ଆୟୁବ ପୁସ୍ତକ ଅଧ୍ୟାୟ 33
1. ଯାହା ହେଉ, ବିନୟ କରୁଅଛି, ହେ ଆୟୁବ, ମୋʼ କଥା ଶୁଣ ଓ ମୋହର ସମସ୍ତ ବାକ୍ୟରେ କର୍ଣ୍ଣପାତ କର ।
2. ଏବେ ଦେଖ, ମୁଁ ଆପଣା ମୁଖ ଫିଟାଉଅଛି, ମୋʼ ଜିହ୍ଵା ମୋʼ ମୁଖ ଭିତରେ କଥା କହିଅଛି ।
3. ମୋʼ ବାକ୍ୟ ମୋʼ ଅନ୍ତଃକରଣର ସରଳତା ପ୍ରକାଶ କରିବ ଓ ମୋହର ଓଷ୍ଠାଧର ଯାହା ଜାଣେ, ତାହା ସରଳ ଭାବରେ କହିବ ।
4. ପରମେଶ୍ଵରଙ୍କ ଆତ୍ମା ମୋତେ ସୃଷ୍ଟି କରିଅଛନ୍ତି ଓ ସର୍ବଶକ୍ତିମାନଙ୍କ ନିଶ୍ଵାସ ମୋତେ ଜୀବନ ଦିଅନ୍ତି ।
5. ତୁମ୍ଭେ ପାରିଲେ, ମୋତେ ଉତ୍ତର ଦିଅ, ମୋʼ ସମ୍ମୁଖରେ ଆପଣା ବାକ୍ୟ ସଜାଇ ଠିଆ ହୁଅ ।
6. ଦେଖ, ପରମେଶ୍ଵରଙ୍କ ପ୍ରତି ତୁମ୍ଭେ ଯେପରି, ମୁଁ ସେପରି ଅଟେ, ମୁଁ ମଧ୍ୟ ମୃତ୍ତିକାରୁ ନିର୍ମିତ ହୋଇଅଛି ।
7. ଦେଖ, ମୋହର ଭୟାନକତା ତୁମ୍ଭକୁ ଭୀତ କରିବ ନାହିଁ, କିଅବା ମୋହର ଭାର ତୁମ୍ଭ ଉପରେ ଭାରୀ ହେବ ନାହିଁ ।
8. ନିଶ୍ଚୟ ତୁମ୍ଭେ ମୋହର କର୍ଣ୍ଣଗୋଚରରେ କହିଅଛ ଓ ମୁଁ ତୁମ୍ଭ ବାକ୍ୟର ରବ ଶୁଣିଅଛି, ଯଥା,
9. ମୁଁ ଶୁଚି, ଅପରାଧରହିତ; ମୁଁ ନିର୍ଦ୍ଦୋଷ, ମଧ୍ୟ ମୋʼଠାରେ ଅଧର୍ମ ନାହିଁ;
10. ଦେଖ, ସେ ମୋʼ ଛିଦ୍ର ଅନ୍ଵେଷଣ କରନ୍ତି, ସେ ମୋତେ ଆପଣା ଶତ୍ରୁ ବୋଲି ଗଣନ୍ତି;
11. ସେ ଯନ୍ତାରେ ମୋହର ପାଦ ରଖନ୍ତି, ସେ ମୋହର ସମସ୍ତ ପଥ ନିରୀକ୍ଷଣ କରନ୍ତି ।
12. ଦେଖ, ମୁଁ ତୁମ୍ଭକୁ ଉତ୍ତର ଦେବି, ଏ ବିଷୟରେ ତୁମ୍ଭେ ଯଥାର୍ଥ ନୁହଁ; କାରଣ ପରମେଶ୍ଵର ମନୁଷ୍ୟ ଅପେକ୍ଷା ମହାନ ଅଟନ୍ତି ।
13. ତୁମ୍ଭେ କାହିଁକି ତାହାଙ୍କ ସଙ୍ଗେ ବିବାଦ କରୁଅଛଣ? ଯେଣୁ ସେ ଆପଣାର କୌଣସି ବିଷୟର କାରଣ ଜଣାନ୍ତି ନାହିଁ ।
14. ପରମେଶ୍ଵର ଥରେ କହନ୍ତି, ଦୁଇ ଥର ହିଁ କହନ୍ତି, ତଥାପି ମନୁଷ୍ୟ ତହିଁରେ ମନ ଦିଏ ନାହିଁ
15. ସ୍ଵପ୍ନରେ, ରାତ୍ରିକାଳୀନ ଦର୍ଶନରେ; ମନୁଷ୍ୟମାନେ ଘୋର ନିଦ୍ରାରେ ମଗ୍ନ ହେବା ବେଳେ, ଶଯ୍ୟାରେ ଘୁମାଇବା ବେଳେ,
16. ସେ ମନୁଷ୍ୟମାନଙ୍କର କର୍ଣ୍ଣ ମୁକ୍ତ କରନ୍ତି ଓ ସେମାନଙ୍କର ଶିକ୍ଷା ମୋହରାଙ୍କିତ କରନ୍ତି,
17. ତଦ୍ଦ୍ଵାରା ସେ ମନୁଷ୍ୟକୁ ତାହାର ସଙ୍କଳ୍ପରୁ ନିବୃତ୍ତ କରନ୍ତି ଓ ମନୁଷ୍ୟଠାରୁ ଅହଙ୍କାର ଗୁପ୍ତ କରନ୍ତି ।
18. ସେ ତାହାର ପ୍ରାଣକୁ ଗର୍ତ୍ତରୁ ଓ ତାହାର ଜୀବନକୁ ଖଡ଼୍ଗାଘାତରୁ ଅଟକାଇ ରଖନ୍ତି ।
19. ମଧ୍ୟ ସେ ଆପଣା ଶଯ୍ୟାରେ ବ୍ୟଥା ଦ୍ଵାରା ଓ ଆପଣା ଅସ୍ଥି ମଧ୍ୟରେ ନିରନ୍ତର ଯୁଦ୍ଧ ଦ୍ଵାରା ଶାସ୍ତି ପାଏ;
20. ତେଣୁ ତାହାର ଜୀବନ ଆହାରକୁ ଓ ତାହାର ପ୍ରାଣ ସୁସ୍ଵାଦୁ ଭକ୍ଷ୍ୟକୁ ଘୃଣା କରେ ।
21. ତାହାର ମାଂସ କ୍ଷୟ ପାଇ ଅଦୃଶ୍ୟ ହୁଏ ଓ ତାହାର ଅଦୃଶ୍ୟ ଥିବା ଅସ୍ଥିସବୁ ଦେଖାଯାଏ ।
22. ଆହୁରି, ତାହାର ପ୍ରାଣ ଗର୍ତ୍ତର ଓ ତାହାର ଜୀବନ ସଂହାରକର ସନ୍ନିକଟ ହୁଏ ।
23. ଯେବେ ମନୁଷ୍ୟକୁ ତାହାର କର୍ତ୍ତବ୍ୟତା ଦେଖାଇବା ପାଇଁ ତାହା ସଙ୍ଗେ ଜଣେ ଦୂତ, ସହସ୍ର ମଧ୍ୟରୁ ଜଣେ ଅର୍ଥକାରକ ଥାଏ;
24. ତେବେ ସେ ତାହାକୁ କୃପା କରି କହିବେ, ଗର୍ତ୍ତ-ଗମନରୁ ତାହାକୁ ଉଦ୍ଧାର କର, ମୁଁ ପ୍ରାୟଶ୍ଚିତ୍ତ ପାଇଅଛି ।
25. ତାହାର ମାଂସ ବାଳକର ମାଂସ ଅପେକ୍ଷା ସତେଜ ହେବ; ସେ ଆପଣା ଯୌବନଦିନ ପୁନର୍ବାର ପାଇବ;
26. ସେ ପରମେଶ୍ଵରଙ୍କ ନିକଟରେ ପ୍ରାର୍ଥନା କରେ ଓ ସେ ତାହା ପ୍ରତି ପ୍ରସନ୍ନ ହୁଅନ୍ତି; ତେଣୁ ସେ ଆନନ୍ଦରେ ତାହାଙ୍କ ମୁଖ ଦର୍ଶନ କରେ; ଆଉ, ସେ ମନୁଷ୍ୟକୁ ତାହାର ଧାର୍ମିକତା ପୁନର୍ବାର ଦିଅନ୍ତି ।
27. ସେ ମନୁଷ୍ୟମାନଙ୍କ ସାକ୍ଷାତରେ ଗାନ କରି କହେ, ମୁଁ ପାପ କରିଅଛି ଓ ନ୍ୟାୟର ବିପରୀତ କରିଅଛି ଓ ତାହା ମୋହର ଲାଭଜନକ ହୋଇ ନାହିଁ।
28. ସେ ମୋହର ପ୍ରାଣକୁ ଗର୍ତ୍ତଗମନରୁ ମୁକ୍ତ କରିଅଛନ୍ତି ଓ ମୋହର ଜୀବନ ଆଲୁଅ ଦେଖିବ ।
29. ଦେଖ, ମନୁଷ୍ୟ ଯେପରି ଜୀବିତ ଲୋକଙ୍କ ଦୀପ୍ତିରେ ଦୀପ୍ତିମାନ ହେବ, ଏଥିପାଇଁ ଗର୍ତ୍ତରୁ ତାହାର ପ୍ରାଣ ଫେରାଇ ଆଣିବାକୁ,
30. ପରମେଶ୍ଵର ତାହା ସହିତ ଦୁଇ ଥର, ମଧ୍ୟ ତିନି ଥର ଏହିସବୁ ବ୍ୟବହାର କରନ୍ତି ।
31. ହେ ଆୟୁବ, ମନୋଯୋଗ କରି ମୋʼ କଥା ଶୁଣ; ତୁମ୍ଭେ ନୀରବ ହୁଅ, ମୁଁ କଥା କହିବି ।
32. ତୁମ୍ଭର କହିବାର କୌଣସି ବିଷୟ ଥିଲେ, ମୋତେ ଉତ୍ତର ଦିଅ; କୁହ, କାରଣ ତୁମ୍ଭକୁ ନିର୍ଦ୍ଦୋଷ କରିବାକୁ ମୋର ଇଚ୍ଛା ।
33. ନୋହିଲେ ମୋʼ କଥା ଶୁଣ; ନୀରବ ହୁଅ, ଆଉ ମୁଁ ତୁମ୍ଭକୁ ଜ୍ଞାନ ଶିଖାଇବି ।