ଗୀତସଂହିତା ଅଧ୍ୟାୟ 104
1. ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର । ହେ ସଦାପ୍ରଭୋ, ମୋʼ ପରମେଶ୍ଵର, ତୁମ୍ଭେ ଅତି ମହାନ; ତୁମ୍ଭେ ସମ୍ଭ୍ରମ ଓ ଐଶ୍ଵର୍ଯ୍ୟରେ ବିଭୂଷିତ ।
2. ତୁମ୍ଭେ ବସ୍ତ୍ର ପରି ଦୀପ୍ତି ପରିଧାନ କରିଅଛ; ତୁମ୍ଭେ ଚନ୍ଦ୍ରାତପ ପରି ଆକାଶମଣ୍ତଳ ବିସ୍ତାର କରିଅଛ ।
3. ତୁମ୍ଭେ ଜଳରାଶି ଉପରେ ଆପଣା କୋଠରୀର କଡ଼ିକାଷ୍ଠ ପକାଇଅଛ; ତୁମ୍ଭେ ମେଘମାଳକୁ ଆପଣା ରଥ କରିଥାଅ; ତୁମ୍ଭେ ବାୟୁର ପକ୍ଷ ଉପରେ ଗମନାଗମନ କରୁଅଛ ।
4. ତୁମ୍ଭେ ବାୟୁକୁ ଆପଣାର ଦୂତ କର; ଅଗ୍ନିଶିଖାକୁ ଆପଣାର ପରିଚାରକ କର ।
5. ତୁମ୍ଭେ ପୃଥିବୀର ମୂଳ ଏପରି ସ୍ଥାପନ କରିଅଛ ଯେ, ତାହା କଦାପି ବିଚଳିତ ହେବ ନାହିଁ ।
6. ତୁମ୍ଭେ ତାହାକୁ ବସ୍ତ୍ର ପରି ବାରିଧିରେ ଆଚ୍ଛାଦନ କଲ; ପର୍ବତଗଣ ଉପରେ ଜଳରାଶି ଠିଆ ହେଲା ।
7. ତୁମ୍ଭ ଧମକରେ ସେସବୁ ପଳାଇଲେ; ତୁମ୍ଭ ବଜ୍ରଧ୍ଵନିରେ ସେସବୁ ଶୀଘ୍ର ଚାଲିଗଲେ;
8. ସେସବୁ ପର୍ବତଗଣ ଉପରେ ଉଠି ଓ ସମସ୍ଥଳରେ ଓହ୍ଲାଇ ସେମାନଙ୍କ ନିମନ୍ତେ ତୁମ୍ଭର ନିରୂପିତ ସ୍ଥାନକୁ ଚାଲିଗଲେ ।
9. ସେମାନେ ଯେପରି ସୀମା ଲଙ୍ଘନ ନ କରିବେ ଓ ପୃଥିବୀକି ଆଚ୍ଛାଦନ କରିବା ପାଇଁ ପୁନର୍ବାର ଫେରି ନ ଆସିବେ, ଏଥିପାଇଁ ତୁମ୍ଭେ ଏକ ସୀମା ନିରୂପଣ କରିଅଛ ।
10. ସେ ଉପତ୍ୟକାସମୂହରେ ନିର୍ଝର ବୁହାନ୍ତି; ତାହା ପର୍ବତଗଣ ମଧ୍ୟରେ ଧାଏଁ;
11. ତାହା କ୍ଷେତ୍ରସ୍ଥ ପଶୁଗଣକୁ ଜଳ ଯୋଗାଏ, ବନ୍ୟ ଗର୍ଦ୍ଦଭମାନେ ତହିଁରେ ଆପଣା ଆପଣା ତୃଷା ନିବାରଣ କରନ୍ତି ।
12. ତହିଁ ନିକଟରେ ଖେଚର ପକ୍ଷୀଗଣ ବସା କରନ୍ତି, ସେମାନେ ଡାଳ ମଧ୍ୟରେ ଗାନ କରନ୍ତି ।
13. ସେ ଆପଣା କୋଠରିରୁ ପର୍ବତଗଣକୁ ଜଳରେ ସେଚନ କରନ୍ତି; ପୃଥିବୀ ତାହାଙ୍କ କର୍ମର ଫଳରେ ତୃପ୍ତ ହୁଏ ।
14. ସେ ପଶୁଗଣ ନିମନ୍ତେ ତୃଣ ଓ ମନୁଷ୍ୟର ସେବା ନିମନ୍ତେ ଶାକ ଅଙ୍କୁରିତ କରନ୍ତି; ଏହିରୂପେ ସେ ଭୂମିରୁ ଭକ୍ଷ୍ୟ ଉତ୍ପନ୍ନ କରନ୍ତି ।
15. ପୁଣି, ମନୁଷ୍ୟର ଚିତ୍ତ-ଆନନ୍ଦକାରୀ ଦ୍ରାକ୍ଷାରସ, ମୁଖ-ଚିକ୍କଣକାରୀ ତୈଳ ଓ ମନୁଷ୍ୟର ହୃଦୟ ସବଳକାରୀ ଭକ୍ଷ୍ୟ ଉତ୍ପନ୍ନ କରନ୍ତି ।
16. ସଦାପ୍ରଭୁଙ୍କ ବୃକ୍ଷଶ୍ରେଣୀ ପରିତୃପ୍ତ; ତାହାଙ୍କ ରୋପିତ ଏରସ ବୃକ୍ଷସକଳ ପରିତୃପ୍ତ;
17. ତହିଁ ମଧ୍ୟରେ ପକ୍ଷୀଗଣ ଆପଣା ଆପଣା ବସା ନିର୍ମାଣ କରନ୍ତି; ଦେବଦାରୁ ବୃକ୍ଷ ଚରଳର ଗୃହ ।
18. ଉଚ୍ଚ ପର୍ବତଶ୍ରେଣୀ ବନ୍ୟ ଛାଗମାନଙ୍କ ନିମନ୍ତେ ଅଟେ, ଶୈଳସବୁ ଶାଫନ୍ର ଆଶ୍ରୟ ।
19. ସେ ଋତୁ ନିମନ୍ତେ ଚନ୍ଦ୍ର ନିରୂପଣ କରିଅଛନ୍ତି; ସୂର୍ଯ୍ୟ ଆପଣା ଅସ୍ତଗମନ ଜାଣେ ।
20. ତୁମ୍ଭେ ଅନ୍ଧକାର କଲେ ରାତ୍ରି ହୁଏ; ତହିଁରେ ସକଳ ବନପଶୁ ବାହାରି ଭ୍ରମଣ କରନ୍ତି ।
21. ଯୁବା ସିଂହଗଣ ମୃଗୟା ଚେଷ୍ଟାରେ ଗର୍ଜ୍ଜନ କରନ୍ତି ଓ ପରମେଶ୍ଵରଙ୍କଠାରୁ ଆହାର ଚାହାନ୍ତି ।
22. ସୂର୍ଯ୍ୟୋଦୟ ହେଲେ ସେମାନେ ଚାଲିଯାʼନ୍ତି ଓ ଆପଣା ଆପଣା ଗୁମ୍ପାରେ ଶୟନ କରନ୍ତି ।
23. ମନୁଷ୍ୟ ଆପଣା କାର୍ଯ୍ୟକୁ ଓ ସାୟଂକାଳ ପର୍ଯ୍ୟନ୍ତ ଆପଣା ପରିଶ୍ରମକୁ ବାହାରେ ।
24. ହେ ସଦାପ୍ରଭୋ, ତୁମ୍ଭର କାର୍ଯ୍ୟସକଳ କିପରି ବହୁବିଧଣ! ତୁମ୍ଭେ ଜ୍ଞାନରେ ସେସବୁ ନିର୍ମାଣ କରିଅଛ; ପୃଥିବୀ ତୁମ୍ଭ ସମ୍ପତ୍ତିରେ ପରିପୂର୍ଣ୍ଣ ।
25. ସେହି ସମୁଦ୍ର ବୃହତ ଓ ପ୍ରଶସ୍ତ, ତହିଁ ମଧ୍ୟରେ ଜଳଚର, କ୍ଷୁଦ୍ର ଓ ବୃହତ ଅସଂଖ୍ୟ ଜନ୍ତୁ ଅଛନ୍ତି ।
26. ତହିଁରେ ଜାହାଜ ଗତାୟାତ କରେ; ତହିଁରେ ଖେଳିବା ପାଇଁ ତୁମ୍ଭର ସୃଷ୍ଟ ଲିବିୟାଥନ୍ ଥାଏ ।
27. ଏସମସ୍ତେ ଉପଯୁକ୍ତ ସମୟରେ ଆପଣା ଆପଣା ଭକ୍ଷ୍ୟ ପାଇବା ନିମନ୍ତେ ତୁମ୍ଭର ଅନୁସରଣ କରନ୍ତି ।
28. ଯାହା ତୁମ୍ଭେ ସେମାନଙ୍କୁ ଦିଅ, ତାହା ସେମାନେ ସାଉଣ୍ଟନ୍ତି । ତୁମ୍ଭେ ଆପଣା ହସ୍ତ ମେଲାଇଲେ, ସେମାନେ ଉତ୍ତମ ଦ୍ରବ୍ୟରେ ପରିତୃପ୍ତ ହୁଅନ୍ତି ।
29. ତୁମ୍ଭେ ଆପଣା ମୁଖ ଲୁଚାଇଲେ, ସେମାନେ ବ୍ୟାକୁଳ ହୁଅନ୍ତି; ତୁମ୍ଭେ ସେମାନଙ୍କ ନିଃଶ୍ଵାସ ହରଣ କଲେ, ସେମାନେ ମରନ୍ତି ଓ ପୁନର୍ବାର ଧୂଳିରେ ମିଶିଯାʼନ୍ତି ।
30. ତୁମ୍ଭେ ଆପଣା ଆତ୍ମା ପଠାଇଲେ, ସେମାନେ ସୃଷ୍ଟ ହୁଅନ୍ତି;
31. ସଦାପ୍ରଭୁଙ୍କ ଗୌରବ ଅନନ୍ତକାଳ ଥାଉ; ସଦାପ୍ରଭୁ ଆପଣା କାର୍ଯ୍ୟସକଳରେ ଆନନ୍ଦ କରନ୍ତୁ ।
32. ସେ ପୃଥିବୀକି ଅନାଇଲେ, ତାହା କମ୍ପିତ ହୁଏ, ସେ ପର୍ବତଗଣକୁ ଛୁଇଁଲେ, ସେମାନେ ଧୂମ ଉଦ୍ଗାର କରନ୍ତି ।
33. ମୁଁ ବଞ୍ଚିଥିବାଯାଏ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି; ମୋହର ଅସ୍ତିତ୍ଵ ଥିବାଯାଏ ମୁଁ ମୋହର ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି ।
34. ତାହାଙ୍କ ପ୍ରତି ମୋʼ ଧ୍ୟାନ ସୁମିଷ୍ଟ ହେଉ; ମୁଁ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବି ।
35. ପାପୀଗଣ ପୃଥିବୀରୁ ଉଚ୍ଛିନ୍ନ ହେଉନ୍ତୁ ଓ ଦୁଷ୍ଟମାନେ ଆଉ ନ ଥାଉନ୍ତୁ । ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର । ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର ।