ବିଚାରକର୍ତାମାନଙ୍କ ବିବରଣ 13 : 1 (ORV)
ଅନନ୍ତର ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା ପୁନର୍ବାର କଲେ; ତହିଁରେ ସଦାପ୍ରଭୁ ଚାଳିଶବର୍ଷ ଯାଏ ସେମାନଙ୍କୁ ପଲେଷ୍ଟୀୟମାନଙ୍କ ହସ୍ତରେ ସମର୍ପଣ କଲେ ।
ବିଚାରକର୍ତାମାନଙ୍କ ବିବରଣ 13 : 2 (ORV)
ସେହି ସମୟରେ ଦାନୀୟ ଗୋଷ୍ଠୀ ମଧ୍ୟରେ ସରୀୟ ନିବାସୀ ଏକ ମନୁଷ୍ୟ ଥିଲା, ତାହାର ନାମ ମାନୋହ; ତାହାର ଭାର୍ଯ୍ୟା ବନ୍ଧ୍ୟା ଓ ପ୍ରସବ କରି ନ ଥିଲା ।
ବିଚାରକର୍ତାମାନଙ୍କ ବିବରଣ 13 : 3 (ORV)
ପୁଣି ସଦାପ୍ରଭୁଙ୍କ ଦୂତ ସେହି ସ୍ତ୍ରୀକୁ ଦର୍ଶନ ଦେଇ ତାହାକୁ କହିଲେ, ଦେଖ, ତୁମ୍ଭେ ବନ୍ଧ୍ୟା ଓ ପ୍ରସବ କରି ନାହଁ; ମାତ୍ର ତୁମ୍ଭେ ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବ ।
ବିଚାରକର୍ତାମାନଙ୍କ ବିବରଣ 13 : 4 (ORV)
ଏହେତୁ ଏବେ ଏହା କର ଓ ତୁମ୍ଭେ ସାବଧାନ ହୁଅ, ଦ୍ରାକ୍ଷାରସ କି ମଦ୍ୟ ପାନ କର ନାହିଁ ଓ କୌଣସି ଅଶୁଚି ଦ୍ରବ୍ୟ ଭୋଜନ କର ନାହିଁ;
ବିଚାରକର୍ତାମାନଙ୍କ ବିବରଣ 13 : 5 (ORV)
କାରଣ ଦେଖ, ତୁମ୍ଭେ ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବ, ଆଉ ତାହାର ମସ୍ତକରେ କ୍ଷୁର ଲାଗିବ ନାହିଁ; ଯେହେତୁ ସେ ବାଳକ ଗର୍ଭାବଧି ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ନାସରୀୟ ହେବ ଓ ସେ ପଲେଷ୍ଟୀୟମାନଙ୍କ ହସ୍ତରୁ ଇସ୍ରାଏଲକୁ ଉଦ୍ଧାର କରିବାକୁ ଆରମ୍ଭ କରିବ ।
ବିଚାରକର୍ତାମାନଙ୍କ ବିବରଣ 13 : 6 (ORV)
ଏ ଉତ୍ତାରେ ସେହି ସ୍ତ୍ରୀ ଆସି ଆପଣା ସ୍ଵାମୀକି କହିଲା, ପରମେଶ୍ଵରଙ୍କର ଏକ ଲୋକ ମୋʼ ନିକଟକୁ ଆସିଲେ । ତାହାଙ୍କ ରୂପ ପରମେଶ୍ଵରଙ୍କ ଦୂତଙ୍କ ରୂପ ତୁଲ୍ୟ ଅତି ଭୟଙ୍କର; ମାତ୍ର ସେ କେଉଁଠାରୁ ଆସିଲେ, ଏହା ମୁଁ ତାହାଙ୍କୁ ପଚାରିଲି ନାହିଁ, କିଅବା ସେ ଆପଣା ନାମ ମୋତେ କହିଲେ ନାହିଁ;
ବିଚାରକର୍ତାମାନଙ୍କ ବିବରଣ 13 : 7 (ORV)
ମାତ୍ର ସେ ମୋତେ କହିଲେ, ଦେଖ, ତୁମ୍ଭେ ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବ; ଏହେତୁ ଦ୍ରାକ୍ଷାରସ କି ମଦ୍ୟ ପାନ କର ନାହିଁ ଓ କୌଣସି ଅଶୁଚି ଦ୍ରବ୍ୟ ଭୋଜନ କର ନାହିଁ; କାରଣ ସେହି ବାଳକ ଗର୍ଭାବଧି ମରଣ ଦିନ ପର୍ଯ୍ୟନ୍ତ ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ନାସରୀୟ ହେବ,
ବିଚାରକର୍ତାମାନଙ୍କ ବିବରଣ 13 : 8 (ORV)
ତହିଁରେ ମାନୋହ ସଦାପ୍ରଭୁଙ୍କୁ ବିନତି କରି କହିଲା, ହେ ପ୍ରଭୋ, ବିନୟ କରୁଅଛି, ପରମେଶ୍ଵରଙ୍କ ଯେଉଁ ଲୋକଙ୍କୁ ଆପଣ ପଠାଇଥିଲେ, ସେ ଆମ୍ଭମାନଙ୍କ ନିକଟକୁ ପୁନର୍ବାର ଆସନ୍ତୁ ଓ ଯେଉଁ ବାଳକ ଜନ୍ମିବ, ତାହା ପ୍ରତି ଆମ୍ଭମାନଙ୍କର କି କର୍ତ୍ତବ୍ୟ, ଏହା ଆମ୍ଭମାନଙ୍କୁ ଶିଖାଉନ୍ତୁ ।
ବିଚାରକର୍ତାମାନଙ୍କ ବିବରଣ 13 : 9 (ORV)
ତହୁଁ ପରମେଶ୍ଵର ମାନୋହର ରବ ଶୁଣିଲେ; ପୁଣି ସେ ସ୍ତ୍ରୀ କ୍ଷେତ୍ରରେ ବସିଥିବା ବେଳେ ପରମେଶ୍ଵରଙ୍କ ଦୂତ ପୁନର୍ବାର ତାହା ନିକଟକୁ ଆସିଲେ; ମାତ୍ର ତାହାର ସ୍ଵାମୀ ମାନୋହ ତାହା ସଙ୍ଗରେ ନ ଥିଲା ।
ବିଚାରକର୍ତାମାନଙ୍କ ବିବରଣ 13 : 10 (ORV)
ଏଣୁ ସେ ସ୍ତ୍ରୀ ଶୀଘ୍ର ଧାଇଁଯାଇ ଆପଣା ସ୍ଵାମୀକି ସମ୍ଵାଦ ଦେଇ କହିଲା, ଦେଖ, ସେଦିନ ଯେଉଁ ଲୋକ ମୋʼ ନିକଟକୁ ଆସିଥିଲେ, ସେ ମୋତେ ଦର୍ଶନ ଦେଇଅଛନ୍ତି ।
ବିଚାରକର୍ତାମାନଙ୍କ ବିବରଣ 13 : 11 (ORV)
ତହିଁରେ ମାନୋହ ଉଠି ଆପଣା ଭାର୍ଯ୍ୟାର ପଛେ ପଛେ ଗଲା ଓ ସେହି ଲୋକଙ୍କ ନିକଟକୁ ଆସି ତାହାଙ୍କୁ କହିଲା, ଏହି ସ୍ତ୍ରୀ ସଙ୍ଗରେ ଯେ କଥା କହିଥିଲେ, ସେ କି ଆପଣ? ସେ କହିଲେ, ଆମ୍ଭେ ।
ବିଚାରକର୍ତାମାନଙ୍କ ବିବରଣ 13 : 12 (ORV)
ତହୁଁ ମାନୋହ କହିଲା, ଆପଣଙ୍କ ବାକ୍ୟ ସଫଳ ହେଉ; ବାଳକ ପ୍ରତି କି ବିଧି ଓ ତାହାର କି କାର୍ଯ୍ୟ ହେବ?
ବିଚାରକର୍ତାମାନଙ୍କ ବିବରଣ 13 : 13 (ORV)
ତହିଁରେ ସଦାପ୍ରଭୁଙ୍କ ଦୂତ ମାନୋହକୁ କହିଲେ, ଆମ୍ଭେ ସେହି ସ୍ତ୍ରୀକୁ ଯାହା ଯାହା କହିଅଛୁ, ତାହାସବୁ ସେ ମାନୁ ।
ବିଚାରକର୍ତାମାନଙ୍କ ବିବରଣ 13 : 14 (ORV)
ସେ ଦ୍ରାକ୍ଷାଲତାଜାତ କୌଣସି ଦ୍ରବ୍ୟ ଭୋଜନ କରିବ ନାହିଁ, ଅବା ସେ ଦ୍ରାକ୍ଷାରସ କି ମଦ୍ୟ ପାନ ନ କରୁ, କିଅବା କୌଣସି ଅଶୁଚି ଦ୍ରବ୍ୟ ଭୋଜନ ନ କରୁ; ଆମ୍ଭେ ତାହାକୁ ଯାହା ଯାହା ଆଜ୍ଞା କରିଅଛୁ, ତାହାସବୁ ସେ ମାନୁ ।
ବିଚାରକର୍ତାମାନଙ୍କ ବିବରଣ 13 : 15 (ORV)
ଆହୁରି ମାନୋହ ସଦାପ୍ରଭୁଙ୍କ ଦୂତଙ୍କୁ କହିଲା, ବିନୟ କରୁଅଛି, ଆପଣଙ୍କ ପାଇଁ ଛେଳି ଛୁଆଟିଏ ପ୍ରସ୍ତୁତ କରିବାଯାଏ ଆମ୍ଭେମାନେ ଆପଣଙ୍କୁ ଅଟକାଇ ରଖୁ।
ବିଚାରକର୍ତାମାନଙ୍କ ବିବରଣ 13 : 16 (ORV)
ତହିଁରେ ସଦାପ୍ରଭୁଙ୍କ ଦୂତ ମାନୋହକୁ କହିଲେ, ତୁମ୍ଭେ ଆମ୍ଭକୁ ଅଟକାଇ ରଖିଲେ ହେଁ ଆମ୍ଭେ ତୁମ୍ଭ ଆହାର ଭୋଜନ କରିବୁ ନାହିଁ; ପୁଣି ଯେବେ ତୁମ୍ଭେ ହୋମବଳି ପ୍ରସ୍ତୁତ କର, ତେବେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହା ଉତ୍ସର୍ଗ କର । ସେ ଯେ ସଦାପ୍ରଭୁଙ୍କ ଦୂତ, ଏହା ମାନୋହ ଜାଣି ନ ଥିଲା ।
ବିଚାରକର୍ତାମାନଙ୍କ ବିବରଣ 13 : 17 (ORV)
ଏ ଉତ୍ତାରେ ମାନୋହ ସଦାପ୍ରଭୁଙ୍କ ଦୂତଙ୍କୁ କହିଲା, ଆପଣଙ୍କର ନାମ କଅଣ? ଆପଣଙ୍କ ବାକ୍ୟ ସଫଳ ହେଲେ, ଆମ୍ଭେମାନେ ଆପଣଙ୍କର ଗୌରବ କରିବୁ ।
ବିଚାରକର୍ତାମାନଙ୍କ ବିବରଣ 13 : 18 (ORV)
ତହିଁରେ ସଦାପ୍ରଭୁଙ୍କ ଦୂତ ତାହାକୁ କହିଲେ, ତୁମ୍ଭେ ଆମ୍ଭ ନାମ କାହିଁକି ପଚାରୁଅଛ, ତାହା ତ ଆଶ୍ଚର୍ଯ୍ୟ?
ବିଚାରକର୍ତାମାନଙ୍କ ବିବରଣ 13 : 19 (ORV)
ତହିଁରେ ମାନୋହ ସେହି ଛେଳିଛୁଆ ଓ ତହିଁର ଭକ୍ଷ୍ୟ-ନୈବେଦ୍ୟ ନେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶୈଳ ଉପରେ ଉତ୍ସର୍ଗ କଲା । ତହୁଁ ଦୂତ ଆଶ୍ଚର୍ଯ୍ୟ ପ୍ରକାର କର୍ମ କଲେ, ଆଉ ମାନୋହ ଓ ତାହାର ଭାର୍ଯ୍ୟା ଅନାଉଥିଲେ ।
ବିଚାରକର୍ତାମାନଙ୍କ ବିବରଣ 13 : 20 (ORV)
ଯେତେବେଳେ ଅଗ୍ନିଶିଖା ଯଜ୍ଞବେଦିରୁ ଆକାଶକୁ ଉଠିଲା, ସେତେବେଳେ ସଦାପ୍ରଭୁଙ୍କ ଦୂତ ସେହି ଯଜ୍ଞବେଦିର ଅଗ୍ନିଶିଖାରେ ଊର୍ଦ୍ଧ୍ଵଗମନ କଲେ । ସେ ସମୟରେ ମାନୋହ ଓ ତାହାର ଭାର୍ଯ୍ୟା ଅନାଉଥିଲେ; ଆଉ ସେମାନେ ଭୂମିରେ ମୁହଁମାଡ଼ି ପଡ଼ିଲେ ।
ବିଚାରକର୍ତାମାନଙ୍କ ବିବରଣ 13 : 21 (ORV)
ଏ ଉତ୍ତାରେ ସଦାପ୍ରଭୁଙ୍କ ଦୂତ ମାନୋହକୁ ଓ ତାହାର ଭାର୍ଯ୍ୟାକୁ ଆଉ ଦର୍ଶନ ଦେଲେ ନାହିଁ । ତହୁଁ ସେ ସଦାପ୍ରଭୁଙ୍କ ଦୂତ ବୋଲି ମାନୋହ ଜାଣିଲା ।
ବିଚାରକର୍ତାମାନଙ୍କ ବିବରଣ 13 : 22 (ORV)
ଏଣୁ ମାନୋହ ଆପଣା ଭାର୍ଯ୍ୟାକୁ କହିଲା, ଆମ୍ଭେମାନେ ପରମେଶ୍ଵରଙ୍କୁ ଦେଖିଅଛୁ, ଏଣୁ ଅବଶ୍ୟ ମରିବା ।
ବିଚାରକର୍ତାମାନଙ୍କ ବିବରଣ 13 : 23 (ORV)
ମାତ୍ର ତାହାର ଭାର୍ଯ୍ୟା ତାହାକୁ କହିଲା, ଯେବେ ଆମ୍ଭମାନଙ୍କୁ ବଧ କରିବାକୁ ସଦାପ୍ରଭୁଙ୍କର ସନ୍ତୋଷ ଥାʼନ୍ତା, ତେବେ ସେ ଆମ୍ଭମାନଙ୍କ ହସ୍ତରୁ ହୋମବଳି ଓ ଭକ୍ଷ୍ୟ-ନୈବେଦ୍ୟ ଗ୍ରହଣ କରି ନ ଥାʼନ୍ତେ, ଅବା ସେ ଏସବୁ ବିଷୟ ଆମ୍ଭମାନଙ୍କୁ ଦେଖାଇ ନ ଥାʼନ୍ତେ, କିଅବା ଏ ସମୟରେ ଏପରି କଥା ଶୁଣାଇ ନ ଥାʼନ୍ତେ ।
ବିଚାରକର୍ତାମାନଙ୍କ ବିବରଣ 13 : 24 (ORV)
ଏଥି ଉତ୍ତାରେ ସେହି ସ୍ତ୍ରୀ ପୁତ୍ର ପ୍ରସବ କରି ତାହାର ନାମ ଶାମ୍ଶୋନ୍ ଦେଲା । ତହୁଁ ସେହି ବାଳକ ବଢ଼ିଲା ଓ ସଦାପ୍ରଭୁ ତାହାକୁ ଆଶୀର୍ବାଦ କଲେ ।
ବିଚାରକର୍ତାମାନଙ୍କ ବିବରଣ 13 : 25 (ORV)
ପୁଣି ସଦାପ୍ରଭୁଙ୍କ ଆତ୍ମା ସରୀୟ ଓ ଇଷ୍ଟାୟୋଲ ମଧ୍ୟବର୍ତ୍ତୀ ମହନୀ-ଦାନରେ ତାହାକୁ ଚଳାଇବାକୁ ଲାଗିଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25

BG:

Opacity:

Color:


Size:


Font: