ପରମଗୀତ 4 : 1 (ORV)
ହେ ମୋହର ପ୍ରିୟେ, ଦେଖ, ତୁମ୍ଭେ ସୁନ୍ଦରୀ; ଦେଖ, ତୁମ୍ଭେ ସୁନ୍ଦରୀ; ଘୁମୁଟା ତଳେ ତୁମ୍ଭ ନେତ୍ର କପୋତ ତୁଲ୍ୟ; ତୁମ୍ଭର କେଶ ଗିଲିୟଦ ପର୍ବତ ପାର୍ଶ୍ଵରେ ଆରାମକାରୀ ଛେଳିପଲ ତୁଲ୍ୟ ।
ପରମଗୀତ 4 : 2 (ORV)
ତୁମ୍ଭର ଦନ୍ତ-ପଂକ୍ତି ନୂତନ ଲୋମକଟା, ସ୍ନାନରୁ ଉତ୍ଥିତା ମେଷୀପଲ ତୁଲ୍ୟ; ସେମାନଙ୍କ ପ୍ରତ୍ୟେକର ଯାଆଁଳା ଛୁଆ ଅଛି, ଆଉ ସେମାନଙ୍କ ମଧ୍ୟରୁ କାହାରି ଛୁଆ ମରି ନାହିଁ ।
ପରମଗୀତ 4 : 3 (ORV)
ତୁମ୍ଭର ଓଷ୍ଠାଧର ସିନ୍ଦୂରବର୍ଣ୍ଣ ସୂତ୍ର ତୁଲ୍ୟ ଓ ତୁମ୍ଭର ମୁଖ ମନୋହର; ଘୁମୁଟା ତଳେ ତୁମ୍ଭ ଗଣ୍ତଦେଶ ଡାଳିମ୍ଵଖଣ୍ତ ତୁଲ୍ୟ ।
ପରମଗୀତ 4 : 4 (ORV)
ତୁମ୍ଭର ଗଳଦେଶ ଅସ୍ତ୍ରାଗାର ନିମନ୍ତେ ନିର୍ମିତ ଦାଉଦଙ୍କ ଦୁର୍ଗ ତୁଲ୍ୟ, ସେହି ଦୁର୍ଗ ମଧ୍ୟରେ ଏକ ସହସ୍ର ଚର୍ମ, ବୀରଗଣର ସକଳ ଢାଲ ଟଙ୍ଗାଗଲା ।
ପରମଗୀତ 4 : 5 (ORV)
ଶୋଶନ୍ ପୁଷ୍ପବନରେ ଚରିବାର ଯାଆଁଳା ହରିଣଛୁଆ ତୁଲ୍ୟ ତୁମ୍ଭର ସ୍ତନଯୁଗଳ ।
ପରମଗୀତ 4 : 6 (ORV)
ଦିବସ ଶୀତଳ ହେବା ଓ ଛାୟା ବହିଯିବା ପର୍ଯ୍ୟନ୍ତ ମୁଁ ଗନ୍ଧରସ-ପର୍ବତ ଓ କୁନ୍ଦୁରୁ-ଉପପର୍ବତକୁ ଯିବି ।
ପରମଗୀତ 4 : 7 (ORV)
ଆଗୋ ମୋହର ପ୍ରିୟେ, ତୁମ୍ଭେ ସର୍ବାଙ୍ଗ ସୁନ୍ଦରୀ; ତୁମ୍ଭଠାରେ କୌଣସି ଖୁଣ ନାହିଁ ।
ପରମଗୀତ 4 : 8 (ORV)
ଆଗୋ ମୋହର କନ୍ୟେ, ମୋʼ ସଙ୍ଗେ ଲିବାନୋନରୁ, ମୋʼ ସଙ୍ଗେ ଲିବାନୋନରୁ ଆସ; ଅମାନାର ଶୃଙ୍ଗରୁ, ଶନୀର ଓ ହର୍ମୋଣର ଶୃଙ୍ଗରୁ, ସିଂହମାନଙ୍କ ଗହ୍ଵରରୁ, ଚିତାବାଘମାନଙ୍କ ପର୍ବତରୁ ଦୃଷ୍ଟିପାତ କର ।
ପରମଗୀତ 4 : 9 (ORV)
ଆଗୋ ମୋହର ଭଗିନୀ, ଆଗୋ ମୋହର କନ୍ୟେ, ତୁମ୍ଭେ ମୋହର ଚିତ୍ତ ହରଣ କରିଅଛ; ତୁମ୍ଭେ ଆପଣାର ଏକ ଦୃଷ୍ଟିରେ, ଆପଣା ଗଳାର ଏକ ହାରରେ ମୋହର ଚିତ୍ତ ହରଣ କରିଅଛ ।
ପରମଗୀତ 4 : 10 (ORV)
ଆଗୋ ମୋହର ଭଗିନୀ, ମୋହର କନ୍ୟେ, ତୁମ୍ଭର ପ୍ରେମ କିପରି ମନୋରମ! ତୁମ୍ଭ ପ୍ରେମ ଦ୍ରାକ୍ଷାରସ ଅପେକ୍ଷା କିପରି ଉତ୍ତମ! ପୁଣି, ତୁମ୍ଭ ତୈଳର ସୁଗନ୍ଧ ସର୍ବପ୍ରକାର ସୁଗନ୍ଧିଦ୍ରବ୍ୟ ଅପେକ୍ଷା କିପରି ଉତ୍ତମ!
ପରମଗୀତ 4 : 11 (ORV)
ଆଗୋ ମୋହର କନ୍ୟେ, ତୁମ୍ଭ ଓଷ୍ଠାଧରରୁ ମଧୁଚାକ ପରି ଟୋପା ଟୋପା କ୍ଷରେ; ମଧୁ ଓ ଦୁଗ୍ଧ ତୁମ୍ଭ ଜିହ୍ଵା ତଳେ ଥାଏ; ତୁମ୍ଭ ବସ୍ତ୍ରର ସୁଗନ୍ଧ ଲିବାନୋନର ସୁଗନ୍ଧ ତୁଲ୍ୟ ।
ପରମଗୀତ 4 : 12 (ORV)
ମୋହର ଭଗିନୀ, ମୋହର କନ୍ୟା ଏକ ରୁଦ୍ଧ ଉଦ୍ୟାନ; ଏକ ରୁଦ୍ଧ ନିର୍ଝର, ଏକ ମୁଦ୍ରାଙ୍କିତ ଜଳାକର ।
ପରମଗୀତ 4 : 13 (ORV)
ତୁମ୍ଭର ପଲ୍ଲବ ବହୁମୂଲ୍ୟ ଫଳବିଶିଷ୍ଟ ଡାଳିମ୍ଵ ଉପବନ; ମେହେନ୍ଦି, ଜଟାମାଂସୀ ଚାରାବିଶିଷ୍ଟ,
ପରମଗୀତ 4 : 14 (ORV)
ଜଟାମାଂସୀ ଓ କୁଙ୍କୁମ, ବଚ ଓ ଦାରୁଚିନି, ସର୍ବପ୍ରକାର କୁନ୍ଦୁରୁ ବୃକ୍ଷବିଶିଷ୍ଟ ଗନ୍ଧରସ ଓ ଅଗୁର, ସର୍ବପ୍ରକାର ପ୍ରଧାନ ପ୍ରଧାନ ସୁଗନ୍ଧି ବୃକ୍ଷବିଶିଷ୍ଟ ।
ପରମଗୀତ 4 : 15 (ORV)
ତୁମ୍ଭେ ଉଦ୍ୟାନସମୂହର ଜଳାକର, ଅମୃତ ଜଳର କୂପ ଓ ଲିବାନୋନରୁ ପ୍ରବାହିତ ସ୍ରୋତ ।
ପରମଗୀତ 4 : 16 (ORV)
ହେ ଉତ୍ତରୀୟ ବାୟୁ, ଜାଗ; ହେ ଦକ୍ଷିଣ ବାୟୁ, ଆସ; ମୋʼ ଉଦ୍ୟାନର ସୁଗନ୍ଧି ଯେପରି ନିର୍ଗତ ହେବ, ଏଥିପାଇଁ ତହିଁ ଉପରେ ବହ ।

1 2 3 4 5 6 7 8 9 10 11 12 13 14 15 16

BG:

Opacity:

Color:


Size:


Font: