ଓବଦିୟ 1 : 1 (ORV)
ପ୍ରଭୁ ସଦାପ୍ରଭୁ ଇଦୋମ ବିଷୟରେ ଏହି କଥା କହନ୍ତି; ଆମ୍ଭେମାନେ ସଦାପ୍ରଭୁଙ୍କ ନିକଟରୁ ସମାଚାର ଶୁଣିଅଛୁ ଓ ଗୋଷ୍ଠୀଗଣ ମଧ୍ୟକୁ ଏକ ଦୂତ ପ୍ରେରିତ ହୋଇଅଛି, ତୁମ୍ଭେମାନେ ଉଠ ଓ ତାହା ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଆମ୍ଭେମାନେ ଉଠୁ।
ଓବଦିୟ 1 : 2 (ORV)
ଦେଖ, ଆମ୍ଭେ ଗୋଷ୍ଠୀଗଣ ମଧ୍ୟରେ ତୁମ୍ଭକୁ କ୍ଷୁଦ୍ର କରିଅଛୁ; ତୁମ୍ଭେ ଅତିଶୟ ତୁଚ୍ଛୀକୃତ ଅଟ ।
ଓବଦିୟ 1 : 3 (ORV)
ହେ ଶୈଳ-କନ୍ଦରରେ ବାସକାରୀ, ହେ ଉଚ୍ଚସ୍ଥାନ ନିବାସୀ, ତୁମ୍ଭ ଅନ୍ତଃକରଣର ଅହଂକାର ତୁମ୍ଭକୁ ବଞ୍ଚନା କରିଅଛି; ତୁମ୍ଭେ ଆପଣା ମନେ ମନେ କହୁଅଛ, ଆମ୍ଭକୁ ଭୂମିକି ଓହ୍ଳାଇ ଆଣିବ କିଏ?
ଓବଦିୟ 1 : 4 (ORV)
ସଦାପ୍ରଭୁ କହନ୍ତି, ତୁମ୍ଭେ ଯଦ୍ୟପି ଉତ୍କ୍ରୋଶ ପକ୍ଷୀ ପରି ଊର୍ଦ୍ଧ୍ଵକୁ ଉଠ, ତୁମ୍ଭର ବସା ଯଦ୍ୟପି ତାରାଗଣ ମଧ୍ୟରେ ସ୍ଥାପିତ ହୁଏ, ତଥାପି ଆମ୍ଭେ ସେଠାରୁ ତୁମ୍ଭକୁ ଓହ୍ଳାଇ ଆଣିବା ।
ଓବଦିୟ 1 : 5 (ORV)
(ତୁମ୍ଭେ କିପରି ଉଚ୍ଛିନ୍ନ ହୋଇଅଛ!) ଯେବେ ଚୋରମାନେ ତୁମ୍ଭ ନିକଟକୁ ଆସନ୍ତି, ଡକାଇତମାନେ ରାତ୍ରରେ ଆସନ୍ତି, ତେବେ ସେମାନେ କି ଯଥେଷ୍ଟ ପାଇବା ପର୍ଯ୍ୟନ୍ତ ଚୋରି କରିବେ ନାହିଁ? ଯେବେ ଦ୍ରାକ୍ଷାଫଳ ସଞ୍ଚୟକାରୀ-ମାନେ ତୁମ୍ଭ ନିକଟକୁ ଆସନ୍ତି, ତେବେ ସେମାନେ କି ଗୋଟାଇବା ପାଇଁ କିଛି ଦ୍ରାକ୍ଷାଫଳ ଛାଡ଼ିବେ ନାହିଁ?
ଓବଦିୟ 1 : 6 (ORV)
ଏଷୌର ସକଳ ବିଷୟ କିପରି ଅନୁସନ୍ଧାନ କରା ଯାଇଅଛି! ତାହାର ଗୁପ୍ତ ଧନସବୁ କିପରି ଅନ୍ଵେଷଣ କରା ଯାଇଅଛି!
ଓବଦିୟ 1 : 7 (ORV)
ତୁମ୍ଭର ସହାୟ ସମସ୍ତ ଲୋକ ତୁମ୍ଭକୁ ତୁମ୍ଭ ବାଟରେ ଆଣି ସୀମାରେ ପହୁଞ୍ଚାଇଅଛନ୍ତି; ଯେଉଁମାନେ ତୁମ୍ଭର ମିତ୍ର ଥିଲେ, ସେମାନେ ତୁମ୍ଭକୁ ପ୍ରବଞ୍ଚନା କରି ପରାଭବ କରିଅଛନ୍ତି; ଯେଉଁମାନେ ତୁମ୍ଭର ଅନ୍ନ ଭୋଜନ କରନ୍ତି, ସେମାନେ ତୁମ୍ଭ ତଳେ ଫାନ୍ଦ ପାତିଅଛନ୍ତି; ଇଦୋମରେ କିଛି ବୁଦ୍ଧି ନାହିଁ ।
ଓବଦିୟ 1 : 8 (ORV)
ସଦାପ୍ରଭୁ କହନ୍ତି, ସେଦିନ ଆମ୍ଭେ କି ଇଦୋମରୁ ଜ୍ଞାନୀମାନଙ୍କୁ ଓ ଏଷୌର ପର୍ବତରୁ ବୁଦ୍ଧି ବିନଷ୍ଟ କରିବା ନାହିଁ?
ଓବଦିୟ 1 : 9 (ORV)
ପୁଣି, ହେ ତୈମନ୍, ଏଷୌର ପର୍ବତରୁ ହତ୍ୟା ଦ୍ଵାରା ଯେପରି ପ୍ରତ୍ୟେକ ଜଣ ଉଚ୍ଛିନ୍ନ ହେବେ, ଏହି ଅଭିପ୍ରାୟରେ ତୁମ୍ଭର ବୀରଗଣ ଉଦ୍ବିଗ୍ନ ହେବେ ।
ଓବଦିୟ 1 : 10 (ORV)
ତୁମ୍ଭର ଭ୍ରାତା ଯାକୁବ ପ୍ରତି କୃତ ଦୌରାତ୍ମ୍ୟ ସକାଶୁ ତୁମ୍ଭେ ଲଜ୍ଜାରେ ଆଚ୍ଛନ୍ନ ହେବ, ପୁଣି ତୁମ୍ଭେ ଚିରକାଳ ଉଚ୍ଛିନ୍ନ ହେବ ।
ଓବଦିୟ 1 : 11 (ORV)
ଯେଉଁ ଦିନ ତୁମ୍ଭେ ଅନ୍ୟ ପାଖରେ ଠିଆ ହେଲ, ଯେଉଁ ଦିନ ଅପରିଚିତ ଲୋକମାନେ ତାହାର ସମ୍ପତ୍ତି ବହି ନେଇଗଲେ ଓ ବିଦେଶୀୟମାନେ ତାହାର ସକଳ ନଗର-ଦ୍ଵାରରେ ପ୍ରବେଶ କଲେ ଓ ଯିରୂଶାଲମ ଉପରେ ଗୁଲିବାଣ୍ଟ କଲେ, ସେଦିନ ତୁମ୍ଭେ ତ ସେମାନଙ୍କ ମଧ୍ୟରେ ଥିବା ଏକ ଜଣ ପରି ହୋଇଥିଲ ।
ଓବଦିୟ 1 : 12 (ORV)
ମାତ୍ର ତୁମ୍ଭେ ଆପଣା ଭ୍ରାତାର ଦିନ ପ୍ରତି, ଅର୍ଥାତ୍, ତାହାର ଦୁର୍ଦ୍ଦଶା ଦିନ ପ୍ରତି ଅନାଅ ନାହିଁ ଓ ଯିହୁଦା ସନ୍ତାନଗଣର ବିନାଶ ଦିନରେ ସେମାନଙ୍କ ବିଷୟରେ ଆନନ୍ଦ କର ନାହିଁ; କିଅବା ସଂକଟ ଦିନରେ ଦର୍ପ କଥା କହ ନାହିଁ ।
ଓବଦିୟ 1 : 13 (ORV)
ଆମ୍ଭ ଲୋକମାନଙ୍କର ବିପତ୍ତି ଦିନରେ ସେମାନଙ୍କର ନଗର-ଦ୍ଵାରରେ ପ୍ରବେଶ କର ନାହିଁ; ହଁ, ସେମାନଙ୍କ ବିପତ୍ତି ଦିନରେ ସେମାନଙ୍କର କ୍ଳେଶ ପ୍ରତି ତୁମ୍ଭେ ଅନାଅ ନାହିଁ, ଅଥବା ସେମାନଙ୍କ ବିପତ୍ତି ଦିନରେ ସେମାନଙ୍କ ସମ୍ପତ୍ତିରେ ତୁମ୍ଭେମାନେ ହସ୍ତ ଦିଅ ନାହିଁ ।
ଓବଦିୟ 1 : 14 (ORV)
ପୁଣି, ତାହାର ପଳାତକମାନଙ୍କୁ ବଧ କରିବା ପାଇଁ ତୁମ୍ଭେ ଚୌମୁହାଣି ପଥରେ ଠିଆ ହୁଅ ନାହିଁ ଓ ସଂକଟ ଦିନରେ ତାହାର ଅବଶିଷ୍ଟ ଲୋକମାନଙ୍କୁ (ଶତ୍ରୁ ହସ୍ତରେ) ସମର୍ପଣ କର ନାହିଁ ।
ଓବଦିୟ 1 : 15 (ORV)
କାରଣ ସକଳ ଗୋଷ୍ଠୀ ଉପରେ ସଦାପ୍ରଭୁଙ୍କର ଦିନ ସନ୍ନିକଟ; ତୁମ୍ଭେ ଯେପରି କରିଅଛ, ତୁମ୍ଭ ପ୍ରତି ସେପରି କରାଯିବ; ତୁମ୍ଭ କୃତ ବ୍ୟବହାରର (ପ୍ରତିଫଳ) ତୁମ୍ଭ ନିଜ ମସ୍ତକରେ ବର୍ତ୍ତିବ ।
ଓବଦିୟ 1 : 16 (ORV)
କାରଣ ତୁମ୍ଭେମାନେ ଆମ୍ଭ ପବିତ୍ର ପର୍ବତରେ ଯେପରି ପାନ କରିଅଛ, ସେପରି ସମୁଦାୟ ଗୋଷ୍ଠୀ ନିତ୍ୟ ନିତ୍ୟ ପାନ କରିବେ, ହଁ, ସେମାନେ ପାନ କରୁ କରୁ ଗିଳି ପକାଇବେ, ପୁଣି ଅଜାତର ତୁଲ୍ୟ ହେବେ ।
ଓବଦିୟ 1 : 17 (ORV)
ମାତ୍ର ରକ୍ଷାପ୍ରାପ୍ତ ଲୋକମାନେ ସିୟୋନରେ ଥିବେ ଓ ତାହା ପବିତ୍ର ହେବ; ଆଉ, ଯାକୁବ-ବଂଶ ଆପଣା-ମାନଙ୍କର ଅଧିକାର ଭୋଗ କରିବେ ।
ଓବଦିୟ 1 : 18 (ORV)
ପୁଣି, ଯାକୁବ-ବଂଶ ଅଗ୍ନି ସ୍ଵରୂପ ଓ ଯୋଷେଫର ବଂଶ ଅଗ୍ନିଶିଖା ସ୍ଵରୂପ ହେବେ, ଆଉ ଏଷୌ-ବଂଶ ନଡ଼ା ସ୍ଵରୂପ ହେବେ, ଆଉ ସେମାନେ ତହିଁ ମଧ୍ୟରେ ଜ୍ଵଳି ତାହା ଗ୍ରାସ କରିବେ; ତହିଁରେ ଏଷୌ-ବଂଶର କେହି ଅବଶିଷ୍ଟ ରହିବେ ନାହିଁ; କାରଣ ସଦାପ୍ରଭୁଏହା କହିଅଛନ୍ତି ।
ଓବଦିୟ 1 : 19 (ORV)
ପୁଣି, ଦକ୍ଷିଣର ଲୋକମାନେ ଏଷୌର ପର୍ବତ ଓ ନିମ୍ନ ଭୂମିର ଲୋକମାନେ ପଲେଷ୍ଟୀୟମାନଙ୍କ ଦେଶ ଅଧିକାର କରିବେ ଓ ସେମାନେ ଇଫ୍ରୟିମର ଭୂମି ଓ ଶମରୀୟାର ଭୂମି ଅଧିକାର କରିବେ ଓ ବିନ୍ୟାମୀନ୍ ଗିଲୀୟଦକୁ ଅଧିକାର କରିବ ।
ଓବଦିୟ 1 : 20 (ORV)
ପୁଣି, କନାନୀୟମାନଙ୍କର ମଧ୍ୟବର୍ତ୍ତୀ ନିର୍ବାସିତ ଇସ୍ରାଏଲ ସନ୍ତାନଗଣର ଏହି ସୈନ୍ୟସାମ; ସାରିଫତ୍ ପର୍ଯ୍ୟନ୍ତ ଅଧିକାର କରିବେ ଓ ଯିରୂଶାଲମର ଯେଉଁ ନିର୍ବାସିତ ଲୋକମାନେ ସଫାରଦରେ ଅଛନ୍ତି, ସେମାନେ ଦକ୍ଷିଣସ୍ଥ ନଗରସକଳ ଅଧିକାର କରିବେ ।ପ୍ର.ରା.୧୭:୯
ଓବଦିୟ 1 : 21 (ORV)
ପୁଣି, ଏଷୌର ପର୍ବତର ବିଚାର କରିବା ନିମନ୍ତେ ଉଦ୍ଧାର-କର୍ତ୍ତାମାନେ ସିୟୋନ ପର୍ବତକୁ ଆସିବେ; ପୁଣି, ରାଜ୍ୟ ସଦାପ୍ରଭୁଙ୍କର ହେବ ।
❮
❯