1. ପରେ ମୁଁ ଏକ ନୂତନ ଆକାଶମଣ୍ତଳ ଓ ନୂତନ ପୃଥିବୀ ଦେଖିଲି, କାରଣ ପ୍ରଥମ ଆକାଶ- ମଣ୍ତଳ ଓ ପ୍ରଥମ ପୃଥିବୀ ଲୋପ ପାଇଥିଲା, ପୁଣି ସମୁଦ୍ର ଆଉ ନ ଥିଲା ।
2. ପୁଣି ମୁଁ ପବିତ୍ର ନଗରୀ, ଅର୍ଥାତ୍, ନୂତନ ଯିରୂଶାଲମକୁ ବର ନିମନ୍ତେ ସଜ୍ଜିତା କନ୍ୟାର ସଦୃଶ ପ୍ରସ୍ତୁତା ହୋଇ ସ୍ଵର୍ଗରୁ ଈଶ୍ଵରଙ୍କ ନିକଟରୁ ଅବତରଣ କରିବାର ଦେଖିଲି ।
3. ଆଉ ମୁଁ ସିଂହାସନ ମଧ୍ୟରୁ ଗୋଟିଏ ମହା ଶଦ୍ଦ ଏହା କହିବାର ଶୁଣିଲି, ଦେଖ, ମନୁଷ୍ୟମାନଙ୍କ ମଧ୍ୟରେ ଈଶ୍ଵରଙ୍କ ବାସସ୍ଥାନ ଅଛି, ସେ ସେମାନଙ୍କ ସହିତ ବାସ କରିବେ, ଆଉ ସେମାନେ ତାହାଙ୍କ ଲୋକ ହେବେ,
4. ପୁଣି ଈଶ୍ଵର ସ୍ଵୟଂ ସେମାନଙ୍କ ସଙ୍ଗରେ ରହିବେ ଓ ସେମାନଙ୍କ ଚକ୍ଷୁରୁ ସମସ୍ତ ଅଶ୍ରୁଜଳ ପୋଛିଦେବେ; ମୃତ୍ୟୁ ଆଉ ଘଟିବ ନାହିଁ; ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହେବ ନାହିଁ; କାରଣ ପୂର୍ବ ବିଷୟସବୁ ଲୋପ ପାଇଅଛି ।
5. ପରେ ସିଂହାସନୋପବିଷ୍ଟ ବ୍ୟକ୍ତି କହିଲେ, ଦେଖ, ଆମ୍ଭେ ସମସ୍ତ ବିଷୟ ନୂତନ କରୁଅଛୁ । ଆଉ ସେ କହିଲେ, ଲେଖ, କାରଣ ଏହି ସମସ୍ତ ବାକ୍ୟ ବିଶ୍ଵସନୀୟ ଓ ସତ୍ୟ। ।
6. ସେ ମୋତେ ଆହୁରି କହିଲେ, ସମସ୍ତ ସମାପ୍ତ ହୋଇଅଛି । ଆମ୍ଭେ କ ଓ କ୍ଷ, ଆଦି ଓ ଅ; । ଯେ ତୃଷାର୍ତ୍ତ, ତାହାକୁ ଆମ୍ଭେ ଜୀବନରୂପ ନିର୍ଝରରୁ ବିନାମୂଲ୍ୟରେ ପାନ କରିବାକୁ ଦେବୁ। ।
7. ଯେ ଜୟ କରେ, ସେ ଏହି ସମସ୍ତର ଅଧିକାରୀ ହେବ; ଆମ୍ଭେ ତାହାର ଈଶ୍ଵର ହେବୁ, ପୁଣି ସେ ଆମ୍ଭର ପୁତ୍ର ହେବ ।
8. କିନ୍ତୁ ଯେଉଁମାନେ ଭୀରୁ, ଅବିଶ୍ଵାସୀ, ଘୃଣ୍ୟ-କଳଙ୍କିତ, ନରଘାତକ, ବ୍ୟଭିଚାରୀ, ମାୟାବୀ ଓ ପ୍ରତିମା-ପୂଜକ, ସେମାନେ ଓ ସମସ୍ତ ମିଥ୍ୟାବାଦୀ ଅଗ୍ନି ଓ ଗନ୍ଧକ ପ୍ରଜ୍ଵଳିତ ହ୍ରଦରେ ଅଂଶ ପାଇବେ; ଏହା ହିଁ ଦ୍ଵିତୀୟ ମୃତ୍ୟୁ ।
9. ତତ୍ପରେ ଯେଉଁ ସପ୍ତ ଦୂତ ଶେଷ ସପ୍ତ କ୍ଳେଶରେ ପରିପୂର୍ଣ୍ଣ ସପ୍ତ ପାତ୍ର ଧରିଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଆସି ମୋତେ କହିଲେ, ଏଠାକୁ ଆସ, ମୁଁ ତୁମ୍ଭକୁ ସେହି କନ୍ୟା, ଅର୍ଥାତ୍, ମେଷଶାବକଙ୍କ ଭାର୍ଯ୍ୟାକୁ ଦେଖାଇବି ।
10. ସେଥିରେ ସେ ମୋତେ ଆତ୍ମାରେ ଗୋଟିଏ ବୃହତ ଓ ଉଚ୍ଚ ପର୍ବତକୁ ଘେନିଯାଇ ପବିତ୍ର ନଗରୀ ଯିରୂଶାଲମକୁ ଦେଖାଇଲେ, ତାହା ସ୍ଵର୍ଗରୁ ଈଶ୍ଵରଙ୍କ ନିକଟରୁଣଯିହି. ୪୦:୨
11. ଅବତରଣ କରୁଥିଲା ଏବଂ ଈଶ୍ଵରଙ୍କ ଗୌରବବିଶିଷ୍ଟ ଥିଲା; ତାହାର ଜ୍ୟୋତିଃ ଅତି ବହୁମୂଲ୍ୟ ମଣି ସଦୃଶ, ସ୍ଵଚ୍ଛ ସୂର୍ଯ୍ୟକା; ପରି ।
12. ତାହାର ଗୋଟିଏ ବୃହତ ଓ ଉଚ୍ଚ ପ୍ରାଚୀର ଅଛି, ସେଥିର ଦ୍ଵାଦଶ ଦ୍ଵାର, ସେହି ଦ୍ଵାରରେ ଦ୍ଵାଦଶ ଦୂତ ଓ ଦ୍ଵାରସମୂହର ଉପରେ ଇସ୍ରାଏଲ ସନ୍ତାନମାନଙ୍କ ଦ୍ଵାଦଶ ବଂଶର ନାମ ଲିଖିତ ଅଛି ।
13. ପୂର୍ବରେ ତିନି ଦ୍ଵାର, ଉତ୍ତରରେ ତିନି ଦ୍ଵାର, ଦକ୍ଷିଣରେ ତିନି ଦ୍ଵାର ଓ ପଶ୍ଚିମରେ ତିନି ଦ୍ଵାର ।
14. ସେହି ନଗରୀର ପ୍ରାଚୀରର ଦ୍ଵାଦଶ ଭିତ୍ତିମୂଳ, ସେହିସବୁ ଉପରେ ମେଷଶାବକଙ୍କ ଦ୍ଵାଦଶ ପ୍ରେରିତଙ୍କ ଦ୍ଵାଦଶ ନାମ ଲିଖିତ ଅଛି ।
15. ଯେ ମୋʼ ସହିତ କଥା କହୁଥିଲେ, ତାହାଙ୍କ ହସ୍ତରେ ନଗରୀ, ତାହାର ଦ୍ଵାରସମୂହ ଓ ପ୍ରାଚୀର ମାପ କରିବା ନିମନ୍ତେ ଗୋଟିଏ ସୁବର୍ଣ୍ଣ ପରିମାପକ ନଳ ଥିଲା ।
16. ନଗରୀଟି ଚତୁଷ୍କୋଣ, ତାହାର ଦୈର୍ଘ୍ୟ ଓ ପ୍ରସ୍ଥ ସମାନ; ସେ ସେହି ନଳରେ ନଗରୀକୁ ମାପନ୍ତେ ଦ୍ଵାଦଶ ସହସ୍ର ତୀର ହେଲା; ସେଥିର ଦୈର୍ଘ୍ୟ, ପ୍ରସ୍ଥ ଓ ଉଚ୍ଚତା ସମାନ ।
17. ପରେ ସେ ସେଥିର ପ୍ରାଚୀର ମାପନ୍ତେ ତାହା ମନୁଷ୍ୟର ପରିମାଣନୁସାରେ ଏକଶହ ଚୌରାଳିଶ ହାତ ହେଲା, ଦୂତ ହିଁ ଏହି ପରିମାଣାନୁସାରେ ମାପୁଥିଲେ ।
18. ସେହି ପ୍ରାଚୀର ସୂର୍ଯ୍ୟକାନ୍ତମଣି ନିର୍ମିତ, ପୁଣି ନଗରୀଟି ନିର୍ମଳ କାଚ ପରି ଶୁଦ୍ଧ ସୁବର୍ଣ୍ଣ ନିର୍ମିତ ।
19. ନଗରୀର ପ୍ରାଚୀରର ଭିତ୍ତିମୂଳ ସମସ୍ତ ପ୍ରକାର ବହୁମୂଲ୍ୟ ମଣିରେ ଭୂଷିତ । ପ୍ରଥମ ଭିତ୍ତିମୂଳ ହୀରକର, ଦ୍ଵିତୀୟ ନୀଳକାନ୍ତମଣିର, ତୃତୀୟ ବୈଦୂର୍ଯ୍ୟମଣିର, ଚତୁର୍ଥ ମରକତମଣିର,
20. ପଞ୍ଚମ ପୁଲକମଣିର, ଷଷ୍ଠ ମାଣିକ୍ୟମଣିର, ସପ୍ତମ ପୁଷ୍ପରାଗମଣିର, ଅଷ୍ଟମ ଫିରୋଜ୍ମଣିର, ନବମ ଗୋମେଦକମଣିର, ଦଶମ ଲଶୁନୀୟମଣିର, ଏକାଦଶ ଇନ୍ଦ୍ରନୀଳମଣିର ଓ ଦ୍ଵାଦଶ ସୁଗନ୍ଧମଣିର ।
21. ଦ୍ଵାଦଶ ଦ୍ଵାର ଦ୍ଵାଦଶ ମୁକ୍ତା, ପ୍ରତ୍ୟେକ ଦ୍ଵାର ଗୋଟିଏ ଗୋଟିଏ ମୁକ୍ତାରେ ନିର୍ମିତ; ଆଉ ନଗରୀର ପଥ ସ୍ଵଚ୍ଛ କାଚ ସଦୃଶ ଶୁଦ୍ଧ ସୁବର୍ଣ୍ଣ ନିର୍ମିତ ।
22. ମୁଁ ସେହି ନଗରୀରେ କୌଣସି ମନ୍ଦିର ଦେଖିଲି ନାହିଁ, କାରଣ ପ୍ରଭୁ, ସର୍ବଶକ୍ତିମାନ ଈଶ୍ଵର ଓ ମେଷଶାବକ ସେଥିର ମନ୍ଦିର ସ୍ଵରୂପ ଅଟନ୍ତି ।
23. ଆଲୋକ ନିମନ୍ତେ ସେହି ନଗରୀର ସୂର୍ଯ୍ୟ କି ଚନ୍ଦ୍ରର ପ୍ରୟୋଜନ ନାହିଁ, କାରଣ ଈଶ୍ଵରଙ୍କ ଗୌରବ ତାହାକୁ ଆଲୋକିତ କରେ ଓ ମେଷଶାବକ ସେଥିର ପ୍ରଦୀପ ସ୍ଵରୂପ ।
24. ସେଥିର ଆଲୋକରେ ଜାତିସମୂହ ଗମନାଗମନ କରିବେ, ପୁଣି ପୃଥିବୀର ରାଜାମାନେ ଆପଣା ଆପଣା ଐଶ୍ଵର୍ଯ୍ୟ ତାହା ମଧ୍ୟକୁ ଆଣିବେ ।
25. ସେଥିର ଦ୍ଵାରସମୂହ ଦିନବେଳେ କଦାପି ରୁଦ୍ଧ ହେବ ନାହିଁ, କାରଣ ସେ ସ୍ଥାନରେ ରାତ୍ରି ହେବ ନାହିଁ ।
26. ଲୋକେ ଜାତିସମୂହର ଐଶ୍ଵର୍ଯ୍ୟ ଓ ମହିମା ତାହା ମଧ୍ୟକୁ ଆଣିବେ ।
27. କୌଣସି ଅଶୁଚି ବିଷୟ କିଅବା ଘୃଣ୍ୟକର୍ମକାରୀ ଓ ମିଥ୍ୟାଚାରୀ କେହି ସେଥିରେ କଦାପି ପ୍ରବେଶ କରିବ ନାହିଁ; କେବଳ ଯେଉଁମାନଙ୍କ ନାମ ମେଷଶାବକଙ୍କ ଜୀବନ ପୁସ୍ତକରେ ଲିଖିତ ଅଛି, ସେମାନେ ପ୍ରବେଶ କରିବେ, ।