1. ଅତଏବ, ହେ ମୋହର ବତ୍ସ, ଖ୍ରୀଷ୍ଟ ଯୀଶୁଙ୍କ ପ୍ରଦତ୍ତ ଅନୁଗ୍ରହରେ ବଳବାନ ହୁଅ,
2. ଆଉ ଅନେକ ସାକ୍ଷୀଙ୍କ ସାକ୍ଷାତରେ ଯେଉଁସବୁ ବାକ୍ୟ ମୋʼଠାରୁ ଶୁଣିଅଛ, ଯେଉଁମାନେ ଅନ୍ୟମାନଙ୍କୁ ମଧ୍ୟ ଶିକ୍ଷା ଦେବାକୁ ସମର୍ଥ, ଏପରି ବିଶ୍ଵସ୍ତ ଲୋକମାନଙ୍କ ନିକଟରେ ସେହିସବୁ ଅର୍ପଣ କର ।
3. ଖ୍ରୀଷ୍ଟ ଯୀଶୁଙ୍କର ଜଣେ ଉତ୍ତମ ଯୋଦ୍ଧା ପରି ମୋʼ ସହିତ କ୍ଳେଶ ସହ୍ୟ କର ।
4. କୌଣସି ଲୋକ ସୈନ୍ୟକାର୍ଯ୍ୟ କରି ସଂସାରର ଅନ୍ୟ କାର୍ଯ୍ୟରେ ନିଜକୁ ଆବଦ୍ଧ କରେ ନାହିଁ, ଯେପରି ସୈନ୍ୟପଦରେ ନିଯୋଗକର୍ତ୍ତାଙ୍କୁ ସେ ସନ୍ତୁଷ୍ଟ କରି ପାରେ ।
5. ଆହୁରି ମଧ୍ୟ ଯଦି ଜଣେ ଲୋକ କ୍ରୀଡ଼ାରେ ପ୍ରତିଦ୍ଵନ୍ଦିତା କରେ, ସେ ନିୟମାନୁସାରେ ତାହା ନ କଲେ ମୁକୁଟ ପ୍ରାପ୍ତ ହୁଏ ନାହିଁ ।
6. ଯେଉଁ କୃଷକ ପରିଶ୍ରମ କରେ, ସେ ପ୍ରଥମେ ଫଳର ଅଂଶ ପାଇବା ଉଚିତ ।
7. ମୁଁ ଯାହା କହୁଅଛି, ତାହା ବିବେଚନା କର; ପ୍ରଭୁ ସମସ୍ତ ବିଷୟରେ ତୁମ୍ଭକୁ ବୁଦ୍ଧି ଦେବେ ।
8. ମୋʼ ଦ୍ଵାରା ପ୍ରଚାରିତ ସୁସମାଚାର ଅନୁସାରେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ଓ ଦାଉଦଙ୍କର ବଂଶଜାତ ଯୀଶୁ ଖ୍ରୀଷ୍ଟଙ୍କୁ ସ୍ମରଣ କର ।
9. ସେହି ସୁସମାଚାର ସକାଶେ ମୁଁ ଅପରାଧୀ ପରି ବନ୍ଧନ ପର୍ଯ୍ୟନ୍ତ କ୍ଳେଶ ଭୋଗ କରୁଅଛି; କିନ୍ତୁ ଈଶ୍ଵରଙ୍କ ବାକ୍ୟ ଆବଦ୍ଧ ନୁହେଁ ।
10. ଅତଏବ, ମନୋନୀତ ଲୋକମାନେ ମଧ୍ୟ ଯେପରି ଅନ; ଗୌରବ ସହିତ ଖ୍ରୀଷ୍ଟ ଯୀଶୁଙ୍କ ଦତ୍ତ ପରିତ୍ରାଣ ପ୍ରାପ୍ତ ହୁଅନ୍ତି, ଏଥିପାଇଁ ମୁଁ ସେମାନଙ୍କ ନିମନ୍ତେ ସମସ୍ତ ବିଷୟ ଧୈର୍ଯ୍ୟ ଧରି ସହ୍ୟ କରୁଅଛି ।
11. ଏହି ବାକ୍ୟ ବିଶ୍ଵାସ୍ୟ, ଯଦି ଆମ୍ଭେମାନେ ତାହାଙ୍କ ସହିତ ମୃତ୍ୟୁ ଭୋଗ କରିଅଛୁ, ତେବେ ତାହାଙ୍କ ସହିତ ମଧ୍ୟ ସଜୀବ ହେବା;
12. ଯଦି ଆମ୍ଭେମାନେ ଧୈର୍ଯ୍ୟ ଧରି ସହ୍ୟ କରୁ, ତେବେ ତାହାଙ୍କ ସହିତ ମଧ୍ୟ ରାଜତ୍ଵ କରିବା; ଯଦି ଆମ୍ଭେମାନେ ତାହାଙ୍କୁ ଅସ୍ଵୀକାର କରୁ, ତେବେ ସେ ମଧ୍ୟ ଆମ୍ଭମାନଙ୍କୁ ଅସ୍ଵୀକାର କରିବେ;
13. ଯେବେ ଆମ୍ଭେମାନେ ଅବିଶ୍ଵସ୍ତ ହେଉ, ତେବେ ସୁଦ୍ଧା ସେ ସର୍ବଦା ବିଶ୍ଵସ୍ତ, କାରଣ ସେ ଆପଣାକୁ ଅସ୍ଵୀକାର କରି ପାରନ୍ତି ନାହିଁ ।
14. ଏହି ସମସ୍ତ କଥା ସ୍ମରଣ କରାଇ ଶ୍ରୋତାମାନଙ୍କର ଅହିତକର ଓ ବିନାଶଜନକ ବାଗ୍ଯୁଦ୍ଧ ନ କରିବାକୁ ସେମାନଙ୍କୁ ପ୍ରଭୁଙ୍କ ସାକ୍ଷାତରେ ଦୃଢ଼ ରୂପେ ଆଜ୍ଞା ଦିଅ ।
15. ସତ୍ୟବାକ୍ୟ ଯଥାର୍ଥ ରୂପେ ବ୍ୟବହାର କରି, ଯେଉଁ କାର୍ଯ୍ୟକାରୀର ଲଜ୍ଜା ବୋଧ କରିବା ଆବଶ୍ୟକ ନୁହେଁ, ତାହାର ପରି ଈଶ୍ଵରଙ୍କ ନିକଟରେ ଆପଣାକୁ ପରୀକ୍ଷାସିଦ୍ଧ ଦେଖାଇବାକୁ ଯନି କର ।
16. କିନ୍ତୁ ଅସାର ବକୁଆପଣରୁ ପୃଥକ ରୁହ; କାରଣ ଯେଉଁମାନେ ସେଥିରେ ଲିପ୍ତ ହେବେ, ସେମାନେ ଅଧର୍ମରେ ଅଧିକ ବୃଦ୍ଧି ପାଇବେ,
17. ଆଉ ସେମାନଙ୍କର କଥା ପଚା ଘା ପରି ଖାଇଯିବ ସେମାନଙ୍କ ମଧ୍ୟରେ ହୁମନାୟ ଓ ଫିଲୀତ ଅନ୍ୟତମ;
18. ସେମାନେ ପୁନରୁତ୍ଥାନ ହୋଇଗଲାଣି ବୋଲି କହି ସତ୍ୟଭ୍ରଷ୍ଟ ହୋଇଅଛନ୍ତି, ପୁଣି କେତେକଙ୍କର ବିଶ୍ଵାସ ଓଲଟାଇ ପକାଉଅଛନ୍ତି ।
19. ତଥାପି ଈଶ୍ଵରଙ୍କ ସ୍ଥାପିତ ସୁଦୃଢ଼ ଭିତ୍ତିମୂଳ ଅଟଳ ରହିଅଛି, ଆଉ ତହିଁ ଉପରେ ଏହା ମୁଦ୍ରାଙ୍କିତ ହୋଇଅଛି, “ପ୍ରଭୁ ଆପଣା ଲୋକମାନଙ୍କୁ ଜାଣନ୍ତି, ଆଉ, ଯେକେହି ପ୍ରଭୁଙ୍କର ନାମ ଧରେ, ସେ ଅଧର୍ମରୁ ଦୂରରେ ରହୁ,” ।
20. ଗୋଟିଏ ବଡ଼ ଘରେ ଯେ କେବଳ ସୁନା ଓ ରୂପାର ପାତ୍ର ଥାଏ, ତାହା ନୁହେଁ, ମାତ୍ର କାଠ ଓ ମାଟିର ପାତ୍ର ମଧ୍ୟ ଥାଏ; କେତେକ ସମାଦର ଓ କେତେକ ଅନାଦର ନିମନ୍ତେ ଥାଏ ।
21. ଅତଏବ, ଯଦି କେହି ସେହି ସମସ୍ତଙ୍କଠାରୁ ଆପଣାକୁ ପରିଷ୍କାର କରେ, ତାହାହେଲେ ସେ ପବିତ୍ରୀକୃତ, କର୍ତ୍ତାଙ୍କ ବ୍ୟବହାର ପାଇଁ ଉପଯୁକ୍ତ, ପୁଣି ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ପ୍ରସ୍ତୁତ, ଏପରି ଏକ ସମାଦରର ପାତ୍ର ହେବ ।
22. କିନ୍ତୁ ତୁମ୍ଭେ ଯୌବନ କାଳର ଅଭିଳାଷରୁ ପଳାୟନ କରି, ଯେଉଁମାନେ ଶୁଚି ହୃଦୟରେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତି, ସେମାନଙ୍କ ସହିତ ଧାର୍ମିକତା, ବିଶ୍ଵାସ, ପ୍ରେମ ଓ ଶାନ୍ତିର ଅନୁଗାମୀ ହୁଅ ।
23. ନିର୍ବୋଧ ଓ ବିତଣ୍ତା ବାଦାନୁବାଦ ଯେ ବିରୋଧ ଜନ୍ମାଏ, ଏହା ଜାଣି ସେହିସବୁ ଅଗ୍ରାହ୍ୟ କର ।
24. ପ୍ରଭୁଙ୍କ ଦାସ ବିରୋଧ କରିବା ଉଚିତ ନୁହେଁ, ମାତ୍ର ସମସ୍ତଙ୍କ ପ୍ରତି କୋମଳ, ଶିକ୍ଷାଦାନରେ ନିପୁ ପ୍ର.ତୀମ. ୩:୩; ତୀତ. ୧:୭
25. ଓ ସହିଷ୍ଣୁ ହେବା ଏବଂ ବିରୋଧୀମାନଙ୍କୁ ମୃଦୁ ଭାବରେ ଶାସନ କରିବା ଉଚିତ; ତାହାହେଲେ କେଜାଣି ଈଶ୍ଵର ସେମାନଙ୍କୁ ସତ୍ୟ ସମ୍ଵନ୍ଧରେ ଜ୍ଞାନପ୍ରାପ୍ତ ହେବା ପାଇଁ ମନପରିବର୍ତ୍ତନରୂପ ବର ଦେବେ,
26. ଆଉ, ଯେଉଁ ଶୟତାନ ସେମାନଙ୍କୁ ତାହାର ଇଚ୍ଛା ସାଧନ କରିବା ନିମନ୍ତେ ବନ୍ଦୀ କରିଅଛି, ସଚେତନ ହୋଇ ତାହାର ଫାନ୍ଦରୁ ମୁକ୍ତ ହେବେ ।