ଆଦି ପୁସ୍ତକ 3 : 1 (ORV)
ସଦାପ୍ରଭୁ ପରମେଶ୍ଵରଙ୍କ ନିର୍ମିତ ଭୂଚର ପଶୁମାନଙ୍କ ମଧ୍ୟରେ ସର୍ପ ସର୍ବାପେକ୍ଷା ଖଳଥିଲା । ସେ ନାରୀଙ୍କି କହିଲା, ଆଗୋ, ଏ କି ସତ୍ୟ, ଉଦ୍ୟାନର କୌଣସି ବୃକ୍ଷର ଫଳ ଖାଇବାକୁ ପରମେଶ୍ଵର ତୁମ୍ଭମାନଙ୍କୁ ନିଷେଧ କରିଅଛନ୍ତି?
ଆଦି ପୁସ୍ତକ 3 : 2 (ORV)
ନାରୀ ସର୍ପକୁ କହିଲେ, ଆମ୍ଭେମାନେ ଉଦ୍ୟାନର ସମସ୍ତ ବୃକ୍ଷର ଫଳ ଖାଇପାରୁ;
ଆଦି ପୁସ୍ତକ 3 : 3 (ORV)
କେବଳ ଉଦ୍ୟାନର ମଧ୍ୟସ୍ଥିତ ବୃକ୍ଷରଫଳ ବିଷୟରେ ପରମେଶ୍ଵର କହିଅଛନ୍ତି, ତୁମ୍ଭେମାନେ ତାହା ଖାଇବ ନାହିଁ ଓ ଛୁଇଁବ ନାହିଁ, ତାହା କଲେ ମରିବ ।
ଆଦି ପୁସ୍ତକ 3 : 4 (ORV)
ସର୍ପ ନାରୀଙ୍କି କହିଲା, ତୁମ୍ଭେମାନେ କୌଣସି ରୂପେ ମରିବ ନାହିଁ;
ଆଦି ପୁସ୍ତକ 3 : 5 (ORV)
ବରଞ୍ଚ ପରମେଶ୍ଵର ଜାଣନ୍ତି, ତୁମ୍ଭେମାନେ ଯେଉଁ ଦିନ ତାହା ଖାଇବ, ସେହି ଦିନ ତୁମ୍ଭମାନଙ୍କ ଚକ୍ଷୁ ପ୍ରସନ୍ନ ହେବ, ତହିଁରେ ତୁମ୍ଭେମାନେ ପରମେଶ୍ଵରଙ୍କ ପରି ଭଲ ଓ ମନ୍ଦର ଜ୍ଞାନ ପାଇବ ।
ଆଦି ପୁସ୍ତକ 3 : 6 (ORV)
ଏଥିରେ ନାରୀ ସେହି ବୃକ୍ଷକୁ ସୁଖାଦ୍ୟର ଉତ୍ପାଦକ ଓ ନୟନର ଲୋଭଜନକ ଓ ଜ୍ଞାନ ଦେବା ନିମିତ୍ତ ବାଞ୍ଛନୀୟ ଦେଖି ତହିଁରୁ ଫଳ ତୋଳି ଖାଇଲେ, ପୁଣି ଆପଣା ସଙ୍ଗସ୍ଥ ସ୍ଵାମୀଙ୍କୁ ଦିଅନ୍ତେ, ସେ ମଧ୍ୟ ଖାଇଲେ ।
ଆଦି ପୁସ୍ତକ 3 : 7 (ORV)
ତହିଁରେ ସେମାନଙ୍କ ଚକ୍ଷୁ ପ୍ରସନ୍ନ ହୁଅନ୍ତେ, ସେମାନେ ନିଜ ଉଲଙ୍ଗତାର ବୋଧ ପାଇ ଡିମିରି ବୃକ୍ଷର ପତ୍ର ସିଁଇ ଘାଗରା ବନାଇଲେ ।
ଆଦି ପୁସ୍ତକ 3 : 8 (ORV)
ତହୁଁ ଦିନାବସାନ ସମୟରେ ଉଦ୍ୟାନ ମଧ୍ୟରେ ଗମନାଗମନକାରୀ ସଦାପ୍ରଭୁ ପରମେଶ୍ଵରଙ୍କ ରବ ଶୁଣି ଆଦମ ଓ ତାଙ୍କର ଭାର୍ଯ୍ୟା ସଦାପ୍ରଭୁ ପରମେଶ୍ଵରଙ୍କ ଛାମୁରୁ ଉଦ୍ୟାନସ୍ଥ ବୃକ୍ଷଗଣ ମଧ୍ୟରେ ଲୁଚିଲେ ।
ଆଦି ପୁସ୍ତକ 3 : 9 (ORV)
ତହିଁରେ ସଦାପ୍ରଭୁ ପରମେଶ୍ଵର ଆଦମଙ୍କୁ ଡାକି କହିଲେ, ତୁମ୍ଭେ କେଉଁଠାରେ?
ଆଦି ପୁସ୍ତକ 3 : 10 (ORV)
ସେ ଉତ୍ତର କଲେ, ମୁଁ ଉଦ୍ୟାନ ମଧ୍ୟରେ ତୁମ୍ଭ ରବ ଶୁଣି ଆପଣା ଉଲଙ୍ଗତା ସକାଶେ ଭୀତ ହୋଇ ଲୁଚିଲି ।
ଆଦି ପୁସ୍ତକ 3 : 11 (ORV)
ସେ କହିଲେ, ତୁମ୍ଭେ ଉଲଙ୍ଗ ଅଛ, ଏହା କିଏ ତୁମ୍ଭକୁ ଜଣାଇଲା? ଆମ୍ଭେ ଯେଉଁ ବୃକ୍ଷର ଫଳ ଖାଇବାକୁ ନିଷେଧ କରିଥିଲୁ, ତାହା କି ତୁମ୍ଭେ ଖାଇଅଛ?
ଆଦି ପୁସ୍ତକ 3 : 12 (ORV)
ଆଦମ କହିଲେ, ତୁମ୍ଭେ ଯେଉଁ ସ୍ତ୍ରୀଙ୍କି ମୋହର ସଙ୍ଗିନୀ ହେବାକୁ ଦେଇଅଛ, ସେ ମୋତେ ସେହି ବୃକ୍ଷର ଫଳ ଦେଲେ, ତହିଁରେ ମୁଁ ଖାଇଲି ।
ଆଦି ପୁସ୍ତକ 3 : 13 (ORV)
ସେତେବେଳେ ସଦାପ୍ରଭୁ ପରମେଶ୍ଵର ନାରୀଙ୍କି କହିଲେ, ଏ କି କଲ? ନାରୀ କହିଲେ, ସର୍ପ ମୋତେ ଭୁଲାଇଲା, ତହିଁରେ ମୁଁ ଖାଇଲି ।
ଆଦି ପୁସ୍ତକ 3 : 14 (ORV)
ତହୁଁ ସଦାପ୍ରଭୁ ପରମେଶ୍ଵର ସର୍ପକୁ କହିଲେ, ଏହି କାର୍ଯ୍ୟ କରିବା ହେତୁରୁ ତୁମ୍ଭେ ସମସ୍ତ ଗ୍ରାମ୍ୟ ଓ ବନ୍ୟପଶୁଠାରୁ ଅଧିକ ଶାପଗ୍ରସ୍ତ ହେଲ, ତୁମ୍ଭେ ଆପଣା ପେଟ ଦେଇ ଗମନ କରିବ ଓ ଯାବଜ୍ଜୀବନ ଧୂଳି ଖାଇବ।
ଆଦି ପୁସ୍ତକ 3 : 15 (ORV)
ଆଉ ଆମ୍ଭେ ତୁମ୍ଭର ଓ ନାରୀର ମଧ୍ୟରେ, ପୁଣି ତୁମ୍ଭ ବଂଶ ଓ ତାଙ୍କ ବଂଶ ମଧ୍ୟରେ ବୈରଭାବ ଜନ୍ମାଇବା; ସେ ତୁମ୍ଭର ମସ୍ତକକୁ ଆଘାତ କରିବେ ଓ ତୁମ୍ଭେ ତାହାଙ୍କ ଗୋଇଠିକି ଆଘାତ କରିବ ।
ଆଦି ପୁସ୍ତକ 3 : 16 (ORV)
ତହୁଁ ସେ ନାରୀଙ୍କି କହିଲେ, ଆମ୍ଭେ ତୁମ୍ଭର ଗର୍ଭବେଦନା ଅତିଶୟ ବଢ଼ାଇବା, ତୁମ୍ଭେ ବ୍ୟଥାରେ ସନ୍ତାନ ପ୍ରସବ କରିବ; ପୁଣି ସ୍ଵାମୀ ପ୍ରତି ତୁମ୍ଭର ବାସନା ରହିବ, ସେ ତୁମ୍ଭ ଉପରେ କର୍ତ୍ତୃତ୍ଵ କରିବ ।
ଆଦି ପୁସ୍ତକ 3 : 17 (ORV)
ଆଉ ସେ ଆଦମଙ୍କୁ କହିଲେ, ଯେଉଁ ବୃକ୍ଷର ଫଳ ଖାଇବା ବିଷୟରେ ଆମ୍ଭେ ତୁମ୍ଭକୁ ଆଜ୍ଞା ଦେଇ କହିଥିଲୁ, ତାହା ଖାଇବ ନାହିଁ, ତୁମ୍ଭେ ଆପଣା ଭାର୍ଯ୍ୟାର କଥା ଶୁଣି ତାହା ଖାଇଅଛ; ଏଣୁ ତୁମ୍ଭ ସକାଶୁ ଭୂମି ଶାପଗ୍ରସ୍ତ ହେଲା; ତୁମ୍ଭେ ଯାବଜ୍ଜୀବନ କ୍ଳେଶରେ ତହିଁରୁ ଭକ୍ଷ୍ୟ ପାଇବ ।
ଆଦି ପୁସ୍ତକ 3 : 18 (ORV)
ତହିଁରେ କଣ୍ଟା ଓ ଗୋଖରା ଗଛ ଜାତ ହେବ, ପୁଣି ତୁମ୍ଭେ କ୍ଷେତ୍ରର ଶାକ ଭୋଜନ କରିବ ।
ଆଦି ପୁସ୍ତକ 3 : 19 (ORV)
ତୁମ୍ଭେ ଯେଉଁ ମୃତ୍ତିକାରୁ ଗୃହୀତ ହେଲ, ତହିଁରେ ନ ମିଶିବା ପର୍ଯ୍ୟନ୍ତ ମୁଖର ଝାଳରେ ଆହାର କରିବ; ଯେହେତୁ ତୁମ୍ଭେ ଧୂଳି ଓ ଧୂଳିରେ ପୁନର୍ବାର ମିଶିଯିବ ।
ଆଦି ପୁସ୍ତକ 3 : 20 (ORV)
ଅନନ୍ତର ଆଦମ ଆପଣା ଭାର୍ଯ୍ୟାର ନାମ ହବା (ଜୀବନ) ଦେଲେ, ଯେହେତୁ ସେ ଜୀବିତ ସକଳର ମାତା ହେଲେ ।
ଆଦି ପୁସ୍ତକ 3 : 21 (ORV)
ଆଉ ସଦାପ୍ରଭୁ ପରମେଶ୍ଵର ଚର୍ମର ବସ୍ତ୍ର ପ୍ରସ୍ତୁତ କରି ଆଦମ ଓ ତାଙ୍କର ଭାର୍ଯ୍ୟାଙ୍କୁ ପିନ୍ଧାଇଲେ ।
ଆଦି ପୁସ୍ତକ 3 : 22 (ORV)
ଅନନ୍ତର ସଦାପ୍ରଭୁ ପରମେଶ୍ଵର କହିଲେ, ଦେଖ, ମନୁଷ୍ୟ ଭଲମନ୍ଦର ବୋଧ ପ୍ରାପ୍ତ ହୋଇ ଆମ୍ଭମାନଙ୍କ ପରି ଜଣେ ହୋଇଅଛି; ଆଉ ଏବେ ସେ ଯେପରି ହାତ ବଢ଼ାଇ ଅମୃତ ବୃକ୍ଷର ଫଳ ମଧ୍ୟ ତୋଳି ଖାଇ ଅନନ୍ତଜୀବୀ ନ ହୁଅଇ,
ଆଦି ପୁସ୍ତକ 3 : 23 (ORV)
ଏଥିପାଇଁ ସଦାପ୍ରଭୁ ପରମେଶ୍ଵର ଏଦନ ଉଦ୍ୟାନରୁ ତାଙ୍କୁ ବାହାର କରିଦେଲେ ଓ ସେ ଯେଉଁ ମୃତ୍ତିକାରୁ ନୀତ ହୋଇଥିଲେ, ତହିଁରେ କୃଷିକର୍ମ କରିବାକୁ ତାଙ୍କୁ ନିଯୁକ୍ତ କଲେ ।
ଆଦି ପୁସ୍ତକ 3 : 24 (ORV)
ଏହି ରୂପେ ସେ ଆଦମଙ୍କୁ ତଡ଼ିଦେଲେ; ପୁଣି ଅମୃତ ବୃକ୍ଷର ପଥ ରକ୍ଷା କରିବା ନିମିତ୍ତ ଏଦନ ଉଦ୍ୟାନର ପୂର୍ବଦିଗରେ କିରୂବଗଣ ଓ ଚତୁର୍ଦ୍ଦିଗରେ ଘୂର୍ଣ୍ଣାୟମାନ ତେଜୋମୟ ଖଡ଼୍‍ଗ ସ୍ଥାପନ କଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24

BG:

Opacity:

Color:


Size:


Font: