ଯୋହନଲିଖିତ ସୁସମାଚାର 9 : 1 (ORV)
ସେ ଯାଉଥିବା ସମୟରେ ଜଣେ ଜନ୍ମାନ୍ଧକୁ ଦେଖିଲେ ।
ଯୋହନଲିଖିତ ସୁସମାଚାର 9 : 2 (ORV)
ଆଉ, ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ପଚାରିଲେ, ହେ ଗୁରୁ, କିଏ ପାପ କରିବାରୁ ଏ ଅନ୍ଧ ହୋଇ ଜନ୍ମ ହେଲା? ନିଜେ ନା ଏହାର ବାପମା?
ଯୋହନଲିଖିତ ସୁସମାଚାର 9 : 3 (ORV)
ଯୀଶୁ ଉତ୍ତର ଦେଲେ, ଏ କିମ୍ଵା ଏହାର ବାପମା ପାପ କଲେ ନାହିଁ, କିନ୍ତୁ ଈଶ୍ଵରଙ୍କ କର୍ମ ଯେପରି ଏହାଠାରେ ପ୍ରକାଶିତ ହୁଏ, ଏନିମନ୍ତେ ଏହା ଘଟିଅଛି ।
ଯୋହନଲିଖିତ ସୁସମାଚାର 9 : 4 (ORV)
ଦିନ ଥାଉ ଥାଉ ମୋହର ପ୍ରେରଣକର୍ତ୍ତାଙ୍କ କର୍ମ କରିବା ଆମ୍ଭମାନଙ୍କ କର୍ତ୍ତବ୍ୟ; ଯେଉଁ ସମୟରେ କେହି କର୍ମ କରି ପାରେ ନାହିଁ, ଏପରି ରାତ୍ରି ଆସୁଅଛି ।
ଯୋହନଲିଖିତ ସୁସମାଚାର 9 : 5 (ORV)
ମୁଁ ଯେପର୍ଯ୍ୟନ୍ତ ଜଗତରେ ଅଛି, ସେପର୍ଯ୍ୟନ୍ତ ମୁଁ ଜଗତର ଜ୍ୟୋତିଃ ।
ଯୋହନଲିଖିତ ସୁସମାଚାର 9 : 6 (ORV)
ଏହା କହି ସେ ମାଟିରେ ଛେପ ପକାଇ ସେହି ଛେପରେ କାଦୁଅ କଲେ, ଆଉ ତାହାର ଦୁଇ ଆଖିରେ କାଦୁଅ ଲଗାଇଦେଇ ତାହାକୁ କହିଲେ, ଯାଅ,
ଯୋହନଲିଖିତ ସୁସମାଚାର 9 : 7 (ORV)
ଶିଲୋହ (ଅନୁବାଦ କଲେ, ଏହାର ଅର୍ଥ ପ୍ରେରିତ) ପୋଖରୀରେ ଧୋଇ ହୁଅ । ସେଥିରେ ସେ ବାହାରିଯାଇ ଧୋଇ ହେଲା ଓ ଦୃଷ୍ଟି ପାଇ ଚାଲିଗଲା ।
ଯୋହନଲିଖିତ ସୁସମାଚାର 9 : 8 (ORV)
ତେଣୁ ପ୍ରତିବାସୀମାନେ, ପୁଣି ଯେଉଁମାନେ ତାହାକୁ ପୂର୍ବେ ଜଣେ ଭିକାରୀ ବୋଲି ଦେଖିଥିଲେ, ସେମାନେ ପଚାରିଲେ, ଯେ ବସି ଭିକ ମାଗୁଥିଲା, ଏ କଅଣ ସେହି ନୁହେଁ?
ଯୋହନଲିଖିତ ସୁସମାଚାର 9 : 9 (ORV)
କେହି କେହି କହିଲେ, ଏ ସେ; ଆଉ କେହି କେହି କହିଲେ, ନା, ଏ ତାହା ପରି । ସେ କହିଲା, ମୁଁ ସେହି ।
ଯୋହନଲିଖିତ ସୁସମାଚାର 9 : 10 (ORV)
ସେଥିରେ ସେମାନେ ତାହାକୁ କହିଲେ, ତାହାହେଲେ ତୋର ଆଖି କିପରି ଫିଟିଗଲା?
ଯୋହନଲିଖିତ ସୁସମାଚାର 9 : 11 (ORV)
ସେ ଉତ୍ତର ଦେଲା, ଯାହାଙ୍କୁ ଯୀଶୁ ବୋଲି କହନ୍ତି, ସେହି ବ୍ୟକ୍ତି କାଦୁଅ କରି ମୋହର ଦୁଇ ଆଖିରେ ଲେପିଦେଲେ, ଆଉ ମୋତେ କହିଲେ, ଶିଲୋହକୁ ଯାଇ ଧୋଇ ହୁଅ; ତେଣୁ ମୁଁ ବାହାରିଯାଇ ଧୋଇ ହେଲି ଓ ଦୃଷ୍ଟି ପାଇଲି ।
ଯୋହନଲିଖିତ ସୁସମାଚାର 9 : 12 (ORV)
ସେମାନେ ତାହାକୁ ପଚାରିଲେ, ସେ କାହିଁ? ସେ କହିଲା, ମୁଁ ଜାଣେ ନାହିଁ ।
ଯୋହନଲିଖିତ ସୁସମାଚାର 9 : 13 (ORV)
ଯେ ପୂର୍ବରେ ଅନ୍ଧ ଥିଲା, ସେମାନେ ତାହାକୁ ଫାରୂଶୀମାନଙ୍କ ନିକଟକୁ ଆଣିଲେ ।
ଯୋହନଲିଖିତ ସୁସମାଚାର 9 : 14 (ORV)
ଯୀଶୁ ଯେଉଁ ଦିନ କାଦୁଅ କରି ତାହାର ଆଖି ଫିଟାଇ ଦେଇଥିଲେ, ସେହିଦିନ ବିଶ୍ରାମବାର ।
ଯୋହନଲିଖିତ ସୁସମାଚାର 9 : 15 (ORV)
ଅତଏବ, ସେ କିପରି ଦୃଷ୍ଟି ପାଇଲା, ଏହା ଫାରୂଶୀମାନେ ମଧ୍ୟ ତାହାକୁ ଆଉ ଥରେ ପଚାରିବାକୁ ଲାଗିଲେ । ସେଥିରେ ସେ ସେମାନଙ୍କୁ କହିଲା, ସେ ମୋହର ଆଖିରେ କାଦୁଅ ଲଗାଇଦେଲେ, ପରେ ମୁଁ ଧୋଇ ହେଲି ଓ ଦେଖି ପାରୁଅଛି ।
ଯୋହନଲିଖିତ ସୁସମାଚାର 9 : 16 (ORV)
ତହୁଁ ଫାରୂଶୀମାନଙ୍କ ମଧ୍ୟରୁ କେହି କେହି କହିଲେ, ସେ ଲୋକଟା ଈଶ୍ଵରଙ୍କ ନିକଟରୁ ଆସି ନାହିଁ, କାରଣ ସେ ବିଶ୍ରାମବାର ପାଳନ କରୁ ନାହିଁ । ଆଉ, କେହି କେହି କହିଲେ, ପାପୀ ଲୋକ କିପରି ଏହିପ୍ରକାର ଆଶ୍ଚର୍ଯ୍ୟକର୍ମସବୁ କରି ପାରେ? ଏହିପରିଭାବେ ସେମାନଙ୍କ ମଧ୍ୟରେ ମତଭେଦ ହେଲା ।
ଯୋହନଲିଖିତ ସୁସମାଚାର 9 : 17 (ORV)
ତେଣୁ ସେମାନେ ଆହୁରି ଥରେ ସେହି ଅନ୍ଧ ଲୋକଟିକି ପଚାରିଲେ, ସେ ଯେ ତୋର ଆଖି ଫିଟାଇଲା, ଏଥିରେ ତୁ ତାʼ ବିଷୟରେ କଅଣ କହୁଛୁ? ସେ କହିଲା, ସେ ଜଣେ ଭାବବାଦୀ ।
ଯୋହନଲିଖିତ ସୁସମାଚାର 9 : 18 (ORV)
ସେ ଯେ ଅନ୍ଧ ଥିଲା ଆଉ ଦୃଷ୍ଟି ପାଇଅଛି, ସେହି ଦୃଷ୍ଟି ପାଇଥିବା ଲୋକର ପିତାମାତାଙ୍କୁ ଡାକି ନ ପଚାରିବା ପର୍ଯ୍ୟନ୍ତ ଯିହୁଦୀମାନେ ତାହା ସମ୍ଵନ୍ଧରେ ଏହା ବିଶ୍ଵାସ କଲେ ନାହିଁ ।
ଯୋହନଲିଖିତ ସୁସମାଚାର 9 : 19 (ORV)
ସେମାନେ ସେମାନଙ୍କୁ ପଚାରିଲେ, ତୁମ୍ଭମାନଙ୍କର ଯେଉଁ ପୁଅ ଅନ୍ଧ ହୋଇ ଜନ୍ମ ହୋଇଥିଲା ବୋଲି କହିଥାଅ, ଏ କଅଣ ତୁମ୍ଭମାନଙ୍କର ସେହି ପୁଅ? ତାହାହେଲେ ସେ କିପରି ଏବେ ଦେଖୁଅଛି?
ଯୋହନଲିଖିତ ସୁସମାଚାର 9 : 20 (ORV)
ସେଥିରେ ତାହାର ପିତାମାତା ଉତ୍ତର ଦେଲେ, ଏ ଯେ ଆମ୍ଭମାନଙ୍କର ପୁଅ ଓ ଏ ଯେ ଅନ୍ଧ ହୋଇ ଜନ୍ମ ହୋଇଥିଲା, ଏହା ଆମ୍ଭେମାନେ ଜାଣୁ;
ଯୋହନଲିଖିତ ସୁସମାଚାର 9 : 21 (ORV)
କିନ୍ତୁ ସେ କିପରି ଏବେ ଦେଖୁଅଛି, ତାହା ଜାଣୁ ନାହିଁ, କିମ୍ଵା କିଏ ତାହାର ଆଖି ଫିଟାଇଦେଲେ, ତାହା ମଧ୍ୟ ଆମ୍ଭେମାନେ ଜାଣୁ ନାହିଁ; ତାହାକୁ ପଚାରନ୍ତୁ, ସେ ତ ବୟସପ୍ରାପ୍ତ, ସେ ଆପଣା କଥା ଆପେ କହିବ ।
ଯୋହନଲିଖିତ ସୁସମାଚାର 9 : 22 (ORV)
ତାହାର ପିତାମାତା ଯିହୁଦୀମାନଙ୍କୁ ଭୟ କରୁଥିବାରୁ ଏହିସମସ୍ତ କଥା କହିଲେ, କାରଣ ଯଦି କେହି ତାହାଙ୍କୁ ଖ୍ରୀଷ୍ଟ ବୋଲି ସ୍ଵୀକାର କରେ, ତାହାହେଲେ ସେ ସମାଜଚ୍ୟୁତ କରାଯିବ ବୋଲି ସେଥିପୂର୍ବେ ଯିହୁଦୀମାନେ ଏକମତ ହୋଇଥିଲେ ।
ଯୋହନଲିଖିତ ସୁସମାଚାର 9 : 23 (ORV)
ଅତଏବ, ତାହାର ପିତାମାତା କହିଲେ, ସେ ବୟସପ୍ରାପ୍ତ, ତାହାକୁ ପଚାରନ୍ତୁ ।
ଯୋହନଲିଖିତ ସୁସମାଚାର 9 : 24 (ORV)
ସେଥିରେ ପୂର୍ବରେ ଅନ୍ଧ ଥିବା ଲୋକକୁ ସେମାନେ ଦ୍ଵିତୀୟ ଥର ଡାକି କହିଲେ, ଈଶ୍ଵରଙ୍କୁ ଗୌରବ ଦିଅ, ସେ ଲୋକଟା ଯେ ପାପୀ, ଏହା ଆମ୍ଭେମାନେ ଜାଣୁ ।
ଯୋହନଲିଖିତ ସୁସମାଚାର 9 : 25 (ORV)
ସେଥିରେ ସେ ଉତ୍ତର ଦେଲା, ସେ ପାପୀ କି ନୁହେଁ, ମୁଁ ତାହା ଜାଣେ ନାହିଁ; ମୁଁ ଗୋଟିଏ ବିଷୟ ଜାଣେ, ମୁଁ ଅନ୍ଧ ଥିଲି, ଏବେ ଦେଖି ପାରୁଅଛି ।
ଯୋହନଲିଖିତ ସୁସମାଚାର 9 : 26 (ORV)
ତେଣୁ ସେମାନେ ତାକୁ କହିଲେ, ସେ ତୋତେ କଅଣ କଲା? ସେ କିପ୍ରକାରେ ତୋର ଆଖି ଫିଟାଇଦେଲା?
ଯୋହନଲିଖିତ ସୁସମାଚାର 9 : 27 (ORV)
ସେ ସେମାନଙ୍କୁ ଉତ୍ତର ଦେଲା, ମୁଁ କହିସାରିଲିଣି, ଆଉ ଆପଣମାନେ ଶୁଣିଲେ ନାହିଁ; କାହିଁକି ଆଉ ଥରେ ଶୁଣିବାକୁ ଇଚ୍ଛା କରୁଅଛନ୍ତି? ଆପଣମାନେ ମଧ୍ୟ କଅଣ ତାହାଙ୍କର ଶିଷ୍ୟ ହେବାକୁ ଇଚ୍ଛା କରୁଅଛନ୍ତି?
ଯୋହନଲିଖିତ ସୁସମାଚାର 9 : 28 (ORV)
ସେଥିରେ ସେମାନେ ତାକୁ ଗାଳି ଦେଇ କହିଲେ, ତୁ ସେଇଟାର ଶିଷ୍ୟ, କିନ୍ତୁ ଆମ୍ଭେମାନେ ମୋଶାଙ୍କର ଶିଷ୍ୟ ।
ଯୋହନଲିଖିତ ସୁସମାଚାର 9 : 29 (ORV)
ଆମ୍ଭେମାନେ ଜାଣୁ ଯେ, ଈଶ୍ଵର ମୋଶାଙ୍କୁ କଥା କହିଅଛନ୍ତି, କିନ୍ତୁ ଏ ଲୋକଟା କେଉଁଠାରୁ ଆସିଅଛି, ତାହା ଆମ୍ଭେମାନେ ଜାଣୁ ନାହିଁ ।
ଯୋହନଲିଖିତ ସୁସମାଚାର 9 : 30 (ORV)
ସେହି ଲୋକଟି ସେମାନଙ୍କୁ ଉତ୍ତର ଦେଲା, ସେ ମୋହର ଆଖି ଫିଟାଇଦେଲେ, ଆଉ ସେ କେଉଁଠାରୁ ଆସିଅଛନ୍ତି, ତାହା ଆପଣମାନେ ଜାଣନ୍ତି ନାହିଁ, ଏ ତ ଆଶ୍ଚର୍ଯ୍ୟ କଥା ।
ଯୋହନଲିଖିତ ସୁସମାଚାର 9 : 31 (ORV)
ଈଶ୍ଵର ଯେ ପାପୀମାନଙ୍କ କଥା ଶୁଣନ୍ତି ନାହିଁ, ଏହା ଆମ୍ଭେମାନେ ଜାଣୁ, କିନ୍ତୁ ଯଦି କେହି ଈଶ୍ଵରଭକ୍ତ ହୋଇ ତାହାଙ୍କର ଇଚ୍ଛା ସାଧନ କରେ, ତାହାହେଲେ ସେ ତାʼର କଥା ଶୁଣନ୍ତି ।
ଯୋହନଲିଖିତ ସୁସମାଚାର 9 : 32 (ORV)
କେହି ଯେ ଜନ୍ମାନ୍ଧର ଚକ୍ଷୁ ଫିଟାଇଦେଲା, ଏହା ତ କେବେହେଲେ ଶୁଣାଯାଇ ନ ଥିଲା ।
ଯୋହନଲିଖିତ ସୁସମାଚାର 9 : 33 (ORV)
ଏ ଈଶ୍ଵରଙ୍କଠାରୁ ଆସି ନ ଥିଲେ କିଛି କରିପାରନ୍ତେ ନାହିଁ ।
ଯୋହନଲିଖିତ ସୁସମାଚାର 9 : 34 (ORV)
ସେମାନେ ତାକୁ ଉତ୍ତର ଦେଲେ, ତୁଉଟା ତ ପୁରା ପାପରେ ଜନ୍ମ ହେଲୁ, ଆଉ ତୁ ଆମ୍ଭମାନଙ୍କୁ ଶିକ୍ଷା ଦେଉଅଛୁ? ସେଥିରେ ସେମାନେ ତାକୁ ବାହାର କରିଦେଲେ ।
ଯୋହନଲିଖିତ ସୁସମାଚାର 9 : 35 (ORV)
ସେମାନେ ଯେ ତାକୁ ବାହାର କରିଦେଇଅଛନ୍ତି, ଯୀଶୁ ଏହା ଶୁଣି ତାʼର ଦେଖା ପାଇ କହିଲେ, ତୁମ୍ଭେ କଅଣ ମନୁଷ୍ୟପୁତ୍ରଙ୍କଠାରେ ବିଶ୍ଵାସ କରୁଅଛ?
ଯୋହନଲିଖିତ ସୁସମାଚାର 9 : 36 (ORV)
ସେ ଉତ୍ତର ଦେଲା, ହେ ପ୍ରଭୁ, ସେ କିଏ କହନ୍ତୁ, ଯେପରି ମୁଁ ତାହାଙ୍କଠାରେ ବିଶ୍ଵାସ କରିବି?
ଯୋହନଲିଖିତ ସୁସମାଚାର 9 : 37 (ORV)
ଯୀଶୁ ତାକୁ କହିଲେ, ତୁମ୍ଭେ ତାହାଙ୍କୁ ଦେଖିଅଛ, ଆଉ ଯେ ତୁମ୍ଭ ସାଙ୍ଗରେ କଥା କହୁଅଛନ୍ତି, ସେ ସେହି।
ଯୋହନଲିଖିତ ସୁସମାଚାର 9 : 38 (ORV)
ସେଥିରେ ସେ କହିଲା, ପ୍ରଭୋ ମୁଁ ବିଶ୍ଵାସ କରୁଅଛି; ଆଉ, ସେ ତାହାଙ୍କୁ ପ୍ରଣାମ କଲା ।
ଯୋହନଲିଖିତ ସୁସମାଚାର 9 : 39 (ORV)
ପୁଣି ଯୀଶୁ କହିଲେ, ଦେଖୁ ନ ଥିବା ଲୋକେ ଯେପରି ଦେଖନ୍ତି ଓ ଦେଖୁଥିବା ଲୋକେ ଯେପରି ଅନ୍ଧ ହୁଅନ୍ତି, ଏହି ବିଚାର ନିମନ୍ତେ ମୁଁ ଜଗତକୁ ଆସିଅଛି ।
ଯୋହନଲିଖିତ ସୁସମାଚାର 9 : 40 (ORV)
ଫାରୂଶୀମାନଙ୍କ ମଧ୍ୟରୁ ଯେଉଁମାନେ ତାହାଙ୍କ ସାଙ୍ଗରେ ଥିଲେ, ସେମାନେ ଏହା ଶୁଣି ତାହାଙ୍କୁ କହିଲେ, ଆମ୍ଭେମାନେ ମଧ୍ୟ କଅଣ ଅନ୍ଧ?
ଯୋହନଲିଖିତ ସୁସମାଚାର 9 : 41 (ORV)
ଯୀଶୁ ସେମାନଙ୍କୁ କହିଲେ, ଯଦି ଅନ୍ଧ ହୋଇଥାʼନ୍ତ, ତାହାହେଲେ ତୁମ୍ଭମାନଙ୍କର ପାପ ନ ଥାଆନ୍ତା, କିନ୍ତୁ ଆମ୍ଭେମାନେ ଦେଖୁଅଛୁ, ଏହା ଏବେ କହୁଅଛ; ତୁମ୍ଭମାନଙ୍କର ପାପ ରହୁଅଛି ।
❮
❯