ସିଫନିୟ ଅଧ୍ୟାୟ 3
1. ଉପଦ୍ରବକାରିଣୀ ଯେଉଁ ନଗରୀ ବିଦ୍ରୋହିଣୀ ଓ ଭ୍ରଷ୍ଟା ହୋଇଅଛି, ସେ ସନ୍ତାପର ପାତ୍ରୀ ।
2. ସେ ରବ ଶୁଣିଲା ନାହିଁ; ସେ ଶିକ୍ଷା ଗ୍ରହଣ କଲା ନାହିଁ; ସେ ସଦାପ୍ରଭୁଙ୍କଠାରେ ନିର୍ଭର ରଖିଲା ନାହିଁ; ସେ ଆପଣା ପରମେଶ୍ଵରଙ୍କ ନିକଟକୁ ଆସିଲା ନାହିଁ ।
3. ତାହାର ମଧ୍ୟସ୍ଥିତ ଅଧିପତିଗଣ ଗର୍ଜନକାରୀ ସିଂହ; ତାହାର ବିଚାରକର୍ତ୍ତାଗଣ ସନ୍ଧ୍ୟାକାଳୀନ କେନ୍ଦୁଆ; ସେମାନେ ସକାଳ ବେଳାକୁ କିଛି ରଖନ୍ତି ନାହିଁ ।
4. ତାହାର ଭବିଷ୍ୟଦ୍ବକ୍ତାମାନେ ଅସାର ଓ ବିଶ୍ଵାସଘାତକ ଅଟନ୍ତି; ତାହାର ଯାଜକଗଣ ପବିତ୍ର ବିଷୟକୁ ଅପବିତ୍ର କରିଅଛନ୍ତି, ସେମାନେ ବ୍ୟବସ୍ଥା ପ୍ରତି ଦୌରାତ୍ମ୍ୟ କରିଅଛନ୍ତି ।
5. ତାହାର ମଧ୍ୟବର୍ତ୍ତୀ ସଦାପ୍ରଭୁ ଧାର୍ମିକ ଅଟନ୍ତି; ସେ ଅଧର୍ମ କରିବେ ନାହିଁ; ପ୍ରତି ପ୍ରଭାତ ସେ ଆପଣା ବିଚାର ଆଲୁଅରେ ସ୍ଥାପନ କରନ୍ତି, ସେ ତ୍ରୁଟି କରନ୍ତି ନାହିଁ; ମାତ୍ର ଅନ୍ୟାୟକାରୀ ଲୋକ ଲଜ୍ଜା ଜାଣେ ନାହିଁ ।
6. ଆମ୍ଭେ ଗୋଷ୍ଠୀଗଣକୁ ଉଚ୍ଛିନ୍ନ କରିଅଛୁ, ସେମାନଙ୍କର ଦୁର୍ଗସକଳ ଧ୍ଵଂସିତ ହୋଇଅଛି; ଆମ୍ଭେ ସେମାନଙ୍କର ପଥସକଳ ଶୂନ୍ୟ କରିଅଛୁ, ତାହା ଦେଇ କେହି ଗମନାଗମନ କରେ ନାହିଁ; ସେମାନଙ୍କର ନଗରସକଳ ଏପରି ବିନଷ୍ଟ ହୋଇଅଛି ଯେ, ତହିଁରେ କୌଣସି ମନୁଷ୍ୟ ଓ ବାସକାରୀ କେହି ନାହିଁ ।
7. ଆମ୍ଭେ କହିଲୁ, ତୁମ୍ଭେ ଅବଶ୍ୟ ଆମ୍ଭକୁ ଭୟ କରିବ, ତୁମ୍ଭେ ଶିକ୍ଷା ଗ୍ରହଣ କରିବ; ତହିଁରେ ତାହାର ବିରୁଦ୍ଧରେ ଆମ୍ଭର ସକଳ ନିରୂପଣ ଅନୁସାରେ ତାହାର ନିବାସ-ସ୍ଥାନ ଉଚ୍ଛିନ୍ନ ହେବ ନାହିଁ; ମାତ୍ର ସେମାନେ ଅତି ପ୍ରଭାତରେ ଉଠି ଆପଣାମାନଙ୍କର କ୍ରିୟାସବୁକୁ ଭ୍ରଷ୍ଟ କଲେ ।
8. ଏହେତୁ ସଦାପ୍ରଭୁ କହନ୍ତି, ଆମ୍ଭେ ଲୁଟିବା ପାଇଁ ଉଠିବା ଦିନ ପର୍ଯ୍ୟନ୍ତ ତୁମ୍ଭେମାନେ ଆମ୍ଭ ଅପେକ୍ଷାରେ ଥାଅ; କାରଣ ଆମ୍ଭେ ଆପଣା କୋପ ଓ ପ୍ରଚଣ୍ତ କ୍ରୋଧ ରାଜ୍ୟସକଳର ଉପରେ ଢାଳିବା ନିମନ୍ତେ ଯେପରି ସେମାନଙ୍କୁ ଏକତ୍ର କରିବା, ଏଥିପାଇଁ ଗୋଷ୍ଠୀଗଣକୁ ସଂଗ୍ରହ କରିବାକୁ ଆମ୍ଭର ସ୍ଥିର ବିଚାର ଅଛି; କାରଣ ଆମ୍ଭର ଅନ୍ତର୍ଜ୍ଵାଳାରୂପ ଅଗ୍ନିରେ ସମୁଦାୟ ପୃଥିବୀ ଗ୍ରାସିତ ହେବ ।
9. ଯେହେତୁ ଗୋଷ୍ଠୀଗଣ ଯେପରି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବେ ଓ ଏକମନରେ ତାହାଙ୍କର ସେବା କରିବେ, ଏଥିପାଇଁ ସେସମୟରେ ଆମ୍ଭେ ସେମାନଙ୍କୁ ଏକ ବିଶୁଦ୍ଧ ଭାଷା ଦେବା ।
10. ଆମ୍ଭର ପ୍ରାର୍ଥନାକାରୀମାନେ ଓ ଆମ୍ଭ ଛିନ୍ନଭିନ୍ନ (ଲୋକଙ୍କର) କନ୍ୟା କୂଶ ଦେଶସ୍ଥ ନଦୀସବୁର ସେପାରିରୁ ଆମ୍ଭର ନୈବେଦ୍ୟ ଆଣିବେ ।
11. ତୁମ୍ଭେ ଆପଣାର ଯେସବୁ କ୍ରିୟାରେ ଆମ୍ଭର ଆଜ୍ଞା ଲଙ୍ଘନ କରିଅଛ, ତହିଁ ସକାଶୁ ସେଦିନ ତୁମ୍ଭେ ଲଜ୍ଜିତ ନୋହିବ; କାରଣ ସେସମୟରେ ଆମ୍ଭେ ତୁମ୍ଭ ମଧ୍ୟରୁ ତୁମ୍ଭର ଦର୍ପଯୁକ୍ତ ଉଲ୍ଲାସକାରୀମାନଙ୍କୁ ଦୂର କରିବା ଓ ତୁମ୍ଭେ ଆମ୍ଭ ପବିତ୍ର ପର୍ବତରେ ଆଉ ଅହଙ୍କାରୀ ନୋହିବ ।
12. ମାତ୍ର ଆମ୍ଭେ ତୁମ୍ଭ ମଧ୍ୟରେ କ୍ଳେଶଯୁକ୍ତ ଓ ଦରିଦ୍ର ଏକ ଗୋଷ୍ଠୀକି ରଖିବା, ଆଉ ସେମାନେ ସଦାପ୍ରଭୁଙ୍କ ନାମରେ ନିର୍ଭର ରଖିବେ ।
13. ଇସ୍ରାଏଲର ଅବଶିଷ୍ଟାଂଶ ଲୋକମାନେ ଅଧର୍ମ କରିବେ ନାହିଁ, କିଅବା ମିଥ୍ୟା କହିବେ ନାହିଁ⇧; ଅଥବା ପ୍ରତାରକ ଜିହ୍ଵା ସେମାନଙ୍କ ମୁଖରେ ଦେଖାଯିବ ନାହିଁ; କାରଣ ସେମାନେ ଚରିବେ ଓ ଶୟନ କରିବେ, ଆଉ କେହି ସେମାନଙ୍କୁ ଭୟ ଦେଖାଇବ ନାହିଁ ।
14. ଗୋ ସିୟୋନ କନ୍ୟେ, ଗାନ କର; ହେ ଇସ୍ରାଏଲ, ଜୟଧ୍ଵନି କର; ଗୋ ଯିରୂଶାଲମ କନ୍ୟେ, ଆନନ୍ଦ କର ଓ ସର୍ବାନ୍ତଃକରଣରେ ଉଲ୍ଲାସ କର ।
15. ସଦାପ୍ରଭୁ ତୁମ୍ଭର ଦଣ୍ତସବୁ ଦୂର କରିଅଛନ୍ତି, ସେ ତୁମ୍ଭର ଶତ୍ରୁକୁ ଦୂର କରିଅଛନ୍ତି; ଇସ୍ରାଏଲର ରାଜା ସଦାପ୍ରଭୁ ତୁମ୍ଭ ମଧ୍ୟବର୍ତ୍ତୀ ଅଛନ୍ତି, ତୁମ୍ଭେ ଆଉ ଅମଙ୍ଗଳର ଭୟ ପାଇବ ନାହିଁ ।
16. ସେହି ଦିନ ଯିରୂଶାଲମକୁ କୁହାଯିବ, ତୁମ୍ଭେ ଭୟ କର ନାହିଁ; ହେ ସିୟୋନ, ତୁମ୍ଭର ହସ୍ତ ଶିଥିଳ ନ ହେଉ ।
17. ସଦାପ୍ରଭୁ ତୁମ୍ଭର ପରମେଶ୍ଵର ତୁମ୍ଭର ମଧ୍ୟବର୍ତ୍ତୀ ଅଟନ୍ତି, ସେ ବୀର, ଯେ କି ପରିତ୍ରାଣ କରିବେ; ସେ ତୁମ୍ଭ ବିଷୟରେ ପରମ ଆନନ୍ଦ କରିବେ, ସେ ଆପଣା ସ୍ନେହଭରରେ ନୀରବ ହେବେ, ସେ ଗାନ କରି ତୁମ୍ଭ ବିଷୟରେ ଉଲ୍ଲାସ କରିବେ ।
18. ତୁମ୍ଭର ଯେଉଁ ଲୋକମାନେ ମହାସଭା ବିଷୟରେ ଶୋଚନା କରନ୍ତି, ସେମାନଙ୍କୁ ଆମ୍ଭେ ଏକତ୍ର କରିବା; ତାହାର ଭାର ସେମାନଙ୍କ ପ୍ରତି ଲଜ୍ଜାର ବିଷୟ ଥିଲା ।
19. ଦେଖ, ଯେଉଁମାନେ ତୁମ୍ଭକୁ କ୍ଳେଶ ଦିଅନ୍ତି, ସେସମସ୍ତଙ୍କ ପ୍ରତି ସେସମୟରେ ଆମ୍ଭେ ଉପଯୁକ୍ତ ବ୍ୟବହାର କରିବା; ପୁଣି, ଆମ୍ଭେ ଛୋଟୀକୁ ପରିତ୍ରାଣ କରିବା ଓ ଯେ ତାଡ଼ିତା ହୋଇଥିଲା, ତାହାକୁ ସଂଗ୍ରହ କରିବା; ଆଉ, ଯେଉଁମାନଙ୍କର ଲଜ୍ଜା ସମୁଦାୟ ପୃଥିବୀରେ ବ୍ୟାପିଥିଲା, ଆମ୍ଭେ ସେମାନଙ୍କୁ ପ୍ରଶଂସାର ଓ ଯଶର ପାତ୍ର କରିବା ।
20. ସେସମୟରେ ଆମ୍ଭେ ତୁମ୍ଭମାନଙ୍କୁ ଆଣିବା ଓ ସେହି ସମୟରେ ଆମ୍ଭେ ତୁମ୍ଭମାନଙ୍କୁ ସଂଗ୍ରହ କରିବା; କାରଣ ଆମ୍ଭେ ତୁମ୍ଭମାନଙ୍କ ଦୃଷ୍ଟିଗୋଚରରେ ତୁମ୍ଭମାନଙ୍କର ବନ୍ଦୀତ୍ଵାବସ୍ଥା ପରିବର୍ତ୍ତନ କରିବା ସମୟରେ ପୃଥିବୀସ୍ଥ ଯାବତୀୟ ଗୋଷ୍ଠୀ ମଧ୍ୟରେ ତୁମ୍ଭମାନଙ୍କୁ ଯଶର ଓ ପ୍ରଶଂସାର ପାତ୍ର କରିବା, ଏହା ସଦାପ୍ରଭୁ କହନ୍ତି ।