ଆଦି ପୁସ୍ତକ 18 : 1 (ORV)
ଏଥିଉତ୍ତାରୁ ଦିନକର ଖରା ବେଳେ ଅବ୍ରହାମ ମମ୍ରିର ଅଲୋନ ବୃକ୍ଷ ମୂଳେ ଆପଣା ତମ୍ଵୁ ଦ୍ଵାରରେ ବସିଥିଲେ; ଏହି ସମୟରେ ସଦାପ୍ରଭୁ ସେହି ସ୍ଥାନରେ ତାଙ୍କୁ ଦର୍ଶନ ଦେଲେ ।
ଆଦି ପୁସ୍ତକ 18 : 2 (ORV)
ତହିଁରେ ସେ ଅନାଇ ଦେଖିଲେ, ତିନୋଟି ପୁରୁଷ ତାଙ୍କ ସମ୍ମୁଖରେ ଦଣ୍ତାୟମାନ; ପୁଣି ଦେଖିବା ମାତ୍ର ସାକ୍ଷାତ୍ କରିବାକୁ ତମ୍ଵୁଦ୍ଵାରରୁବେଗେ ଯାଇ ଭୂମିଷ୍ଠ ହୋଇ କହିଲେ,
ଆଦି ପୁସ୍ତକ 18 : 3 (ORV)
ହେ ପ୍ରଭୋ, ନିବେଦନ କରୁଅଛି, ଯେବେ ମୋʼ ପ୍ରତି ଅନୁଗ୍ରହ କରିବା ହେଲେ, ତେବେ ଏହି ଦାସର ସ୍ଥାନରୁ ଯିବେ ନାହିଁ ।
ଆଦି ପୁସ୍ତକ 18 : 4 (ORV)
ବିନୟ କରୁଅଛି, ଅଳ୍ପ ଜଳ ଅଣାଇ ଦେଉଅଛି, ଆପଣମାନେ ପାଦ ପ୍ରକ୍ଷାଳନ କରି ଏହି ବୃକ୍ଷ ତଳେ ବିଶ୍ରାମ କରନ୍ତୁ
ଆଦି ପୁସ୍ତକ 18 : 5 (ORV)
ଓ କିଛି ଖାଦ୍ୟଦ୍ରବ୍ୟ ଆଣି ଦେଉଛି, ତଦ୍ଦ୍ଵାରା ପ୍ରାଣ ତୃପ୍ତ କରନ୍ତୁ, ତହିଁ ଉତ୍ତାରେ ଗମନ କରିବେ; କାରଣ ଏଥିନିମନ୍ତେ ଆପଣା ଦାସ ନିକଟକୁ ଆଗମନ କଲେ । ସେତେବେଳେ ସେମାନେ କହିଲେ, ଯାହା କହୁଅଛ, ତାହା କର ।
ଆଦି ପୁସ୍ତକ 18 : 6 (ORV)
ତହିଁରେ ଅବ୍ରହାମ ଶୀଘ୍ର ତମ୍ଵୁ ଗୃହକୁ ସାରା ନିକଟକୁ ଯାଇ କହିଲେ, ତିନି ସେର ଉତ୍ତମ ମଇଦା ନେଇ ଛାଣି ଶୀଘ୍ର ରୋଟୀ ପ୍ରସ୍ତୁତ କର ।
ଆଦି ପୁସ୍ତକ 18 : 7 (ORV)
ଅନନ୍ତର ଅବ୍ରହାମ ଗୋଠକୁ ଶୀଘ୍ର ଯାଇ ଉତ୍ତମ କୋମଳ ଗୋବତ୍ସ ଆଣି ଦାସକୁ ଦିଅନ୍ତେ, ସେ ତାହା ଶୀଘ୍ର ରାନ୍ଧିଲା ।
ଆଦି ପୁସ୍ତକ 18 : 8 (ORV)
ସେତେବେଳେ ସେ ଦଧି, ଦୁଗ୍ଧ ଓ ପକ୍ଵ ଗୋବତ୍ସ ଆଣି ସେମାନଙ୍କ ନିକଟରେ ରଖିଲେ, ପୁଣି ସେମାନଙ୍କ ଭୋଜନ ସମୟରେ ବୃକ୍ଷ ମୂଳେ ସେମାନଙ୍କ ନିକଟରେ ଛିଡ଼ା ହେଲେ ।
ଆଦି ପୁସ୍ତକ 18 : 9 (ORV)
ତହିଁ ଉତ୍ତାରୁ ସେମାନେ ତାଙ୍କୁ ପଚାରିଲେ, ତୁମ୍ଭର ଭାର୍ଯ୍ୟା ସାରା କେଉଁଠାରେ? ସେ କହିଲେ, ଦେଖନ୍ତୁ, ସେ ତମ୍ଵୁରେ ଅଛନ୍ତି ।
ଆଦି ପୁସ୍ତକ 18 : 10 (ORV)
ତହୁଁ ସେ କହିଲେ, ଏହି ଋତୁ ପୁନର୍ବାର ଉପସ୍ଥିତ ହେବା ସମୟରେ ଆମ୍ଭେ ଅବଶ୍ୟ ଫେରି ଆସିବା; ଦେଖ, ସେସମୟକୁ ତୁମ୍ଭ ଭାର୍ଯ୍ୟା ସାରାର (କୋଳରେ) ଗୋଟିଏ ପୁତ୍ର ଥିବ । ଏହି କଥା ସାରା ତମ୍ଵୁ ଦ୍ଵାରରେ ତାଙ୍କ ପଛେ ଥାଇ ଶୁଣିଲେ ।
ଆଦି ପୁସ୍ତକ 18 : 11 (ORV)
ସେହି ସମୟରେ ଅବ୍ରହାମ ଓ ସାରା ବୃଦ୍ଧ ଓ ଗତବୟସ୍କ ଥିଲେ, ପୁଣି ସାରାଙ୍କର ସ୍ତ୍ରୀଧର୍ମ ନିବୃତ୍ତ ହୋଇଥିଲା ।
ଆଦି ପୁସ୍ତକ 18 : 12 (ORV)
ଏନିମନ୍ତେ ସାରା ହସି ମନେ ମନେ କହିଲେ, ମୋହର ଏହି ଶୀର୍ଣ୍ଣାବସ୍ଥାରେ କି ଏରୂପ ଆନନ୍ଦ ହେବ? ବିଶେଷତଃ ମୋହର ପ୍ରଭୁ ମଧ୍ୟ ବୃଦ୍ଧ ।
ଆଦି ପୁସ୍ତକ 18 : 13 (ORV)
ସେତେବେଳେ ସଦାପ୍ରଭୁ ଅବ୍ରହାମଙ୍କୁ କହିଲେ, ଆପଣାର ବୃଦ୍ଧାବସ୍ଥାରେ କି ନିଶ୍ଚୟ ସନ୍ତାନ ଜନ୍ମିବ, ଏହା ଭାବି ସାରା କାହିଁକି ହସିଲା?
ଆଦି ପୁସ୍ତକ 18 : 14 (ORV)
ସଦାପ୍ରଭୁଙ୍କ ଆଶ୍ଚର୍ଯ୍ୟ କେଉଁ କର୍ମ? ଏହି ଋତୁ ପୁନର୍ବାର ଉପସ୍ଥିତ ହେଲେ, ନିରୂପିତ ସମୟରେ ଆମ୍ଭେ ଫେରି ଆସିବା, ସେସମୟକୁ ସାରାର (କୋଳରେ) ପୁତ୍ର ଥିବ ।
ଆଦି ପୁସ୍ତକ 18 : 15 (ORV)
ତହିଁରେ ସାରା ଅସ୍ଵୀକାର କରି କହିଲେ, ମୁଁ ହସି ନାହିଁ; ଯେହେତୁ ସେ ଭୟ କଲେ । ମାତ୍ର ସେ କହିଲେ, ତୁମ୍ଭେ ଅବଶ୍ୟ ହସିଲ ।
ଆଦି ପୁସ୍ତକ 18 : 16 (ORV)
ଅନନ୍ତର ସେହି ଲୋକମାନେ ସେଠାରୁ ଉଠି ସଦୋମ ଆଡ଼କୁ ପ୍ରସ୍ଥାନ କରନ୍ତେ, ଅବ୍ରହାମ ବାଟ ଦେଖାଇବାକୁ ସେମାନଙ୍କ ସଙ୍ଗେ ସଙ୍ଗେ ଚାଲିଲେ ।
ଆଦି ପୁସ୍ତକ 18 : 17 (ORV)
ତହୁଁ ସଦାପ୍ରଭୁ କହିଲେ, ଆମ୍ଭେ ଯାହା କରିବାକୁ ଉଦ୍ୟତ ଅଟୁ, ତାହା କି ଅବ୍ରହାମଠାରୁ ଲୁଚାଇବା?
ଆଦି ପୁସ୍ତକ 18 : 18 (ORV)
ଅବ୍ରହାମଠାରୁ ଏକ ମହତୀ ଓ ବଳବତୀ ଗୋଷ୍ଠୀ ଉତ୍ପନ୍ନ ହେବ ଓ ପୃଥିବୀର ଯାବତୀୟ ଗୋଷ୍ଠୀ ତାହାଠାରୁ ଆଶୀର୍ବାଦ ପ୍ରାପ୍ତ ହେବେ ।
ଆଦି ପୁସ୍ତକ 18 : 19 (ORV)
ଯେହେତୁ ତାହାର ଭବିଷ୍ୟତ ସନ୍ତାନଗଣ ଓ ପରିବାରବର୍ଗ ଯେପରି ନ୍ୟାୟ ଓ ଧର୍ମାଚରଣ କରିବାକୁ ସଦାପ୍ରଭୁଙ୍କ ପଥରେ ଚାଲିବେ, ଏଥିପାଇଁ ସେମାନଙ୍କୁ ସେ ଯେପରି ଆଜ୍ଞା ଦେବ, ଏହି ଅଭିପ୍ରାୟରେ ଆମ୍ଭେ ତାହାକୁ ନିର୍ଦ୍ଧାରଣ କରିଅଛୁ; ତହିଁରେ ସଦାପ୍ରଭୁ ଅବ୍ରହାମଙ୍କ ବିଷୟରେ ଆପଣା କଥିତ ବାକ୍ୟ ସିଦ୍ଧ କରିବେ ।
ଆଦି ପୁସ୍ତକ 18 : 20 (ORV)
ସଦାପ୍ରଭୁ ଆହୁରି କହିଲେ, ସଦୋମ ଓ ହମୋରାର ବିରୁଦ୍ଧରେ ମହାଧ୍ଵନି ଉଠୁଅଛି, ସେମାନଙ୍କର ପାପ ଅତିଶୟ ଗୁରୁତର;
ଆଦି ପୁସ୍ତକ 18 : 21 (ORV)
ଏଣୁ ଆମ୍ଭେ ତଳକୁ ଦେଖିବାକୁ ଯାଇ ଆମ୍ଭ ନିକଟକୁ ଆଗତ କ୍ରନ୍ଦନ ଅନୁସାରେ ସେମାନେ ସର୍ବତୋଭାବେ କରିଅଛନ୍ତି କି ନାହିଁ, ତାହା ଜାଣିବା ।
ଆଦି ପୁସ୍ତକ 18 : 22 (ORV)
ଏଥିଉତ୍ତାରୁ ସେହି ବ୍ୟକ୍ତିମାନେ ସେହିଠାରୁ ବାହୁଡ଼ି ସଦୋମ ଆଡ଼କୁ ଗମନ କଲେ; ମାତ୍ର ଅବ୍ରହାମ ସେ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଛାମୁରେ ଛିଡ଼ା ହୋଇ ରହିଲେ ।
ଆଦି ପୁସ୍ତକ 18 : 23 (ORV)
ଅନନ୍ତର ଅବ୍ରହାମ ନିକଟକୁ ଯାଇ କହିଲେ, ଆପଣ କି ଦୁଷ୍ଟ ସହିତ ଧାର୍ମିକକୁ ସଂହାର କରିବେ?
ଆଦି ପୁସ୍ତକ 18 : 24 (ORV)
ହୋଇପାରେ, ନଗର ମଧ୍ୟରେ ପଚାଶ ଜଣ ଧାର୍ମିକ ଥିବେ; ତହିଁ ମଧ୍ୟବର୍ତ୍ତୀ ପଚାଶ ଜଣ ଧାର୍ମିକଙ୍କ ସକାଶେ କି ସେହି ସ୍ଥାନ ରକ୍ଷା ନ କରି ସଂହାର କରିବେ?
ଆଦି ପୁସ୍ତକ 18 : 25 (ORV)
ଦୁଷ୍ଟ ସହିତ ଧାର୍ମିକକୁ ବିନାଶ କରିବାର କର୍ମ ଆପଣଙ୍କଠାରୁ ଦୂରେ ଥାଉ ଓ ଧାର୍ମିକକୁ ଦୁଷ୍ଟର ସମାନ କରିବା ଆପଣଙ୍କଠାରୁ ଦୂରେ ଥାଉ । ସମସ୍ତ ପୃଥିବୀର ବିଚାରକର୍ତ୍ତା କି ନ୍ୟାୟ ବିଚାର କରିବେ ନାହିଁ?
ଆଦି ପୁସ୍ତକ 18 : 26 (ORV)
ତହିଁରେ ସଦାପ୍ରଭୁ କହିଲେ, ଆମ୍ଭେ ଯେବେ ସଦୋମ ନଗରରେ ପଚାଶ ଜଣ ଧାର୍ମିକ ଦେଖିବା, ତେବେ ସେମାନଙ୍କ ସକାଶେ ସମସ୍ତ ସ୍ଥାନ ରକ୍ଷା କରିବା ।
ଆଦି ପୁସ୍ତକ 18 : 27 (ORV)
ତହିଁରେ ଅବ୍ରହାମ ପ୍ରତ୍ୟୁତ୍ତର କଲେ, ଦେଖନ୍ତୁ, ମୁଁ ଧୂଳି ଓ ଭସ୍ମମାତ୍ର ହେଲେହେଁ ପ୍ରଭୁଙ୍କ ଛାମୁରେ କଥା କହିବାକୁ ପ୍ରବୃତ୍ତ ହୋଇଅଛି ।
ଆଦି ପୁସ୍ତକ 18 : 28 (ORV)
ହୋଇପାରେ, ପଚାଶ ଜଣ ଧାର୍ମିକ ମଧ୍ୟରୁ ପାଞ୍ଚ ଜଣ ଊଣା ଥିବେ; ସେହି ପାଞ୍ଚ ଜଣ ଊଣା ହେବା ସକାଶୁ କି ଆପଣ ସମସ୍ତ ନଗର ବିନଷ୍ଟ କରିବେ? ସେ କହିଲେ, ଆମ୍ଭେ ପଞ୍ଚଚାଳିଶ ଜଣ ପାଇଲେ, ତାହା ବିନଷ୍ଟ କରିବା ନାହିଁ ।
ଆଦି ପୁସ୍ତକ 18 : 29 (ORV)
ସେ ତାହାଙ୍କୁ ପୁନର୍ବାର କହିଲେ, ହୋଇପାରେ, ସେଠାରେ ଚାଳିଶ ଜଣ ମିଳିବେ । ସେ କହିଲେ, ସେହି ଚାଳିଶ ଜଣ ସକାଶୁ ତାହା କରିବା ନାହିଁ ।
ଆଦି ପୁସ୍ତକ 18 : 30 (ORV)
ପୁନର୍ବାର ସେ କହିଲେ, ପ୍ରଭୁ ବିରକ୍ତ ନୋହିଲେ ଆହୁରି କଥାଏ କହିବି; ହୋଇପାରେ, ସେଠାରେ ତିରିଶ ଜଣ ମିଳିବେ । ସେ କହିଲେ, ତିରିଶ ଜଣ ପାଇଲେ, ତାହା କରିବା ନାହିଁ ।
ଆଦି ପୁସ୍ତକ 18 : 31 (ORV)
ସେ କହିଲେ, ଦେଖନ୍ତୁ, ପ୍ରଭୁଙ୍କ ଛାମୁରେ ମୁଁ ପୁନର୍ବାର କଥା କହିବାକୁ ପ୍ରବୃତ୍ତ ହୋଇଅଛି; ହୋଇପାରେ, ସେଠାରେ କୋଡ଼ିଏ ଜଣ ମିଳିବେ । ସେ କହିଲେ, ସେହି କୋଡ଼ିଏ ଜଣ ସକାଶୁ ଆମ୍ଭେ ତାହା ବିନଷ୍ଟ କରିବା ନାହିଁ ।
ଆଦି ପୁସ୍ତକ 18 : 32 (ORV)
ସେ କହିଲେ; ପ୍ରଭୁ ବିରକ୍ତ ନୋହିଲେ ଆଉ ଥରେ ମାତ୍ର କହିବି; ହୋଇପାରେ, ସେଠାରେ ଦଶ ଜଣ ମିଳିବେ । ସେ କହିଲେ, ସେହି ଦଶ ଜଣ ସକାଶୁ ଆମ୍ଭେ ତାହା ବିନଷ୍ଟ କରିବା ନାହିଁ ।
ଆଦି ପୁସ୍ତକ 18 : 33 (ORV)
ସେତେବେଳେ ସଦାପ୍ରଭୁ ଅବ୍ରହାମଙ୍କ ସହିତ ଏପ୍ରକାର କଥୋପକଥନ ସମାପନ କରି ପ୍ରସ୍ଥାନ କଲେ, ପୁଣି ଅବ୍ରହାମ ହିଁ ସ୍ଵସ୍ଥାନକୁ ଫେରିଗଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33

BG:

Opacity:

Color:


Size:


Font: