ଯିଶାଇୟ 17 : 1 (ORV)
ଦାମାସ୍କସ୍ (ଦମ୍ମେଶକ) ବିଷୟକ ଭାରୋକ୍ତି । ଦେଖ, ଦାମାସ୍କସ୍ (ଦମ୍ମେଶକ) ଆଉ ନଗର ନ ହୋଇ ଦୂରୀକୃତ ହୋଇଅଛି, ତାହା କାନ୍ଥଡ଼ାର ଢ଼ିପି ହେବ ।
ଯିଶାଇୟ 17 : 2 (ORV)
ଅରୋୟରର ନଗରସବୁ ପରିତ୍ୟକ୍ତ ହୋଇଅଛି; ସେସବୁ ପଶୁପଲର ପାଇଁ ହେବ, ସେମାନେ ସେଠାରେ ଶୟନ କରିବେ, ଆଉ କେହି ସେମାନଙ୍କୁ ଭୟ ଦେଖାଇବ ନାହିଁ ।
ଯିଶାଇୟ 17 : 3 (ORV)
ଆହୁରି, ଇଫ୍ରୟିମରୁ ଦୁର୍ଗ ଓ ଦାମାସ୍କସ୍ରୁ ରାଜ୍ୟ ଓ ଅରାମର ଅବଶିଷ୍ଟାଂଶ ଲୁପ୍ତ ହେବ; ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ସେସବୁ ଇସ୍ରାଏଲ ସନ୍ତାନଗଣର ଗୌରବ ତୁଲ୍ୟ ହେବ ।
ଯିଶାଇୟ 17 : 4 (ORV)
ଆଉ, ସେଦିନରେ ଯାକୁବର ଗୌରବ ପାତଳ କରାଯିବ ଓ ତାହାର ମାଂସର ସ୍ଥୂଳତା କ୍ଷୀଣ ହେବ;
ଯିଶାଇୟ 17 : 5 (ORV)
ଆଉ, ଯେପରି ଶସ୍ୟ କାଟିବା ଲୋକ କ୍ଷେତ୍ରସ୍ଥ ଶସ୍ୟ ସଂଗ୍ରହ କରିବା ବେଳେ ଓ ତାହାର ହସ୍ତ ଶିଷା କାଟିବା ବେଳେ, କିଅବା ଯେପରି କେହି ରଫାୟିମ ତଳଭୂମିରେ ପତିତ ଶିଷା ସାଉଣ୍ଟିବା ବେଳେ ହୁଏ, ସେପରି ହେବ ।
ଯିଶାଇୟ 17 : 6 (ORV)
ତଥାପି ଜୀତବୃକ୍ଷର ଫଳ ଝାଡ଼ି ନେଲା ଉତ୍ତାରେ ଯେପରି ତାହାର ଉଚ୍ଚତମ ଶାଖାରେ ଦୁଇ ତିନି ଗୋଟା ଫଳ ଓ ଫଳବାନ ବୃକ୍ଷର ବାହାରସ୍ଥ ଶାଖାରେ ଚାରି ପାଞ୍ଚ ଗୋଟା ଫଳ ଥାଏ, ସେପରି ତାହାର କିଛି ଅବଶିଷ୍ଟ ରହିବ, ଏହା ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର କହନ୍ତି ।
ଯିଶାଇୟ 17 : 7 (ORV)
ସେଦିନରେ ମନୁଷ୍ୟ ଆପଣା ସୃଷ୍ଟିକର୍ତ୍ତାଙ୍କ ପ୍ରତି ଅନାଇବ ଓ ତାହାର ଚକ୍ଷୁ ଇସ୍ରାଏଲର ଧର୍ମସ୍ଵରୂପଙ୍କ ପ୍ରତି ଦୃଷ୍ଟି ରଖିବ ।
ଯିଶାଇୟ 17 : 8 (ORV)
ପୁଣି, ସେ ଆପଣା ହସ୍ତକୃତ ଯଜ୍ଞବେଦିସମୂହର ପ୍ରତି ଅନାଇବ ନାହିଁ, କିଅବା ଆପଣା ଅଙ୍ଗୁଳିକୃତ ଆଶେରା ମୂର୍ତ୍ତି ଅବା ସୂର୍ଯ୍ୟ ପ୍ରତିମାସକଳର ପ୍ରତି ଦୃଷ୍ଟି ରଖିବ ନାହିଁ ।
ଯିଶାଇୟ 17 : 9 (ORV)
ସେଦିନ ତାହାର ଦୃଢ଼ ନଗରସବୁ ଇସ୍ରାଏଲ ସନ୍ତାନ-ଗଣର ଭୟରେ ବନସ୍ଥ ଓ ପର୍ବତର ଉପରିସ୍ଥ ପରିତ୍ୟକ୍ତ ସ୍ଥାନ ତୁଲ୍ୟ ହେବ ଓ ଦେଶ ଉଚ୍ଛିନ୍ନ ହେବ ।
ଯିଶାଇୟ 17 : 10 (ORV)
କାରଣ ତୁମ୍ଭେ ଆପଣା ପରିତ୍ରାଣର ପରମେଶ୍ଵରଙ୍କୁ ପାସୋରିଅଛ ଓ ଆପଣା ଶକ୍ତି ସ୍ଵରୂପ ଶୈଳ ବିଷୟରେ ମନୋଯୋଗୀ ହୋଇ ନାହଁ; ଏହେତୁ ତୁମ୍ଭେ ସୁନ୍ଦର ସୁନ୍ଦର ଚାରା ରୋପଣ କରୁଅଛ ଓ ବିଦେଶୀୟ କଲମ ସଙ୍ଗେ ତାହା ବସାଉଅଛ;
ଯିଶାଇୟ 17 : 11 (ORV)
ତୁମ୍ଭେ ରୋପଣ କରିବା ଦିନ ତହିଁର ଚାରିଆଡ଼େ ବାଡ଼ ଦେଉଅଛ ଓ ପ୍ରାତଃକାଳରେ ତୁମ୍ଭେ ଆପଣା ବୀଜକୁ ପୁଷ୍ପିତ କରାଉଅଛ; ମାତ୍ର ଦୁଃଖ ଓ ପ୍ରତିକାରହୀନ ଶୋକ ସମୟରେ ଫଳ ଉଡ଼ିଯାଏ ।
ଯିଶାଇୟ 17 : 12 (ORV)
ଆଃ! ଅନେକ ଗୋଷ୍ଠୀର କୋଳାହଳ, ସେମାନେ ସମୁଦ୍ରର କଲ୍ଲୋଳର ତୁଲ୍ୟ କଲ୍ଲୋଳ ଧ୍ଵନି କରୁଅଛନ୍ତି; ନାନା ଦେଶୀୟଗଣ ମାଡ଼ି ଆସୁଅଛନ୍ତି, ସେମାନେ ପ୍ରବଳ ବଢ଼ି ପରି ମାଡ଼ି ଆସୁଅଛନ୍ତି!
ଯିଶାଇୟ 17 : 13 (ORV)
ନାନା ଦେଶୀୟଗଣ, ମହା ଜଳରାଶି ମାଡ଼ି ଆସିବା ପରି ମାଡ଼ି ଆସୁଅଛନ୍ତି; ମାତ୍ର ସେ ସେମାନଙ୍କୁ ଧମକାଇବେ, ତହିଁରେ ସେମାନେ ଦୂରକୁ ପଳାଇବେ ଓ ବାୟୁ ସମ୍ମୁଖରେ ପର୍ବତସ୍ଥ ତୁଷ ତୁଲ୍ୟ ଓ ପ୍ରଚଣ୍ତ ବାୟୁ ଅଗ୍ରତେ ଘୂର୍ଣ୍ଣାୟମାନ ଧୂଳି ତୁଲ୍ୟ ତାଡ଼ିତ ହେବେ ।
ଯିଶାଇୟ 17 : 14 (ORV)
ଦେଖ, ସନ୍ଧ୍ୟାକାଳେ ତ୍ରାସ ଓ ପ୍ରଭାତର ପୂର୍ବେ ସେମାନେ ନାହାନ୍ତି । ଆମ୍ଭମାନଙ୍କ ଲୁଟକାରୀମାନଙ୍କର ଅଂଶ ଓ ଆମ୍ଭମାନଙ୍କ ଅପହରଣକାରୀମାନଙ୍କ ବାଣ୍ଟ ଏହି ।

1 2 3 4 5 6 7 8 9 10 11 12 13 14

BG:

Opacity:

Color:


Size:


Font: