1. କିନ୍ତୁ ଏହା ଜାଣିଥାଅ ଯେ, ଶେଷକାଳରେ ଭୀଷଣ ସମୟ ଉପସ୍ଥିତ ହେବ,
2. କାରଣ ଲୋକମାନେ ଆତ୍ମପ୍ରିୟ, ଧନଲୋଭୀ, ଆତ୍ମଗର୍ବୀ, ଅହଂକାରୀ, ନିନ୍ଦକ, ପିତାମାତାଙ୍କର ଅବାଧ୍ୟ,
3. ଅକୃତଜ୍ଞ, ଅପବିତ୍ର, ସ୍ନେହଶୂନ୍ୟ, ଅମିଳନପ୍ରିୟ, ଅପବାଦକ, ଅଜିତେନ୍ଦ୍ରିୟ, ପ୍ରଚଣ୍ତ, ଉତ୍ତମ ବିଷୟର ଘୃଣାକାରୀ,
4. ବିଶ୍ଵାସଘାତକ, ଦୁଃସାହସୀ, ଦାମ୍ଭିକ ହେବେ ଓ ଈଶ୍ଵରପ୍ରିୟ ନ ହୋଇ ବରଂ ବିଳାସପ୍ରିୟ ହେବେ;
5. ସେମାନେ ଭକ୍ତିର ଭେଖ ଧରନ୍ତି, କିନ୍ତୁ ସେଥିର ଶକ୍ତିକୁ ଅସ୍ଵୀକାର କରନ୍ତି; ଏପରି ଲୋକମାନଙ୍କଠାରୁ ଅନ୍ତର ହୁଅ ।
6. କାରଣ ଏମାନଙ୍କ ମଧ୍ୟରେ ଏପରି ଲୋକ ଅଛନ୍ତି, ଯେଉଁମାନେ ଘରେ ଘରେ ପଶି ପାପରେ ଭାରାକ୍ରା; ଓ ବିଭିନ୍ନ କୁଅଭିଳାଷରେ ଚାଳିତ ନିର୍ବୋଧ ସ୍ତ୍ରୀମାନଙ୍କୁ ଆପଣାର ବଶବର୍ତ୍ତୀ କରନ୍ତି;
7. ଏହି ସ୍ତ୍ରୀଲୋକମାନେ ସର୍ବଦା ଶିକ୍ଷା କରୁଥିଲେ ହେଁ ସତ୍ୟ ଜାଣିବା ପାଇଁ କଦାପି ସମର୍ଥ ହୁଅନ୍ତି ନାହିଁ ।
8. ଆଉ ଯେପରି ଯନ୍ନୀସ୍ ଓ ଯମ୍ଵ୍ରୀସ୍ ମୋଶାଙ୍କର ପ୍ରତିରୋଧ କରିଥିଲେ, ସେହିପରି ଏହି ପୁରୁଷମାନେ ମଧ୍ୟ ସତ୍ୟର ପ୍ରତିରୋଧ କରନ୍ତି; ଏମାନେ ଭ୍ରଷ୍ଟମନା ହୋଇ ବିଶ୍ଵାସ ସମ୍ଵନ୍ଧରେ ପ୍ରମାଣସିଦ୍ଧ ନୁହନ୍ତି ।
9. କିନ୍ତୁ ସେମାନେ ଆଉ ଅଧିକ ଅଗ୍ରସର ହେବେ ନାହିଁ; କାରଣ ସେହି ଦୁଇ ଜଣଙ୍କର ମୂଢ଼ପଣ ଯେପରି ପ୍ରକାଶ ପାଇଥିଲା, ସେହିପରି ଏମାନଙ୍କର ମଧ୍ୟ ସମସ୍ତଙ୍କ ନିକଟରେ ସୁସ୍ପଷ୍ଟ ହେବ ।
10. କିନ୍ତୁ ତୁମ୍ଭେ ମୋହର ଶିକ୍ଷା, ଆଚାରବ୍ୟବହାର, ସଂକଳ୍ପ, ବିଶ୍ଵାସ, ସହିଷ୍ଣୁତା, ପ୍ରେମ, ଧୈର୍ଯ୍ୟ, ତାଡ଼ନା ଓ ଦୁଃଖଭୋଗର ଅନୁଗାମୀ ହୋଇଅଛ;
11. ଆନ୍ତିୟଖିଆ, ଇକନୀୟ ଓ ଲୁସ୍ତ୍ରାରେ ମୋʼ ପ୍ରତି ସେପରି ତାଡ଼ନା ଘଟିଥିଲା; ମୁଁ ତାହା ସହ୍ୟ କରିଥିଲି, ଆଉ ପ୍ରଭୁ ମୋତେ ସେସବୁରୁ ଉଦ୍ଧାର କରିଥିଲେ,
12. ପ୍ରକୃତରେ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଧର୍ମଜୀବନ ଯାପନ କରିବାକୁ ଇଚ୍ଛା କରନ୍ତି, ସେମାନେ ତାଡ଼ନା ଭୋଗ କରିବେ ।
13. କିନ୍ତୁ ଦୁଷ୍ଟ ଲୋକେ ଓ ପ୍ରବଞ୍ଚକମାନେ ଭ୍ରାନ୍ତି ଜନ୍ମାଇ ଓ ଭ୍ରାନ୍ତ ହୋଇ ଅଧିକରୁ ଅଧିକ ଦୁଷ୍ଟ ହୋଇ ଉଠିବେ ।
14. କିନ୍ତୁ ତୁମ୍ଭେ ଯାହା ଯାହା ଶିକ୍ଷା କରିଅଛ, ଆଉ, ଯେସମସ୍ତ ବିଷୟର ନିଶ୍ଚିତ ବୋଧ ପାଇଅଛ, ସେସବୁରେ ସ୍ଥିର ହୋଇ ରହିଥାଅ, କାରଣ ତୁମ୍ଭେ ଜାଣୁଅଛ, କେଉଁମାନଙ୍କଠାରୁ ସେହିସବୁ ଶିକ୍ଷା କରିଅଛ;
15. ପୁଣି, ଯେଉଁ ଧର୍ମଶାସ୍ତ୍ର ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ଵାସ ଦ୍ଵାରା ତୁମ୍ଭକୁ ପରିତ୍ରାଣଜନକ ଜ୍ଞାନ ଦେବାକୁ ସମର୍ଥ, ତାହା ତୁମ୍ଭେ ବାଲ୍ୟକାଳଠାରୁ ଜ୍ଞାତ ଅଛ ।
16. ସମସ୍ତ ଶାସ୍ତ୍ର ଈଶ୍ଵର ନିଶ୍ଵସିତ ଏବଂ ଶିକ୍ଷା, ଅନୁଯୋଗ, ସଂଶୋଧନ ଓ ଧାର୍ମିକତା ସମ୍ଵନ୍ଧୀୟ ଶାସନ ନିମନ୍ତେ ଉପକାରୀ,
17. ଯେପରି ଈଶ୍ଵରଙ୍କ ଲୋକ ସିଦ୍ଧ ହୋଇ ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ସୁସଜ୍ଜିତ ହୁଏ ।