1. ନିସ୍ତାର ପର୍ବ ଓ ଖମୀରଶୂନ୍ୟ ରୋଟୀର ପର୍ବ ପଡ଼ିବାକୁ ଦୁଇ ଦିନ ଥିଲା । ସେହି ସମୟରେ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ କିପରି ତାହାଙ୍କୁ ଛଳରେ ଧରି ବଧ କରି ପାରନ୍ତି, ସେଥିର ଉପାୟ ଖୋଜୁଥିଲେ ।
2. କାରଣ ସେମାନେ କହିଲେ, ପର୍ବ ସମୟରେ ନୁହେଁ, କାଳେ ଲୋକଙ୍କ ମଧ୍ୟରେ ଗଣ୍ତଗୋଳ ହେବ ।
3. ଯୀଶୁ ବେଥନୀୟାରେ କୁଷ୍ଠୀ ଶିମୋନଙ୍କ ଗୃହରେ ଭୋଜନରେ ବସିବା ସମୟରେ ଜଣେ ସ୍ତ୍ରୀଲୋକ ଗୋଟିଏ ପାତ୍ରରେ ବହୁମୂଲ୍ୟ ବିଶୁଦ୍ଧ ଜଟାମାଂସୀ ତୈଳ ଆଣି ସେହି ପାତ୍ର ଭାଙ୍ଗି ତାହାଙ୍କ ମସ୍ତକରେ ଢାଳିବାକୁ ଲାଗିଲେ ।
4. କିନ୍ତୁ କେତେକ ଲୋକ ବିରକ୍ତ ହୋଇ ପରସ୍ପରକୁ କହିଲେ, ତୈଳ କାହିଁକି ଏପରି ନଷ୍ଟ ହେଲା?
5. ଏହି ତୈଳ ତ ଦେଢ଼ଶହ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରୟ କରାଯାଇ ଦରିଦ୍ରମାନଙ୍କୁ ଦିଆଯାଇ ପାରିଥାଆନ୍ତା । ତେଣୁ ସେମାନେ ସେହି ସ୍ତ୍ରୀଲୋକଙ୍କୁ ଭର୍ତ୍ସନା କରିବାକୁ ଲାଗିଲେ ।
6. କିନ୍ତୁ ଯୀଶୁ କହିଲେ, ତାହାକୁ ଛାଡ଼ିଦିଅ; କାହିଁକି ତାହାକୁ କଷ୍ଟ ଦେଉଅଛ? ସେ ମୋʼ ପ୍ରତି ଉତ୍ତମ କର୍ମ କରିଅଛି ।
7. କାରଣ ଦରିଦ୍ରମାନେ ତ ସର୍ବଦା ତୁମ୍ଭମାନଙ୍କ ନିକଟରେ ଅଛନ୍ତି, ଆଉ ତୁମ୍ଭମାନଙ୍କର ଯେତେବେଳେ ଇଚ୍ଛା, ସେତେବେଳେ ସେମାନଙ୍କର ଉପକାର କରି ପାର; ମାତ୍ର ମୁଁ ସର୍ବଦା ତୁମ୍ଭମାନଙ୍କ ନିକଟରେ ନ ଥିବି ।
8. ତାହାର ଯାହା ସାଧ୍ୟ, ତାହା ସେ କରିଅଛି; ସେ ସମାଧି ନିମନ୍ତେ ମୋହର ଶରୀରକୁ ପୂର୍ବରୁ ତୈଳରେ ଅଭିଷିକ୍ତ କରିଅଛି ।
9. ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସମସ୍ତ ଜଗତର ଯେକୌଣସି ସ୍ଥାନରେ ସୁସମାଚାର ଘୋଷଣା କରାଯିବ, ସେସ୍ଥାନରେ ଏ ସ୍ତ୍ରୀଲୋକର ସ୍ମରଣାର୍ଥେ ତାହାର ଏହି କର୍ମର କଥା ମଧ୍ୟ କୁହାଯିବ ।
10. ସେଥିରେ ଦ୍ଵାଦଶଙ୍କ ମଧ୍ୟରୁ ଇଷ୍କାରିୟୋତ ଯିହୂଦା ନାମକ ଜଣେ ତାହାଙ୍କୁ ପ୍ରଧାନ ଯାଜକମାନଙ୍କ ହସ୍ତରେ ସମର୍ପଣ କରିବା ନିମନ୍ତେ ସେମାନଙ୍କ ନିକଟକୁ ଗଲା ।
11. ସେମାନେ ତାହା ଶୁଣି ଆନନ୍ଦିତ ହେଲେ ଓ ତାହାକୁ ଟଙ୍କା ଦେବା ପାଇଁ ପ୍ରତିଜ୍ଞା କଲେ । ସେଥିରେ ସେ ତାହାଙ୍କୁ ସୁବିଧା ଅନୁସାରେ କିପରି ଧରାଇଦେଇ ପାରେ, ଏହା ଅନ୍ଵେଷଣ କରିବାକୁ ଲାଗିଲା ।
12. ପରେ ଖମୀରଶୂନ୍ୟ ରୋଟୀ ପର୍ବର ପ୍ରଥମ ଦିନରେ, ଯେଉଁ ଦିନ ନିସ୍ତାର ପର୍ବର ମେଷଶାବକ ବଳିଦାନ କରାଯାଏ, ସେହି ଦିନ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ପଚାରିଲେ, ଆମ୍ଭେମାନେ ଯାଇ କେଉଁ ସ୍ଥାନରେ ଆପଣଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି?
13. ସେଥିରେ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଏହା କହି ପଠାଇଲେ, ତୁମ୍ଭେମାନେ ନଗରକୁ ଯାଅ, ଆଉ ଜଳକୁମ୍ଭ ଘେନିଯାଉଥିବା ଜଣେ ଲୋକ ତୁମ୍ଭମାନଙ୍କୁ ଭେଟିବ; ତାହାର ପଛେ ପଛେ ଯାଅ;
14. ସେ ଯେଉଁ ଗୃହରେ ପ୍ରବେଶ କରିବ, ସେହି ଗୃହର କର୍ତ୍ତାଙ୍କୁ କୁହ, ଗୁରୁ ପଚାରୁଅଛନ୍ତି, ମୁଁ ମୋହର ଶିଷ୍ୟମାନଙ୍କ ସହିତ ଯେଉଁଠାରେ ନିସ୍ତାର ପର୍ବର ଭୋଜ ପାଳନ କରିବି, ମୋହର ସେହି ଅତିଥିଶାଳା କାହିଁ?
15. ସେଥିରେ ସେ ତୁମ୍ଭମାନଙ୍କୁ ସୁସଜ୍ଜିତ ଓ ପ୍ରସ୍ତୁତ ଗୋଟିଏ ଉପରିସ୍ଥ ବୃହତ୍ କୋଠରି ଦେଖାଇଦେବେ; ସେସ୍ଥାନରେ ଆମ୍ଭମାନଙ୍କ ପାଇଁ ପ୍ରସ୍ତୁତ କର ।
16. ତହିଁରେ ଶିଷ୍ୟମାନେ ପ୍ରସ୍ଥାନ କରି ନଗରରେ ପ୍ରବେଶ କଲେ, ପୁଣି ସେ ସେମାନଙ୍କୁ ଯେପରି କହିଥିଲେ, ସେହିପରି ଦେଖି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ ।
17. ସନ୍ଧ୍ୟା ହୁଅନ୍ତେ, ସେ ଦ୍ଵାଦଶଙ୍କ ସହିତ ଆସିଲେ ।
18. ସେମାନେ ବସି ଭୋଜନ କରୁଥିବା ସମୟରେ ଯୀଶୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭମାନଙ୍କ ମଧ୍ୟରୁ ଜଣେ, ଯେ କି ମୋʼ ସାଙ୍ଗରେ ଭୋଜନ କରୁଅଛି, ସେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରିବ ।
19. ସେଥିରେ ସେମାନେ ଦୁଃଖିତ ହୋଇ ଜଣ ଜଣ କରି ତାହାଙ୍କୁ ପଚାରିବାକୁ ଲାଗିଲେ, ସେ କଅଣ ମୁଁ?
20. ଯୀଶୁ ସେମାନଙ୍କୁ କହିଲେ, ଦ୍ଵାଦଶଙ୍କ ମଧ୍ୟରୁ ଜଣେ, ଯେ କି ମୋʼ ସହିତ ପାତ୍ରରେ ହାତ ବୁଡ଼ାଉଅଛି ।
21. ମନୁଷ୍ୟପୁତ୍ରଙ୍କ ବିଷୟରେ ଯେପରି ଲେଖା ଅଛି, ସେହିପରି ସେ ପ୍ରୟାଣ କରୁଅଛନ୍ତି ସତ୍ୟ, କିନ୍ତୁ ଯେଉଁ ଲୋକ ଦ୍ଵାରା ମନୁଷ୍ୟପୁତ୍ର ଶତ୍ରୁ ହସ୍ତରେ ସମର୍ପିତ ହେଉଅଛନ୍ତି, ହାୟ, ସେ ଦଣ୍ତର ପାତ୍ର! ସେହି ଲୋକର ଜନ୍ମ ହୋଇ ନ ଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା।
22. ସେମାନେ ଭୋଜନ କରୁଥିବା ସମୟରେ ଯୀଶୁ ରୋଟୀ ଘେନି ଆଶୀର୍ବାଦ କଲେ ଓ ତାହା ଭାଙ୍ଗି ସେମାନଙ୍କୁ ଦେଇ କହିଲେ, ନିଅ, ଏହା ମୋହର ଶରୀର ।
23. ପୁଣି, ସେ ପାନପାତ୍ର ଘେନି ଧନ୍ୟବାଦ କରି ସେମାନଙ୍କୁ ଦେଲେ ଓ ସମସ୍ତେ ସେଥିରୁ ପାନ କଲେ ।
24. ଆଉ, ଯୀଶୁ ସେମାନଙ୍କୁ କହିଲେ, ଯେଉଁ ନିୟମର ରକ୍ତ ଅନେକଙ୍କ ନିମନ୍ତେ ପାତିତ ହେଉଅଛି, ଏ ମୋହର ସେହି ରକ୍ତ ।
25. ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେଉଁ ଦିନ ମୁଁ ଈଶ୍ଵରଙ୍କ ରାଜ୍ୟରେ ନୂଆ କରି ଦ୍ରାକ୍ଷାଫଳର ରସ ପାନ କରିବି, ସେହି ଦିନ ପର୍ଯ୍ୟନ୍ତ ଏହା ଆଉ କେବେ ହେଁ ପାନ କରିବି ନାହିଁ ।
26. ପୁଣି, ସେମାନେ ସ୍ତବଗାନ କଲା ଉତ୍ତାରେ ଜୀତ ପର୍ବତକୁ ବାହାରି ଗଲେ ।
27. ସେତେବେଳେ ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ ସମସ୍ତେ ବିଘ୍ନ ପାଇବ, କାରଣ ଲେଖା ଅଛି, ଆମ୍ଭେ ମେଷପାଳକକୁ ପ୍ରହାର କରିବା, ଆଉ ମେଷଗୁଡ଼ିକ ଛିନ୍ନଭିନ୍ନ ହୋଇଯିବେ ।
28. କିନ୍ତୁ ମୁଁ ଉତ୍ଥିତ ହେଲା ଉତ୍ତାରେ ତୁମ୍ଭମାନଙ୍କ ଆଗେ ଗାଲିଲୀକୁ ଯିବି ।
29. ମାତ୍ର ପିତର ତାହାଙ୍କୁ କହିଲେ, ଯଦ୍ୟପି ସମସ୍ତେ ବିଘ୍ନ ପାଇବେ, ତଥାପି ମୁଁ ପାଇବି ନାହିଁ ।
30. ଯୀଶୁ ତାଙ୍କୁ କହିଲେ, ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଆଜି ଏହି ରାତିରେ କୁକୁଡ଼ା ଦ୍ଵିତୀୟ ଥର ଡାକିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ଵୀକାର କରିବ ।
31. କିନ୍ତୁ ସେ ଅତି ଦୃଢ଼ ରୂପେ କହିବାକୁ ଲାଗିଲେ, ଯଦି ମୋତେ ଆପଣଙ୍କ ସାଙ୍ଗରେ ମରିବାକୁ ହୁଏ, ତଥାପି ମୁଁ ଆପଣଙ୍କୁ କେବେ ହେଁ ଅସ୍ଵୀକାର କରିବି ନାହିଁ । ପୁଣି, ସମସ୍ତେ ମଧ୍ୟ ସେହିପ୍ରକାର କହିଲେ ।
32. ପରେ ସେମାନେ ଗେଥ୍ଶିମାନୀ ନାମକ ଗୋଟିଏ ସ୍ଥାନକୁ ଆସିଲେ, ଆଉ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, ମୁଁ ପ୍ରାର୍ଥନା କରୁଥିବା ପର୍ଯ୍ୟନ୍ତ ତୁମ୍ଭେମାନେ ଏଠାରେ ବସିଥାଅ ।
33. ପୁଣି, ସେ ପିତର, ଯାକୁବ ଓ ଯୋହନଙ୍କୁ ସାଙ୍ଗରେ ଘେନି ଅତ୍ୟ; ବିସ୍ମୟାନ୍ଵିତ ଓ ବ୍ୟଥିତ ହେବାକୁ ଲାଗିଲେ ।
34. ସେଥିରେ ଯୀଶୁ ସେମାନଙ୍କୁ କହିଲେ, ମୋହର ପ୍ରାଣ ମୃତ୍ୟୁଭୋଗ କରିବା ପରି ଅତ୍ୟ; ଶୋକାକୁଳ ହେଉଅଛି; ତୁମ୍ଭେମାନେ ଏଠାରେ ରହି ଜାଗିଥାଅ ।
35. ପୁଣି, ସେ ଅଳ୍ପ ଦୂର ଆଗକୁ ଯାଇ ଭୂମିରେ ପଡ଼ି, ଯଦି ହୋଇ ପାରେ, ସେହି ସମୟ ତାହାଙ୍କଠାରୁ ଯେପରି ଦୂର ହୁଏ, ଏଥିନିମନ୍ତେ ପ୍ରାର୍ଥନା କରିବାକୁ ଲାଗିଲେ ।
36. ଆଉ, ଯୀଶୁ କହିଲେ, ଆବ୍ବା, ପିତଃ, ସମସ୍ତ ତୁମ୍ଭର ସାଧ୍ୟ; ଏହି ପାନପାତ୍ର ମୋʼଠାରୁ ଦୂର କର; ତଥାପି ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା ।
37. ପୁଣି, ଯୀଶୁ ଆସି ସେମାନଙ୍କୁ ନିଦ୍ରିତ ଦେଖିଲେ ଓ ପିତରଙ୍କୁ କହିଲେ, ଶିମୋନ, ତୁମ୍ଭେ କଅଣ ଶୋଇପଡ଼ିଲ? ଦଣ୍ତେ ହେଲେ ଜାଗି ପାରିଲ ନାହିଁ?
38. ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ଜାଗିରହି ପ୍ରାର୍ଥନା କର; ଆତ୍ମା ଇଚ୍ଛୁକ ସତ୍ୟ, ମାତ୍ର ଶରୀର ଦୁର୍ବଳ ।
39. ସେ ପୁନର୍ବାର ଯାଇ ପୂର୍ବ ପରି କଥା କହି ପ୍ରାର୍ଥନା କଲେ ।
40. ପୁନଶ୍ଚ, ସେ ଆସି ସେମାନଙ୍କୁ ନିଦ୍ରିତ ଦେଖିଲେ, କାରଣ ସେମାନଙ୍କ ଆଖି ମାଡ଼ିପଡ଼ୁଥିଲା, ଆଉ ସେମାନେ ତାହାଙ୍କୁ କି ଉତ୍ତର ଦେବେ, ତାହା ଜାଣି ନ ଥିଲେ ।
41. ଯୀଶୁ ତୃତୀୟ ଥର ଆସି ସେମାନଙ୍କୁ କହିଲେ, ଅଳ୍ପ କ୍ଷଣ ଶୟନ କରି ବିଶ୍ରାମ କର; ଯଥେଷ୍ଟ ହେଲାଣି; ସେହି ସମୟ ଉପସ୍ଥିତ; ଦେଖ, ମନୁଷ୍ୟପୁତ୍ର ପାପୀମାନଙ୍କ ହସ୍ତରେ ସମର୍ପିତ ହେଉଅଛନ୍ତି ।
42. ଉଠ, ଆମ୍ଭେମାନେ ଯିବା; ଦେଖ, ଯେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରୁଅଛି, ସେ ନିକଟବର୍ତ୍ତୀ ।
43. ଆଉ ତତ୍କ୍ଷଣାତ୍, ସେ କଥା କହୁଥିବା ସମୟରେ, ଦ୍ଵାଦଶଙ୍କ ମଧ୍ୟରୁ ଯିହୂଦା ନାମକ ଜଣେ ଏବଂ ତାହା ସହିତ ପ୍ରଧାନ ଯାଜକ, ଶାସ୍ତ୍ରୀ ଓ ପ୍ରାଚୀବର୍ଗଙ୍କଠାରୁ ଲୋକସମୂହ ଖଡ଼୍ଗ ଓ ଯଷ୍ଟି ଧରି ଆସିଲେ ।
44. ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣକାରୀ ସେମାନଙ୍କୁ ଏହି ସଙ୍କେତ ଦେଇ କହିଥିଲା, ମୁଁ ଯାହାଙ୍କୁ ଚୁମ୍ଵନ କରିବି, ସେ ସେହି; ତାହାଙ୍କୁ ଧରି ସାବଧାନରେ ଘେନିଯିବ ।
45. ଏଣୁ ସେ ସେହିକ୍ଷଣି ତାହାଙ୍କ ପାଖକୁ ଯାଇ, ହେ ଗୁରୁ ବୋଲି କହି ତାହାଙ୍କୁ ବହୁତ ଚୁମ୍ଵନ କଲା ।
46. ସେଥିରେ ସେମାନେ ତାହାଙ୍କ ଉପରେ ହାତ ପକାଇ ତାହାଙ୍କୁ ଧରିଲେ ।
47. କିନ୍ତୁ ପାଖରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ ଜଣେ ଖଣ୍ତା ବାହାର କଲେ ଏବଂ ମହାଯାଜକଙ୍କ ଦାସକୁ ଆଘାତ କରି ତାହାର କାନ କାଟି ପକାଇଲେ ।
48. ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ଡକାଇତ ବିରୁଦ୍ଧରେ ବାହାରିବା ପରି ଖଣ୍ତା ଓ ଠେଙ୍ଗା ଘେନି ତୁମ୍ଭେମାନେ କଅଣ ମୋତେ ଧରିବାକୁ ଆସିଲ?
49. ମୁଁ ପ୍ରତିଦିନ ତୁମ୍ଭମାନଙ୍କ ସହିତ ମନ୍ଦିରରେ ଥାଇ ଶିକ୍ଷା ଦେଉଥିଲି, କିନ୍ତୁ ତୁମ୍ଭେମାନେ ମୋତେ ଧରିଲ ନାହିଁ; ମାତ୍ର ଧର୍ମଶାସ୍ତ୍ରର ବାକ୍ୟସମୂହ ଯେପରି ସଫଳ ହୁଏ, ସେଥିନିମନ୍ତେ ଏହିସମସ୍ତ ଘଟୁଅଛି ।
50. ସେତେବେଳେ ସମସ୍ତେ ତାହାଙ୍କୁ ଛାଡ଼ି ପଳାଇଗଲେ ।
51. କିନ୍ତୁ ଜଣେ ଯୁବା ଫୁଙ୍ଗା ଦେହରେ ଖଣ୍ତେ ସରୁ ଚାଦର ଘୋଡ଼ାଇ ହୋଇ ତାହାଙ୍କ ପଛେ ପଛେ ଯାଉଥିଲା; ସେମାନେ ତାହାକୁ ଧରିଲେ,
52. ମାତ୍ର ସେ ସେହି ସରୁ ଚାଦର ଖଣ୍ତିକ ଛାଡ଼ିଦେଇ ଫୁଙ୍ଗା ଦେହରେ ପଳାଇଗଲା ।
53. ପରେ ସେମାନେ ଯୀଶୁଙ୍କୁ ମହାଯାଜକଙ୍କ ନିକଟକୁ ଘେନିଗଲେ, ପୁଣି ପ୍ରଧାନ ଯାଜକ, ପ୍ରାଚୀନ ଓ ଶାସ୍ତ୍ରୀମାନେ ସମସ୍ତେ ଆସି ଏକତ୍ର ହେଲେ ।
54. ପିତର ଦୂରରେ ରହି ତାହାଙ୍କ ପଛେ ପଛେ ମହାଯାଜକଙ୍କ ପ୍ରାଙ୍ଗଣ ଭିତରକୁ ଗଲେ ଓ ପଦାତିକମାନଙ୍କ ସହିତ ବସି ନିଆଁ ପୁଆଁଉଥିଲେ ।
55. ଇତିମଧ୍ୟରେ ପ୍ରଧାନ ଯାଜକମାନେ ଓ ସମସ୍ତ ମହାସଭା ଯୀଶୁଙ୍କୁ ବଧ କରିବା ନିମନ୍ତେ ତାହାଙ୍କ ବିରୁଦ୍ଧରେ ସାକ୍ଷ୍ୟ ଅନ୍ଵେଷଣ କରିବାକୁ ଲାଗିଲେ, କିନ୍ତୁ ପାଇଲେ ନାହିଁ;
56. କାରଣ ଅନେକେ ତାହାଙ୍କ ବିରୁଦ୍ଧରେ ମିଥ୍ୟାସାକ୍ଷ୍ୟ ଦେଲେ ହେଁ ସେମାନଙ୍କର ସାକ୍ଷ୍ୟ ମିଶିଲା ନାହିଁ ।
57. ପରେ କେତେକ ଲୋକ ଉଠି ତାହାଙ୍କ ବିରୁଦ୍ଧରେ ମିଥ୍ୟାସାକ୍ଷ୍ୟ ଦେଇ କହିବାକୁ ଲାଗିଲେ,
58. ଆମ୍ଭେମାନେ ଏହାକୁ ଏହି କଥା କହିବା ଶୁଣିଅଛୁ, ମୁଁ ଏହି ହସ୍ତକୃତ ମନ୍ଦିରକୁ ଭାଙ୍ଗି ତିନି ଦିନ ମଧ୍ୟରେ ଆଉ ଗୋଟିଏ ଅହସ୍ତକୃତ ମନ୍ଦିର ନିର୍ମାଣ କରିବି ।
59. କିନ୍ତୁ ଏଥିରେ ମଧ୍ୟ ସେମାନଙ୍କର ସାକ୍ଷ୍ୟ ମିଶିଲା ନାହିଁ ।
60. ତହିଁରେ ମହାଯାଜକ ମଧ୍ୟସ୍ଥଳରେ ଠିଆ ହୋଇ ଯୀଶୁଙ୍କୁ ପଚାରିଲେ, ତୁମ୍ଭ ବିରୁଦ୍ଧରେ ଏମାନେ ଏ ଯେଉଁ ସାକ୍ଷ୍ୟ ଦେଉଅଛନ୍ତି, ସେଥିର କିଛି ଉତ୍ତର ଦେଉ ନାହଁ?
61. କିନ୍ତୁ ସେ ମୌନ ହୋଇ ରହି କୌଣସି ଉତ୍ତର ଦେଲେ ନାହିଁ । ମହାଯାଜକ ପୁନର୍ବାର ତାହାଙ୍କୁ ପଚାରିଲେ, ତୁମ୍ଭେ କି ମଙ୍ଗଳମୟଙ୍କ ପୁତ୍ର ଖ୍ରୀଷ୍ଟ?
62. ଯୀଶୁ କହିଲେ, ମୁଁ ସେହି; ପୁଣି, ଆପଣମାନେ ମନୁଷ୍ୟପୁତ୍ରଙ୍କୁ ପରାକ୍ରମଙ୍କ ଦକ୍ଷିଣ ପାର୍ଶ୍ଵରେ ଉପବିଷ୍ଟ ଓ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ ।
63. ସେଥିରେ ମହାଯାଜକ ଆପଣା ଅଙ୍ଗରଖା ଚିରି କହିଲେ, ସାକ୍ଷୀରେ ଆମ୍ଭମାନଙ୍କର ଆଉ କଅଣ ପ୍ରୟୋଜନ?
64. ଆପଣମାନେ ତ ଈଶ୍ଵରନିନ୍ଦା ଶୁଣିଲେ; ଆପଣମାନଙ୍କର ବିଚାର କଅଣ? ଏଥିରେ ସେମାନେ ସମସ୍ତେ ସେ ପ୍ରାଣ୍ତଦଣ୍ତର ଯୋଗ୍ୟ ବୋଲି ମତ ଦେଲେ ।
65. ପୁଣି, କେହି କେହି ତାହାଙ୍କ ଉପରେ ଛେପ ପକାଇବାକୁ ଲାଗିଲେ ଓ ତାହାଙ୍କ ମୁହଁ ଘୋଡ଼ାଇ ତାହାଙ୍କୁ ବିଧା ମାରି କହିବାକୁ ଲାଗିଲେ, ତୁ ପରା ଭାବବାଦୀ! ପ୍ରମାଣ ଦେ । ଆଉ, ପଦାତିକମାନେ ଚାପୁଡ଼ା ମାରୁ ମାରୁ ତାହାଙ୍କୁ ଧରି ଘେନିଗଲେ ।
66. ଇତିମଧ୍ୟରେ ପିତର ତଳେ ପ୍ରାଙ୍ଗଣରେ ଥିବା ସମୟରେ ମହାଯାଜକଙ୍କର ଜଣେ ଦାସୀ ଆସି ପିତରଙ୍କୁ ନିଆଁ ପୁଆଁଉଥିବା ଦେଖିଲା,
67. ଆଉ ତାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲା, ତୁମ୍ଭେ ମଧ୍ୟ ନାଜରିତୀୟ ଯୀଶୁଙ୍କ ସାଙ୍ଗରେ ଥିଲ ।
68. କିନ୍ତୁ ସେ ଅସ୍ଵୀକାର କରି କହିଲେ, ମୁଁ ତାକୁ ଜାଣେ ନାହିଁ, ଆଉ ତୁମ୍ଭେ କଅଣ କହୁଛ, ମୁଁ ବୁଝୁ ନାହିଁ । ପରେ ସେ ଦାଣ୍ତଦୁଆରକୁ ବାହାରିଗଲେ;
69. ପୁଣି, ସେହି ଦାସୀ ତାଙ୍କୁ ଦେଖି ପାଖରେ ଠିଆ ହୋଇଥିବା ଲୋକମାନଙ୍କୁ ଆଉ ଥରେ କହିବାକୁ ଲାଗିଲା, ଏ ସେମାନଙ୍କ ମଧ୍ୟରୁ ଜଣେ ।
70. କିନ୍ତୁ ସେ ପୁନର୍ବାର ଅସ୍ଵୀକାର କରିବାକୁ ଲାଗିଲେ । ପୁନଶ୍ଚ, ଅଳ୍ପ ସମୟ ପରେ ପାଖରେ ଠିଆ ହୋଇଥିବା ଲୋକମାନେ ପିତରଙ୍କୁ କହିଲେ, ତୁମ୍ଭେ ନିଶ୍ଚୟ ସେମାନଙ୍କ ମଧ୍ୟରୁ ଜଣେ, କାରଣ ତୁମ୍ଭେ ତ ଗାଲିଲୀୟ ଲୋକ ।
71. କିନ୍ତୁ ସେ ଅଭିଶାପ ଦେଇ ଓ ରାଣ ପକାଇ କହିବାକୁ ଲାଗିଲେ, ତୁମ୍ଭେମାନେ ଯେଉଁ ଲୋକର କଥା କହୁଛ, ମୁଁ ତାକୁ ଜାଣେ ନାହିଁ ।
72. ସେହିକ୍ଷଣି କୁକୁଡ଼ା ଦ୍ଵିତୀୟ ଥର ଡାକିଲା । ଏଥିରେ, କୁକୁଡ଼ା ଦ୍ଵିତୀୟ ଥର ଡାକିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ଵୀକାର କରିବ, ଏହି ଯେଉଁ କଥା ଯୀଶୁ ପିତରଙ୍କୁ କହିଥିଲେ, ତାହା ତାଙ୍କ ମନରେ ପଡ଼ିଲା, ଆଉ ସେ ସେହି କଥା ଭାବି ରୋଦନ କରିବାକୁ ଲାଗିଲେ ।