1. ପାଉଲ, ଈଶ୍ଵରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କ ଆହୂତ ଜଣେ ପ୍ରେରିତ, ଓ ଭ୍ରାତା ସୋସ୍ଥିନା
2. କରିନ୍ଥରେ ଥିବା ଈଶ୍ଵରଙ୍କ ମଣ୍ତଳୀ ନିକଟକୁ ଲେଖୁଅଛନ୍ତି; ଯେଉଁମାନେ ସର୍ବତ୍ର, ସେମାନଙ୍କ ଓ ଆମ୍ଭମାନଙ୍କ ସ୍ଥାନରେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପ୍ରାର୍ଥନା କରନ୍ତି, ସେସମସ୍ତଙ୍କ ସହିତ ଖ୍ରୀଷ୍ଟ ଯୀଶୁଙ୍କଠାରେ ପବିତ୍ରୀକୃତ ଓ ଆହୂତ ସାଧୁ ଯେ ତୁମ୍ଭେମାନେ,
3. ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ପିତା ଈଶ୍ଵର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ହେଉ ।
4. ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭମାନଙ୍କୁ ଦତ୍ତ ଈଶ୍ଵରଙ୍କ ଯେଉଁ ଅନୁଗ୍ରହ, ସେଥିନିମନ୍ତେ ମୁଁ ସର୍ବଦା ତୁମ୍ଭମାନଙ୍କ ବିଷୟରେ ଈଶ୍ଵରଙ୍କୁ ଧନ୍ୟବାଦ ଦେଉଅଛି,
5. କାରଣ ତାହାଙ୍କଠାରେ ସମସ୍ତ ବିଷୟରେ, ବିଶେଷତଃ ସମସ୍ତ ପ୍ରକାର ଶିକ୍ଷାଦାନରେ ଓ ସମସ୍ତ ପ୍ରକାର ଜ୍ଞାନରେ ତୁମ୍ଭେମାନେ ଧନବାନ ହୋଇଅଛ;
6. ଏହିପ୍ରକାରେ ଖ୍ରୀଷ୍ଟଙ୍କର ସାକ୍ଷ୍ୟ ତୁମ୍ଭମାନଙ୍କ ମଧ୍ୟରେ ସ୍ଥିରୀକୃତ ହୋଇଅଛି ।
7. ଏଣୁ ତୁମ୍ଭେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପ୍ରକାଶ ନିମନ୍ତେ ଅପେକ୍ଷାରେ ଥାଇ କୌଣସି ଅନୁଗ୍ରହ-ଦାନରେ ଊଣା ପଡ଼ୁ ନାହଁ;
8. ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦିବସରେ ଯେପରି ତୁମ୍ଭେମାନେ ଅନିନ୍ଦନୀୟ ହୁଅ, ଏଥିପାଇଁ ସେ ତୁମ୍ଭମାନଙ୍କୁ ଶେଷ ପର୍ଯ୍ୟନ୍ତ ମଧ୍ୟ ସ୍ଥିର ରଖିବେ ।
9. ଈଶ୍ଵର ବିଶ୍ଵାସ୍ୟ, ଯାହାଙ୍କ ଦ୍ଵାରା ତୁମ୍ଭେମାନେ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟ, ଆମ୍ଭମାନଙ୍କ ପ୍ରଭୁଙ୍କର ସହଭାଗିତା ନିମନ୍ତେ ଆହୂତ ହୋଇଅଛ ।
10. ହେ ଭାଇମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି, ଯେପରି ତୁମ୍ଭେମାନେ ସମସ୍ତେ ଏକ କଥା କୁହ, ଆଉ ତୁମ୍ଭମାନଙ୍କ ମଧ୍ୟରେ ଦଳଭେଦ ନ ହୁଏ, କିନ୍ତୁ ତୁମ୍ଭେମାନେ ଏକ ମନରେ ଓ ଏକ ବିଚାରରେ ସମ୍ମିଳିତ ହୁଅ ।
11. କାରଣ, ହେ ମୋହର ଭାଇମାନେ, ଖ୍ଳୟୀଙ୍କ ପରିଜନଙ୍କଠାରୁ ତୁମ୍ଭମାନଙ୍କ ସମ୍ଵନ୍ଧରେ ମୋʼ ନିକଟରେ ଏହା ପ୍ରକାଶ ପାଇଅଛି ଯେ, ତୁମ୍ଭମାନଙ୍କ ମଧ୍ୟରେ ବାଦବିବାଦ ଅଛି ।
12. ମୋʼ କଥାର ଭାବ ଏହି, ତୁମ୍ଭମାନଙ୍କ ମଧ୍ୟରୁ କେହି କେହି କହନ୍ତି, ମୁଁ ପାଉଲଙ୍କର, କେହି କେହି କହନ୍ତି, ମୁଁ ଆପଲ୍ଲଙ୍କର, କେହି କେହି କହନ୍ତି, ମୁଁ କେଫାଙ୍କର, ଆଉ କେହି କେହି କହନ୍ତି, ମୁଁ ଖ୍ରୀଷ୍ଟଙ୍କର ।
13. ଖ୍ରୀଷ୍ଟ କି ବିଭକ୍ତ ହୋଇଅଛନ୍ତି? ତୁମ୍ଭମାନଙ୍କ ନିମନ୍ତେ କି ପାଉଲ କ୍ରୁଶରେ ହତ ହୋଇଥିଲା? କିମ୍ଵା ତୁମ୍ଭେମାନେ କି ପାଉଲ ନାମରେ ବାପ୍ତିଜିତ ହୋଇଥିଲ?
14. କାଳେ ତୁମ୍ଭେମାନେ ମୋହର ନାମରେ ବାପ୍ତିଜିତ ହୋଇଅଛ ବୋଲି କେହି କହିବ,
15. ଏଥିପାଇଁ କ୍ରୀଷ୍ପ ଓ ଗାୟ ବିନା ତୁମ୍ଭମାନଙ୍କ ମଧ୍ୟରେ ଆଉ କାହାରିକି ବାପ୍ତିସ୍ମ ଦେଇ ନାହିଁ ବୋଲି ମୁଁ ଈଶ୍ଵରଙ୍କୁ ଧନ୍ୟବାଦ ଦିଏ ।
16. ଆଉ ସ୍ତିଫାନଙ୍କ ପରିଜନଙ୍କୁ ମଧ୍ୟ ବାପ୍ତିସ୍ମ ଦେଇଅଛି; ଏହା ଛଡ଼ା ମୁଁ ଆଉ କାହାରିକି ବାପ୍ତିସ୍ମ ଦେଇଅଛି ବୋଲି ମୋର ମନେ ପଡ଼ୁ ନାହିଁ ।
17. କାରଣ ଖ୍ରୀଷ୍ଟ ମୋତେ ବାପ୍ତିସ୍ମ ଦେବା ନିମନ୍ତେ ପ୍ରେରଣ କଲେ ନାହିଁ, ମାତ୍ର ସୁସମାଚାର ପ୍ରଚାର କରିବା ନିମନ୍ତେ ପ୍ରେରଣ କଲେ; ତାହା ମଧ୍ୟ ବାକ୍ୟାଡ଼ମ୍ଵରରେ ନୁହେଁ, କାଳେ ଖ୍ରୀଷ୍ଟଙ୍କ କ୍ରୁଶ ବ୍ୟର୍ଥ ହୁଏ ।
18. କାରଣ ବିନାଶ ପ୍ରାପ୍ତ ହେଉଥିବା ଲୋକମାନଙ୍କ ପ୍ରତି କ୍ରୁଶର କଥା ମୂର୍ଖତା ମାତ୍ର, କିନ୍ତୁ ପରିତ୍ରାଣ ପ୍ରାପ୍ତ ହେଉଥିବା ଆମ୍ଭମାନଙ୍କ ପ୍ରତି ତାହା ଈଶ୍ଵରଙ୍କ ଶକ୍ତି ଅଟେ ।
19. ଯେଣୁ ଏହା ଲେଖା ଅଛି, “ଆମ୍ଭେ ଜ୍ଞାନୀମାନଙ୍କର ଜ୍ଞାନ ନଷ୍ଟ କରିବା, ଆଉ ବୁଦ୍ଧିମାନମାନଙ୍କର ବୁଦ୍ଧି ଅଗ୍ରାହ୍ୟ କରିବା ।”
20. ଜ୍ଞାନୀ କାହିଁ? ଶାସ୍ତ୍ରୀ କାହିଁ? ଏହି ଯୁଗର ତାର୍କିକ କାହିଁ? ଈଶ୍ଵର କି ଜଗତର ଜ୍ଞାନକୁ ମୂର୍ଖତା ବୋଲି ପ୍ରକାଶ କରି ନାହାନ୍ତି?
21. କାରଣ ଈଶ୍ଵରଙ୍କ ଜ୍ଞାନ ପ୍ରକାଶିତ ହୋଇଥିଲେ ହେଁ ଜଗତ ନିଜ ଜ୍ଞାନ ଦ୍ଵାରା ଈଶ୍ଵରଙ୍କୁ ନ ଜାଣିବାରୁ ପ୍ରଚାରିତ ପ୍ରସଙ୍ଗର ମୂର୍ଖତା ଦ୍ଵାରା ବିଶ୍ଵାସୀମାନଙ୍କୁ ପରିତ୍ରାଣ କରିବା ପାଇଁ ଈଶ୍ଵର ସନ୍ତୁଷ୍ଟ ହେଲେ ।
22. କାରଣ ଯିହୁଦୀମାନେ ଚିହ୍ନ ଲୋଡ଼ନ୍ତି, ଆଉ ଗ୍ରୀକ୍ମାନେ ଜ୍ଞାନ ଅନ୍ଵେଷଣ କରନ୍ତି,
23. କିନ୍ତୁ ଆମ୍ଭେମାନେ କ୍ରୁଶରେ ହତ ଖ୍ରୀଷ୍ଟଙ୍କୁ ପ୍ରଚାର କରୁ, ସେ ଯିହୁଦୀମାନଙ୍କ ନିମନ୍ତେ ବିଘ୍ନସ୍ଵରୂପ ଓ ବିଜାତିମାନଙ୍କ ନିମନ୍ତେ ମୂର୍ଖତାସ୍ଵରୂପ,
24. କିନ୍ତୁ ଯିହୁଦୀ ହେଉ ବା ଗ୍ରୀକ୍ ହେଉ, ଯେଉଁମାନେ ଆହୂତ, ସେମାନଙ୍କ ନିମନ୍ତେ ଖ୍ରୀଷ୍ଟ ଈଶ୍ଵରଙ୍କ ଶକ୍ତି ଓ ଈଶ୍ଵରଙ୍କ ଜ୍ଞାନସ୍ଵରୂପ ଅଟନ୍ତି ।
25. ଯେଣୁ ଈଶ୍ଵରଙ୍କ ମୂର୍ଖ ବିଷୟ ମନୁଷ୍ୟର ଜ୍ଞାନ ଅପେକ୍ଷା ଅଧିକ ଜ୍ଞାନପୂର୍ଣ୍ଣ, ଆଉ ଈଶ୍ଵରଙ୍କ ଦୁର୍ବଳ ବିଷୟ ମନୁଷ୍ୟର ବଳ ଅପେକ୍ଷା ଅଧିକ ବଳବାନ ।
26. କାରଣ, ହେ ଭାଇମାନେ, ତୁମ୍ଭମାନଙ୍କ ଆହ୍ଵାନ ବିଷୟ ଭାବି ଦେଖ, ସାଂସାରିକ ମତାନୁସାରେ ଅନେକ ଜ୍ଞାନୀ, ଅନେକ କ୍ଷମତାପନ୍ନ ବା ଅନେକ କୁଳୀନ ଆହୂତ ହୋଇ ନାହାନ୍ତି;
27. କିନ୍ତୁ ଯେପରି କୌଣସି ମର୍ତ୍ତ୍ୟ ଈଶ୍ଵରଙ୍କ ଛାମୁରେ ଗର୍ବ ନ କରେ,
28. ଏଥିପାଇଁ ଈଶ୍ଵର ଜ୍ଞାନୀମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଜଗତର ମୂର୍ଖ ବିଷୟସବୁ ମନୋନୀତ କଲେ, ପୁଣି ବଳବାନ ବିଷୟସବୁକୁ ଲଜ୍ଜା ଦେବା ନିମନ୍ତେ ଈଶ୍ଵର ଜଗତର ଦୁର୍ବଳ ବିଷୟସବୁ ମନୋନୀତ କଲେ,
29. ଆଉ ଯାହା ଜଗତ ଚକ୍ଷୁରେ ମାନ୍ୟଗଣ୍ୟ, ସେସବୁକୁ ବ୍ୟର୍ଥ କରିବା ନିମନ୍ତେ ଈଶ୍ଵର ଜଗତର ନୀଚ ଓ ତୁଚ୍ଛ ବିଷୟଗୁଡ଼ିକ, ହଁ, ନଗଣ୍ୟ ବିଷୟଗୁଡ଼ିକ ମନୋନୀତ କଲେ ।
30. କିନ୍ତୁ ତାହାଙ୍କ ହେତୁ ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛ, ସେ ଈଶ୍ଵରଙ୍କଠାରୁ ଆମ୍ଭମାନଙ୍କ ନିମନ୍ତେ ଜ୍ଞାନ, ଅର୍ଥାତ୍, ଧାର୍ମିକତା, ପବିତ୍ରତା ଓ ମୁକ୍ତିସ୍ଵରୂପ ହୋଇଅଛନ୍ତି ।
31. ଅତଏବ, ଯେପରି ଲେଖାଅଛି, “ଯେ ଦର୍ପ କରେ, ସେ ପ୍ରଭୁଙ୍କଠାରେ ଦର୍ପ କରୁ ।”