ପ୍ରଥମ ରାଜାବଳୀ ଅଧ୍ୟାୟ 10
1. ଅନନ୍ତର ଶିବା ଦେଶର ରାଣୀ ସଦାପ୍ରଭୁଙ୍କ ନାମ ସମ୍ଵନ୍ଧରେ ଶଲୋମନଙ୍କର ସୁଖ୍ୟାତି ଶୁଣି ନିଗୂଢ଼ ପ୍ରଶ୍ନ ଦ୍ଵାରା ତାଙ୍କୁ ପରୀକ୍ଷା କରିବା ପାଇଁ ଆସିଲା ।
2. ସେ ସୁଗନ୍ଧି ଦ୍ରବ୍ୟ ଓ ଅତି ପ୍ରଚୁର ସ୍ଵର୍ଣ୍ଣ ଓ ମଣିବାହକ ଉଷ୍ଟ୍ରଗଣ ସଙ୍ଗେ ନେଇ ମହାସମାରୋହରେ ଯିରୂଶାଲମକୁ ଆସିଲା; ପୁଣି ସେ ଶଲୋମନଙ୍କ ନିକଟକୁ ଆସି ଆପଣା ମନରେ ଯାହା ଯାହା ଥିଲା, ସେସବୁ ବିଷୟରେ ତାଙ୍କ ସଙ୍ଗେ କଥାବାର୍ତ୍ତା କଲା ।
3. ତହିଁରେ ଶଲୋମନ ତାହାର ସମସ୍ତ ପ୍ରଶ୍ନର ଉତ୍ତର କଲେ; ରାଜାଙ୍କର ବୋଧାଗମ୍ୟ କୌଣସି ବିଷୟ ନ ଥିଲା, ସେ ତାହାକୁ ସବୁ କହିଲେ ।
4. ପୁଣି ଶିବାର ରାଣୀ ଶଲୋମନଙ୍କର ସମସ୍ତ ଜ୍ଞାନ ଓ ତାଙ୍କର ନିର୍ମିତ ଗୃହ
5. ଓ ତାଙ୍କର ମେଜର ଖାଦ୍ୟଦ୍ରବ୍ୟ ଓ ତାଙ୍କର ଭୃତ୍ୟମାନଙ୍କ ଆସନ ଓ ତାଙ୍କ ମନ୍ତ୍ରୀମାନଙ୍କ ସେବା ଓ ସେମାନଙ୍କ ବସ୍ତ୍ର ଓ ପାନପାତ୍ରବାହକଗଣ ଓ ସଦାପ୍ରଭୁଙ୍କ ଗୃହକୁ ଉଠି ଯିବା ପାଇଁ ତାହାର ପାବଚ୍ଛ, ଏହିସବୁ ଦେଖି ସେ ହତଜ୍ଞାନ ହେଲା ।
6. ତହୁଁ ସେ ରାଜାଙ୍କୁ କହିଲା, ମୁଁ ଆପଣା ଦେଶରେ ଥାଇ ଆପଣଙ୍କ କାର୍ଯ୍ୟ ଓ ଆପଣଙ୍କ ଜ୍ଞାନ ବିଷୟରେ ଯେଉଁ ସମ୍ଵାଦ ପାଇଥିଲି, ତାହା ସତ୍ୟ ।
7. ତଥାପି ମୁଁ ଆସି ଆପଣା ଚକ୍ଷୁରେ ନ ଦେଖିବାଯାଏ ସେକଥା ବିଶ୍ଵାସ ନ କଲି; ଆଉ ଦେଖନ୍ତୁ, ଅର୍ଦ୍ଧେକ ମୋତେ କୁହାଯାଇ ନ ଥିଲା; ମୁଁ ଯେଉଁ ସୁଖ୍ୟାତି ଶୁଣିଲି, ତଦପେକ୍ଷା ଆପଣଙ୍କ ଜ୍ଞାନ ଓ ଐଶ୍ଵର୍ଯ୍ୟ ଅଧିକ ।
8. ଆପଣଙ୍କ ଲୋକମାନେ ଧନ୍ୟ, ଆପଣଙ୍କ ଏହି ଦାସମାନେ ଧନ୍ୟ, ସେମାନେ ନିତ୍ୟ ଆପଣଙ୍କ ସମ୍ମୁଖରେ ଛିଡ଼ା ହୋଇ ଆପଣଙ୍କ ଜ୍ଞାନର କଥା ଶୁଣନ୍ତି ।
9. ସଦାପ୍ରଭୁ ଆପଣଙ୍କ ପରମେଶ୍ଵର ଧନ୍ୟ, ସେ ଆପଣଙ୍କୁ ଇସ୍ରାଏଲର ସିଂହାସନରେ ଉପବିଷ୍ଟ କରାଇବା ପାଇଁ ଆପଣଙ୍କ ପ୍ରତି ସନ୍ତୁଷ୍ଟ ହେଲେ; ସଦାପ୍ରଭୁ ଇସ୍ରାଏଲକୁ ସଦାକାଳ ପ୍ରେମ କରନ୍ତି, ଏହେତୁ ବିଚାର ଓ ନ୍ୟାୟ କରିବାକୁ ଆପଣଙ୍କୁ ରାଜା କଲେ ।
10. ଏଉତ୍ତାରେ ସେ ରାଜାଙ୍କୁ ଏକ ଶହ କୋଡ଼ିଏ ତାଳ; ସୁନା, ଆଉ ଅତି ପ୍ରଚୁର ସୁଗନ୍ଧି ଦ୍ରବ୍ୟ ଓ ମଣି ଦେଲା; ଶିବାର ରାଣୀ ଶଲୋମନ ରାଜାଙ୍କୁ ଯେତେ ସୁଗନ୍ଧି ଦ୍ରବ୍ୟ ଦେଲା, ସେତେ ବହୁଳ ପରିମାଣରେ ଆଉ କେବେ ଆସି ନାହିଁ ।
11. ଆଉ ହୀରମ୍ର ଯେ ଯେ ଜାହାଜରେ ଓଫୀରରୁ ସୁନା ଆସିଲା, ସେସବୁରେ ମଧ୍ୟ ଓଫୀରରୁ ଅତି ପ୍ରଚୁର ଚନ୍ଦନ କାଷ୍ଠ ଓ ମଣି ଆସିଲା ।
12. ସେହି ଚନ୍ଦନ କାଷ୍ଠରେ ରାଜା ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ ପାଇଁ ସ୍ତମ୍ଭ ଓ ଗାୟକମାନଙ୍କ ନିମନ୍ତେ ବୀଣା ଓ ନେବଲ ନିର୍ମାଣ କଲେ; ଏରୂପ ଚନ୍ଦନ କାଷ୍ଠ ଆଜିଯାଏ କେବେ ଆସି ନାହିଁ କି ଦେଖା ନାହିଁ ।
13. ଶିବାର ରାଣୀ ଯାହା ଯାହା ମାଗିଲା, ତାହାର ମନୋବାଞ୍ଛାନୁସାରେ ଶଲୋମନ ରାଜା ତାହାସବୁ ତାହାକୁ ଦେଲେ, ତାହା ଛଡ଼ା ଶଲୋମନ ରାଜଯୋଗ୍ୟ ଦାନାନୁସାରେ ତାହାକୁ ଦେଲେ । ଏଉତ୍ତାରେ ରାଣୀ ଓ ତାହାର ଦାସମାନେ ଫେରି ଆପଣା ଦେଶକୁ ଗଲେ ।
14. ବର୍ଷକ ମଧ୍ୟରେ ଶଲୋମନଙ୍କ ନିକଟକୁ ଛଅ ଶହ ଛଷଠି ତାଳ; ପରିମିତ ସୁବର୍ଣ୍ଣ ଆସେ ।
15. ଏହାଛଡ଼ା ପାଇକରମାନେ ଆଣିଲେ, ପୁଣି ବଣିକମାନଙ୍କ ବ୍ୟବସାୟରୁ ଓ ମିଶ୍ରିତ ଗୋଷ୍ଠୀୟମାନଙ୍କ ସମସ୍ତ ରାଜାଠାରୁ ଓ ଦେଶାଧ୍ୟକ୍ଷମାନଙ୍କଠାରୁ ସୁବର୍ଣ୍ଣ ଆସିଲା ।
16. ତହିଁରେ ଶଲୋମନ ରାଜା ପିଟା-ସୁନାରେ ଦୁଇ ଶହ ବଡ଼ ଢାଲ ପ୍ରସ୍ତୁତ କଲେ; ପ୍ରତ୍ୟେକ ଢାଲରେ ଛଅ ଶହ ଶେକଲ ସୁନା ଲାଗିଲା ।
17. ଆଉ ସେ ପିଟା-ସୁନାରେ ତିନି ଶହ ଢାଲ ପ୍ରସ୍ତୁତ କଲେ; ପ୍ରତ୍ୟେକ ଢାଲରେ ତିନି ଶହ ସେର ସୁନା ଲାଗିଲା; ଆଉ ରାଜା ଲିବାନୋନ-ଅରଣ୍ୟ-ଗୃହରେ ତାହାସବୁ ରଖିଲେ ।
18. ଆହୁରି ରାଜା ହସ୍ତୀଦନ୍ତର ଗୋଟିଏ ବୃହତ ସିଂହାସନ ନିର୍ମାଣ କରି ଅତ୍ୟୁତ୍ତମ ସୁବର୍ଣ୍ଣରେ ମଡ଼ାଇଲେ ।
19. ସେହି ସିଂହାସନର ଛଅ ପାବଚ୍ଛ ଥିଲା, ସେହି ସିଂହାସନ ଉପରିଭାଗର ପଛଆଡ଼ ଗୋଲାକାର ଥିଲା ଓ ଆସନର ଦୁଇ ପାର୍ଶ୍ଵରେ ଦୁଇ ହସ୍ତାବଲମ୍ଵନ ଥିଲା ଓ ସେହି ହସ୍ତାବଲମ୍ଵନ ନିକଟରେ ଦୁଇ ସିଂହମୂର୍ତ୍ତି ଛିଡ଼ା ହୋଇଥିଲେ ।
20. ଆଉ ସେହି ଛଅ ପାବଚ୍ଛ ଉପରେ ଦୁଇ ପାଖେ ବାର ସିଂହମୂର୍ତ୍ତି ଛିଡ଼ା ହୋଇଥିଲେ; ଏରୂପ ସିଂହାସନ କୌଣସି ରାଜ୍ୟରେ ପ୍ରସ୍ତୁତ ହୋଇ ନ ଥିଲା ।
21. ଶଲୋମନ ରାଜାଙ୍କର ପାନପାତ୍ରସବୁ ସୁନାର ଥିଲା ଓ ଲିବାନୋନ-ଅରଣ୍ୟ-ଗୃହର ସମସ୍ତ ପାତ୍ର ସୁଦ୍ଧା ସୁବର୍ଣ୍ଣର ଥିଲା; ରୂପାର କିଛି ନ ଥିଲା; ଶଲୋମନଙ୍କ ସମୟରେ ରୂପା କିଛି ବୋଲି ଗଣା ନୋହିଲା ।
22. କାରଣ ସମୁଦ୍ରରେ ହୀରମ୍ର ଜାହାଜ ସଙ୍ଗେ ରାଜାଙ୍କର ତର୍ଶୀଶଗାମୀ ଜାହାଜ ଥିଲା; ସେହି ତର୍ଶୀଶର ଜାହାଜମାନ ତିନି ବର୍ଷରେ ଥରେ ସୁନା ଓ ରୂପା, ହସ୍ତୀଦ; ଓ ବାନର ଓ ମୟୂର ନେଇ ଆସନ୍ତି ।
23. ଏହିରୂପେ ଶଲୋମନ ରାଜା ଐଶ୍ଵର୍ଯ୍ୟରେ ଓ ଜ୍ଞାନରେ ପୃଥିବୀସ୍ଥ ସମସ୍ତ ରାଜାଙ୍କୁ ବଳିଗଲେ ।
24. ଆଉ ପରମେଶ୍ଵର ଶଲୋମନଙ୍କର ହୃଦୟରେ ଯେଉଁ ଜ୍ଞାନ ଦେଇଥିଲେ, ତାଙ୍କର ସେହି ଜ୍ଞାନର କଥା ଶୁଣିବାକୁ ପୃଥିବୀସ୍ଥ ସମସ୍ତେ ତାଙ୍କର ସାକ୍ଷାତ କରିବାକୁ ଚାହିଁଲେ ।
25. ପୁଣି ପ୍ରତ୍ୟେକ ଲୋକ ନିରୂପଣାନୁସାରେ ବର୍ଷକୁ ବର୍ଷ ଆପଣା ଆପଣା ଭେଟୀ ରୂପେ ରୂପାପାତ୍ର ଓ ସୁନାପାତ୍ର ଓ ବସ୍ତ୍ର ଓ ଅସ୍ତ୍ରଶସ୍ତ୍ର ଓ ସୁଗନ୍ଧି ଦ୍ରବ୍ୟ ଓ ଅଶ୍ଵ ଓ ଖଚର ଆଣିଲେ ।
26. ଆଉ ଶଲୋମନ ରଥ ଓ ଅଶ୍ଵାରୋହୀମାନଙ୍କୁ ସଂଗ୍ରହ କଲେ; ତାଙ୍କର ଏକ ହଜାର ଚାରି ଶହ ରଥ ଓ ବାର ହଜାର ଅଶ୍ଵାରୋହୀ ଥିଲେ, ସେମାନଙ୍କୁ ସେ ରଥ-ନଗରମାନରେ ଓ ରାଜାଙ୍କ ନିକଟରେ ଯିରୂଶାଲମରେ ରଖିଲେ ।
27. ପୁଣି ରାଜା ଯିରୂଶାଲମରେ ରୂପାକୁ ପଥର ପରି ଓ ବାହୁଲ୍ୟ ହେତୁରୁ ଏରସ କାଷ୍ଠକୁ ତଳଭୂମିସ୍ଥ ଡିମିରି ବୃକ୍ଷ ପରି କଲେ ।
28. ଆଉ ଶଲୋମନଙ୍କର ଅଶ୍ଵସବୁ ମିସରରୁ ଅଣାଗଲା; ରାଜାଙ୍କର ବଣିକମାନେ ପ୍ରତ୍ୟେକ ପଲର ମୂଲ୍ୟ ଦେଇ ପଲ ପଲ କରି ପାଇଲେ ।
29. ଏହିରୂପେ ସେମାନଙ୍କ ଦ୍ଵାରା ହିତ୍ତୀୟ ଓ ଅରାମୀୟ ସମସ୍ତ ରାଜାଙ୍କ ନିମନ୍ତେ ହିଁ ସେସବୁ ଅଣାଗଲା; ପୁଣି ମିସରର ଏକ ଏକ ରଥ ଛଅ ଶହ ରୌପ୍ୟ ମୁଦ୍ରାରେ ଓ ଏକ ଏକ ଅଶ୍ଵ ଏକ ଶହ ପଚାଶ ରୌପ୍ୟ ମୁଦ୍ରାରେ ଆସିଲା ଓ ଗଲା ।