ଆୟୁବ ପୁସ୍ତକ ଅଧ୍ୟାୟ 8
1. ଏଉତ୍ତାରେ ଶୂହୀୟ ବିଲ୍ଦଦ୍ ଉତ୍ତର କରି କହିଲା,
2. ତୁମ୍ଭେ କେତେ କାଳ ଏହିସବୁ କଥା କହିବ? ଓ ତୁମ୍ଭ ମୁଖର ବାକ୍ୟ କେତେ କାଳ ପ୍ରବଳ ବାୟୁ ତୁଲ୍ୟ ହେବ?
3. ପରମେଶ୍ଵର କʼଣ ବିଚାର ବିପରୀତ କରନ୍ତି? ଅଥବା ସର୍ବଶକ୍ତିମାନ କʼଣ ନ୍ୟାୟ ବିପରୀତ କରନ୍ତିଣ?
4. ଯେବେ ତୁମ୍ଭର ସନ୍ତାନଗଣ ତାହାଙ୍କ ବିରୁଦ୍ଧରେ ପାପ କରିଅଛନ୍ତି ଓ ସେ ସେମାନଙ୍କୁ ସେମାନଙ୍କ ଅଧର୍ମର ହସ୍ତରେ ସମର୍ପଣ କରିଅଛନ୍ତି;
5. ଯେବେ ତୁମ୍ଭେ ଯନିପୂର୍ବକ ପରମେଶ୍ଵରଙ୍କର ଅନ୍ଵେଷଣ କର; ଓ ସର୍ବଶକ୍ତିମାନଙ୍କ ନିକଟରେ ଆପଣା ନିବେଦନ ଜଣାନ୍ତ;
6. ଯେବେ ତୁମ୍ଭେ ନିର୍ମଳ ଓ ସରଳ ଥାʼନ୍ତ, ତେବେ ସେ ନିଶ୍ଚୟ ଏକ୍ଷଣେ ତୁମ୍ଭ ପକ୍ଷରେ ଜାଗ୍ରତ ହୁଅନ୍ତେ, ଆଉ ତୁମ୍ଭର ଧର୍ମନିବାସକୁ ସମୃଦ୍ଧିଶାଳୀ କରନ୍ତେ ।
7. ଆଉ, ତୁମ୍ଭର ପ୍ରଥମାବସ୍ଥା କ୍ଷୁଦ୍ର ହେଲେ ହେଁ ତୁମ୍ଭର ଶେଷାବସ୍ଥା ଅତିଶୟ ଉନ୍ନତ ହୁଅନ୍ତା ।
8. କାରଣ ବିନୟ କରୁଅଛି, ପୂର୍ବକାଳୀନ ଲୋକଙ୍କୁ ପଚାର ଓ ସେମାନଙ୍କ ପିତୃଗଣ ଅନୁସନ୍ଧାନ କରି ଯାହା ପାଇଅଛନ୍ତି, ତହିଁରେ ମନୋଯୋଗ କର;
9. କାରଣ ଆମ୍ଭେମାନେ ତ କାଲିର ଲୋକ ଓ କିଛି ଜାଣୁ ନାହୁଁ, ଯେଣୁ ପୃଥିବୀରେ ଆମ୍ଭମାନଙ୍କ ଦିନ ଛାୟା ସ୍ଵରୂପ;
10. ସେମାନେ କʼଣ ତୁମ୍ଭକୁ ଶିକ୍ଷା ଦେବେ ନାହିଁ ଓ ଜଣାଇବେ ନାହିଁ, ପୁଣି ଆପଣା ଆପଣା ଅନ୍ତଃକରଣରୁ କʼଣ ବାକ୍ୟ ଉଚ୍ଚାରଣ କରିବେ ନାହିଁ?
11. ପଙ୍କ ବିନା କʼଣ ନଳ ବଢ଼ିପାରେ? ଜଳ ବିନା କʼଣ ସନ୍ତରା ବଢ଼ିପାରେ?
12. ତାହା ସତେଜ ଥାଉ ଥାଉ ଓ କଟା ନୋହୁଣୁ ଅନ୍ୟାନ୍ୟ ତୃଣ ପୂର୍ବରୁ ଶୁଷ୍କ ହୁଏ ।
13. ଯେଉଁମାନେ ପରମେଶ୍ଵରଙ୍କୁ ପାସୋରନ୍ତି, ସେସମସ୍ତଙ୍କର ପଥ ଏହି ପ୍ରକାର ଓ ଧର୍ମହୀନ ଲୋକର ଭରସା ବିନଷ୍ଟ ହେବ,
14. ତାହାର ପ୍ରତ୍ୟାଶା ଉଚ୍ଛିନ୍ନ ହେବ, ଯେଣୁ ତାହାର ଆଶ୍ରୟ ମାକଡ଼ସାର ଜାଲ ସ୍ଵରୂପ ।
15. ସେ ଆପଣା ଗୃହ ଉପରେ ଆଉଜିବ, ମାତ୍ର ତାହା ସ୍ଥିର ରହିବ ନାହିଁ; ସେ ତାହା ଦୃଢ଼ କରି ଅବଲମ୍ଵନ କରିବ, ମାତ୍ର ତାହା ରହିବ ନାହିଁ ।
16. ସେ ସୂର୍ଯ୍ୟ ସାକ୍ଷାତରେ ସତେଜ ହୁଏ, ତାହାର କୋମଳ ଶାଖା ତାହାର ଉଦ୍ୟାନରେ ମାଡ଼ିଯାଏ ।
17. ତାହାର ଚେର ପ୍ରସ୍ତରରାଶିରେ ଜଡ଼ିତ ହୁଏ, ସେ ପ୍ରସ୍ତରର ସ୍ଥଳ ଦେଖେ ।
18. ଯେବେ ସେ ଆପଣା ସ୍ଥାନରୁ ବିନଷ୍ଟ ହେବ, ତେବେ ସେହି ସ୍ଥାନ ତାହାକୁ ଅସ୍ଵୀକାର କରି କହିବ, ମୁଁ ତୁମ୍ଭକୁ ଦେଖି ନାହିଁ ।
19. ଦେଖ, ଏହି ତାହାର ଗତିର ଆମୋଦ, ଏଉତ୍ତାରେ ଭୂମିରୁ ଅନ୍ୟମାନେ ଉଠିବେ ।
20. ଦେଖ, ପରମେଶ୍ଵର ସିଦ୍ଧ ଲୋକକୁ ଦୂର କରିବେ ନାହିଁ, କିଅବା ସେ ଦୁଷ୍କର୍ମକାରୀମାନଙ୍କୁ ଧରି ରଖିବେ ନାହିଁ ।
21. ତେବେ ହେଁ ସେ ତୁମ୍ଭ ମୁଖକୁ ହାସ୍ୟରେ ଓ ତୁମ୍ଭ ଓଷ୍ଠାଧରକୁ ଆନନ୍ଦଧ୍ଵନିରେ ପୂର୍ଣ୍ଣ କରିବେ ।
22. ତୁମ୍ଭର ଘୃଣାକାରୀମାନେ ଲଜ୍ଜାପରିହିତ ହେବେ ଓ ଦୁଷ୍ଟର ତମ୍ଵୁ ଆଉ ରହିବ ନାହିଁ ।