ଆଦି ପୁସ୍ତକ 42 : 1 (ORV)
ଆଉ ମିସର ଦେଶରେ ଶସ୍ୟ ଅଛି, ଏହି କଥା ଶୁଣି ଯାକୁବ ଆପଣା ପୁତ୍ରମାନଙ୍କୁ କହିଲେ, ତୁମ୍ଭେମାନେ କାହିଁକି ଏକ ଆରେକ ପ୍ରତି ଅନାଇ ରହୁଅଛ?
ଆଦି ପୁସ୍ତକ 42 : 2 (ORV)
ସେ ଆହୁରି କହିଲେ, ଦେଖ, ମୁଁ ଶୁଣିଲି, ମିସର ଦେଶରେ ଶସ୍ୟ ଅଛି; ଏଣୁ ତୁମ୍ଭେମାନେ ସେଠାକୁ ଯାଇ ଆମ୍ଭମାନଙ୍କ ନିମନ୍ତେ ଶସ୍ୟ କିଣି ଆଣ; ତହିଁରେ ଆମ୍ଭେମାନେ ନ ମରି ବଞ୍ଚିବା ।
ଆଦି ପୁସ୍ତକ 42 : 3 (ORV)
ଅନନ୍ତର ଯୋଷେଫଙ୍କର ଦଶ ଭ୍ରାତା ଶସ୍ୟ କିଣିବା ନିମନ୍ତେ ମିସର ଦେଶକୁ ଗଲେ ।
ଆଦି ପୁସ୍ତକ 42 : 4 (ORV)
ମାତ୍ର ଯାକୁବ ଯୋଷେଫଙ୍କର ସହୋଦର ବିନ୍ୟାମିନକୁ ଭାଇମାନଙ୍କ ସଙ୍ଗରେ ପଠାଇଲେ ନାହିଁ; କାରଣ ସେ କହିଲେ, କେଜାଣି ଅବା ଏହାକୁ ବିପତ୍ତି ଘଟେ ।
ଆଦି ପୁସ୍ତକ 42 : 5 (ORV)
ସେତେବେଳେ ସେଠାକୁ ଯିବା ଲୋକମାନଙ୍କ ମଧ୍ୟରେ ଇସ୍ରାଏଲଙ୍କର ପୁତ୍ରମାନେ ଶସ୍ୟ କିଣିବା ନିମନ୍ତେ ଗଲେ; ଯେହେତୁ କିଣାନ ଦେଶରେ ମଧ୍ୟ ଦୁର୍ଭିକ୍ଷ ଥିଲା ।
ଆଦି ପୁସ୍ତକ 42 : 6 (ORV)
ସେହି ସମୟରେ ଯୋଷେଫ ସେହି ଦେଶର ଅଧ୍ୟକ୍ଷ ହେବାରୁ ଦେଶୀୟ ଲୋକ ସମସ୍ତଙ୍କୁ ଶସ୍ୟ ବିକ୍ରୟ କରୁଥିଲେ; ତହିଁରେ ଯୋଷେଫଙ୍କର ଭ୍ରାତୃଗଣ ଆସି ତାଙ୍କୁ ଭୂମିଷ୍ଠ ପ୍ରଣାମ କଲେ ।
ଆଦି ପୁସ୍ତକ 42 : 7 (ORV)
ସେତେବେଳେ ଯୋଷେଫ ଆପଣା ଭାଇମାନଙ୍କୁ ଦେଖି ଚିହ୍ନିଲେ, ମାତ୍ର ସେମାନଙ୍କ ଆଗରେ ଅପରିଚିତ ଲୋକ ପରି ବ୍ୟବହାର କରି କଟୁ କଥାରେ କହିଲେ, ତୁମ୍ଭେମାନେ କେଉଁଠାରୁ ଆସିଅଛ? ସେମାନେ କହିଲେ, କିଣାନ ଦେଶରୁ ଖାଦ୍ୟଦ୍ରବ୍ୟ କିଣିବାକୁ ଆସିଅଛୁ ।
ଆଦି ପୁସ୍ତକ 42 : 8 (ORV)
ମାତ୍ର ଯୋଷେଫ ଆପଣା ଭାଇମାନଙ୍କୁ ଚିହ୍ନିଲେ ହେଁ ସେମାନେ ତାଙ୍କୁ ଚିହ୍ନି ପାରିଲେ ନାହିଁ ।
ଆଦି ପୁସ୍ତକ 42 : 9 (ORV)
ତହୁଁ ଯୋଷେଫ ସେମାନଙ୍କ ବିଷୟରେ ଯେ ସବୁ ସ୍ଵପ୍ନ ଦେଖିଥିଲେ, ତାହା ସ୍ମରଣ କରି ସେମାନଙ୍କୁ କହିଲେ, ତୁମ୍ଭେମାନେ ଚରଲୋକ; ଦେଶର ଛିଦ୍ର ଅନୁସନ୍ଧାନ କରିବାକୁ ତୁମ୍ଭେମାନେ ଆସିଅଛ ।
ଆଦି ପୁସ୍ତକ 42 : 10 (ORV)
ସେମାନେ କହିଲେ, ନା ପ୍ରଭୋ, ତାହା ନୁହେଁ, ଆପଣଙ୍କର ଏହି ଦାସମାନେ ଖାଦ୍ୟଦ୍ରବ୍ୟ କିଣିବାକୁ ଆସି ଅଛନ୍ତି ।
ଆଦି ପୁସ୍ତକ 42 : 11 (ORV)
ଆମ୍ଭେମାନେ ସମସ୍ତେ ଏକ ବ୍ୟକ୍ତିର ପୁତ୍ର, ଆମ୍ଭେମାନେ ବିଶ୍ଵାସ୍ୟ ଲୋକ, ଆପଣଙ୍କ ଏହି ଦାସମାନେ ଚର ନୁହନ୍ତି ।
ଆଦି ପୁସ୍ତକ 42 : 12 (ORV)
ତେବେ ସେ ସେମାନଙ୍କୁ କହିଲେ, ନା, ନା, ତୁମ୍ଭେମାନେ ଦେଶର ଛିଦ୍ର ଅନୁସନ୍ଧାନ କରିବାକୁ ଆସିଅଛ ।
ଆଦି ପୁସ୍ତକ 42 : 13 (ORV)
ସେମାନେ କହିଲେ, ଆପଣଙ୍କର ଏହି ଦାସମାନେ ଦ୍ଵାଦଶ ଭ୍ରାତା, କିଣାନ ଦେଶ ନିବାସୀ ଜଣକର ପୁତ୍ର; ଆଉ ଦେଖନ୍ତୁ, ଆମ୍ଭମାନଙ୍କର କନିଷ୍ଠ ଭ୍ରାତା ପିତା ନିକଟରେ ଅଛି, ପୁଣି ଜଣେ ନାହିଁ ।
ଆଦି ପୁସ୍ତକ 42 : 14 (ORV)
ତହୁଁ ଯୋଷେଫ ସେମାନଙ୍କୁ କହିଲେ, ଆମ୍ଭେ ତୁମ୍ଭମାନଙ୍କୁ ଚର ବୋଲି ଯାହା କହିଲୁ, ତୁମ୍ଭେମାନେ ତାହା ହିଁ ପ୍ରମାଣ ।
ଆଦି ପୁସ୍ତକ 42 : 15 (ORV)
ଏହା ଦ୍ଵାରା ତୁମ୍ଭମାନଙ୍କୁ ପରୀକ୍ଷା କରାଯିବ; ଆମ୍ଭେ ଫାରୋର ଆୟୁର ଶପଥ କରି କହୁଅଛୁ, ତୁମ୍ଭମାନଙ୍କର କନିଷ୍ଠ ଭ୍ରାତା ଏଠାକୁ ନ ଆସିଲେ, ତୁମ୍ଭେମାନେ ଏଠାରୁ ଯାଇ ପାରିବ ନାହିଁ ।
ଆଦି ପୁସ୍ତକ 42 : 16 (ORV)
ତୁମ୍ଭମାନଙ୍କ ମଧ୍ୟରୁ ଜଣକୁ ପଠାଅ, ସେ ତୁମ୍ଭ ଭାଇକି ଆଣୁ, ତୁମ୍ଭେମାନେ ବନ୍ଦୀ ଥାଅ; ତୁମ୍ଭମାନଙ୍କ କଥା ସତ୍ୟ କି ନାହିଁ, ପରୀକ୍ଷା ହେଲେ ଜଣାଯିବ; ନୋହିଲେ ଆମ୍ଭେ ଫାରୋର ଆୟୁର ଶପଥ କରି କହୁଅଛୁ, ତୁମ୍ଭେମାନେ ଅବଶ୍ୟ ଚର ଅଟ ।
ଆଦି ପୁସ୍ତକ 42 : 17 (ORV)
ତହୁଁ ଯୋଷେଫ ସେମାନଙ୍କୁ ତିନି ଦିନ କାରାଗାରରେ ବନ୍ଦ କରି ରଖିଲେ ।
ଆଦି ପୁସ୍ତକ 42 : 18 (ORV)
ପୁଣି ତୃତୀୟ ଦିନରେ ଯୋଷେଫ ସେମାନଙ୍କୁ କହିଲେ, ପରମେଶ୍ଵରଙ୍କ ପ୍ରତି ଆମ୍ଭର ଭୟ ଅଛି; ଏଣୁ ଏହି କର୍ମ କର, ତହିଁରେ ବଞ୍ଚିବ ।
ଆଦି ପୁସ୍ତକ 42 : 19 (ORV)
ତୁମ୍ଭେମାନେ ଯେବେ ବିଶ୍ଵାସ୍ୟ ଲୋକ, ତେବେ ଆପଣା ମଧ୍ୟରୁ ଏକ ଭାଇକି ଏହି କାରାଗାରରେ ବନ୍ଦ ରଖି ଦୁର୍ଭିକ୍ଷ ହେତୁ ଗୃହକୁ ଶସ୍ୟ ଘେନିଯାଅ ।
ଆଦି ପୁସ୍ତକ 42 : 20 (ORV)
ମାତ୍ର ତୁମ୍ଭେମାନେ ଆପଣା ସାନ ଭାଇକି ଆମ୍ଭ ନିକଟକୁ ଆଣ, ତହିଁରେ ତୁମ୍ଭମାନଙ୍କ କଥା ସପ୍ରମାଣ ହେଲେ, ତୁମ୍ଭେମାନେ ମରିବ ନାହିଁ । ତହୁଁ ସେମାନେ ସେହି ପ୍ରକାର କଲେ ।
ଆଦି ପୁସ୍ତକ 42 : 21 (ORV)
ଅନନ୍ତର ସେମାନେ ପରସ୍ପର କୁହାକୁହି ହେଲେ, ଆମ୍ଭେମାନେ ଆପଣା ଭାଇ ବିଷୟରେ ନିଶ୍ଚୟ ଅପରାଧୀ ଅଟୁ; ସେ ଆମ୍ଭମାନଙ୍କୁ ବିନତି କରିବା ବେଳେ ଆମ୍ଭେମାନେ ତାହା ପ୍ରାଣର ବ୍ୟାକୁଳତା ଦେଖିଲେ ହେଁ ତାହା ଶୁଣିଲୁ ନାହିଁ, ତେଣୁକରି ଆମ୍ଭମାନଙ୍କୁ ଏହି ବିପତ୍ତି ଘଟିଅଛି ।
ଆଦି ପୁସ୍ତକ 42 : 22 (ORV)
ସେତେବେଳେ ରୁବେନ୍ ସେମାନଙ୍କୁ କହିଲା, ତୁମ୍ଭେମାନେ ସେହି ବାଳକ ବିଷୟରେ ପାପ କର ନାହିଁ, ଏହି କଥା କି ମୁଁ ତୁମ୍ଭମାନଙ୍କୁ କହି ନାହିଁ? ତଥାପି ତୁମ୍ଭେମାନେ ଶୁଣିଲ ନାହିଁ; ଏନିମନ୍ତେ ଦେଖ, ଏବେ ତାହାର ରକ୍ତର ନିକାଶ ନିଆଯାଉଅଛି ।
ଆଦି ପୁସ୍ତକ 42 : 23 (ORV)
ମାତ୍ର ଯୋଷେଫ ଯେ ସେମାନଙ୍କ କଥାବାର୍ତ୍ତା ବୁଝିଲେ, ଏହା ସେମାନେ ଜାଣି ପାରିଲେ ନାହିଁ; କାରଣ ସେ ଦ୍ଵିଭାଷୀ ଦ୍ଵାରା ସେମାନଙ୍କ ସହିତ କଥା କହୁଥିଲେ;
ଆଦି ପୁସ୍ତକ 42 : 24 (ORV)
ଅନନ୍ତର ଯୋଷେଫ ସେମାନଙ୍କ ନିକଟରୁ ଯାଇ କ୍ରନ୍ଦନ କଲେ; ପୁନର୍ବାର ଆସି ସେମାନଙ୍କ ସହିତ କଥାବାର୍ତ୍ତା କରି ସେମାନଙ୍କ ମଧ୍ୟରୁ ଶିମୀୟୋନକୁ ଧରି ସେମାନଙ୍କ ସାକ୍ଷାତରେ ବାନ୍ଧିଲେ ।
ଆଦି ପୁସ୍ତକ 42 : 25 (ORV)
ତହୁଁ ଯୋଷେଫ ସେମାନଙ୍କ ପାତ୍ରରେ ଶସ୍ୟ ପୂର୍ଣ୍ଣ କରି ପ୍ରତ୍ୟେକ ଜଣର ପଟରେ ଟଙ୍କା ଫେରାଇ ଦେବାକୁ ଓ ସେମାନଙ୍କୁ ପାଥେୟ ଦ୍ରବ୍ୟ ଦେବାକୁ ଆଜ୍ଞା ଦେଲେ; ତହିଁରେ ତଦ୍ରୂପ କରାଗଲା,
ଆଦି ପୁସ୍ତକ 42 : 26 (ORV)
ତହୁଁ ସେମାନେ ଆପଣା ଆପଣା ଗଧ ଉପରେ ଶସ୍ୟ ନଦି ସେଠାରୁ ପ୍ରସ୍ଥାନ କଲେ ।
ଆଦି ପୁସ୍ତକ 42 : 27 (ORV)
ମାତ୍ର ଉତ୍ତରିବା ସ୍ଥାନରେ ଜଣେ ଗଧକୁ ଆହାର ଦେବା ନିମନ୍ତେ ପଟ ଫିଟାନ୍ତେ, ଆପଣା ଟଙ୍କା ଦେଖିଲା; କାରଣ ପଟ ମୁହଁରେ ଟଙ୍କା ଥିଲା।
ଆଦି ପୁସ୍ତକ 42 : 28 (ORV)
ତହିଁରେ ସେ ଭାଇମାନଙ୍କୁ କହିଲା, ମୋହର ଟଙ୍କା ଫେରି ଆସିଅଛି; ଏହି ଦେଖ, ତାହା ମୋʼ ପଟରେ ଅଛି । ଏଣୁ ସେମାନଙ୍କର ହଂସା ଉଡ଼ିଗଲା, ଆଉ ସେମାନେ କମ୍ପିତ ହୋଇ ଏକଆରେକ ପ୍ରତି ଅନାଇ କହିଲେ, ପରମେଶ୍ଵର ଆମ୍ଭମାନଙ୍କର ପ୍ରତି ଏ କି କର୍ମ କଲେ?
ଆଦି ପୁସ୍ତକ 42 : 29 (ORV)
ଅନନ୍ତର ସେମାନେ କିଣାନ ଦେଶରେ ଆପଣା ପିତା ଯାକୁବଙ୍କ ନିକଟରେ ଉପସ୍ଥିତ ହୋଇ ଆପଣାମାନଙ୍କ ପ୍ରତି ଯାହା ଯାହା ଘଟିଥିଲା, ତାହା ସବୁ ତାଙ୍କୁ ଜଣାଇ କହିଲେ,
ଆଦି ପୁସ୍ତକ 42 : 30 (ORV)
ଯେଉଁ ବ୍ୟକ୍ତି ସେହି ଦେଶର କର୍ତ୍ତା, ସେ ଆମ୍ଭମାନଙ୍କୁ ଦେଶର ଚର ଜ୍ଞାନ କରି କଟୁ କଥା କହିଲା।
ଆଦି ପୁସ୍ତକ 42 : 31 (ORV)
ତହିଁରେ ଆମ୍ଭେମାନେ ତାକୁ କହିଲୁ, ଆମ୍ଭେମାନେ ବିଶ୍ଵାସ୍ୟ ଲୋକ, ଚର ନୋହୁଁ;
ଆଦି ପୁସ୍ତକ 42 : 32 (ORV)
ଆମ୍ଭେମାନେ ବାର ଭାଇ, ସମସ୍ତେ ଏକ ପିତାର ସନ୍ତାନ; ଆମ୍ଭମାନଙ୍କ ମଧ୍ୟରେ ଜଣେ ନାହିଁ, ପୁଣି କିଣାନ ଦେଶରେ ପିତାଙ୍କ ନିକଟରେ ଆଉ ଏକ ସାନ ଭାଇ ଅଛି ।
ଆଦି ପୁସ୍ତକ 42 : 33 (ORV)
ସେତେବେଳେ ଦେଶର କର୍ତ୍ତା ସେହି ବ୍ୟକ୍ତି ଆମ୍ଭମାନଙ୍କୁ କହିଲା, ଏହା କଲେ ଆମ୍ଭେ ତୁମ୍ଭମାନଙ୍କୁ ବିଶ୍ଵାସ୍ୟ ଲୋକ ବୋଲି ବୁଝି ପାରିବା; ତୁମ୍ଭେମାନେ ଆପଣାମାନଙ୍କ ଏକ ଭାଇକି ଆମ୍ଭ ନିକଟରେ ରଖି ଆପଣାମାନଙ୍କ ଗୃହର ଦୁର୍ଭିକ୍ଷ ହେତୁ ଶସ୍ୟ ଘେନି ଯାଅ ।
ଆଦି ପୁସ୍ତକ 42 : 34 (ORV)
ପୁଣି ଆପଣାମାନଙ୍କ ସାନ ଭାଇକି ଆମ୍ଭ ନିକଟକୁ ଆଣ, ତେବେ ତୁମ୍ଭେମାନେ ଯେ ବିଶ୍ଵାସ୍ୟ ଲୋକ, ଚର ନୁହଁ, ଏହା ବୁଝିବା; ତହିଁରେ ତୁମ୍ଭମାନଙ୍କ ଭାଇକି ତୁମ୍ଭମାନଙ୍କୁ ସମର୍ପଣ କରି ଦେବା, ପୁଣି ତୁମ୍ଭେମାନେ ଏ ଦେଶରେ ବାଣିଜ୍ୟ କରି ପାରିବ ।
ଆଦି ପୁସ୍ତକ 42 : 35 (ORV)
ଅନନ୍ତର ସେମାନେ ପଟ ଖାଲି କରନ୍ତେ, ପ୍ରତିଜଣ ଆପଣା ଆପଣା ପଟ ଭିତରୁ ଟଙ୍କାପୁଡ଼ିଆ ପାଇଲେ । ତେବେ ସେହି ସବୁ ଟଙ୍କାପୁଡ଼ିଆ ଦେଖି, ସେମାନେ ଓ ସେମାନଙ୍କ ପିତା ଭୀତ ହେଲେ ।
ଆଦି ପୁସ୍ତକ 42 : 36 (ORV)
ତହିଁରେ ସେମାନଙ୍କ ପିତା ଯାକୁବ କହିଲେ, ତୁମ୍ଭେମାନେ ମୋତେ ପୁତ୍ରହୀନ କରୁଅଛ; ଯୋଷେଫ ନାହିଁ, ଶିମୀୟୋନ ନାହିଁ, ପୁଣି ବିନ୍ୟାମିନକୁ ମଧ୍ୟ ଘେନିଯିବାକୁ ପାଞ୍ଚୁଅଛ, ଏହିସବୁ ସିନା ମୋହର ପ୍ରତିକୂଳ ହେଉଅଛି ।
ଆଦି ପୁସ୍ତକ 42 : 37 (ORV)
ତହିଁରେ ରୁବେନ୍ ପିତାଙ୍କୁ କହିଲା, ମୁଁ ଯେବେ ତୁମ୍ଭ ପାଖକୁ ତାକୁ ନ ଆଣେ, ତେବେ ତୁମ୍ଭେ ମୋର ଦୁଇ ପୁଅଙ୍କୁ ବଧ କରିବ; ମୋʼ ହସ୍ତରେ ତାକୁ ସମର୍ପଣ କର; ମୁଁ ତାକୁ ପୁନର୍ବାର ତୁମ୍ଭ ପାଖକୁ ଆଣି ଦେବି ।
ଆଦି ପୁସ୍ତକ 42 : 38 (ORV)
ତେବେ ସେ କହିଲେ, ମୋʼ ପୁଅ ତୁମ୍ଭମାନଙ୍କ ସଙ୍ଗରେ ଯିବ ନାହିଁ, ତାହାର ସହୋଦର ମରିଅଛି, ସେଇଟି ମାତ୍ର ବାକୀ ଅଛି; ତୁମ୍ଭେମାନେ ଯେଉଁ ପଥରେ ଯାଉଅଛ, ତହିଁରେ ଏହାକୁ ଯେବେ କୌଣସି ବିପଦ ଘଟିବ, ତେବେ ତୁମ୍ଭେମାନେ ମୋତେ ଶୋକରେ ଏହି ପକ୍ଵ କେଶରେ କବରକୁ ପଠାଇବ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38

BG:

Opacity:

Color:


Size:


Font: