ଆଦି ପୁସ୍ତକ 35 : 1 (ORV)
ଅନନ୍ତର ପରମେଶ୍ଵର ଯାକୁବଙ୍କୁ କହିଲେ, ତୁମ୍ଭେ ଉଠି ବୈଥେଲକୁ ଯାଇ ସେଠାରେ ବାସ କର; ପୁଣି ତୁମ୍ଭ ଭ୍ରାତା ଏଷୌ ସମ୍ମୁଖରୁ ପଳାଇବା ସମୟରେ ଯେଉଁ ପରମେଶ୍ଵର ଦର୍ଶନ ଦେଇଥିଲେ, ତାହାଙ୍କ ଉଦ୍ଦେଶ୍ୟରେ ଯଜ୍ଞବେଦି ନିର୍ମାଣ କର ।
ଆଦି ପୁସ୍ତକ 35 : 2 (ORV)
ତହିଁରେ ଯାକୁବ ଆପଣା ପରିଜନ ଓ ସଙ୍ଗୀ ଲୋକମାନଙ୍କୁ କହିଲେ, ତୁମ୍ଭମାନଙ୍କ ନିକଟରେ ଯେ ସବୁ ବିଦେଶୀୟ ଦେବତା ଅଛନ୍ତି, ସେମାନଙ୍କୁ ଦୂର କର, ଆପଣାମାନଙ୍କୁ ଶୁଚି କର, ପୁଣି ଆପଣାମାନଙ୍କ ବସ୍ତ୍ର ପରିବର୍ତ୍ତନ କର ।
ଆଦି ପୁସ୍ତକ 35 : 3 (ORV)
ପୁଣି ଆସ, ଆମ୍ଭେମାନେ ଉଠି ବୈଥେଲକୁ ଯାଉ; ଯେଉଁ ପରମେଶ୍ଵର ମୋର ଦୁଃଖର ଦିନରେ ମୋʼ ପ୍ରାର୍ଥନାର ଉତ୍ତର ଦେଲେ, ଓ ମୋର ଗମନର ପଥରେ ମୋର ସହାୟ ହୋଇଥିଲେ, ତାହାଙ୍କ ଉଦ୍ଦେଶ୍ୟରେ ମୁଁ ସେହି ସ୍ଥାନରେ ଗୋଟିଏ ଯଜ୍ଞବେଦି ନିର୍ମାଣ କରିବି ।
ଆଦି ପୁସ୍ତକ 35 : 4 (ORV)
ତହିଁରେ ସେମାନେ ଆପଣାମାନଙ୍କ ନିକଟସ୍ଥ ବିଦେଶୀୟ ଦେବତା ଓ କର୍ଣ୍ଣକୁଣ୍ତଳ ସକଳ ଘେନି ଯାକୁବଙ୍କୁ ଦେଲେ, ପୁଣି, ସେ ତାହା ସବୁ ନେଇ ଶିଖିମ ନିକଟବର୍ତ୍ତୀ ଅଲୋନ ବୃକ୍ଷମୂଳେ ଲୁଚାଇ ରଖିଲେ ।
ଆଦି ପୁସ୍ତକ 35 : 5 (ORV)
ଏଉତ୍ତାରେ ସେମାନେ ଯାତ୍ରା କଲେ; ସେତେବେଳେ ଚତୁର୍ଦ୍ଦିଗସ୍ଥ ନଗରରେ ପରମେଶ୍ଵରଙ୍କଠାରୁ ଭୟ ଉପସ୍ଥିତ ହେବାରୁ ସେମାନେ ଯାକୁବଙ୍କର ପୁତ୍ରମାନଙ୍କୁ ଗୋଡ଼ାଇଲେ ନାହିଁ ।
ଆଦି ପୁସ୍ତକ 35 : 6 (ORV)
ଅନନ୍ତର ଯାକୁବ ଓ ତାଙ୍କର ସଙ୍ଗୀସମୂହ କିଣାନ ଦେଶସ୍ଥ ଲୂସରେ, ଅର୍ଥାତ୍, ବୈଥେଲରେ ଉପସ୍ଥିତ ହେଲେ ।
ଆଦି ପୁସ୍ତକ 35 : 7 (ORV)
ସେଠାରେ ସେ ଏକ ଯଜ୍ଞବେଦି ନିର୍ମାଣ କରି ସେହି ସ୍ଥାନର ନାମ ଏଲ-ବୈଥେଲ (ବୈଥେଲର ପରମେଶ୍ଵର) ରଖିଲେ; କାରଣ ଯାକୁବ ଭ୍ରାତୃ ଭୟରେ ପଳାଇବା ବେଳେ ପରମେଶ୍ଵର ସେହି ସ୍ଥାନରେ ତାଙ୍କୁ ଦର୍ଶନ ଦେଇଥିଲେ ।
ଆଦି ପୁସ୍ତକ 35 : 8 (ORV)
ଆଉ ସେହି ସ୍ଥାନରେ ରିବିକାର ଦବୋରା ନାମ୍ନୀ ଧାତ୍ରୀର ମୃତ୍ୟୁ ହୁଅନ୍ତେ, ବୈଥେଲର ଅଧଃସ୍ଥିତ ଅଲୋନ ବୃକ୍ଷମୂଳେ ତାହାର କବର ହେଲା, ପୁଣି ସେହି ସ୍ଥାନର ନାମ ଅଲୋନ-ବାଖୁତ୍ (ଶୋକ ବୃକ୍ଷ) ହେଲା ।
ଆଦି ପୁସ୍ତକ 35 : 9 (ORV)
ଅନନ୍ତର ଯାକୁବ ପଦ୍ଦନ୍ ଅରାମଠାରୁ ବାହୁଡ଼ି ଆସନ୍ତେ, ପରମେଶ୍ଵର ପୁନର୍ବାର ଦର୍ଶନ ଦେଇ ତାଙ୍କୁ ଆଶୀର୍ବାଦ କଲେ ।
ଆଦି ପୁସ୍ତକ 35 : 10 (ORV)
ପୁଣି ପରମେଶ୍ଵର ତାଙ୍କୁ କହିଲେ, ତୁମ୍ଭର ନାମ ଯାକୁବ; ମାତ୍ର ତୁମ୍ଭର ନାମ ଆଉ ଯାକୁବ ହେବ ନାହିଁ, ତୁମ୍ଭର ନାମ ଇସ୍ରାଏଲ ହେବ; ଆଉ ସେ ତାଙ୍କର ନାମ ଇସ୍ରାଏଲ ରଖିଲେ ।
ଆଦି ପୁସ୍ତକ 35 : 11 (ORV)
ପରମେଶ୍ଵର ତାଙ୍କୁ ଆହୁରି କହିଲେ, ଆମ୍ଭେ ସର୍ବଶକ୍ତିମାନ ପରମେଶ୍ଵର; ତୁମ୍ଭେ ପ୍ରଜାବ; ଓ ବହୁବଂଶ ହୁଅ; ତୁମ୍ଭଠାରୁ ଏକ ଗୋଷ୍ଠୀ, ବରଂ ଗୋଷ୍ଠୀ ସମାଜ ଉତ୍ପନ୍ନ ହେବ, ପୁଣି ତୁମ୍ଭ କଟିଦେଶରୁ ରାଜଗଣ ଜାତ ହେବେ ।
ଆଦି ପୁସ୍ତକ 35 : 12 (ORV)
ପୁଣି ଆମ୍ଭେ ଅବ୍ରହାମ ଓ ଇସ୍‍ହାକକୁ ଯେଉଁ ଦେଶ ଦାନ କରିଅଛୁ, ସେହି ଦେଶ ତୁମ୍ଭକୁ ଓ ତୁମ୍ଭ ଭବିଷ୍ୟତ ବଂଶକୁ ଦେବା ।
ଆଦି ପୁସ୍ତକ 35 : 13 (ORV)
ସେହି ସ୍ଥାନରେ ତାଙ୍କ ସହିତ ଏରୂପ କଥାବାର୍ତ୍ତା କରି ପରମେଶ୍ଵର ତାଙ୍କ ନିକଟରୁ ଉର୍ଦ୍ଧ୍ଵଗମନ କଲେ ।
ଆଦି ପୁସ୍ତକ 35 : 14 (ORV)
ତହିଁରେ ଯାକୁବ ସେହି କଥୋପକଥନର ସ୍ଥାନରେ ଏକ ସ୍ତମ୍ଭ, ଅର୍ଥାତ୍, ପ୍ରସ୍ତର ସ୍ତମ୍ଭ ସ୍ଥାପନ କରି ତହିଁ ଉପରେ ପାନୀୟ ନୈବେଦ୍ୟ ଉତ୍ସର୍ଗ କଲେ ଓ ତୈଳ ଢାଳିଲେ ।
ଆଦି ପୁସ୍ତକ 35 : 15 (ORV)
ପୁଣି ଯାକୁବ ପରମେଶ୍ଵରଙ୍କ ସହିତ କଥୋପକଥନ ସ୍ଥାନର ନାମ ବୈଥେଲ ରଖିଲେ ।
ଆଦି ପୁସ୍ତକ 35 : 16 (ORV)
ଅନନ୍ତର ସେମାନେ ବୈଥେଲଠାରୁପ୍ରସ୍ଥାନ କଲେ, ମାତ୍ର ଇଫ୍ରାଥାରେ ଉପସ୍ଥିତ ହେବା ପାଇଁ ଅଳ୍ପ ପଥ ଥାଉ ଥାଉ ରାହେଲର ପ୍ରସବବେଦନା ହେଲା; ପୁଣି ତାହାର ପ୍ରସବ କରିବାରେ ଅତିଶୟ କଷ୍ଟ ହେଲା ।
ଆଦି ପୁସ୍ତକ 35 : 17 (ORV)
ଆଉ ପ୍ରସବବ୍ୟଥା ଅତିଶୟ ହୁଅନ୍ତେ, ଧାତ୍ରୀ ତାହାକୁ କହିଲା, ଭୟ କର, ନାହିଁ, ତୁମ୍ଭେ ଏଥର ହିଁ ପୁତ୍ର ପ୍ରସବ କରିବ ।
ଆଦି ପୁସ୍ତକ 35 : 18 (ORV)
ତଥାପି ସେ ମଲା, ପୁଣି ପ୍ରାଣତ୍ୟାଗ ସମୟରେ ପୁତ୍ରର ନାମ ବିନୋନୀ (କଷ୍ଟଜାତ ପୁତ୍ର) ରଖିଲା; ମାତ୍ର ତାହାର ପିତା ତାହାର ନାମ ବିନ୍ୟାମିନ (ଦକ୍ଷିଣହସ୍ତ ପୁତ୍ର) ରଖିଲେ ।
ଆଦି ପୁସ୍ତକ 35 : 19 (ORV)
ଏହି ପ୍ରକାରେ ରାହେଲର ମୃତ୍ୟୁ ହୁଅନ୍ତେ, ଇଫ୍ରାଥା, ଅର୍ଥାତ୍, ବେଥ୍ଲିହିମ୍କୁ ଯିବା ପଥ ନିକଟରେ ତାହାର କବର ହେଲା ।
ଆଦି ପୁସ୍ତକ 35 : 20 (ORV)
ଅନନ୍ତର ଯାକୁବ ସେହି କବର ଉପରେ ଏକ ସ୍ତମ୍ଭ ସ୍ଥାପନ କଲେ; ରାହେଲ-କବରସ୍ଥ ସେହି ସ୍ତମ୍ଭ ଅଦ୍ୟାପି ଅଛି ।
ଆଦି ପୁସ୍ତକ 35 : 21 (ORV)
ଅନନ୍ତର ଇସ୍ରାଏଲ ସେଠାରୁ ପ୍ରସ୍ଥାନ କରି ଏଦର ଗଡ଼ ପାର ହୋଇ ତହିଁ ନିକଟରେ ତମ୍ଵୁ ସ୍ଥାପନ କଲେ ।
ଆଦି ପୁସ୍ତକ 35 : 22 (ORV)
ସେହି ଦେଶରେ ଇସ୍ରାଏଲ ବାସ କରିବା ବେଳେ ରୁବେନ୍ ଯାଇ ଆପଣା ପିତାର ବିଲହା ନାମ୍ନୀ ଉପପନିୀ ସଙ୍ଗରେ ଶୟନ କଲା, ପୁଣି ଇସ୍ରାଏଲ ତାହା ଶୁଣିଲେ ।
ଆଦି ପୁସ୍ତକ 35 : 23 (ORV)
ଯାକୁବଙ୍କର ଦ୍ଵାଦଶ ପୁତ୍ର ଥିଲେ; ସେମାନଙ୍କ ମଧ୍ୟରେ ରୁବେନ୍ ଯାକୁବଙ୍କର ଜ୍ୟେଷ୍ଠ ପୁତ୍ର, ସେ, ପୁଣି, ଶିମୀୟୋନ ଓ ଲେବୀ ଓ ଯିହୁଦା ଓ ଇଷାଖର୍ ଓ ସବୂଲୂନ, ଏମାନେ ଲେୟାର ସନ୍ତାନ;
ଆଦି ପୁସ୍ତକ 35 : 24 (ORV)
ପୁଣି ଯୋଷେଫ ଓ ବିନ୍ୟାମିନ ରାହେଲର ସନ୍ତାନ;
ଆଦି ପୁସ୍ତକ 35 : 25 (ORV)
ପୁଣି ଦାନ୍ ଓ ନପ୍ତାଲି ରାହେଲର ଦାସୀ ବିଲ୍ହାର ସନ୍ତାନ;
ଆଦି ପୁସ୍ତକ 35 : 26 (ORV)
ଆଉ ଗାଦ୍ ଓ ଆଶେର୍ ଲେୟାର ଦାସୀ ସିଳ୍ପାର ସନ୍ତାନ । ଯାକୁବଙ୍କର ଏହି ସମସ୍ତ ପୁତ୍ର ପଦ୍ଦନ୍ ଅରାମଠାରେ ଜନ୍ମିଥିଲେ ।
ଆଦି ପୁସ୍ତକ 35 : 27 (ORV)
ଅନନ୍ତର କିରୀୟଥର୍ବ, ଅର୍ଥାତ୍, ହିବ୍ରୋଣ ନଗରର ନିକଟବର୍ତ୍ତୀ ମମ୍ରି ନାମକ ଯେଉଁ ସ୍ଥାନରେ ଅବ୍ରହାମ ଓ ଇସ୍‍ହାକ ପ୍ରବାସ କରିଥିଲେ, ସେହି ସ୍ଥାନରେ ଯାକୁବ ଆପଣା ପିତା ଇସ୍‍ହାକ ନିକଟରେ ଉପସ୍ଥିତ ହେଲେ ।
ଆଦି ପୁସ୍ତକ 35 : 28 (ORV)
ଇସ୍‍ହାକଙ୍କର ଆୟୁର ପରିମାଣ ଏକଶହ ଅଶୀ ବର୍ଷ ଥିଲା ।
ଆଦି ପୁସ୍ତକ 35 : 29 (ORV)
ଅନନ୍ତର ଇସ୍‍ହାକ ବୃଦ୍ଧ ଓ ପୂର୍ଣ୍ଣାୟୁ ହୋଇ ପ୍ରାଣତ୍ୟାଗ କରନ୍ତେ, ଆପଣା ଲୋକମାନଙ୍କ ନିକଟରେ ସଂଗୃହୀତ ହେଲେ; ପୁଣି ତାଙ୍କର ପୁତ୍ର ଏଷୌ ଓ ଯାକୁବ ତାଙ୍କୁ କବର ଦେଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29

BG:

Opacity:

Color:


Size:


Font: