1. ଅନନ୍ତର ଦାଉଦ ଆପଣା ସଙ୍ଗୀ ଲୋକମାନଙ୍କୁ ଗଣନା କରି ସେମାନଙ୍କ ଉପରେ ସହସ୍ରପତି ଓ ଶତପତି ନିଯୁକ୍ତ କଲେ ।
2. ପୁଣି ଦାଉଦ ଯୋୟାବ ହସ୍ତରେ ଲୋକମାନଙ୍କର ତୃତୀୟାଂଶ ଓ ଯୋୟାବର ଭ୍ରାତା, ସରୁୟାର ପୁତ୍ର ଅବୀଶୟ ହସ୍ତରେ ତୃତୀୟାଂଶ ଓ ଗାଥୀୟ ଇତ୍ତୟ ହସ୍ତରେ ତୃତୀୟାଂଶ ସମର୍ପଣ କରି ପଠାଇଲେ । ଆଉ ରାଜା ଲୋକମାନଙ୍କୁ କହିଲେ, ମୁଁ ନିଜେ ମଧ୍ୟ ତୁମ୍ଭମାନଙ୍କ ସଙ୍ଗେ ନିଶ୍ଚୟ ଯିବି ।
3. ମାତ୍ର ଲୋକମାନେ କହିଲେ, ଆପଣ ଆମ ସଙ୍ଗେ ଯିବେ ନାହିଁ; କାରଣ ଆମ୍ଭେମାନେ ପଳାଇଲେ ସେମାନେ ଆମ୍ଭମାନଙ୍କ ନିମନ୍ତେ ଚିନ୍ତା କରିବେ ନାହିଁ; କିଅବା ଆମ୍ଭମାନଙ୍କର ଅର୍ଦ୍ଧେକ ମଲେ ହେଁ ଆମ୍ଭମାନଙ୍କ ନିମନ୍ତେ ଚିନ୍ତା କରିବେ ନାହିଁ; ମାତ୍ର ଆପଣ ଆମ୍ଭମାନଙ୍କ ଦଶ ସହସ୍ରର ସମାନ; ଏହେତୁ ନଗରରୁ ଆମ୍ଭମାନଙ୍କୁ ସାହାଯ୍ୟ କରିବା ପାଇଁ ଆପଣ ପ୍ରସ୍ତୁତ ରହିଲେ ଭଲ ।
4. ତହିଁରେ ରାଜା ସେମାନଙ୍କୁ କହିଲେ, ତୁମ୍ଭମାନଙ୍କୁ ଯାହା ଭଲ ଦିଶେ, ତାହା ମୁଁ କରିବି । ଏଉତ୍ତାରେ ରାଜା ନଗର ଦ୍ଵାର-ପାର୍ଶ୍ଵରେ ଠିଆ ହେଲେ ଓ ସମସ୍ତ ଲୋକ ଶତ ଶତ ଓ ସହସ୍ର ସହସ୍ର ହୋଇ ବାହାରି ଗଲେ ।
5. ସେତେବେଳେ ରାଜା ଯୋୟାବକୁ ଓ ଅବୀଶୟକୁ ଓ ଇତ୍ତୟକୁ ଆଜ୍ଞା ଦେଇ କହିଲେ, ମୋʼ ଲାଗି ସେହି ଯୁବା ଅବଶାଲୋମ ପ୍ରତି କୋମଳ ବ୍ୟବହାର କର । ପୁଣି ରାଜା ଅବଶାଲୋମ ବିଷୟରେ ସମସ୍ତ ସେନାପତିଙ୍କି ଏହି ଆଜ୍ଞା ଦେବା ବେଳେ ସମସ୍ତ ଲୋକ ଶୁଣିଲେ ।
6. ଏହିରୂପେ ଲୋକମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧକ୍ଷେତ୍ରକୁ ଗଲେ ଓ ଇଫ୍ରୟିମ ବନରେ ଯୁଦ୍ଧ ହେଲା ।
7. ତହିଁରେ ଇସ୍ରାଏଲ-ଲୋକମାନେ ସେଠାରେ ଦାଉଦଙ୍କର ଦାସମାନଙ୍କ ସମ୍ମୁଖରେ ପରାସ୍ତ ହେଲେ ଓ ସେଦିନ ସେଠାରେ ମହାସଂହାର ହେଲା, ପୁଣି କୋଡ଼ିଏ ହଜାର ଲୋକ ହତ ହେଲେ ।
8. କାରଣ ଦେଶଯାକ ଯୁଦ୍ଧ ବ୍ୟାପିଗଲା; ପୁଣି ସେଦିନ ଖଡ଼୍ଗ ଗ୍ରାସ କରିବା ଅପେକ୍ଷା ବନ ଅଧିକ ଲୋକ ଗ୍ରାସ କଲା ।
9. ଆଉ ଅବଶାଲୋମ ଅକସ୍ମାତ୍ ଦାଉଦଙ୍କର ଦାସମାନଙ୍କୁ ଭେଟିଲା । ସେ ସମୟରେ ଅବଶାଲୋମ ଖଚର ଉପରେ ଚଢ଼ିଥିଲା, ସେହି ଖଚର ଏକ ବଡ଼ ଅଲୋନ ବୃକ୍ଷର ଛନ୍ଦାଛନ୍ଦି ଶାଖା ତଳେ ଯିବାରୁ ଅବଶାଲୋମର ମସ୍ତକ ସେହି ଅଲୋନ ବୃକ୍ଷରେ ଅଟକି ରହିଲା, ତହିଁରେ ସେ ଆକାଶ ଓ ପୃଥିବୀ ମଧ୍ୟରେ ଝୁଲିଲା ଓ ଖଚର ତାହା ତଳୁ ଚାଲିଗଲା ।
10. ସେତେବେଳେ ଜଣେ ମନୁଷ୍ୟ ତାହା ଦେଖି ଯୋୟାବକୁ ଜଣାଇ କହିଲା, ଦେଖ, ମୁଁ ଅବଶାଲୋମକୁ ଅଲୋନ ବୃକ୍ଷରେ ଟଙ୍ଗାଥିବାର ଦେଖିଲି ।
11. ତହୁଁ ଯୋୟାବ ତାହା ଜଣାଇବା ଲୋକକୁ କହିଲା, ଦେଖ, ତୁମ୍ଭେ ଏହା ଦେଖିଲ, ମାତ୍ର କାହିଁକି ତୁମ୍ଭେ ସେଠାରେ ତାକୁ ମାରି ଭୂମିରେ ପକାଇ ନ ଦେଲ? ତାହା କରିଥିଲେ, ମୁଁ ତୁମ୍ଭକୁ ଦଶ ଖଣ୍ତ ରୂପା ଓ ଏକ କଟିବନ୍ଧନ ଦେଇଥାʼନ୍ତି ।
12. ତହିଁରେ ସେହି ମନୁଷ୍ୟ ଯୋୟାବକୁ କହିଲା, ମୁଁ ଆପଣା ଅଞ୍ଜଳିରେ ସହସ୍ର ଖଣ୍ତ ରୂପା ପ୍ରାପ୍ତ ହେଲେ ହେଁ ସେହି ରାଜପୁତ୍ର ବିରୁଦ୍ଧରେ ଆପଣା ହସ୍ତ ପ୍ରସାର କରନ୍ତି ନାହିଁ, କାରଣ ଆମ୍ଭମାନଙ୍କ କର୍ଣ୍ଣଗୋଚରରେ ରାଜା ତୁମ୍ଭକୁ ଓ ଅବୀଶୟକୁ ଓ ଇତ୍ତୟକୁ ଏହି ଆଜ୍ଞା ଦେଇଥିଲେ, ତୁମ୍ଭେମାନେ ଯେକେହି ହୁଅ, ସେହି ଯୁବା ଅବଶାଲୋମ ବିଷୟରେ ଜାଗ୍ରତ ହୁଅ ।
13. ଯେବେ ମୁଁ ତାହାର ପ୍ରାଣ ବିରୁଦ୍ଧରେ ବିଶ୍ଵାସଘାତକତା କରିଥାʼନ୍ତି, ତେବେ ତୁମ୍ଭେ ନିଜେ ତ ଅଲଗା ହୋଇ ଠିଆ ହୋଇଥାʼନ୍ତ; ଆଉ ରାଜାଙ୍କଠାରୁ କୌଣସି ବିଷୟ ଗୁପ୍ତ ରହେ ନାହିଁ ।
14. ତେବେ ଯୋୟାବ କହିଲା, ମୁଁ ତୁମ୍ଭ ସଙ୍ଗେ ଏପରି ବିଳମ୍ଵ କରି ନ ପାରେ । ତହୁଁ ସେ ଆପଣା ହସ୍ତରେ ତିନୋଟି କେଞ୍ଚା ନେଇ ଅବଶାଲୋମ ଅଲୋନ ବୃକ୍ଷରେ ଜୀବିତ ଥାଉ ଥାଉ ତାହା ଦେହରେ ବିନ୍ଧିଲା ।
15. ଏଉତ୍ତାରେ ଯୋୟାବର ଅସ୍ତ୍ରବାହକ ଦଶ ଜଣ ଯୁବା ଅବଶାଲୋମକୁ ଚାରିଆଡ଼େ ଘେରି ତାହାକୁ ଆଘାତ କରି ବଧ କଲେ ।
16. ତହୁଁ ଯୋୟାବ ତୂରୀ ବଜାନ୍ତେ, ଲୋକମାନେ ଇସ୍ରାଏଲର ପଶ୍ଚାତ୍ଗମନରୁ ବାହୁଡ଼ି ଆସିଲେ; କାରଣ ଯୋୟାବ ଲୋକମାନଙ୍କୁ ଅଟକାଇଲା ।
17. ଆଉ ଲୋକମାନେ ଅବଶାଲୋମକୁ ନେଇ ବନ ମଧ୍ୟରେ ଥିବା ଗର୍ତ୍ତରେ ପକାଇ ତାହା ଉପରେ ଏକ ବଡ଼ ପ୍ରସ୍ତରରାଶି କଲେ; ତହୁଁ ସମସ୍ତ ଇସ୍ରାଏଲ ପଳାଇ ପ୍ରତ୍ୟେକେ ଆପଣା ତମ୍ଵୁକୁ ଗଲେ ।
18. ଅବଶାଲୋମ ବଞ୍ଚିଥିବା ବେଳେ ରାଜାଙ୍କର ତଳଭୂମିରେ ଏକ ସ୍ତମ୍ଭ ନିର୍ମାଣ କରି ଆପଣା ପାଇଁ ସ୍ଥାପନ କରିଥିଲା; କାରଣ ସେ କହିଥିଲା, ମୋʼ ନାମ ସ୍ମରଣରେ ରଖିବାକୁ ମୋହର ପୁତ୍ର ନାହିଁ; ଏହେତୁ ସେ ଆପଣା ନାମାନୁସାରେ ସେହି ସ୍ତମ୍ଭର ନାମ ରଖିଲା; ଅଦ୍ୟାପି ଅବଶାଲୋମର ସ୍ମରଣାର୍ଥକ ସ୍ତମ୍ଭ ବୋଲି ତହିଁର ନାମ ରହିଅଛି ।
19. ଏଉତ୍ତାରେ ସାଦୋକର ପୁତ୍ର ଅହୀମାସ୍ କହିଲା, ସଦାପ୍ରଭୁ କିରୂପେ ରାଜାଙ୍କର ଶତ୍ରୁମାନଙ୍କଠାରୁ ପରିଶୋଧ ନେଇଅଛନ୍ତି, ଏହି ସୁସମ୍ଵାଦ ତାଙ୍କ ନିକଟକୁ ନେବା ପାଇଁ ମୁଁ ଏବେ ଦୌଡ଼ିଯାଏ ।
20. ତହିଁରେ ଯୋୟାବ ତାହାକୁ କହିଲା, ଆଜି ତୁମ୍ଭେ ସୁସମ୍ଵାଦବାହକ ହେବ ନାହିଁ, ମାତ୍ର ଅନ୍ୟ ଦିନ ସୁସମ୍ଵାଦ ନେବ; ରାଜାଙ୍କ ପୁତ୍ର ମରିଅଛି, ଏହେତୁ ଆଜି ତୁମ୍ଭେ ସୁସମ୍ଵାଦ ନେବ ନାହିଁ ।
21. ତେବେ ଯୋୟାବ କୂଶୀୟକୁ କହିଲା, ତୁମ୍ଭେ ଯାହା ଦେଖିଅଛ, ତାହା ତୁମ୍ଭେ ରାଜାଙ୍କୁ ଯାଇ ଜଣାଅ । ଏଥିରେ କୂଶୀୟ ଯୋୟାବକୁ ପ୍ରଣାମ କରି ଦୌଡ଼ିଲା ।
22. ତହୁଁ ସାଦୋକର ପୁତ୍ର ଅହୀମାସ୍ ପୁନର୍ବାର ଯୋୟାବକୁ କହିଲା, ଯାହାହେଉ, ବିନୟ କରୁଅଛି, ମୁଁ ମଧ୍ୟ ସେହି କୂଶୀୟର ପଛେ ଦୌଡ଼େ । ତହିଁରେ ଯୋୟାବ କହିଲା, ମୋʼ ପୁତ୍ର, ତୁମ୍ଭେ କାହିଁକି ଦୌଡ଼ିବ, କାରଣ ସେହି ସମ୍ଵାଦ ପାଇଁ ତୁମ୍ଭେ ତ କୌଣସି ପୁରସ୍କାର ପାଇବ ନାହଁ?
23. ମାତ୍ର ସେ କହିଲା, ଯାହାହେଉ, ମୁଁ ଦୌଡ଼ୁଅଛି । ତହିଁରେ ଯୋୟାବ ତାହାକୁ କହିଲା, ଦୌଡ଼ । ତହୁଁ ଅହୀମାସ୍ ପ୍ରାନ୍ତର ପଥ ଦେଇ ଦୌଡ଼ି କୂଶୀୟକୁ ପଛରେ ପକାଇ ଗଲା ।
24. ଏହି ସମୟରେ ନଗରର ଦ୍ଵାରଦ୍ଵୟର ମଧ୍ୟ ସ୍ଥାନରେ ଦାଉଦ ବସିଥିଲେ; ଏଥିରେ ପ୍ରହରୀ ଦ୍ଵାରଛାତର କାନ୍ଥ ଉପରକୁ ଯାଇ ଅନାଇ ଦେଖନ୍ତେ, ଦେଖ, ଜଣେ ଲୋକ ଏକାକୀ ଦୌଡ଼ି ଆସୁଅଛି ।
25. ତହୁଁ ପ୍ରହରୀ ଉଚ୍ଚୈଃସ୍ଵରରେ ରାଜାଙ୍କୁ ତାହା ଜଣାନ୍ତେ, ରାଜା କହିଲେ, ଯେବେ ସେ ଏକାକୀ ଅଛି, ତେବେ ତାହା ମୁଖରେ ସୁସମ୍ଵାଦ ଅଛି । ଏଥିରେ ସେ ଆସୁ ଆସୁ ନିକଟବର୍ତ୍ତୀ ହେଲା ।
26. ଏଉତ୍ତାରେ ପ୍ରହରୀ ଆଉ ଜଣକୁ ଦୌଡ଼ି ଆସୁଥିବାର ଦେଖିଲା; ତହିଁରେ ପ୍ରହରୀ ଉଚ୍ଚୈଃସ୍ଵରରେ ଦ୍ଵାରୀକି ଡାକି କହିଲା, ଦେଖ, ଆଉ ଜଣେ ଏକାକୀ ଦୌଡ଼ି ଆସୁଅଛି । ତହିଁରେ ରାଜା କହିଲେ, ସେ ମଧ୍ୟ ସୁସମ୍ଵାଦ ଆଣୁଅଛି ।
27. ଏଥିରେ ପ୍ରହରୀ କହିଲା, ପ୍ରଥମ ଲୋକର ଦୌଡ଼ ସାଦୋକର ପୁତ୍ର ଅହୀମାସ୍ର ଦୌଡ଼ ପରି ମୋହର ବୋଧ ହୁଏ । ତେବେ ରାଜା କହିଲେ, ସେ ଭଲ ଲୋକ, ସେ ଭଲ ସମ୍ଵାଦ ନେଇ ଆସୁଅଛି ।
28. ସେତେବେଳେ ଅହୀମାସ୍ ଡାକ ପକାଇ ରାଜାଙ୍କୁ କହିଲା, ସବୁ ମଙ୍ଗଳ । ତହୁଁ ସେ ରାଜାଙ୍କର ସମ୍ମୁଖରେ ମୁହଁ ମାଡ଼ି ପ୍ରଣାମ କରି କହିଲା, ସଦାପ୍ରଭୁ ଆପଣଙ୍କ ପରମେଶ୍ଵର ଧନ୍ୟ, ମୋହର ପ୍ରଭୁ ମହାରାଜଙ୍କ ବିରୁଦ୍ଧରେ ଯେଉଁ ମନୁଷ୍ୟମାନେ ହସ୍ତ ଉଠାଇଥିଲେ, ସେମାନଙ୍କୁ ସେ ସମର୍ପଣ କରି ଦେଇଅଛନ୍ତି ।
29. ତହିଁରେ ରାଜା କହିଲେ, ସେ ଯୁବାଲୋକ ଅବଶାଲୋମର ମଙ୍ଗଳ ତ? ତହୁଁ ଅହୀମାସ୍ ଉତ୍ତର କଲା, ଯୋୟାବ ମହାରାଜଙ୍କ ଦାସକୁ, ଅର୍ଥାତ୍, ଆପଣଙ୍କ ଦାସ ମୋତେ ପଠାଇବା ବେଳେ ମହାଲୋକଗହଳ ଦେଖିଲି, ମାତ୍ର କଅଣ ହେଲା, ତାହା ଜାଣି ନାହିଁ ।
30. ଏଥିରେ ରାଜା କହିଲେ, ଏଆଡ଼େ ଆସି ରହ । ତହୁଁ ସେ ଏଆଡ଼େ ଯାଇ ଠିଆ ହେଲା ।
31. ଏଥି ମଧ୍ୟରେ ଦେଖ, ସେହି କୂଶୀୟ ପହୁଞ୍ଚିଲା; ଆଉ କୂଶୀୟ କହିଲା, ମୋʼ ପ୍ରଭୁ ମହାରାଜଙ୍କ ପାଇଁ ସୁସମ୍ଵାଦ ଅଛି; କାରଣ ଯେଉଁମାନେ ଆପଣଙ୍କ ବିରୁଦ୍ଧରେ ଉଠିଥିଲେ, ସଦାପ୍ରଭୁ ଆଜି ସେ ସମସ୍ତଙ୍କଠାରୁ ପରିଶୋଧ ନେଇଅଛନ୍ତି ।
32. ତହିଁରେ ରାଜା ସେହି କୂଶୀୟକୁ ପଚାରିଲେ, ସେ ଯୁବାଲୋକ ଅବଶାଲୋମର ମଙ୍ଗଳ ତ? ତହିଁରେ କୂଶୀୟ ଉତ୍ତର କଲା, ମୋʼ ପ୍ରଭୁ ମହାରାଜଙ୍କ ଶତ୍ରୁଗଣ ଓ ଆପଣଙ୍କର ଅମଙ୍ଗଳ କରିବା ପାଇଁ ଯେଉଁମାନେ ଆପଣଙ୍କ ବିରୁଦ୍ଧରେ ଉଠନ୍ତି, ସେସମସ୍ତେ ସେହି ଯୁବାଲୋକ ପରି ହେଉନ୍ତୁ ।
33. ତହିଁରେ ରାଜା ଅତି କମ୍ପିତ ହୋଇ ନଗରଦ୍ଵାର-ଉପରିସ୍ଥ କୋଠରିକି ଯାଇ ରୋଦନ କଲେ; ପୁଣି ସେ ଯାଉ ଯାଉ ଏପରି କହିଲେ, ହାୟ ଆମ୍ଭର ପୁତ୍ର ଅବଶାଲୋମ! ଆମ୍ଭର ପୁତ୍ର, ଆମ୍ଭ ପୁତ୍ର ଅବଶାଲୋମଣ! ଯେବେ ତୁମ୍ଭ ବଦଳେ ଆମ୍ଭେ ମରିଥାʼନ୍ତୁ, ହାୟ ଅବଶାଲୋମ, ଆମ୍ଭର ପୁତ୍ର, ଆମ୍ଭର ପୁତ୍ର!