ଦିତୀୟ ଶାମୁୟେଲ ଅଧ୍ୟାୟ 2
1. ଏଥିଉତ୍ତାରେ ଦାଉଦ ସଦାପ୍ରଭୁଙ୍କ ନିକଟରେ ପଚାରି କହିଲେ, ମୁଁ କʼଣ ଯିହୁଦାର କୌଣସି ଏକ ନଗରକୁ ଯିବି? ସଦାପ୍ରଭୁ ତାଙ୍କୁ କହିଲେ, ଯାଅ । ପୁଣି ଦାଉଦ କହିଲେ, ମୁଁ କେଉଁଠାକୁ ଯିବି? ସେ କହିଲେ ହିବ୍ରୋଣକୁ ।
2. ଏଣୁ ଦାଉଦ ଓ ତାଙ୍କର ଯିଷ୍ରିୟେଲୀୟା ଅହୀନୋୟମ୍ ଓ କର୍ମିଲୀୟ ନାବଲର ଭାର୍ଯ୍ୟା ଅବୀଗଲ ନାମ୍ନୀ ଏହି ଦୁଇ ଭାର୍ଯ୍ୟା ସେସ୍ଥାନକୁ ଗଲେ ।
3. ଆଉ ଦାଉଦ ଆପଣା ସଙ୍ଗୀମାନଙ୍କୁ ସେମାନଙ୍କ ପରିବାର ସମେତ ଆଣିଲେ; ତହିଁରେ ସେମାନେ ହିବ୍ରୋଣର ନଗରମାନରେ ବାସ କଲେ ।
4. ତହୁଁ ଯିହୁଦାର ଲୋକମାନେ ଆସି ସେହି ସ୍ଥାନରେ ଦାଉଦଙ୍କୁ ଯିହୁଦା ବଂଶ ଉପରେ ରାଜାଭିଷିକ୍ତ କଲେ। ଏଉତ୍ତାରେ ଯାବେଶ୍-ଗିଲୀୟଦୀୟମାନେ ଶାଉଲଙ୍କୁ କବର ଦେଲେ ବୋଲି ଲୋକମାନେ ଦାଉଦଙ୍କୁ ଜଣାଇଲେ ।
5. ତହିଁରେ ଦାଉଦ ଯାବେଶ୍-ଗିଲୀୟଦର ଲୋକମାନଙ୍କ ନିକଟକୁ ଦୂତଗଣ ପଠାଇ କହିଲେ, ତୁମ୍ଭେମାନେ ସଦାପ୍ରଭୁଙ୍କର ଆଶୀର୍ବାଦପାତ୍ର, କାରଣ ତୁମ୍ଭେମାନେ ଆପଣା ପ୍ରଭୁ ଶାଉଲଙ୍କ ପ୍ରତି ଏହି ଦୟା ପ୍ରକାଶ କରି ତାଙ୍କୁ କବର ଦେଇଅଛ ।
6. ଏଣୁ ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଦୟା ଓ ସତ୍ୟତା ପ୍ରକାଶ କରନ୍ତୁ; ପୁଣି ତୁମ୍ଭେମାନେ ଏହି କର୍ମ କରିବାରୁ ମୁଁ ମଧ୍ୟ ତୁମ୍ଭମାନଙ୍କୁ ସେହି ଦୟାର ପ୍ରତିଦାନ କରିବି ।
7. ଏହେତୁ ଏବେ ତୁମ୍ଭମାନଙ୍କ ହସ୍ତ ସବଳ ହେଉ ଓ ତୁମ୍ଭେମାନେ ବିକ୍ରମଶାଳୀ ହୁଅ; କାରଣ ତୁମ୍ଭମାନଙ୍କ ପ୍ରଭୁ ଶାଉଲ ମରିଅଛନ୍ତି, ମଧ୍ୟ ଯିହୁଦା ବଂଶ ଆପଣା ଉପରେ ମୋତେ ରାଜାଭିଷିକ୍ତ କରିଅଛନ୍ତି ।
8. ଏଥି ମଧ୍ୟରେ ନରର ପୁତ୍ର ଅବ୍ନର ନାମକ ଶାଉଲଙ୍କର ସୈନ୍ୟଦଳର ସେନାପତି ଶାଉଲଙ୍କର ପୁତ୍ର ଈଶ୍ବୋଶତକୁ ମହନୟିମକୁ ନେଇଯାଇ,
9. ଗିଲୀୟଦ ଓ ଅଶୂରି ଓ ଯିଷ୍ରିୟେଲ ଓ ଇଫ୍ରୟିମ ଓ ବିନ୍ୟାମୀନ ଓ ସମସ୍ତ ଇସ୍ରାଏଲ ଉପରେ ରାଜା କଲେ ।
10. ଶାଉଲଙ୍କର ପୁତ୍ର ଈଶ୍ବୋଶତ ଚାଳିଶ ବର୍ଷ ବୟସରେ ଇସ୍ରାଏଲ ବଂଶ ଉପରେ ରାଜ୍ୟ କରିବାକୁ ଆରମ୍ଭ କରି ଦୁଇ ବର୍ଷ ରାଜତ୍ଵ କଲା । ମାତ୍ର ଯିହୁଦା ବଂଶ ଦାଉଦଙ୍କର ପଶ୍ଚାଦ୍ଗାମୀ ହେଲେ ।
11. ପୁଣି ହିବ୍ରୋଣରେ ଯିହୁଦା ବଂଶ ଉପରେ ଦାଉଦଙ୍କ ରାଜା ହେବାର ସାତ ବର୍ଷ ଛଅ ମାସ ଥିଲା ।
12. ଅନନ୍ତର ନରର ପୁତ୍ର ଅବ୍ନର ଓ ଶାଲଲଙ୍କର ପୁତ୍ର ଈଶ୍ବୋଶତର ଦାସମାନେ ମହନୟିମରୁ ବାହାରି ଗିବୀୟୋନକୁ ଗଲେ ।
13. ସେତେବେଳେ ସରୁୟାର ପୁତ୍ର ଯୋୟାବ ଓ ଦାଉଦଙ୍କର ଦାସଗଣ ବାହାରି ଗିବୀୟୋନର ପୁଷ୍କରିଣୀ ନିକଟରେ ସେମାନଙ୍କୁ ଭେଟିଲେ; ପୁଣି ସେମାନଙ୍କର; ଏକ ଦଳ ପୁଷ୍କରିଣୀର ଏକ ପାଖରେ, ଅନ୍ୟ ଦଳ ପୁଷ୍କରିଣୀର ଅନ୍ୟ ପାଖରେ ବସିଲେ ।
14. ଏଥିରେ ଅବ୍ନର ଯୋୟାବକୁ କହିଲା, ଯୁବାମାନଙ୍କୁ ଆମ୍ଭମାନଙ୍କ ସମ୍ମୁଖରେ ଉଠି ଖେଳିବା ପାଇଁ କହନ୍ତୁ । ତହୁଁ ଯୋୟାବ କହିଲା, ଉଠନ୍ତୁ ।
15. ତେଣୁ ସେମାନେ ସଂଖ୍ୟାନୁସାରେ ଉଠିଲେ; ବିନ୍ୟାମୀନ ଓ ଶାଉଲଙ୍କର ପୁତ୍ର ଈଶ୍ବୋଶତ ପକ୍ଷରେ ବାର ଜଣ ଓ ଦାଉଦଙ୍କର ଦାସମାନଙ୍କ ମଧ୍ୟରୁ ବାର ଜଣ ଅଗ୍ରସର ହେଲେ ।
16. ତହୁଁ ସେମାନେ ପ୍ରତ୍ୟେକେ ଆପଣା ଆପଣା ସହଯୋଦ୍ଧାର ମସ୍ତକ ଧରି ଏକଆରେକ କଙ୍କାଳରେ ଖଡ଼୍ଗ ଭୁସିଲେ; ତହୁଁ ସେସମସ୍ତେ ଏକତ୍ର ପଡ଼ିଲେ; ଏହେତୁ ଗିବୀୟୋନ-ମଧ୍ୟବର୍ତ୍ତୀ ସେହି ସ୍ଥାନର ନାମ ହିଲ୍କତ୍-ହତ୍ସୂରୀମ୍ (ତୀକ୍ଷ୍ଶ ଖଡ଼୍ଗ-ଭୂମି) ହେଲା ।
17. ସେହି ଦିନ ଅତି ଘୋର ଯୁଦ୍ଧ ହେଲା; ପୁଣି ଅବ୍ନର ଓ ଇସ୍ରାଏଲ ଲୋକମାନେ ଦାଉଦଙ୍କର ଦାସମାନଙ୍କ ସମ୍ମୁଖରେ ପରାସ୍ତ ହେଲେ ।
18. ସେ ସ୍ଥାନରେ ଯୋୟାବ ଓ ଅବୀଶୟ ଓ ଅସାହେଲ ନାମରେ ସରୁୟାର ତିନି ପୁତ୍ର ଥିଲେ; ସେହି ଅସାହେଲ କ୍ଷେତ୍ରସ୍ଥ କୃଷ୍ଣସାର ପରି ଦ୍ରୂତପଦ⇧ ଥିଲା ।
19. ପୁଣି ଅସାହେଲ ଅବ୍ନର ପଛେ ପଛେ ଗୋଡ଼ାଇଲା; ଆଉ ଅବ୍ନରର ପଛେ ଗଲା ବେଳେ ସେ ଦକ୍ଷିଣ କି ବାମକୁ ଫେରିଲା ନାହିଁ ।
20. ତେବେ ଅବ୍ନର ଆପଣା ପଛକୁ ଅନାଇ କହିଲା, ଅସାହେଲ, ଏ କି ତୁମ୍ଭେ? ସେ ଉତ୍ତର କଲା, ମୁଁ ।
21. ଏଥିରେ ଅବ୍ନର ତାହାକୁ କହିଲା, ତୁମ୍ଭେ ଆପଣା ଦକ୍ଷିଣ କି ବାମ ଆଡ଼େ ଫେରି ଏହି ଯୁବାମାନଙ୍କର କୌଣସି ଜଣକୁ ଧରି ତାହାର ସଜ୍ଜା ଲୁଟି ନିଅ । ମାତ୍ର ଅସାହେଲ ତାହାର ପଶ୍ଚାତ୍ଗମନରୁ ଫେରିଲା ନାହିଁ ।
22. ତହୁଁ ଅବ୍ନର ପୁନର୍ବାର ଅସାହେଲକୁ କହିଲା, ମୋହର ପଶ୍ଚାଦ୍ଗମନରୁ ଫେର; ମୁଁ କାହିଁକି ତୁମ୍ଭକୁ ଆଘାତ କରି ଭୂମିସାତ୍ କରିବି? ତାହା କଲେ ମୁଁ କିରୂପେ ତୁମ୍ଭ ଭାଇ ଯୋୟାବ ଆଗରେ ମୁଖ ଟେକିବି?
23. ତଥାପି ସେ ଫେରିବାକୁ ନାସ୍ତି କଲା; ଏଣୁ ଅବ୍ନର ବର୍ଚ୍ଛାର ପଛ ଅଗରେ ତାହାର ପେଟ ଭୁସି ଦିଅନ୍ତେ, ବର୍ଚ୍ଛା ତାହାର ପଛଆଡ଼େ ଫୁଟି ବାହାରିଲା; ତହୁଁ ସେ ସେହିଠାରେ ପଡ଼ି ସେହି ସ୍ଥାନରେ ମଲା; ପୁଣି ଯେତେ ଲୋକ ଅସାହେଲର ପଡ଼ିବା ଓ ମରିବା ସ୍ଥାନକୁ ଆସିଲେ, ସେମାନେ ଠିଆ ହୋଇ ରହିଲେ ।
24. ମାତ୍ର ଯୋୟାବ ଓ ଅବୀଶୟ ଅବ୍ନରର ପଛେ ପଛେ ଗୋଡ଼ାଇଲେ; ପୁଣି ସେମାନେ ଗିବୀୟୋନ ପ୍ରାନ୍ତରର ପଥ ନିକଟବର୍ତ୍ତୀ ଗୀଆ ସମ୍ମୁଖସ୍ଥ ଅମା ପର୍ବତ ନିକଟରେ ଉପସ୍ଥିତ ହେବା ବେଳକୁ ସୂର୍ଯ୍ୟାସ୍ତ ହେଲା ।
25. ଏଥି ମଧ୍ୟରେ ବିନ୍ୟାମୀନ-ସନ୍ତାନଗଣ ଅବ୍ନରର ପଶ୍ଚାତ୍ ମିଳି ଏକ ଦଳ ହୋଇ ଗୋଟିଏ ପର୍ବତ ଶୃଙ୍ଗରେ ଠିଆ ହେଲେ ।
26. ତେବେ ଅବ୍ନର ଯୋୟାବକୁ ଡାକି କହିଲା, ଖଡ଼୍ଗ କʼଣ ସର୍ବଦା ଗ୍ରାସ କରିବ? ଶେଷରେ ତାହା ଯେ ତିକ୍ତ ହେବ, ଏହା କʼଣ ତୁମ୍ଭେ ଜାଣ ନାହିଁ? ତେବେ ତୁମ୍ଭେ ଲୋକମାନଙ୍କୁ ସେମାନଙ୍କ ଭାଇମାନଙ୍କ ପଶ୍ଚାଦ୍ଗମନରୁ ଫେରିବା ପାଇଁ କେତେ କାଳ ଆଜ୍ଞା ନ ଦେବ?
27. ଏଥିରେ ଯୋୟାବ କହିଲା, ପରମେଶ୍ଵର ଜୀବିତ ଥିବା ପ୍ରମାଣେ (କହୁ), ତୁମ୍ଭେ କହି ନ ଥିଲେ ତ ଲୋକମାନେ ନିଶ୍ଚୟ ସକାଳୁ ବାହାରି ଯାଇଥାʼନ୍ତେ ଓ ପ୍ରତ୍ୟେକେ ଆପଣା ଭାଇ ପଛରେ ଗୋଡ଼ାଇ ନ ଥାʼନ୍ତେ ।
28. ତହୁଁ ଯୋୟାବ ତୂରୀ ବଜାନ୍ତେ, ସମସ୍ତ ଲୋକ ଠିଆ ହୋଇ ରହିଲେ ଓ ଇସ୍ରାଏଲ ପଛରେ ଆଉ ଗୋଡ଼ାଇଲେ ନାହିଁ, କି ଆଉ ଯୁଦ୍ଧ କଲେ ନାହିଁ ।
29. ଏଉତ୍ତାରେ ଅବ୍ନର ଓ ତାହାର ଲୋକମାନେ ସେହି ରାତ୍ରିଯାକ ପଦାଭୂମି ଦେଇ ଗମନ କଲେ ଓ ସେମାନେ ଯର୍ଦ୍ଦନ ପାର ହୋଇ ସମୁଦାୟ ବିଥ୍ରୋଣ ଦେଇ ଯାଇ ମହନୟିମରେ ଉପସ୍ଥିତ ହେଲେ ।
30. ଆଉ ଯୋୟାବ ଅବ୍ନରର ପଶ୍ଚାଦ୍ଗମନରୁ ଫେରିଲା; ପୁଣି ସେ ସମୁଦାୟ ଲୋକଙ୍କୁ ଏକତ୍ର କରନ୍ତେ, ଦାଉଦଙ୍କର ଦାସମାନଙ୍କ ମଧ୍ୟରୁ ଊଣାଇଶ ଜଣର ଓ ଅସାହେଲର ଅଭାବ ହେଲା ।
31. ମାତ୍ର ଦାଉଦଙ୍କର ଦାସମାନେ ଆଘାତ କରିବାରୁ ବିନ୍ୟାମୀନର ଓ ଅବ୍ନରର ଲୋକମାନଙ୍କ ମଧ୍ୟରୁ ତିନି ଶହ ଷାଠିଏ ଲୋକ ମରିଥିଲେ ।
32. ଏଉତ୍ତାରେ ସେମାନେ ଅସାହେଲକୁ ଉଠାଇ ନେଇ ବୈଥ୍ଲେହମ୍ସ୍ଥିତ ତାହାର ପିତାର କବରରେ କବର ଦେଲେ । ପୁଣି ଯୋୟାବ ଓ ତାହାର ଲୋକମାନେ ରାତ୍ରିଯାକ ଗମନ କଲେ ଓ ହିବ୍ରୋଣ ନିକଟରେ ସେମାନଙ୍କୁ ସକାଳ ହେଲା ।