ହୋଶେୟ 2 : 1 (ORV)
ତୁମ୍ଭେମାନେ ଆପଣାମାନଙ୍କର ଭ୍ରାତୃଗଣକୁ ଅମ୍ମି (ଆମ୍ଭର ଲୋକ) ଓ ଆପଣାମାନଙ୍କର ଭଗ୍ନୀଗଣକୁ ରୁହାମା (ଦୟାପାତ୍ରୀ) କୁହ ।
ହୋଶେୟ 2 : 2 (ORV)
ତୁମ୍ଭେମାନେ ଆପଣା ମାତା ସହିତ ବାଦାନୁବାଦ କର, ବାଦାନୁବାଦ କର; କାରଣ ସେ ଆମ୍ଭର ଭାର୍ଯ୍ୟା ନୁହେଁ, କିଅବା ଆମ୍ଭେ ତାହାର ସ୍ଵାମୀ ନୋହୁଁ; ସେ ଆପଣା ଦୃଷ୍ଟିରୁ ଆପଣା ବେଶ୍ୟାଚାର ଓ ଆପଣା ସ୍ତନଦ୍ଵୟର ମଧ୍ୟରୁ ବ୍ୟଭିଚାର ଦୂର କରୁ;
ହୋଶେୟ 2 : 3 (ORV)
ନୋହିଲେ ଅବା ଆମ୍ଭେ ତାହାକୁ ବିବସ୍ତ୍ରା କରିବା ଓ ସେ ଜନ୍ମ ଦିନରେ ଯେରୂପ ଥିଲା, ସେରୂପ କରି ତାହାକୁ ରଖିବା; ପୁଣି, ତାହାକୁ ପ୍ରାନ୍ତରର ତୁଲ୍ୟ କରିବା ଓ ମରୁଭୂମି ତୁଲ୍ୟ କରି ତୃଷାରେ ତାହାକୁ ବଧ କରିବା;
ହୋଶେୟ 2 : 4 (ORV)
ଆହୁରି, ଆମ୍ଭେ ତାହାର ସନ୍ତାନଗଣ ପ୍ରତି ଦୟା କରିବା ନାହିଁ, କାରଣ ସେମାନେ ବେଶ୍ୟାଚାରରୁ ଜାତ ସନ୍ତାନ ।
ହୋଶେୟ 2 : 5 (ORV)
ଯେହେତୁ ସେମାନଙ୍କର ମାତା ବେଶ୍ୟାବୃତ୍ତି କରିଅଛି; ସେମାନଙ୍କର ଗର୍ଭଧାରିଣୀ ଲଜ୍ଜାକର କର୍ମ କରିଅଛି; କାରଣ ସେ କହିଲା, ମୋର ଯେଉଁ ପ୍ରେମିକଗଣ ମୋତେ ଅନ୍ନ, ଜଳ, ମେଷଲୋମ, ମସିନାବସ୍ତ୍ର, ତୈଳ ଓ ମୋର ପେୟଦ୍ରବ୍ୟ ମୋତେ ଦିଅନ୍ତି, ମୁଁ ସେମାନଙ୍କର ପଛେ ପଛେ ଯିବି ।
ହୋଶେୟ 2 : 6 (ORV)
ଏଥିପାଇଁ ଦେଖ, ଆମ୍ଭେ କଣ୍ଟା ଦ୍ଵାରା ତୁମ୍ଭର ପଥ ରୁଦ୍ଧ କରିବା ଓ ଆମ୍ଭେ ତାହାର ବିରୁଦ୍ଧରେ ବାଡ଼ ବାନ୍ଧିବା, ତହିଁରେ ସେ ଆପଣା ପଥ ପାଇବ ନାହିଁ ।
ହୋଶେୟ 2 : 7 (ORV)
ପୁଣି, ସେ ଆପଣା ପ୍ରେମିକଗଣର ପଛେ ପଛେ ଯିବ, ମାତ୍ର ସେ ସେମାନଙ୍କର ସଙ୍ଗ ଧରିବ ନାହିଁ ଓ ସେ ସେମାନଙ୍କର ଅନ୍ଵେଷଣ କରିବ, ମାତ୍ର ଉଦ୍ଦେଶ୍ୟ ପାଇବ ନାହିଁ; ତହୁଁ ସେ କହିବ, ମୁଁ ଫେରି ଆପଣା ପ୍ରଥମ ସ୍ଵାମୀ ନିକଟକୁ ଯିବି; କାରଣ ବର୍ତ୍ତମାନ ଅପେକ୍ଷା ସେତେବେଳେ ମୋର ମଙ୍ଗଳ ଥିଲା ।
ହୋଶେୟ 2 : 8 (ORV)
ଯେହେତୁ ଆମ୍ଭେ ଯେ ତାହାକୁ ଶସ୍ୟ, ଦ୍ରାକ୍ଷାରସ ଓ ତୈଳ ଦେଲୁ ଓ ତାହାର ରୂପା, ସୁନା, ବୃଦ୍ଧି କଲୁ, ଏହା ସେ ଜାଣିଲା ନାହିଁ, ସେମାନେ ସେହି ରୂପା, ସୁନା ବାଲ୍ଦେବ ଉଦ୍ଦେଶ୍ୟରେ ବ୍ୟୟ କଲେ ।
ହୋଶେୟ 2 : 9 (ORV)
ଏଥିପାଇଁ ଆମ୍ଭେ ଶସ୍ୟ ସମୟରେ ଆମ୍ଭର ଶସ୍ୟ ଓ ଦ୍ରାକ୍ଷାରସର ଋତୁରେ ଆମ୍ଭର ଦ୍ରାକ୍ଷାରସ ଫେରାଇ ନେବା, ଯଦ୍ଦ୍ଵାରା ତାହାର ଉଲଙ୍ଗତା ଆଚ୍ଛାଦିତ ହୁଅନ୍ତା, ଆମ୍ଭର ସେହି ମେଷଲୋମ ଓ ମସିନା ଛଡ଼ାଇ ନେବା ।
ହୋଶେୟ 2 : 10 (ORV)
ପୁଣି, ଏବେ ଆମ୍ଭେ ତାହାର ପ୍ରେମିକଗଣର ସାକ୍ଷାତରେ ତାହାର ଭ୍ରଷ୍ଟତା ପ୍ରକାଶ କରିବା ଓ ଆମ୍ଭ ହସ୍ତରୁ କେହି ତାହାକୁ ଉଦ୍ଧାର କରିବେ ନାହିଁ ।
ହୋଶେୟ 2 : 11 (ORV)
ଆହୁରି, ଆମ୍ଭେ ତାହାର ସକଳ ଆମୋଦ, ତାହାର ଉତ୍ସବ, ଅମାବାସ୍ୟା, ବିଶ୍ରାମ ଦିନ ଓ ତାହାର ମହାସଭା ସକଳ ରହିତ କରିବା ।
ହୋଶେୟ 2 : 12 (ORV)
ଆଉ, ସେ ଆପଣାର ଯେଉଁ ଦ୍ରାକ୍ଷାଲତା ଓ ଡିମିରି ବୃକ୍ଷ ବିଷୟରେ କହିଥିଲା ଏସବୁ ମୋର ପ୍ରେମିକଗଣ ମୋର ବର୍ତ୍ତନ ସ୍ଵରୂପେ ମୋତେ ଦେଇଅଛନ୍ତି, ସେସବୁ ଆମ୍ଭେ ଉଜାଡ଼ କରିବା; ଆଉ, ଆମ୍ଭେ ସେସବୁକୁ ଅରଣ୍ୟ କରିବା, ତହିଁରେ ବନପଶୁଗଣ ତାହା ଖାଇ ପକାଇବେ ।
ହୋଶେୟ 2 : 13 (ORV)
ପୁଣି, ଯେଉଁମାନଙ୍କ ଉଦ୍ଦେଶ୍ୟରେ ସେ ଧୂପ ଜ୍ଵଳାଇଲା, ସେହି ବାଲ୍ ଦେବଗଣର (ପ୍ରତିଷ୍ଠିତ) ଦିନସମୂହର ପ୍ରତିଫଳ ଆମ୍ଭେ ତାହାକୁ ଭୋଗ କରାଇବା; ସେସମୟରେ ସେ କର୍ଣ୍ଣକୁଣ୍ତଳ ଓ ଅଳଙ୍କାରାଦିରେ ଆପଣାକୁ ଭୂଷିତା କରି ଆପଣା ପ୍ରେମିକଗଣର ପଛେ ପଛେ ଗଲା ଓ ଆମ୍ଭକୁ ଭୁଲିଲା, ଏହା ସଦାପ୍ରଭୁ କହନ୍ତି ।
ହୋଶେୟ 2 : 14 (ORV)
ଏନିମନ୍ତେ ଦେଖ, ଆମ୍ଭେ ତାହାର ମନକୁ ଆକର୍ଷଣ କରି ତାହାକୁ ପ୍ରାନ୍ତରକୁ ଆଣିବା ଓ ତାହାକୁ ଚିତ୍ତପ୍ରବୋଧକ କଥା କହିବା ।
ହୋଶେୟ 2 : 15 (ORV)
ପୁଣି, ସେସ୍ଥାନରୁ ଆମ୍ଭେ ତାହାକୁ ତାହାର ଦ୍ରାକ୍ଷାକ୍ଷେତ୍ର ଓ ଭରସାରୂପ ଦ୍ଵାର ନିମନ୍ତେ ଆଖୋର ଉପତ୍ୟକା ଦେବା; ପୁଣି, ସେ ଯେପରି ଆପଣା ଯୌବନକାଳରେ ଓ ମିସର ଦେଶରୁ ଆସିବା ଦିନରେନ ଉତ୍ତର କରିଥିଲା, ସେପରି ସେସ୍ଥାନରେ ଉତ୍ତର କରିବ ।
ହୋଶେୟ 2 : 16 (ORV)
ଆଉ, ସଦାପ୍ରଭୁ କହନ୍ତି, ସେହି ଦିନ ତୁମ୍ଭେ ଆମ୍ଭକୁ ଈଶୀ (ଆମ୍ଭର ସ୍ଵାମୀ) ବୋଲି ଡାକିବ ଓ ବାଲୀ (କର୍ତ୍ତା) ବୋଲି ଆଉ ଡାକିବ ନାହିଁ ।
ହୋଶେୟ 2 : 17 (ORV)
କାରଣ ଆମ୍ଭେ ତାହାର ମୁଖରୁ ବାଲ୍ ଦେବଗଣର ନାମସବୁ ଦୂର କରିବା, ପୁଣି ସେ ନାମସବୁ ଆଉ ଧରାଯିବ ନାହିଁ ।
ହୋଶେୟ 2 : 18 (ORV)
ଆଉ, ସେଦିନ ଆମ୍ଭେ ସେମାନଙ୍କ ନିମନ୍ତେ କ୍ଷେତ୍ରସ୍ଥ ପଶୁ ଓ ଆକାଶସ୍ଥ ପକ୍ଷୀ ଓ ଭୂମିସ୍ଥ ଉରୋଗାମୀ ଜନ୍ତୁଗଣର ସହିତ ନିୟମ କରିବା ଓ ଆମ୍ଭେ ଦେଶରୁ ଧନୁ, ଖଡ଼୍‍ଗ ଓ ଯୁଦ୍ଧ ଉଚ୍ଛିନ୍ନ କରିବା, ଆଉ ସେମାନଙ୍କୁ ନିରାପଦରେ ଶୟନ କରାଇବା, ।
ହୋଶେୟ 2 : 19 (ORV)
ପୁଣି, ଆମ୍ଭେ ଚିରକାଳ ନିମନ୍ତେ ଆମ୍ଭ ପାଇଁ ତୁମ୍ଭକୁ ବାଗ୍ଦାନ କରିବା; ହଁ, ଆମ୍ଭେ ତୁମ୍ଭକୁ ଧର୍ମରେ, ନ୍ୟାୟ ବିଚାରରେ, ସ୍ନେହପୂର୍ଣ୍ଣ କରୁଣାରେ ଓ ଦୟାରେ ଆମ୍ଭ ପାଇଁ ବାଗ୍ଦାନ କରିବା ।
ହୋଶେୟ 2 : 20 (ORV)
ଆମ୍ଭେ ତୁମ୍ଭକୁ ବିଶ୍ଵସ୍ତତାରେ ଆମ୍ଭ ପାଇଁ ବାଗ୍ଦାନ କରିବା; ତହିଁରେ ତୁମ୍ଭେ ସଦାପ୍ରଭୁଙ୍କୁ ଜ୍ଞାତ ହେବ ।
ହୋଶେୟ 2 : 21 (ORV)
ଆହୁରି, ସଦାପ୍ରଭୁ କହନ୍ତି, ସେଦିନ ଆମ୍ଭେ ଉତ୍ତର ଦେବା, ଆମ୍ଭେ ଆକାଶମଣ୍ତଳକୁ ଉତ୍ତର ଦେବା ଓ ଆକାଶମଣ୍ତଳ ପୃଥିବୀକୁ ଉତ୍ତର ଦେବ;
ହୋଶେୟ 2 : 22 (ORV)
ପୁଣି, ପୃଥିବୀ ଶସ୍ୟକୁ, ଦ୍ରାକ୍ଷାରସକୁ ଓ ତୈଳକୁ ଉତ୍ତର ଦେବ; ଆଉ, ସେସମସ୍ତେ ଯିଷ୍ରିୟେଲକୁ ଉତ୍ତର ଦେବେ;
ହୋଶେୟ 2 : 23 (ORV)
ପୁଣି, ଆମ୍ଭେ ଆପଣା ପାଇଁ ତାହାକୁ ଦେଶରେ ରୋପଣ କରିବା; ତହିଁରେ ଯେ ଦୟା ପାଇ ନ ଥିଲା, ତାହା ପ୍ରତି ଆମ୍ଭେ ଦୟା କରିବା; ଆଉ, ଯେଉଁମାନେ ଆମ୍ଭର ଲୋକ ନ ଥିଲେ, ସେମାନଙ୍କୁ ଆମ୍ଭେ କହିବା, ତୁମ୍ଭେ ଆମ୍ଭର ଲୋକ ଓ ସେମାନେ କହିବେ, ତୁମ୍ଭେ ଆମ୍ଭର ପରମେଶ୍ଵର ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23

BG:

Opacity:

Color:


Size:


Font: