ଲେବୀୟ ପୁସ୍ତକ 16 : 1 (ORV)
ଆଉ, ହାରୋଣଙ୍କର ଦୁଇ ପୁତ୍ର ସଦାପ୍ରଭୁଙ୍କ ନିକଟବର୍ତ୍ତୀ ହୋଇ ମଲା ଉତ୍ତାରେ, ସଦାପ୍ରଭୁ ମୋଶାଙ୍କ ସହିତ ଆଳାପ କଲେ;
ଲେବୀୟ ପୁସ୍ତକ 16 : 2 (ORV)
ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଆପଣା ଭ୍ରାତା ହାରୋଣକୁ କୁହ, ଯେପରି ତାହାର ମୃତ୍ୟୁ ନ ହୁଏ, ଏଥିପାଇଁ ବିଚ୍ଛେଦବସ୍ତ୍ର ଭିତରେ ସିନ୍ଦୁକର ଉପରିସ୍ଥିତ ପାପାଚ୍ଛାଦନ ସମ୍ମୁଖସ୍ଥ ପବିତ୍ର ସ୍ଥାନରେ ସର୍ବଦା ପ୍ରବେଶ କରିବ ନାହିଁ; କାରଣ ଆମ୍ଭେ ପାପାଚ୍ଛାଦନ ଉପରେ ମେଘରେ ଦର୍ଶନ ଦେବା ।
ଲେବୀୟ ପୁସ୍ତକ 16 : 3 (ORV)
ହାରୋଣ ପାପାର୍ଥେ ଏକ ଗୋବତ୍ସ ଓ ହୋମାର୍ଥେ ଏକ ମେଷ ସଙ୍ଗେ ନେଇ ଏହିରୂପେ ପବିତ୍ର ସ୍ଥାନରେ ପ୍ରବେଶ କରିବ ।
ଲେବୀୟ ପୁସ୍ତକ 16 : 4 (ORV)
ସେ ପବିତ୍ର ଶୁଭ୍ର ଜାମା ପିନ୍ଧିବ ଓ ଦେହରେ ଶୁଭ୍ର ଜଙ୍ଘିଆ ପିନ୍ଧିବ ଓ ଶୁଭ୍ର କଟିବନ୍ଧନୀ କଟିରେ ବାନ୍ଧିବ ଓ ଶୁଭ୍ର ପାଗରେ ଭୂଷିତ ହେବ; ଏହିସବୁ ପବିତ୍ର ବସ୍ତ୍ର; ଏହେତୁ ସେ ଜଳରେ ଆପଣା ଶରୀର ଧୌତ କରି ତାହାସବୁ ପିନ୍ଧିବ ।
ଲେବୀୟ ପୁସ୍ତକ 16 : 5 (ORV)
ପୁଣି, ସେ ଇସ୍ରାଏଲ-ସନ୍ତାନଗଣର ମଣ୍ତଳୀରୁ ପାପାର୍ଥେ ଦୁଇ ଛାଗ ଓ ହୋମାର୍ଥେ ଏକ ମେଷ ନେବ ।
ଲେବୀୟ ପୁସ୍ତକ 16 : 6 (ORV)
ଆଉ, ହାରୋଣ ଆପଣା ନିମନ୍ତେ ପାପାର୍ଥକ ବଳିର ଯେଉଁ ଗୋବତ୍ସ, ତାକୁ ଆଣି ଆପଣା ନିମନ୍ତେ ଓ ଆପଣା ଘର ନିମନ୍ତେ ପ୍ରାୟଶ୍ଚିତ୍ତ କରିବ ।
ଲେବୀୟ ପୁସ୍ତକ 16 : 7 (ORV)
ତହୁଁ ସେହି ଦୁଇ ଛାଗ ନେଇ ସମାଗମ-ତମ୍ଵୁଦ୍ଵାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ କରାଇବ ।
ଲେବୀୟ ପୁସ୍ତକ 16 : 8 (ORV)
ପୁଣି, ହାରୋଣ ସେହି ଦୁଇ ଛାଗ ମଧ୍ୟରେ ଗୁଲିବାଣ୍ଟ କରିବ; ତହିଁରୁ ଗୋଟିଏ ସଦାପ୍ରଭୁଙ୍କ ନିମନ୍ତେ ଓ ଅନ୍ୟଟି ତ୍ୟାଗ ନିମନ୍ତେ ହେବ ।
ଲେବୀୟ ପୁସ୍ତକ 16 : 9 (ORV)
ପୁଣି, ଯେଉଁ ଛାଗ ଗୁଲିବାଣ୍ଟରେ ସଦାପ୍ରଭୁଙ୍କ ନିମନ୍ତେ ହେବ, ହାରୋଣ ତାକୁ ନେଇ ପାପାର୍ଥେ ବଳିଦାନ କରିବ ।
ଲେବୀୟ ପୁସ୍ତକ 16 : 10 (ORV)
ମାତ୍ର ଯେଉଁ ଛାଗ ଗୁଲିବାଣ୍ଟ ଦ୍ଵାରା ତ୍ୟାଗ ନିମନ୍ତେ ହେବ, ସେ ଯେପରି ତ୍ୟାଗ ନିମନ୍ତେ ପ୍ରାନ୍ତରକୁ ପଠାଯାଇ ପାରିବ, ଏଥିପାଇଁ ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବାକୁ ସଦାପ୍ରଭୁଙ୍କ ସମ୍ମୁଖରେ ତାକୁ ଜୀଅନ୍ତା ଠିଆ କରିବ ।
ଲେବୀୟ ପୁସ୍ତକ 16 : 11 (ORV)
ଏଉତ୍ତାରେ ହାରୋଣ ଆପଣା ନିମନ୍ତେ ପାପାର୍ଥକ ବଳିର ଯେଉଁ ଗୋବତ୍ସ, ତାକୁ ଆଣି ଆପଣା ନିମନ୍ତେ ଓ ଆପଣା ଘର ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ପୁଣି, ଆପଣା ପାପାର୍ଥକ ବଳିର ସେହି ଗୋବତ୍ସକୁ ବଧ କରିବ ।
ଲେବୀୟ ପୁସ୍ତକ 16 : 12 (ORV)
ଆଉ, ସେ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ବେଦିରୁ ପ୍ରଜ୍ଵଳିତ ଅଙ୍ଗାର ଧୂପଧାନୀରେ ପୂର୍ଣ୍ଣ କରି ଓ ମୁଠିଏ ଚୂର୍ଣ୍ଣ ସୁଗନ୍ଧି ଧୂପ ନେଇ ବିଚ୍ଛେଦ-ବସ୍ତ୍ରର ଭିତରକୁ ଯିବ ।
ଲେବୀୟ ପୁସ୍ତକ 16 : 13 (ORV)
ସଦାପ୍ରଭୁଙ୍କ ସମ୍ମୁଖରେ ଅଗ୍ନି ଉପରେ ସେହି ସୁଗନ୍ଧି ଧୂପ ଦେବ, ତହିଁରେ ସାକ୍ଷ୍ୟସିନ୍ଦୁକର ଉପରିସ୍ଥିତ ପାପାଚ୍ଛାଦନ ଧୂପର ଧୂମ-ମେଘରେ ଆଚ୍ଛନ୍ନ ହେଲେ ସେ ମରିବ ନାହିଁ ।
ଲେବୀୟ ପୁସ୍ତକ 16 : 14 (ORV)
ତହୁଁ ସେ ସେହି ଗୋବତ୍ସର କିଛି ରକ୍ତ ନେଇ ପାପାଚ୍ଛାଦନର ପୂର୍ବ ଆଡ଼େ ଅଙ୍ଗୁଳି ଦ୍ଵାରା ଛିଞ୍ଚିବ; ପୁଣି, ପାପାଚ୍ଛାଦନ ସମ୍ମୁଖରେ ଅଙ୍ଗୁଳି ଦ୍ଵାରା ସାତ ଥର ସେହି ରକ୍ତ ଛିଞ୍ଚିବ ।
ଲେବୀୟ ପୁସ୍ତକ 16 : 15 (ORV)
ଏଉତ୍ତାରେ ସେ ଲୋକମାନଙ୍କର ପାପାର୍ଥକ ବଳିର ଛାଗ ନେଇ ବଧ କରିବ ଓ ତାହାର ରକ୍ତ ବିଚ୍ଛେଦବସ୍ତ୍ରର ଭିତରକୁ ଆଣି, ଯେପରି ଗୋବତ୍ସ ରକ୍ତ ନେଇ କରିଥିଲା, ସେପରି ତାହାର ରକ୍ତ ନେଇ କରିବ, ଅର୍ଥାତ୍, ପାପାଚ୍ଛାଦନ ଉପରେ ଓ ପାପାଚ୍ଛାଦନ ସମ୍ମୁଖରେ ତାହା ଛିଞ୍ଚିବ ।
ଲେବୀୟ ପୁସ୍ତକ 16 : 16 (ORV)
ପୁଣି, ଇସ୍ରାଏଲ-ସନ୍ତାନଗଣର ଅଶୌଚ ଓ ସେମାନଙ୍କ ଅଧର୍ମ, ଅର୍ଥାତ୍, ସେମାନଙ୍କର ସମସ୍ତ ପାପ ସକାଶୁ ସେ ପବିତ୍ର ସ୍ଥାନ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ପୁଣି, ସେମାନଙ୍କ ଅଶୌଚ ମଧ୍ୟରେ ସେମାନଙ୍କ ସହିତ ବାସ କରଇ ଯେଉଁ ସମାଗମ-ତମ୍ଵୁ, ତାହା ନିମନ୍ତେ ସେହି ପ୍ରକାର କରିବ ।
ଲେବୀୟ ପୁସ୍ତକ 16 : 17 (ORV)
ଆଉ, ସେ ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ପବିତ୍ର ସ୍ଥାନରେ ପ୍ରବେଶ କରିବା ସମୟାବଧି ଯେପର୍ଯ୍ୟନ୍ତ ବାହାର ହୋଇ ନାହିଁ; ପୁଣି, ଆପଣା ନିମନ୍ତେ ଓ ଆପଣା ଘର ନିମନ୍ତେ ଓ ଇସ୍ରାଏଲର ସମସ୍ତ ସମାଜ ନିମନ୍ତେ ପ୍ରାୟଶ୍ଚିତ୍ତ କରି ନାହିଁ, ସେପର୍ଯ୍ୟନ୍ତ ସମାଗମ-ତମ୍ଵୁରେ କୌଣସି ମନୁଷ୍ୟ ରହିବ ନାହିଁ,
ଲେବୀୟ ପୁସ୍ତକ 16 : 18 (ORV)
ଆଉ, ସେ ବାହାର ହୋଇ ସମ୍ମୁଖସ୍ଥିତ ବେଦି ପାଖକୁ ଯାଇ ତହିଁ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ପୁଣି ସେହି ଗୋବତ୍ସର କିଛି ରକ୍ତ ଓ ଛାଗର କିଛି ରକ୍ତ ନେଇ ବେଦିର ଶୃଙ୍ଗ ଉପରେ ଚାରିଆଡ଼େ ଦେବ ।
ଲେବୀୟ ପୁସ୍ତକ 16 : 19 (ORV)
ପୁଣି, ସେ ରକ୍ତରୁ କିଛି ନେଇ ଅଙ୍ଗୁଳି ଦ୍ଵାରା ସାତ ଥର ଛିଞ୍ଚି ତାହା ଶୁଚି କରିବ ଓ ଇସ୍ରାଏଲ-ସନ୍ତାନଗଣର ଅଶୌଚରୁ ତାହା ଶୁଚି କରିବ ।
ଲେବୀୟ ପୁସ୍ତକ 16 : 20 (ORV)
ଏହି ପ୍ରକାରେ ସେ ପବିତ୍ର ସ୍ଥାନ ଓ ସମାଗମ-ତମ୍ଵୁ ଓ ବେଦି ନିମନ୍ତେ ପ୍ରାୟଶ୍ଚିତ୍ତ କରି ସାରିଲା ଉତ୍ତାରେ ସେହି ଜୀଅନ୍ତା ଛାଗକୁ ଆଣିବ;
ଲେବୀୟ ପୁସ୍ତକ 16 : 21 (ORV)
ପୁଣି, ହାରୋଣ ସେହି ଜୀଅନ୍ତା ଛାଗର ମସ୍ତକରେ ଆପଣା ଦୁଇ ହସ୍ତର ନିର୍ଭର ଦେଇ ତାହା ଉପରେ ଇସ୍ରାଏଲ ସନ୍ତାନଗଣର ସମସ୍ତ ଅପରାଧ ଓ ସମସ୍ତ ଅଧର୍ମ ଓ ସମସ୍ତ ପାପ ସ୍ଵୀକାର କରିବ; ଆଉ, ତାହା ସବୁ ସେହି ଛାଗର ମସ୍ତକରେ ଅର୍ପଣ କରି ପ୍ରସ୍ତୁତ ଥିବା ମନୁଷ୍ୟ ହସ୍ତରେ ତାହାକୁ ପ୍ରାନ୍ତରକୁ ପଠାଇ ଦେବ ।
ଲେବୀୟ ପୁସ୍ତକ 16 : 22 (ORV)
ତହିଁରେ ସେହି ଛାଗ ସେମାନଙ୍କର ସମସ୍ତ ଅପରାଧ ନରଶୂନ୍ୟ ଦେଶକୁ ଆପଣା ଉପରେ ବହି ନେବ; ଆଉ ସେ ସେହି ସ୍ଥାନରେ ସେହି ଛାଗକୁ ଛାଡ଼ିଦେବ ।
ଲେବୀୟ ପୁସ୍ତକ 16 : 23 (ORV)
ତହୁଁ ହାରୋଣ ସମାଗମ-ତମ୍ଵୁକୁ ଆସି ପବିତ୍ର ସ୍ଥାନରେ ପ୍ରବେଶ କରିବା ସମୟରେ ଯେଉଁ ଶୁଭ୍ର ବସ୍ତ୍ର ପିନ୍ଧିଥିଲା, ତାହା ପାଲଟି ସେହି ସ୍ଥାନରେ ରଖିବ ।
ଲେବୀୟ ପୁସ୍ତକ 16 : 24 (ORV)
ତହିଁ ଉତ୍ତାରେ ସେ କୌଣସି ପବିତ୍ର ସ୍ଥାନରେ ଆପଣା ଶରୀର ଜଳରେ ଧୌତ କରି ନିଜ ବସ୍ତ୍ର ପିନ୍ଧି ବାହାରକୁ ଆସିବ; ପୁଣି, ଆପଣାର ହୋମବଳି ଓ ଲୋକମାନଙ୍କର ହୋମବଳି ଉତ୍ସର୍ଗ କରି ଆପଣା ନିମନ୍ତେ ଓ ଲୋକମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ ।
ଲେବୀୟ ପୁସ୍ତକ 16 : 25 (ORV)
ଆଉ, ସେ ପାପାର୍ଥକ ବଳିର ମେଦ ବେଦିରେ ଦଗ୍ଧ କରିବ ।
ଲେବୀୟ ପୁସ୍ତକ 16 : 26 (ORV)
ପୁଣି, ଯେଉଁ ଲୋକ ତ୍ୟାଗର ଛାଗକୁ ଛାଡ଼ିଦିଏ, ସେ ଆପଣା ବସ୍ତ୍ର ଧୋଇ ଜଳରେ ସ୍ନାନ କରିବ, ତହିଁ ଉତ୍ତାରେ ଛାଉଣିକି ଆସିବ ।
ଲେବୀୟ ପୁସ୍ତକ 16 : 27 (ORV)
ପୁଣି, ପାପାର୍ଥକ ବଳିର ଯେଉଁ ଗୋବତ୍ସର ଓ ପାପାର୍ଥକ ବଳିର ଯେଉଁ ଛାଗର ରକ୍ତ ପ୍ରାୟଶ୍ଚିତ୍ତକରଣାର୍ଥେ ପବିତ୍ର ସ୍ଥାନକୁ ଅଣାଯାଇଥିଲା, ଲୋକମାନେ ସେଗୁଡ଼ିକୁ ଛାଉଣି ବାହାରକୁ ନେଇ ଯାଇ ସେଗୁଡ଼ିକର ଚର୍ମ ଓ ମାଂସ ଓ ମଳ ଅଗ୍ନିରେ ଦଗ୍ଧ କରିବେ ।
ଲେବୀୟ ପୁସ୍ତକ 16 : 28 (ORV)
ପୁଣି ଯେଉଁ ଲୋକ ତାହା ଦଗ୍ଧ କରିବ, ସେ ଆପଣା ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ, ତହିଁ ଉତ୍ତାରେ ସେ ଛାଉଣି ଭିତରକୁ ଆସିବ ।
ଲେବୀୟ ପୁସ୍ତକ 16 : 29 (ORV)
ତୁମ୍ଭମାନଙ୍କ ନିମନ୍ତେ ଏହା ଅନନ୍ତକାଳୀନ ବିଧି ହେବ; ସପ୍ତମ ମାସରେ ଓ ସେହି ମାସର ଦଶମ ଦିନରେ ସ୍ଵଦେଶୀୟ ବା ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସୀ ବିଦେଶୀୟ ଲୋକ ହେଉ, ତୁମ୍ଭେମାନେ ଆପଣାମାନଙ୍କ ପ୍ରାଣକୁ କ୍ଳେଶ ଦେବ ଓ କୌଣସି ପ୍ରକାର କର୍ମ କରିବ ନାହିଁ ।
ଲେବୀୟ ପୁସ୍ତକ 16 : 30 (ORV)
କାରଣ ସେହି ଦିନରେ ତୁମ୍ଭମାନଙ୍କୁ ଶୁଚିକରିବା ନିମନ୍ତେ ତୁମ୍ଭମାନଙ୍କ ପାଇଁ ପ୍ରାୟଶ୍ଚିତ୍ତ କରାଯିବ; ତୁମ୍ଭେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ଆପଣା ଆପଣାର ସକଳ ପାପରୁ ପରିଷ୍କୃତ ହେବ ।
ଲେବୀୟ ପୁସ୍ତକ 16 : 31 (ORV)
ତାହା ତୁମ୍ଭମାନଙ୍କ ପ୍ରତି ମହା ବିଶ୍ରାମ ଦିନ, ତୁମ୍ଭେମାନେ ଆପଣା ଆପଣା ପ୍ରାଣକୁ କ୍ଳେଶ ଦେବ; ଏହା ଅନନ୍ତକାଳୀନ ବିଧି ।
ଲେବୀୟ ପୁସ୍ତକ 16 : 32 (ORV)
ପୁଣି, ପିତାର ବଦଳେ ଯାଜକତ୍ଵ ପଦରେ ଯେ ଅଭିଷିକ୍ତ ଓ ନିଯୁକ୍ତ ହେବ, ସେହି ଯାଜକ ପ୍ରାୟଶ୍ଚିତ୍ତ କରିବ ଓ ଶୁଭ୍ର ବସ୍ତ୍ର, ଅର୍ଥାତ୍, ପବିତ୍ର ବସ୍ତ୍ର ସବୁ ପିନ୍ଧିବ ।
ଲେବୀୟ ପୁସ୍ତକ 16 : 33 (ORV)
ଆଉ, ସେ ପବିତ୍ର ସ୍ଥାନ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ ଓ ସମାଗମ-ତମ୍ଵୁ ଓ ବେଦି ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ଆଉ, ସେ ଯାଜକଗଣ ନିମନ୍ତେ ଓ ସମାଜର ସମସ୍ତ ଲୋକ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ ।
ଲେବୀୟ ପୁସ୍ତକ 16 : 34 (ORV)
ପୁଣି, ଇସ୍ରାଏଲ-ସନ୍ତାନଗଣ ନିମନ୍ତେ ସେମାନଙ୍କର ସମସ୍ତ ପାପ ସକାଶୁ ବର୍ଷ ମଧ୍ୟରେ ଏକ ଥର ପ୍ରାୟଶ୍ଚିତ୍ତ କରିବାର ତୁମ୍ଭମାନଙ୍କ ପ୍ରତି ଅନନ୍ତକାଳୀନ ବିଧି ହେବ। ତହୁଁ ସେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ କର୍ମ କଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34

BG:

Opacity:

Color:


Size:


Font: