଳଙ୍କାର ମହତ୍ତ୍ଵରେ ସ୍ଥାପନ କଲେ; ମାତ୍ର ସେମାନେ ତହିଁ ମଧ୍ୟରେ ଆପଣା-ମାନଙ୍କର ଅଶୁଚି ଓ ଘୃଣାଯୋଗ୍ୟ ପ୍ରତିମାଗଣ ନିର୍ମାଣ କଲେ; ଏହେତୁ ଆମ୍ଭେ ତାହା ସେମାନଙ୍କ ପ୍ରତି ଅଶୁଚି ବସ୍ତୁ ସ୍ଵରୂପ କରିଅଛୁ ।
21. ପୁଣି, ଆମ୍ଭେ ତାହା ମୃଗୟା ସ୍ଵରୂପେ ବିଦେଶୀ-ମାନଙ୍କର ଓ ଲୁଟ ଦ୍ରବ୍ୟ ସ୍ଵରୂପେ ପୃଥିବୀର ଦୁଷ୍ଟମାନଙ୍କ ହସ୍ତରେ ସମର୍ପଣ କରିବା; ତହିଁରେ ସେମାନେ ତାହା ଅପବିତ୍ର କରିବେ ।
22. ଆହୁରି, ଆମ୍ଭେ ସେମାନଙ୍କଠାରୁ ଆପଣା ମୁଖ ଫେରାଇବା, ତହିଁରେ ସେମାନେ ଆମ୍ଭର ନିଭୃତ ସ୍ଥାନ ଅପବିତ୍ର କରିବେ; ଆଉ, ଡକାଇତମାନେ ତହିଁ ମଧ୍ୟରେ ପ୍ରବେଶ କରି ତାହା ଅପବିତ୍ର କରିବେ ।
23. ଶିକୁଳି ପ୍ରସ୍ତୁତ କର; କାରଣ ରକ୍ତପାତରୂପ ଅପରାଧରେ ଦେଶ ପରିପୂର୍ଣ୍ଣ ଓ ଦୌରାତ୍ମ୍ୟରେ ନଗର ପରିପୂର୍ଣ୍ଣ ।
24. ଏଥିପାଇଁ ଆମ୍ଭେ ଅନ୍ୟ ଦେଶୀୟମାନଙ୍କ ମଧ୍ୟରୁ ଦୁଷ୍ଟତମ ଲୋକଙ୍କୁ ଆଣିବା, ତହିଁରେ ସେମାନେ ଏମାନଙ୍କର ଗୃହସବୁ ଅଧିକାର କରିବେ; ମଧ୍ୟ ଆମ୍ଭେ ବଳବାନମାନଙ୍କର ଦର୍ପ ଚୂର୍ଣ୍ଣ କରିବା; ତହିଁରେ ସେମାନଙ୍କର ପବିତ୍ର ସ୍ଥାନସବୁ ଅପବିତ୍ର ହେବ ।
25. ବିନାଶ ଆସୁଅଛି; ସେମାନେ ଶାନ୍ତି ଅନ୍ଵେଷଣ କରିବେ; ପୁଣି, କିଛି ପାଇବେ ନାହିଁ ।
26. ବିପଦ ଉପରେ ବିପଦ ଘଟିବ ଓ ଜନରବ ଉପରେ ଜନରବ ହେବ; ତହିଁରେ ସେମାନେ ଭବିଷ୍ୟଦ୍-ବକ୍ତାର ନିକଟରେ ଦର୍ଶନର ଚେଷ୍ଟା କରିବେ; ମାତ୍ର ଯାଜକର ବ୍ୟବସ୍ଥା-ଜ୍ଞାନ ଓ ପ୍ରାଚୀନ ଲୋକମାନଙ୍କର ପରାମର୍ଶ ଲୋପ ପାଇବ ।
27. ରାଜା ଶୋକ କରିବ ଓ ଅଧିପତି ଉତ୍ସନ୍ନତାରୂପ ବସ୍ତ୍ରରେ ପରିହିତ ହେବ ଓ ଦେଶସ୍ଥ ଲୋକମାନଙ୍କର ହସ୍ତ କମ୍ପିତ ହେବ; ଆମ୍ଭେ ସେମାନଙ୍କର ଆଚରଣାନୁସାରେ ସେମାନଙ୍କ ପ୍ରତି ବ୍ୟବହାର କରିବା ଓ ସେମାନଙ୍କର ଯୋଗ୍ୟତାନୁସାରେ ସେମାନଙ୍କର ବିଚାର କରିବା, ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ ।