ରୂତର ବିବରଣ ଅଧ୍ୟାୟ 4
1. ଏଥି ଉତ୍ତାରୁ ବୋୟଜ ନଗରଦ୍ଵାରକୁ ଯାଇ ସେଠାରେ ବସିଲା, ତହିଁରେ ଦେଖ, ସେ ଯେଉଁ ମୁକ୍ତିକର୍ତ୍ତା ଜ୍ଞାତି ବିଷୟ କହିଥିଲା, ସେ ସେଠାକୁ ଆସନ୍ତେ, ବୋୟଜ ତାହାକୁ ଡାକି କହିଲା, ହେ ବନ୍ଧୁ, ଏଠିକି ଆସି ବସ; ଏଣୁ ସେ ଆସି ସେଠାରେ ବସିଲା ।
2. ତହୁଁ ସେ ନଗରସ୍ଥ ଦଶ ଜଣ ପ୍ରାଚୀନଙ୍କୁ ନେଇ କହିଲା, ତୁମ୍ଭେମାନେ ଏଠାରେ ବସ, ତେଣୁ ସେମାନେ ବସିଲେ ।
3. ଏଥିରେ ବୋୟଜ ସେହି ମୁକ୍ତିକର୍ତ୍ତା ଜ୍ଞାତିକି କହିଲା, ଆମ୍ଭମାନଙ୍କ ଭ୍ରାତା ଏଲିମେଲକର ଯେଉଁ ଭୂମିଖଣ୍ତ ଥିଲା, ତାହା ମୋୟାବ ଦେଶରୁ ବାହୁଡ଼ି ଆସିଥିବା ନୟମୀ ବିକ୍ରୟ କରୁଅଛି ।
4. ଏଣୁ ମୁଁ ତୁମ୍ଭକୁ ଏହା ଜଣାଇବାକୁ ମନସ୍ଥ କଲି, ତୁମ୍ଭେ ନଗରଦ୍ଵାରରେ ଉପବିଷ୍ଟ ଲୋକମାନଙ୍କ ସାକ୍ଷାତରେ ଓ ଆମ୍ଭ ବଂଶୀୟ ପ୍ରାଚୀନଗଣର ସାକ୍ଷାତରେ ତାହା କ୍ରୟ କର । ଯେବେ ତୁମ୍ଭେ ମୁକ୍ତ କରିବ, ତେବେ କର, ମାତ୍ର ଯେବେ ନ କରିବ, ତେବେ ମୋତେ ଜଣାଅ, ମୁଁ ଜାଣିବାକୁ ଚାହେଁ; ଯେହେତୁ ତୁମ୍ଭେ ମୁକ୍ତ କଲେ ଆଉ କେହି କରି ନ ପାରେ, ମାତ୍ର ତୁମ୍ଭ ଉତ୍ତାରୁ ମୁଁ ଅଛି। ତହିଁରେ ସେ କହିଲା, ମୁଁ ତାହା ମୁକ୍ତ କରିବି ।
5. ତେବେ ବୋୟଜ କହିଲା, ତୁମ୍ଭେ ଯେଉଁ ଦିନ ନୟମୀର ହସ୍ତରୁ ସେହି କ୍ଷେତ୍ର କିଣିବ, ସେହି ଦିନ ମୃତଲୋକର ଅଧିକାରରେ ତାହାର ନାମ ରକ୍ଷା କରିବା ନିମନ୍ତେ ତାହାର ଭାର୍ଯ୍ୟା ମୋୟାବ ଦେଶୀୟା ରୂତଠାରୁ ହିଁ ତାହା କିଣିବାକୁ ହେବ ।
6. ଏଥିରେ ସେହି ମୁକ୍ତିକର୍ତ୍ତା ଜ୍ଞାତି କହିଲା, ମୁଁ ଆପଣା ନିମନ୍ତେ ତାହା ମୁକ୍ତ କରି ନ ପାରେ, ତାହା କଲେ, ମୋହର ନିଜ ଅଧିକାରର କ୍ଷତି ହେବ; ତୁମ୍ଭେ ମୋହର ମୁକ୍ତି କରିବା କ୍ଷମତା ନିଅ, କାରଣ ମୁଁ ମୁକ୍ତ କରି ନ ପାରେ ।
7. ମୁକ୍ତି ଓ ପାଲଟ ବିଷୟକ ସବୁ କଥା ସ୍ଥିର କରିବା ପାଇଁ ପୂର୍ବକାଳରେ ଇସ୍ରାଏଲ ବଂଶର ଏହିରୂପ ରୀତି ଥିଲା ଯେ, ଜଣେ ଆପଣା ପାଦୁକା କାଢ଼ି ଆନ ଜଣକୁ ଦେଲା, ଆଉ ଏହା ଇସ୍ରାଏଲ ମଧ୍ୟରେ ସାକ୍ଷ୍ୟ ସ୍ଵରୂପ ହେଲା ।
8. ଏଣୁ ସେ ମୁକ୍ତିକର୍ତ୍ତା ଜ୍ଞାତି ଯେତେବେଳେ ବୋୟଜକୁ କହିଲା, ତୁମ୍ଭେ ଆପେ ତାହା କିଣ, ସେତେବେଳେ ସେ ଆପଣା ପାଦୁକା କାଢ଼ି ଦେଲା ।
9. ତହୁଁ ବୋୟଜ ପ୍ରାଚୀନଗଣକୁ ଓ ସମସ୍ତ ଲୋକଙ୍କୁ କହିଲା, ଏଲିମେଲକର ଯାହା ଯାହା ଥିଲା ଓ କିଲୀୟୋନର ଓ ମହଲୋନର ଯାହା ଯାହା ଥିଲା, ତାହା ମୁଁ ନୟମୀଠାରୁ କ୍ରୟ କଲି, ଏ ବିଷୟରେ ତୁମ୍ଭେମାନେ ଆଜି ମୋହର ସାକ୍ଷୀ ହେଲ ।
10. ଆହୁରି ଆପଣା ଭ୍ରାତୃଗଣ ମଧ୍ୟରୁ ଓ ଆପଣା ବସତି-ସ୍ଥାନର ଦ୍ଵାରରୁ ସେହି ମୃତବ୍ୟକ୍ତିର ନାମ ଯେପରି ଲୋପ ନୋହିବ, ଏଥିପାଇଁ ସେହି ମୃତଲୋକର ଅଧିକାରରେ ତାହାର ନାମ ରକ୍ଷା କରିବା ପାଇଁ ମୁଁ ମହଲୋନର ଭାର୍ଯ୍ୟା ମୋୟାବ ଦେଶୀୟା ରୂତକୁ ଆପଣା ଭାର୍ଯ୍ୟା ରୂପେ ଲାଭ କଲି; ଆଜି ତୁମ୍ଭେମାନେ ଏ ବିଷୟର ସାକ୍ଷୀ ହେଲ ।
11. ତହିଁରେ ନଗରଦ୍ଵାରବର୍ତ୍ତୀ ସମସ୍ତ ଲୋକ ଓ ପ୍ରାଚୀନଗଣ କହିଲେ, ଆମ୍ଭେମାନେ ସାକ୍ଷୀ ହେଲୁ, ସଦାପ୍ରଭୁ ଇସ୍ରାଏଲ ବଂଶର ବୃଦ୍ଧିକାରିଣୀ ରାହେଲ ଓ ଲେୟା, ଦୁଇ ସ୍ତ୍ରୀର ତୁଲ୍ୟ ତୁମ୍ଭ ଗୃହକୁ ଆଗତା ଏହି ସ୍ତ୍ରୀକି କରନ୍ତୁ; ଆଉ, ତୁମ୍ଭେ ଏଫ୍ରାଥାରେ ବିକ୍ରମଶାଳୀ ହୁଅ ଓ ବେଥ୍ଲିହିମରେ⇧ ତୁମ୍ଭର ସୁଖ୍ୟାତି ହେଉ ।
12. ସଦାପ୍ରଭୁ ଏହି ଯୁବତୀ ଦ୍ଵାରା ତୁମ୍ଭକୁ ଯେଉଁ ସନ୍ତାନ ଦେବେ, ତାହା ଦ୍ଵାରା ତୁମ୍ଭର ବଂଶ ତାମର ଗର୍ଭରେ ଯିହୁଦାର ଜନ୍ମିତ ପେରସର ବଂଶ ତୁଲ୍ୟ ହେଉ ।
13. ଏରୂପେ ବୋୟଜ ରୂତକୁ ବିବାହ କରନ୍ତେ, ସେ ତାହାର ଭାର୍ଯ୍ୟା ହେଲା, ପୁଣି ତାହାର ସହବାସ କରନ୍ତେ, ସେ ସଦାପ୍ରଭୁଙ୍କଠାରୁ ଗର୍ଭଧାରଣ ଶକ୍ତି ପାଇ ପୁତ୍ର ପ୍ରସବ କଲା ।
14. ଏଣୁ ସ୍ତ୍ରୀମାନେ ନୟମୀକି କହିଲେ, ଧନ୍ୟ ସଦାପ୍ରଭୁ, ସେ ଆଜି ତୁମ୍ଭକୁ ମୁକ୍ତିକର୍ତ୍ତା ଜ୍ଞାତିହୀନ କରି ନାହାନ୍ତି; ଇସ୍ରାଏଲ ବଂଶରେ ଏହି ବାଳକର ନାମ ବିଖ୍ୟାତ ହେଉ ।
15. ପୁଣି ସେ ତୁମ୍ଭର ପ୍ରାଣ ସଜୀବକାରୀ ଓ ତୁମ୍ଭ ବୃଦ୍ଧାବସ୍ଥାରେ ତୁମ୍ଭର ପ୍ରତିପାଳକ ହେବ; ଯେହେତୁ ଯେ ତୁମ୍ଭକୁ ପ୍ରେମ କରେ ଓ ସାତ ପୁତ୍ରଠାରୁ ତୁମ୍ଭ ପ୍ରତି ଅଧିକ ଉତ୍ତମା ଯେ ତୁମ୍ଭର ପୁତ୍ରବଧୂ, ସେ ତାହାକୁ ପ୍ରସବ କରିଅଛି ।
16. ସେତେବେଳେ ନୟମୀ ବାଳକକୁ ଘେନି ଆପଣା କୋଳରେ ରଖିଲା ଓ ତାହାକୁ ପ୍ରତିପାଳନ କଲା ।
17. ଏଉତ୍ତାରୁ ନୟମୀର ଏକ ପୁତ୍ର ଜନ୍ମିଅଛି, ଏହି କଥା କହି ପ୍ରତିବାସିନୀ ସ୍ତ୍ରୀମାନେ ତାହାର ନାମକରଣ କଲେ; ସେମାନେ ତାହାର ନାମ ଓବେଦ୍ (ସେବକ) ରଖିଲେ । ସେ ଦାଉଦର ପିତାମହ ଯିଶୀର ପିତା ।
18. ପେରସର ବଂଶାବଳୀ ଏହି, ପେରସର ପୁତ୍ର ହିଷ୍ରୋଣ;
19. ହିଷ୍ରୋଣର ପୁତ୍ର ଅରାମ ଓ ଅରାମର ପୁତ୍ର ଅମ୍ମୀନାଦବ
20. ଓ ଅମ୍ମୀନାଦବର ପୁତ୍ର ନହଶୋନ୍ ଓ ନହଶୋନର ପୁତ୍ର ସଲମୋନ
21. ଓ ସଲମୋନର ପୁତ୍ର ବୋୟଜ ଓ ବୋୟଜର ପୁତ୍ର ଓବେଦ୍
22. ଓବେଦ୍ର ପୁତ୍ର ଯିଶୀ ଓ ଯିଶୀର ପୁତ୍ର ଦାଉଦ ।