ରେରିତମାନଙ୍କ କାର୍ଯ୍ୟର ବିବରଣ ଅଧ୍ୟାୟ 9
1. କିନ୍ତୁ ଶାଉଲ ଏପର୍ଯ୍ୟନ୍ତ ସୁଦ୍ଧା ପ୍ରଭୁଙ୍କ ଶିଷ୍ୟ-ମାନଙ୍କ ବିରୁଦ୍ଧରେ ଭୟ ଓ ପ୍ରାଣନାଶର କଥା କହି ମହାଯାଜକଙ୍କ ନିକଟକୁ ଗଲେ ।
2. ପୁଣି, ଏହି ମାର୍ଗର ଯେକୌଣସି ପୁରୁଷ କି ସ୍ତ୍ରୀର ଦେଖା ପାଆନ୍ତି, ସେମାନଙ୍କୁ ଯେପରି ବାନ୍ଧି ଯିରୂଶାଲମକୁ ଆଣି ପାରନ୍ତି, ଏଥିସକାଶେ ଦାମାସ୍କସ୍ର ସମସ୍ତ ସମାଜଗୃହ ନିକଟକୁ ତାଙ୍କଠାରୁ ପତ୍ର ମାଗିଲେ ।
3. ପରେ ସେ ଯାଉ ଯାଉ ଦାମାସ୍କସ୍ର ନିକଟବର୍ତ୍ତୀ ହୁଅନ୍ତେ, ଅକସ୍ମାତ୍ ଆକାଶରୁ ଆଲୋକ ତାଙ୍କ ଚାରିଆଡ଼େ ଚମକି ଉଠିଲା ।
4. ସେଥିରେ ସେ ଭୂମିରେ ପଡ଼ିଯାଇ ତାଙ୍କ ପ୍ରତି ଉକ୍ତ ଏହି ବାଣୀ ଶୁଣିଲେ, ହେ ଶାଉଲ, ହେ ଶାଉଲ, କାହିଁକି ଆମ୍ଭକୁ ତାଡ଼ନା କରୁଅଛ?
5. ସେ କହିଲେ, ହେ ପ୍ରଭୁ, ଆପଣ କିଏ? ଆଉ ସେ କହିଲେ, ଯାହାଙ୍କୁ ତୁମ୍ଭେ ତାଡ଼ନା କରୁଅଛ, ଆମ୍ଭେ ସେହି ଯୀଶୁ ।
6. କିନ୍ତୁ ଉଠ, ନଗରରେ ପ୍ରବେଶ କର, ଆଉ ତୁମ୍ଭକୁ କʼଣ କରିବାକୁ ହେବ, ତାହା କୁହାଯିବ ।
7. ଯେଉଁ ଲୋକମାନେ ତାଙ୍କ ସାଙ୍ଗରେ ଯାତ୍ରା କରୁଥିଲେ, ସେମାନେ ସେହି ଶଦ୍ଦ ଶୁଣି କାହାରିକି ନ ଦେଖିବାରୁ ଅବାକ୍ ହୋଇ ଠିଆ ହୋଇ ରହିଲେ ।
8. ପୁଣି, ଶାଉଲ ଭୂମିରୁ ଉଠି ଯେତେବେଳେ ଆପଣା ଆଖି ଫିଟାଇଲେ, ସେତେବେଳେ ସେ କିଛି ଦେଖି ପାରିଲେ ନାହିଁ । ଏଣୁ ସେମାନେ ତାଙ୍କ ହାତ ଧରି ତାଙ୍କୁ ଦାମାସ୍କସ୍କୁ ଘେନିଗଲେ ।
9. ଆଉ, ସେ ତିନି ଦିନ ପର୍ଯ୍ୟନ୍ତ ଦୃଷ୍ଟିହୀନ ହୋଇ ରହିଲେ, ପୁଣି କିଛି ଖାଇଲେ ନାହିଁ କି ପିଇଲେ ନାହିଁ ।
10. ଦାମାସ୍କସ୍ରେ ହନନୀୟ ନାମକ ଜଣେ ଶିଷ୍ୟ ଥିଲେ; ପ୍ରଭୁ ତାଙ୍କୁ ଦର୍ଶନ ଦେଇ କହିଲେ, ହନନୀୟ । ସେ କହିଲେ, ହେ ପ୍ରଭୁ, ଆଜ୍ଞା କରିବା ହେଉନ୍ତୁ ।
11. ସେଥିରେ ପ୍ରଭୁ ତାଙ୍କୁ କହିଲେ, ଉଠ, ସଳଖ ନାମକ ପଥକୁ ଯାଇ ଯିହୂଦାର ଗୃହରେ ତାର୍ଷ ନଗରରେ ଶାଉଲ ନାମକ ଜଣେ ବ୍ୟକ୍ତିର ଅନୁସନ୍ଧାନ କର; କାରଣ ଦେଖ, ସେ ପ୍ରାର୍ଥନା କରୁଅଛି;
12. ଆଉ, ସେ ଯେପରି ଦୃଷ୍ଟିପ୍ରାପ୍ତ ହୁଏ, ଏଥିନିମନ୍ତେ ହନନୀୟ ନାମକ ଜଣେ ଲୋକ ଆସି ତାହା ଉପରେ ହସ୍ତାର୍ପଣ କରୁଅଛି ବୋଲି ସେ ଦର୍ଶନ ପାଇଅଛି ।
13. କିନ୍ତୁ ହନନୀୟ ଉତ୍ତର ଦେଲେ, ପ୍ରଭୋ, ଯିରୂଶାଲମରେ ଆପଣଙ୍କ ସାଧୁମାନଙ୍କ ପ୍ରତି ଏହି ଲୋକ ଯେ କେତେ ଉପଦ୍ରବ କରିଅଛି, ତାହା ମୁଁ ଅନେକଙ୍କଠାରୁ ଏହି ଲୋକ ବିଷୟରେ ଶୁଣିଅଛି ।
14. ଆଉ, ଏହି ସ୍ଥାନରେ ଯେତେ ଲୋକ ଆପଣଙ୍କ ନାମରେ ପ୍ରାର୍ଥନା କରନ୍ତି, ସେମାନଙ୍କୁ ବାନ୍ଧିବା ନିମନ୍ତେ ସେ ପ୍ରଧାନ ଯାଜକମାନଙ୍କ ପାଖରୁ କ୍ଷମତା ପାଇଅଛି ।
15. କିନ୍ତୁ ପ୍ରଭୁ ତାଙ୍କୁ କହିଲେ, ଯାଅ; କାରଣ ସେ ବିଜାତି, ରାଜା ଓ ଇସ୍ରାଏଲର ସନ୍ତାନମାନଙ୍କ ସମ୍ମୁଖରେ ଆମ୍ଭର ନାମ ବହନ କରିବା ନିମନ୍ତେ ଆମ୍ଭର ଜଣେ ମନୋନୀତ ପାତ୍ର ଅଟେ;
16. ଯେଣୁ ଆମ୍ଭର ନାମ ସକାଶେ ତାହାକୁ ଯେ କେତେ ଦୁଃଖ ଭୋଗ କରିବାକୁ ହେବ, ତାହା ଆମ୍ଭେ ତାହାକୁ ଜଣାଇବା ।
17. ସେଥିରେ ହନନୀୟ ପ୍ରସ୍ଥାନ କରି ସେହି ଗୃହରେ ପ୍ରବେଶ କଲେ, ପୁଣି ତାଙ୍କ ଉପରେ ହସ୍ତାର୍ପଣ କରି କହିଲେ, ଶାଉଲ ଭାଇ, ପ୍ରଭୁ, ଅର୍ଥାତ୍, ଯେଉଁ ଯୀଶୁ ତୁମ୍ଭର ଆସୁଥିବା ପଥରେ ତୁମ୍ଭକୁ ଦର୍ଶନ ଦେଲେ, ତୁମ୍ଭେ ଯେପରି ଦୃଷ୍ଟିପ୍ରାପ୍ତ ହୁଅ ଓ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୁଅ, ଏଥିନିମନ୍ତେ ସେ ମୋତେ ପ୍ରେରଣ କରିଅଛନ୍ତି ।
18. ସେହିକ୍ଷଣି ତାଙ୍କ ଆଖିରୁ କାତି ପରି କʼଣ ଖସିପଡ଼ିଲା ଓ ସେ ଦୃଷ୍ଟି ପାଇଲେ; ପୁଣି, ସେ ଉଠି ବାପ୍ତିଜିତ ହେଲେ,
19. ଆଉ ସେ ଭୋଜନ କରି ବଳ ପାଇଲେ । ଏଥିଉତ୍ତାରେ ସେ ଦାମାସ୍କସ୍ରେ ଥିବା ଶିଷ୍ୟମାନଙ୍କ ସହିତ କେତେକ ଦିନ ରହିଲେ;
20. ପୁଣି, ଯୀଶୁ ଯେ ଈଶ୍ଵରଙ୍କର ପୁତ୍ର, ଏହା ସେ ଅବିଳମ୍ଵରେ ସମାଜଗୃହସମୂହରେ ଘୋଷଣା କରିବାକୁ ଲାଗିଲେ ।
21. ଆଉ, ଯେଉଁମାନେ ତାଙ୍କ କଥା ଶୁଣିଲେ, ସେମାନେ ସମସ୍ତେ ଆଚମ୍ଵିତ ହୋଇ କହିବାକୁ ଲାଗିଲେ, ଏହି ନାମ ଧରି ପ୍ରାର୍ଥନା କରୁଥିବା ଲୋକମାନଙ୍କୁ ଯେ ଯିରୂଶାଲମରେ ଉଚ୍ଛିନ୍ନ କରୁଥିଲା, ଆଉ ଯେପରି ସେମାନଙ୍କୁ ବାନ୍ଧି ପ୍ରଧାନ ଯାଜକମାନଙ୍କ ନିକଟକୁ ଘେନିଯାଇ ପାରେ, ସେହି ଅଭିପ୍ରାୟରେ ଏହି ସ୍ଥାନକୁ ଆସିଥିଲା, ଏ କି ସେହି ନୁହେଁ?
22. କିନ୍ତୁ, ଶାଉଲ ଅଧିକତର ଶକ୍ତିଶାଳୀ ହୋଇ ଉଠିଲେ, ପୁଣି ଏ ଯେ ଖ୍ରୀଷ୍ଟ, ଏହା ପ୍ରମାଣ କରି ଦାମାସ୍କସ୍ନିବାସୀ ଯିହୁଦୀମାନଙ୍କୁ ନିରୁତ୍ତର କରିଦେଉଥିଲେ ।
23. ଅନେକ ଦିନ ଗତ ହେଲା ଉତ୍ତାରେ ଯିହୁଦୀମାନେ ତାଙ୍କୁ ବଧ କରିବା ପାଇଁ ଏକତ୍ର ମନ୍ତ୍ରଣା କଲେ;
24. କିନ୍ତୁ ସେମାନଙ୍କର ଚକ୍ରା; ଶାଉଲଙ୍କର କର୍ଣ୍ଣଗୋଚର ହେଲା । ଆଉ, ସେମାନେ ଯେପରି ତାଙ୍କୁ ବଧ କରି ପାରନ୍ତି, ଏଥିନିମନ୍ତେ ଦିବାରାତ୍ର ମଧ୍ୟ ନଗର-ଦ୍ଵାରସବୁ ଜଗି ରହିଲେ,
25. କିନ୍ତୁ ତାଙ୍କର ଶିଷ୍ୟମାନେ ରାତ୍ରିକାଳରେ ତାଙ୍କୁ ଘେନି ଗୋଟିଏ ବେତାରେ ପ୍ରାଚୀର ଦେଇ ତଳକୁ ଓହ୍ଲାଇଦେଲେ ।
26. ପରେ ସେ ଯିରୂଶାଲମକୁ ଯାଇ ଶିଷ୍ୟମାନଙ୍କ ସହିତ ମିଶିବାକୁ ଚେଷ୍ଟା କରୁଥିଲେ; ମାତ୍ର ସେ ଯେ ଜଣେ ଶିଷ୍ୟ, ଏହା ବିଶ୍ଵାସ ନ କରି ସମସ୍ତେ ତାଙ୍କୁ ଭୟ କରୁଥିଲେ ।
27. କିନ୍ତୁ ବର୍ଣ୍ଣବ୍ବା ତାଙ୍କୁ ସଙ୍ଗରେ ଘେନି ପ୍ରେରିତମାନଙ୍କ ନିକଟକୁ ଆଣିଲେ, ପୁଣି ବାଟରେ ସେ କିପରି ପ୍ରଭୁଙ୍କର ଦର୍ଶନ ପାଇଥିଲେ ଓ ସେ ଯେ ତାଙ୍କ ସହିତ କଥା କହିଥିଲେ, ଆଉ କିପ୍ରକାରେ ସେ ଦାମାସ୍କସ୍ରେ ଯୀଶୁଙ୍କ ନାମରେ ସାହସପୂର୍ବକ ପ୍ରଚାର କରିଥିଲେ, ଏହିସବୁ ସେ ସେମାନଙ୍କ ନିକଟରେ ବର୍ଣ୍ଣନା କଲେ ।
28. ଆଉ, ସେ ସେମାନଙ୍କ ସହିତ ଯିରୂଶାଲମରେ ଗମନାଗମନ କରି,
29. ପ୍ରଭୁଙ୍କର ନାମ ସାହସପୂର୍ବକ ପ୍ରଚାର କରିବାକୁ ଲାଗିଲେ, ପୁଣି ସେ ଗ୍ରୀକ୍ ଭାଷାବାଦୀ ଯିହୁଦୀମାନଙ୍କ ସହିତ କଥାବାର୍ତ୍ତା ଓ ତର୍କବିତର୍କ କରୁଥିଲେ, କିନ୍ତୁ ସେମାନେ ତାଙ୍କୁ ବଧ କରିବା ସକାଶେ ଚେଷ୍ଟା କରିବାକୁ ଲାଗିଲେ ।
30. ତାହା ଜାଣି ପାରି ଭାଇମାନେ ତାଙ୍କୁ କାଇସରିଆକୁ ଘେନିଯାଇ ତାର୍ଷକୁ ପଠାଇଦେଲେ ।
31. ଏହିପ୍ରକାରେ ସମୁଦାୟ ଯିହୁଦା ପ୍ରଦେଶ, ଗାଲିଲୀ ଓ ଶମିରୋଣର ମଣ୍ତଳୀ ନିଷ୍ଠା ପ୍ରାପ୍ତ ହୋଇ ଓ ପ୍ରଭୁଙ୍କର ଭୟରେ ଆଚରଣ କରି ଶାନ୍ତି ଭୋଗ କଲେ, ପୁଣି ପବିତ୍ର ଆତ୍ମାଙ୍କ ସାହାଯ୍ୟରେ ବୃଦ୍ଧି ପାଇବାକୁ ଲାଗିଲେ ।
32. ଇତିମଧ୍ୟରେ ପିତର ସମସ୍ତ ଅଞ୍ଚଳ ଭ୍ରମଣ କରୁ କରୁ ଲୂଦନିବାସୀ ସାଧୁମାନଙ୍କ ନିକଟକୁ ମଧ୍ୟ ଆସିଲେ ।
33. ସେ ସ୍ଥାନରେ ସେ ଏନୀୟ ନାମକ ଜଣେ ଲୋକଙ୍କର ଦେଖା ପାଇଲେ, ସେ ଆଠ ବର୍ଷ ପର୍ଯ୍ୟନ୍ତ ଶଯ୍ୟାଶାୟୀ ଥିଲେ; ତାଙ୍କୁ ପକ୍ଷାଘାତ ହୋଇଥିଲା ।
34. ପିତର ତାଙ୍କୁ କହିଲେ, ଏନୀୟ, ଯୀଶୁ ଖ୍ରୀଷ୍ଟ ତୁମ୍ଭକୁ ସୁସ୍ଥ କରୁଅଛନ୍ତି; ଉଠ, ତୁମ୍ଭର ଶେଯ ସଜାଡ଼ । ସେଥିରେ ସେ ତତ୍କ୍ଷଣାତ୍ ଉଠିଲେ ।
35. ଆଉ, ଲୂଦ ଓ ଶାରୋଣ ନିବାସୀ ସମସ୍ତେ ତାଙ୍କୁ ଦେଖି ପ୍ରଭୁଙ୍କ ପ୍ରତି ଫେରିଲେ ।
36. ଯାଫୋରେ ଟାବୀଥା ନାମରେ ଜଣେ ଶିଷ୍ୟା ଥିଲେ, ଅନୁବାଦ କଲେ ଏହି ନାମର ଅର୍ଥ ଦର୍କା । ସେ ନାନା ସତ୍କର୍ମ ଓ ଦାନ କ୍ରିୟାରେ ପୂର୍ଣ୍ଣ ଥିଲେ ।
37. ସେହି ସମୟରେ ସେ ପୀଡ଼ିତା ହୋଇ ପ୍ରାଣତ୍ୟାଗ କଲେ, ସେଥିରେ ସେମାନେ ତାଙ୍କୁ ସ୍ନାନ କରାଇ ଗୋଟିଏ ଉପର କୋଠରୀରେ ଶୁଆଇଦେଲେ ।
38. ପୁଣି, ଲୂଦ ଯାଫୋର ନିକଟବର୍ତ୍ତୀ ଥିବାରୁ ଶିଷ୍ୟମାନେ ପିତର ସେଠାରେ ଅଛନ୍ତି ବୋଲି ଶୁଣି, ଦୁଇ ଜଣ ଲୋକଙ୍କୁ ତାଙ୍କ ନିକଟକୁ ପଠାଇ ଏହା ନିବେଦନ କଲେ, ଆମ୍ଭମାନଙ୍କ ନିକଟକୁ ଆସିବା ପାଇଁ ବିଳମ୍ଵ କରନ୍ତୁ ନାହିଁ ।
39. ଏଣୁ ପିତର ଉଠି ସେମାନଙ୍କ ସାଙ୍ଗରେ ଗଲେ । ସେ ଆସନ୍ତେ, ସେମାନେ ତାଙ୍କୁ ସେହି ଉପର କୋଠରୀକୁ ଘେନିଗଲେ, ଆଉ ବିଧବାମାନେ ସମସ୍ତେ ତାଙ୍କୁ ଘେରି ବିଳାପ କରୁ କରୁ, ଦର୍କା ସେମାନଙ୍କ ସାଙ୍ଗରେ ଥିବା ସମୟରେ ଯେଉଁସବୁ ଅଙ୍ଗରଖା ଓ ବସ୍ତ୍ରଗୁଡ଼ିକ ବନାଇଥିଲେ, ସେହିସବୁ ଦେଖାଇବାକୁ ଲାଗିଲେ ।
40. କିନ୍ତୁ, ପିତର ସମସ୍ତଙ୍କୁ ବାହାର କରିଦେଇ ଆଣ୍ଠୁ ମାଡ଼ି ପ୍ରାର୍ଥନା କଲେ, ପୁଣି ଶବ ଆଡ଼କୁ ବୁଲିପଡ଼ି କହିଲେ, ଟାବୀଥା, ଉଠ । ସେଥିରେ ସେ ଆଖି ମେଲା କଲେ, ଆଉ ପିତରଙ୍କୁ ଦେଖି ଉଠି ବସିଲେ ।
41. ପୁଣି, ସେ ହାତ ଦେଇ ତାଙ୍କୁ ଉଠାଇଲେ ଏବଂ ସାଧୁମାନଙ୍କୁ ଓ ବିଧବାମାନଙ୍କୁ ଡାକି ତାଙ୍କୁ ଜୀବିତ ଦେଖାଇଲେ ।
42. ଏହି କଥା ଯାଫୋର ସବୁଆଡ଼େ ଜଣାପଡ଼ିଲା ଓ ଅନେକେ ପ୍ରଭୁଙ୍କଠାରେ ବିଶ୍ଵାସ କଲେ ।
43. ପୁଣି, ପିତର ଅନେକ ଦିନ ଯାଫୋରେ ଶିମୋନ ନାମକ ଜଣେ ଚର୍ମକାରଙ୍କ ସହିତ ବାସ କଲେ ।