1. ଆରମ୍ଭାବଧି ଯେଉଁମାନେ ଚାକ୍ଷୁଷ ସାକ୍ଷୀ ଓ ବାକ୍ୟର ପରିଚାରକ, ସେମାନେ ଆମ୍ଭମାନଙ୍କୁ ସମର୍ପଣ କରିବା ଅନୁସାରେ,
2. ଆମ୍ଭମାନଙ୍କ ମଧ୍ୟରେ ସାଧିତ ଘଟଣାବଳୀର ବିବରଣ ଅନେକେ ଶୃଙ୍ଗଳିତ ରୂପେ ଲିପିବଦ୍ଧ କରିବାକୁ ପ୍ରବୃତ୍ତ ହୋଇଅଛନ୍ତି ।
3. ଅତଏବ, ହେ ମାନ୍ୟବର ଥୀୟଫିଲ, ଆଦ୍ୟରୁ ସମସ୍ତ ବିଷୟ ସୂକ୍ଷ୍ମ ରୂପେ ଅନୁସନ୍ଧାନ କରି ସେଥିର ଧାରାବାହିକ ବିବରଣ ଆପଣଙ୍କ ନିମନ୍ତେ ଲେଖିବାକୁ ମୁଁ ମଧ୍ୟ ବିହିତ ମନେ କଲି,
4. ଯେପରି ଆପଣ ଯେସମସ୍ତ ବିଷୟ ଶିକ୍ଷା ପ୍ରାପ୍ତ ହୋଇଅଛନ୍ତି, ସେସବୁର ନିଶ୍ଚୟତା ଜ୍ଞାତ ହୋଇ ପାରନ୍ତି ।
5. ଯିହୁଦା ଦେଶର ରାଜା ହେରୋଦଙ୍କ ସମୟରେ ଅବିୟଙ୍କ ଦଳର ଜିଖରୀୟ ନାମକ ଜଣେ ଯାଜକ ଥିଲେ; ତାଙ୍କ ଭାର୍ଯ୍ୟା ହାରୋଣ ବଂଶର କନ୍ୟା, ତାଙ୍କର ନାମ ଏଲୀଶାବେଥ ।
6. ସେମାନେ ଉଭୟେ ପ୍ରଭୁଙ୍କର ସମସ୍ତ ଆଜ୍ଞା ଓ ବିଧି ଅନୁସାରେ ନିର୍ଦ୍ଦୋଷ ରୂପେ ଆଚରଣ କରି ଈଶ୍ଵରଙ୍କ ଦୃଷ୍ଟିରେ ଧାର୍ମିକ ଥିଲେ ।
7. କିନ୍ତୁ ସେମାନଙ୍କର ସନ୍ତାନ ନ ଥିଲା, କାରଣ ଏଲୀଶାବେଥ ବନ୍ଧ୍ୟା ଥିଲେ, ପୁଣି ଉଭୟଙ୍କ ବୟସ ଅଧିକ ହୋଇଯାଇଥିଲା ।
8. ସେ ଆପଣା ଦଳର ପାଳି ଅନୁସାରେ ଈଶ୍ଵରଙ୍କ ଛାମୁରେ ଯାଜକ କାର୍ଯ୍ୟ କରୁଥିବା ସମୟରେ,
9. ଯାଜକୀୟ କାର୍ଯ୍ୟର ରୀତି ଅନୁଯାୟୀ ଗୁଲିବାଣ୍ଟ ଦ୍ଵାରା ତାଙ୍କୁ ପ୍ରଭୁଙ୍କ ମନ୍ଦିରରେ ପ୍ରବେଶ କରି ଧୂପ ଦେବାକୁ ପଡ଼ିଲା,
10. ଆଉ ଧୂପ ଦେବା ସମୟରେ ସମସ୍ତ ଜନତା ବାହାରେ ପ୍ରାର୍ଥନା କରୁଥିଲେ ।
11. ସେତେବେଳେ ପ୍ରଭୁଙ୍କର ଜଣେ ଦୂତ ଧୂପବେଦିର ଦକ୍ଷିଣ ପାର୍ଶ୍ଵରେ ଦଣ୍ତାୟମାନ ହୋଇ ତାଙ୍କୁ ଦର୍ଶନ ଦେଲେ ।
12. ଜିଖରୀୟ ତାଙ୍କୁ ଦେଖି ଉଦ୍ବିଗ୍ନ ଓ ଭୟଗ୍ରସ୍ତ ହେଲେ ।
13. କିନ୍ତୁ ଦୂତ ତାଙ୍କୁ କହିଲେ, ଜିଖରୀୟ, ଭୟ କର ନାହିଁ, କାରଣ ତୁମ୍ଭର ନିବେଦନ ଶୁଣାଯାଇଅଛି, ଆଉ ତୁମ୍ଭର ଭାର୍ଯ୍ୟା ଏଲୀଶାବେଥ ତୁମ୍ଭ ନିମନ୍ତେ ଗୋଟିଏ ପୁତ୍ର ପ୍ରସବ କରିବେ, ପୁଣି ତୁମ୍ଭେ ତାହାର ନାମ ଯୋହନ ଦେବ ।
14. ସେ ତୁମ୍ଭର ଆନନ୍ଦ ଓ ଉଲ୍ଲାସର କାରଣ ହେବ, ପୁଣି ଅନେକେ ତାହାର ଜନ୍ମରେ ଆନନ୍ଦ କରିବେ ।
15. ଯେଣୁ ସେ ପ୍ରଭୁଙ୍କ ଛାମୁରେ ମହାନ ହେବ; ସେ ଦ୍ରାକ୍ଷାରସ କି ସୁରା କେବେ ହେଁ ପାନ କରିବ ନାହିଁ, ପୁଣି ମାତାର ଉଦରରୁ ସୁଦ୍ଧା ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବ,
16. ଆଉ ସେ ଇସ୍ରାଏଲ-ସନ୍ତାନମାନଙ୍କ ମଧ୍ୟରୁ ଅନେକଙ୍କୁ ପ୍ରଭୁ ସେମାନଙ୍କ ଈଶ୍ଵରଙ୍କ ପ୍ରତି ଫେରାଇବ ।
17. ପିତାମାନଙ୍କ ହୃଦୟ ସନ୍ତାନମାନଙ୍କ ପ୍ରତି ଓ ଅବାଧ୍ୟମାନଙ୍କୁ ଧାର୍ମିକମାନଙ୍କ ଜ୍ଞାନରେ ଆଚରଣ କରିବା ନିମନ୍ତେ ଫେରାଇବାକୁ ଏବଂ ପ୍ରଭୁଙ୍କ ସକାଶେ ସୁସଜ୍ଜିତ ଗୋଟିଏ ପ୍ରଜାମଣ୍ତଳୀ ପ୍ରସ୍ତୁତ କରିବାକୁ ସେ ଏଲୀୟଙ୍କ ଆତ୍ମା ଓ ଶକ୍ତିରେ ତାହାଙ୍କ ଆଗରେ ଗମନ କରିବ ।
18. ଏଥିରେ ଜିଖରୀୟ ଦୂତଙ୍କୁ କହିଲେ, ମୁଁ କେଉଁ ଚିହ୍ନ ଦ୍ଵାରା ଏହା ଜାଣିବି? କାରଣ ମୁଁ ତ ବୃଦ୍ଧ, ପୁଣି ମୋହର ଭାର୍ଯ୍ୟାଙ୍କ ବୟସ ଅଧିକ ହେଲାଣି ।
19. ଦୂତ ତାଙ୍କୁ ଉତ୍ତର ଦେଲେ, ମୁଁ ଗାବ୍ରିଏଲ, ମୁଁ ଈଶ୍ଵରଙ୍କ ସାକ୍ଷାତରେ ଉଭା ହୋଇଥାଏ, ଆଉ ତୁମ୍ଭକୁ କହିବାକୁ ଓ ଏହି ସୁସମାଚାର ଜଣାଇବାକୁ ମୁଁ ପ୍ରେରିତ ହୋଇଅଛି ।
20. ଦେଖ, ଏହିସମସ୍ତ ନ ଘଟିବା ଦିନ ପର୍ଯ୍ୟନ୍ତ ତୁମ୍ଭେ ନୀରବ ରହି କଥା କହି ପାରିବ ନାହିଁ, କାରଣ ମୋହର ଯେଉଁସବୁ ବାକ୍ୟ ଯଥା ସମୟରେ ସଫଳ ହେବ, ସେହିସବୁ ତୁମ୍ଭେ ବିଶ୍ଵାସ କଲ ନାହିଁ ।
21. ଇତିମଧ୍ୟରେ ଲୋକମାନେ ଜିଖରୀୟଙ୍କ ଅପେକ୍ଷାରେ ଥିଲେ, ଆଉ ମନ୍ଦିରରେ ତାଙ୍କର ବିଳମ୍ଵ ଘଟିବାରେ ସେମାନେ ଚମତ୍କୃତ ହେଉଥିଲେ ।
22. କିନ୍ତୁ ସେ ବାହାରିଆସି ସେମାନଙ୍କୁ କଥା କହି ପାରିଲେ ନାହିଁ; ଏଥିରେ ସେ ମନ୍ଦିରରେ ଦର୍ଶନ ପାଇଅଛନ୍ତି ବୋଲି ସେମାନେ ବୁଝିଲେ, ଆଉ ସେ ସେମାନଙ୍କୁ ସଙ୍କେତ କରିବାକୁ ଲାଗିଲେ ଓ ମୂକ ହୋଇ ରହିଲେ ।
23. ପରେ ତାଙ୍କ ସେବାପାଳିର ଦିନସବୁ ଶେଷ ହୁଅନ୍ତେ, ସେ ଆପଣା ଗୃହକୁ ପ୍ରସ୍ଥାନ କଲେ ।
24. ଏଥିଉତ୍ତାରେ ତାଙ୍କ ଭାର୍ଯ୍ୟା ଏଲୀଶାବେଥ ଗର୍ଭବତୀ ହେଲେ, ଆଉ ସେ ପାଞ୍ଚ ମାସ ଗୋପନରେ ରହି କହିଲେ,
25. ଲୋକମାନଙ୍କ ମଧ୍ୟରେ ମୋହର ଅପମାନ ଦୂର କରିବା ନିମନ୍ତେ ପ୍ରଭୁ କୃପାଦୃଷ୍ଟି କରି ମୋʼ ପ୍ରତି ଏପରି କରିଅଛନ୍ତି ।
26. ପରେ ଷଷ୍ଠ ମାସରେ ଗାବ୍ରିଏଲ ଦୂତ ଈଶ୍ଵରଙ୍କ ନିକଟରୁ ଗାଲିଲୀର ନାଜରିତ ନାମକ ନଗରକୁ ଜଣେ କନ୍ୟା ନିକଟକୁ ପ୍ରେରିତ ହେଲେ;
27. ଦାଉଦଙ୍କ ବଂଶର ଯୋଷେଫ ନାମକ ଜଣେ ପୁରୁଷଙ୍କ ସହିତ ତାଙ୍କର ବିବାହ ନିର୍ବନ୍ଧ ହୋଇଥିଲା; ସେହି କନ୍ୟାଙ୍କ ନାମ ମରୀୟମ ।
28. ସେ ଗୃହରେ ପ୍ରବେଶ କରି ତାଙ୍କ ନିକଟକୁ ଆସି କହିଲେ, ଆଗୋ ଅନୁଗ୍ରହପାତ୍ରୀ, ତୁମ୍ଭର ମଙ୍ଗଳ ହେଉ, ପ୍ରଭୁ ତୁମ୍ଭର ସହବର୍ତ୍ତୀ ।
29. କିନ୍ତୁ ସେ ଏହି ବାକ୍ୟରେ ଅତିଶୟ ଉଦ୍ବିଗ୍ନ ହୋଇ ଏହା କିପ୍ରକାର ସମ୍ଭାଷଣ ବୋଲି ମନରେ ଆନ୍ଦୋଳନ କରିବାକୁ ଲାଗିଲେ ।
30. ସେଥିରେ ଦୂତ ତାଙ୍କୁ କହିଲେ, ଆଗୋ ମରୀୟମ, ଭୟ କର ନାହିଁ, କାରଣ ତୁମ୍ଭେ ଈଶ୍ଵରଙ୍କ ଛାମୁରେ ଅନୁଗ୍ରହ ପ୍ରାପ୍ତ ହୋଇଅଛ ।
31. ଆଉ ଦେଖ, ତୁମ୍ଭେ ଗର୍ଭଧାରଣ କରି ଗୋଟିଏ ପୁତ୍ର ପ୍ରସବ କରିବ ଓ ତାହାଙ୍କ ନାମ ଯୀଶୁ ଦେବ ।
32. ସେ ମହାନ ହେବେ ଓ ପରାତ୍ପରଙ୍କ ପୁତ୍ର ବୋଲି ଖ୍ୟାତ ହେବେ; ପ୍ରଭୁ ଈଶ୍ଵର ତାହାଙ୍କୁ ତାହାଙ୍କ ପିତା ଦାଉଦଙ୍କ ସିଂହାସନ ଦାନ କରିବେ,
33. ସେ ଯାକୁବବଂଶ ଉପରେ ଯୁଗେ ଯୁଗେ ରାଜତ୍ଵ କରବେ, ପୁଣି ତାହାଙ୍କ ରାଜ୍ୟର ଶେଷ ହେବ ନାହିଁ ।
34. କିନ୍ତୁ ମରୀୟମ ଦୂତଙ୍କୁ କହିଲେ, ଏହା କିପରି ହେବ? ମୁଁ ତ ପୁରୁଷକୁ ଜାଣେ ନାହିଁ ।
35. ଦୂତ ତାଙ୍କୁ ଉତ୍ତର ଦେଲେ, ପବିତ୍ର ଆତ୍ମା ତୁମ୍ଭ ଉପରେ ଅବତରଣ କରିବେ ଓ ପରାତ୍ପରଙ୍କ ଶକ୍ତି ତୁମ୍ଭକୁ ଆବୋରିବ, ଏଣୁ ଯେ ଜାତ ହେବେ, ସେ ପବିତ୍ର ଓ ଈଶ୍ଵରଙ୍କ ପୁତ୍ର ବୋଲି ଖ୍ୟାତ ହେବେ ।
36. ପୁଣି ଦେଖ, ତୁମ୍ଭର ଆତ୍ମୀୟା ଏଲୀଶାବେଥ ମଧ୍ୟ ବୃଦ୍ଧା ବୟସରେ ଗୋଟିଏ ପୁତ୍ର ଗର୍ଭରେ ଧାରଣ କରିଅଛନ୍ତି । ଯେ ବନ୍ଧ୍ୟା ବୋଲି ଖ୍ୟାତ, ତାଙ୍କର ଏବେ ଷଷ୍ଠ ମାସ ହେଲାଣି;
37. କାରଣ ଈଶ୍ଵରଙ୍କଠାରୁ ନିର୍ଗତ କୌଣସି ବାକ୍ୟ ଶକ୍ତିହୀନ ହେବ ନାହିଁ ।
38. ଏଥିରେ ମରୀୟମ କହିଲେ, ଦେଖନ୍ତୁ, ମୁଁ ପ୍ରଭୁଙ୍କ ଦାସୀ; ଆପଣଙ୍କ ବାକ୍ୟାନୁସାରେ ମୋʼ ପ୍ରତି ଘଟୁ । ତାହା ପରେ ଦୂତ ତାଙ୍କ ନିକଟରୁ ପ୍ରସ୍ଥାନ କଲେ ।
39. ଏହି ସମୟରେ ମରୀୟମ ଉଠି ପାର୍ବତୀୟ ଅଞ୍ଚଳସ୍ଥ ଯିହୁଦା ପ୍ରଦେଶର ଗୋଟିଏ ନଗରକୁଶୀଘ୍ର ଗମନ କଲେ,
40. ପୁଣି ଜିଖରୀୟଙ୍କ ଗୃହରେ ପ୍ରବେଶ କରି ଏଲୀଶାବେଥଙ୍କୁ ନମସ୍କାର କଲେ ।
41. ଆଉ, ଏଲୀଶାବେଥ ମରୀୟମଙ୍କ ନମସ୍କାର ଶୁଣିବାମାତ୍ରେ ଶିଶୁଟି ତାଙ୍କ ଗର୍ଭରେ ନାଚି ଉଠିଲା, ପୁଣି ଏଲୀଶାବେଥ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ
42. ଅତି ଉଚ୍ଚ ସ୍ଵରରେ କହିଲେ, ନାରୀମାନଙ୍କ ମଧ୍ୟରେ ତୁମ୍ଭେ ଧନ୍ୟ, ପୁଣି ଧନ୍ୟ ତୁମ୍ଭ ଗର୍ଭର ଫଳ ।
43. ଆଉ, ମୋʼ ପ୍ରଭୁଙ୍କର ମାତା ଯେ ମୋʼ ନିକଟକୁ ଆସିବେ, ମୋହର ଏହି ଉତ୍ତମତା କେଉଁଠାରୁ ହେଲା?
44. କାରଣ ଦେଖ, ତୁମ୍ଭ ସମ୍ଭାଷଣର ସ୍ଵର ମୋʼ କର୍ଣ୍ଣରେ ପ୍ରବେଶ କରିବାମାତ୍ରେ ଶିଶୁଟି ମୋʼ ଗର୍ଭରେ ଉଲ୍ଲାସରେ ନାଚି ଉଠିଲା ।
45. ଯେ ବିଶ୍ଵାସ କଲେ, ସେ ଧନ୍ୟ, କାରଣ ପ୍ରଭୁଙ୍କଠାରୁ ତାଙ୍କୁ ଯାହା ଯାହା କୁହାଯାଇଅଛି, ସେହିସବୁ ସଫଳ ହେବ ।
46. ଏଥିରେ ମରୀୟମ କହିଲେ, ମୋହର ପ୍ରାଣ ପ୍ରଭୁଙ୍କର ପ୍ରଶଂସା କରୁଅଛି,
47. ପୁଣି ମୋହର ଆତ୍ମା ମୋʼ ତ୍ରାଣକର୍ତ୍ତା ଈଶ୍ଵରଙ୍କଠାରେ ଉଲ୍ଲସିତ ହୋଇଅଛି;
48. କାରଣ ସେ ଆପଣା ଦାସୀର ଦୀନାବସ୍ଥା ପ୍ରତି ଦୃଷ୍ଟିପାତ କରିଅଛନ୍ତି । ଆଉ ଦେଖ, ଅଦ୍ୟାବଧି ପୁରୁଷାନୁକ୍ରମେ ସମସ୍ତେ ମୋତେ ଧନ୍ୟ ବୋଲି କହିବେ,
49. କାରଣ ଯେ ଶକ୍ତିମାନ, ସେ ମୋʼ ପ୍ରତି ମହତ କର୍ମ କରିଅଛନ୍ତି; ତାହାଙ୍କର ନାମ ପବିତ୍ର,
50. ଆଉ ତାହାଙ୍କ ଭୟକାରୀମାନଙ୍କ ପ୍ରତି ତାହାଙ୍କ ଦୟା ପୁରୁଷାନୁକ୍ରମେ ଥାଏ ।
51. ସେ ଆପଣା ବାହୁରେ ପରାକ୍ରମ ପ୍ରକାଶ କରିଅଛନ୍ତି, ଅହଂକାରୀମାନଙ୍କୁ ସେମାନଙ୍କ ହୃଦୟର କଳ୍ପନାରେ ଛିନ୍ନଭିନ୍ନ କରିଅଛନ୍ତି;
52. ସେ ବିକ୍ରମୀମାନଙ୍କୁ ସିଂହାସନଚ୍ୟୁତ କରିଅଛନ୍ତି, ଦୀନହୀନମାନଙ୍କୁ ଉନ୍ନତ କରିଅଛନ୍ତି,
53. ସେ କ୍ଷୁଧିତମାନଙ୍କୁ ଉତ୍ତମ ଉତ୍ତମ ଦ୍ରବ୍ୟରେ ତୃପ୍ତ କରିଅଛନ୍ତି, ଧନୀମାନଙ୍କୁ ଶୂନ୍ୟ ହସ୍ତରେ ବିଦାୟ କରିଅଛନ୍ତି ।
54. ଆମ୍ଭମାନଙ୍କ ପିତୃପୁରୁଷଙ୍କ ପ୍ରତି ଉକ୍ତ ତାହାଙ୍କର ବାକ୍ୟାନୁସାରେ ସେ ଅବ୍ରହାମ ଓ ତାଙ୍କ ସନ୍ତାନମାନଙ୍କ ପ୍ରତି,
55. ଯୁଗେ ଯୁଗେ ଦୟା ସ୍ମରଣ କରିବା ନିମନ୍ତେ ଆପଣା ଦାସ ଇସ୍ରାଏଲର ଉପକାର କରିଅଛନ୍ତି ।
56. ଆଉ, ମରୀୟମ ପ୍ରାୟ ତିନି ମାସ ତାଙ୍କ ସହିତ ରହି ଆପଣା ଗୃହକୁ ବାହୁଡ଼ିଗଲେ ।
57. ପରେ ଏଲୀଶାବେଥଙ୍କ ପ୍ରସବକାଳ ଉପସ୍ଥିତ ହୁଅନ୍ତେ, ସେ ଗୋଟିଏ ପୁତ୍ର ପ୍ରସବ କଲେ,
58. ଆଉ ପ୍ରଭୁ ଯେ ତାଙ୍କ ପ୍ରତି ମହା ଦୟା ପ୍ରକାଶ କରିଅଛନ୍ତି, ଏହା ଶୁଣି ତାଙ୍କ ପ୍ରତିବାସୀ ଓ ଆତ୍ମୀୟମାନେ ତାଙ୍କ ସହିତ ଆନନ୍ଦ କରିବାକୁ ଲାଗିଲେ ।
59. ଅଷ୍ଟମ ଦିନରେ ସେମାନେ ଶିଶୁକୁ ସୁନ୍ନତ କରିବାକୁ ଆସିଲେ ଓ ତାହାର ପିତାଙ୍କ ନାମ ଅନୁସାରେ ତାହାର ନାମ ଜିଖରୀୟ ଦେବାକୁ ଇଚ୍ଛା କଲେ ।
60. କିନ୍ତୁ ତାହାର ମାତା ଉତ୍ତର ଦେଲେ, ନାହିଁ, ତାହାର ନାମ ଯୋହନ ହେବ ।
61. ସେମାନେ ତାଙ୍କୁ କହିଲେ, ତୁମ୍ଭର ଆତ୍ମୀୟମାନଙ୍କ ମଧ୍ୟରେ ତ କାହାରି ଏହି ନାମ ନାହିଁ ।
62. ଏଥିରେ ତାହାକୁ କେଉଁ ନାମ ଦିଆଯିବ ବୋଲି ତାହାର ପିତା ଇଚ୍ଛା କରୁଅଛନ୍ତି, ତାହା ସେମାନେ ତାଙ୍କୁ ସଙ୍କେତ କରି ପଚାରିବାକୁ ଲାଗିଲେ ।
63. ତହିଁରେ ସେ ଗୋଟିଏ ଲିପିଫଳକ ମାଗି ଏହା ଲେଖିଲେ, ତାହାର ନାମ ଯୋହନ । ଏଥିରେ ସମସ୍ତେ ଚମତ୍କୃତ ହେଲେ ।
64. ଆଉ, ତତ୍କ୍ଷଣାତ୍ ତାଙ୍କ ମୁଖ ଓ ଜିହ୍ଵା ଫିଟିଗଲା ଏବଂ ସେ କଥା କହି ଈଶ୍ଵରଙ୍କ ସ୍ତବ କରିବାକୁ ଲାଗିଲେ ।
65. ଏଥିରେ ସେମାନଙ୍କ ପ୍ରତିବାସୀସମସ୍ତେ ଭୟଗ୍ରସ୍ତ ହେଲେ, ଆଉ ଏହିସମସ୍ତ କଥା ଯିହୁଦା ପ୍ରଦେଶର ପାର୍ବତୀୟ ଅଞ୍ଚଳର ସବୁଆଡ଼େ ଲୋକେ କୁହାକୋହି ହେଲେ,
66. ପୁଣି ଶୁଣିବା ଲୋକସମସ୍ତେ ସେହିସବୁ ଆପଣା ଆପଣା ହୃଦୟରେ ରଖି କହିଲେ, ଏ ଶିଶୁଟି ତେବେ କଅଣ ହେବ? କାରଣ ପ୍ରଭୁଙ୍କ ହସ୍ତ ତାହାର ସହବର୍ତ୍ତୀ ।
67. ଆଉ, ତାହାର ପିତା ଜିଖରୀୟ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଏହି ଭାବବାଣୀ କହିଲେ,
68. ଧନ୍ୟ ପ୍ରଭୁ, ଇସ୍ରାଏଲର ଈଶ୍ଵର, କାରଣ ସେ କୃପାଦୃଷ୍ଟି କରି ଆପଣା ଲୋକଙ୍କ ନିମନ୍ତେ ମୁକ୍ତି ସାଧନ କରିଅଛନ୍ତି;
69. ସେ ଆପଣା ଦାସ ଦାଉଦଙ୍କ ବଂଶରେ ଆମ୍ଭମାନଙ୍କ ନିମନ୍ତେ ପରିତ୍ରାଣର ଶୃଙ୍ଗ ଉତ୍ଥାପନ କରି
70. ପୁରାକାଳରୁ ଆପଣା ପବିତ୍ର ଭାବବାଦୀମାନଙ୍କ ମୁଖ ଦ୍ଵାରା ଯେପରି କହିଥିଲେ,
71. ସେପରି ଆମ୍ଭମାନଙ୍କ ଶତ୍ରୁମାନଙ୍କଠାରୁ ଓ ଆମ୍ଭମାନଙ୍କ ସମସ୍ତ ଘୃଣାକାରୀଙ୍କ ହସ୍ତରୁ ପରିତ୍ରାଣ ସାଧନ କରିଅଛନ୍ତି,
72. ଯେପରି ସେ ଆମ୍ଭମାନଙ୍କ ପିତୃପୁରୁଷଙ୍କ ପ୍ରତି ଦୟା ବ୍ୟବହାର କରନ୍ତି,
73. ଆମ୍ଭମାନଙ୍କ ପିତା ଅବ୍ରହାମଙ୍କ ନିକଟରେ ଯେଉଁ ଶପଥ କରିଥିଲେ, ଆପଣାର ସେହି ପବିତ୍ର ନିୟମ ସ୍ମରଣ କରନ୍ତି,
74. ପୁଣି ଯେପରି ଶତ୍ରୁହସ୍ତରୁ ଉଦ୍ଧାର ପାଇ ନିର୍ଭୟରେ ଯାବଜ୍ଜୀବନ ତାହାଙ୍କ ଛାମୁରେ,
75. ସାଧୁତା ଓ ଧାର୍ମିକତାରେ ତାହାଙ୍କର ଉପାସନା କରିବା ନିମନ୍ତେ ଆମ୍ଭମାନଙ୍କୁ ଅନୁଗ୍ରହ କରନ୍ତି ।
76. ଆଉ ହେ ଶିଶୁ, ତୁ ମଧ୍ୟ ପରାତ୍ପରଙ୍କ ଭାବବାଦୀ ବୋଲି ଖ୍ୟାତ ହେବୁ;
77. କାରଣ ଅନ୍ଧକାର ଓ ମୃତ୍ୟୁଛାୟାରେ ବସିଥିବା ଲୋକଙ୍କୁ ଆଲୋକ ଦେବା ନିମନ୍ତେ,
78. ପୁଣି ଆମ୍ଭମାନଙ୍କ ପଦ ଶାନ୍ତିପଥକୁ ଆଣିବା ନିମନ୍ତେ ଆମ୍ଭମାନଙ୍କ ଈଶ୍ଵରଙ୍କର ଯେଉଁ ସ୍ନେହପୂର୍ଣ୍ଣ କରୁଣା ହେତୁ ଆମ୍ଭମାନଙ୍କ ପ୍ରତି ଊର୍ଦ୍ଧ୍ଵରୁ ସୂର୍ଯ୍ୟୋଦୟ ହେବ,
79. ସେହି ସ୍ନେହପୂର୍ଣ୍ଣ କରୁଣା ହେତୁ ପ୍ରଭୁଙ୍କ ଲୋକମାନଙ୍କୁ ସେମାନଙ୍କ ପାପମୋଚନ ଦ୍ଵାରା ପରିତ୍ରାଣଜ୍ଞାନ ଦେବା ନିମନ୍ତେ ତୁ ତାହାଙ୍କ ପଥ ପ୍ରସ୍ତୁତ କରିବାକୁ ତାହାଙ୍କର ଅଗ୍ରଗାମୀ ହେବୁ।
80. ପୁଣି, ଶିଶୁ ବୃଦ୍ଧି ପାଇ ଆତ୍ମାରେ ଶକ୍ତିମାନ ହେବାକୁ ଲାଗିଲେ ଏବଂ ଇସ୍ରାଏଲ ନିକଟରେ ପ୍ରକାଶିତ ନ ହେବା ପର୍ଯ୍ୟନ୍ତ ପ୍ରାନ୍ତରରେ ରହିଲେ ।