ଆଦି ପୁସ୍ତକ 16 : 1 (ORV)
ଅବ୍ରାମଙ୍କର ଭାର୍ଯ୍ୟା ସାରୀ ନିଃସନ୍ତାନା ଥିଲେ, ପୁଣି ହାଗାର ନାମ୍ନୀ ତାଙ୍କର ଏକ ମିସରୀୟା ଦାସୀ ଥିଲା ।
ଆଦି ପୁସ୍ତକ 16 : 2 (ORV)
ତହିଁରେ ସାରୀ ଅବ୍ରାମଙ୍କୁ କହିଲେ, ଦେଖ, ସଦାପ୍ରଭୁ ମୋତେ ବନ୍ଧ୍ୟା କରିଅଛନ୍ତି; ଏଣୁ ମୁଁ ବିନୟ କରୁଅଛି, ତୁମ୍ଭେ ମୋହର ଏହି ଦାସୀର ସହବାସ କର; କେଜାଣି ମୁଁ ଏହା ଯୋଗୁଁ ପୁତ୍ର ପାଇ ପାରିବି । ତେବେ ଅବ୍ରାମ ସାରୀଙ୍କର ବାକ୍ୟରେ ସମ୍ମତ ହେଲେ ।
ଆଦି ପୁସ୍ତକ 16 : 3 (ORV)
ଅବ୍ରାମ କିଣାନ ଦେଶରେ ଦଶ ବର୍ଷ ବାସ କଲା ଉତ୍ତାରେ ତାଙ୍କର ଭାର୍ଯ୍ୟା ସାରୀ ଆପଣା ମିସରୀୟା ଦାସୀ ହାଗାରକୁ ନେଇ ଆପଣା ସ୍ଵାମୀ ଅବ୍ରାମ ସହିତ ବିବାହ ଦେଲେ ।
ଆଦି ପୁସ୍ତକ 16 : 4 (ORV)
ଅନନ୍ତର ଅବ୍ରାମ ହାଗାରର ସହବାସ କରନ୍ତେ, ସେ ଗର୍ଭବତୀ ହେଲା; ପୁଣି ଆପଣାର ଗର୍ଭ ହୋଇଅଛି, ଏହା ଜାଣି ସେ ନିଜ ସାଆନ୍ତାଣୀଙ୍କୁ ତୁଚ୍ଛ ଜ୍ଞାନ କରିବାକୁ ଲାଗିଲା ।
ଆଦି ପୁସ୍ତକ 16 : 5 (ORV)
ତହିଁରେ ସାରୀ ଅବ୍ରାମଙ୍କୁ କହିଲେ, ମୋʼ ପ୍ରତି ଏହି ଅନ୍ୟାୟର ଫଳ ତୁମ୍ଭର ହେଉ; ମୁଁ ଆପଣାର ଯେଉଁ ଦାସୀକି ତୁମ୍ଭ କ୍ରୋଡ଼ରେ ଦେଇଅଛି, ସେ ଏବେ ଆପଣାର ଗର୍ଭ ଜାଣି ମୋତେ ତୁଚ୍ଛ ଜ୍ଞାନ କରୁଅଛି; ସଦାପ୍ରଭୁ ତୁମ୍ଭର ଓ ମୋହର ବିଚାର କରନ୍ତୁ ।
ଆଦି ପୁସ୍ତକ 16 : 6 (ORV)
ତହିଁରେ ଅବ୍ରାମ ସାରୀଙ୍କୁ କହିଲେ, ଦେଖ, ତୁମ୍ଭର ଦାସୀ ତୁମ୍ଭ ହାତରେ ଅଛି; ତୁମ୍ଭକୁ ଯାହା ଭଲ ଦିଶେ, ତାହା ତାʼ ପ୍ରତି କର । ତହିଁରେ ସାରୀ ହାଗାର ପ୍ରତି କଠିନ ବ୍ୟବହାର କରନ୍ତେ, ସେ ତାଙ୍କ ପାଖରୁ ପଳାଇଗଲା ।
ଆଦି ପୁସ୍ତକ 16 : 7 (ORV)
ଅନନ୍ତର ସଦାପ୍ରଭୁଙ୍କ ଦୂତ ପ୍ରାନ୍ତର ମଧ୍ୟରେ ଗୋଟିଏ ନିର୍ଝର ନିକଟରେ, ଅର୍ଥାତ୍, ଶୂରର ପଥରେ ଯେଉଁ ନିର୍ଝର ଅଛି, ତହିଁ ନିକଟରେ ତାହାକୁ ଦେଖି କହିଲେ,
ଆଦି ପୁସ୍ତକ 16 : 8 (ORV)
ଆଗୋ ସାରୀର ଦାସୀ ହାଗାର, ତୁମ୍ଭେ କେଉଁଠାରୁ ଆସିଲ? ପୁଣି କେଉଁଠାକୁ ଯିବ? ତହିଁରେ ସେ କହିଲା, ମୁଁ ଆପଣା ସାଆନ୍ତାଣୀ ସାରୀ ନିକଟରୁ ପଳାଉଅଛି ।
ଆଦି ପୁସ୍ତକ 16 : 9 (ORV)
ସେତେବେଳେ ସଦାପ୍ରଭୁଙ୍କ ଦୂତ ତାହାକୁ କହିଲେ, ତୁମ୍ଭେ ଆପଣା ସାଆନ୍ତାଣୀ ନିକଟକୁ ଫେରି ଯାଇ ନମ୍ର ଭାବରେ ତାଙ୍କର ହସ୍ତର ବଶୀଭୂତା ହୁଅ ।
ଆଦି ପୁସ୍ତକ 16 : 10 (ORV)
ସଦାପ୍ରଭୁଙ୍କ ଦୂତ ଆହୁରି କହିଲେ, ଆମ୍ଭେ ତୁମ୍ଭ ବଂଶ ଏପରି ବୃଦ୍ଧି କରିବା, ଯେ ବାହୁଲ୍ୟ ହେତୁରୁ ତାହା ଅଗଣ୍ୟ ହେବ ।
ଆଦି ପୁସ୍ତକ 16 : 11 (ORV)
ସଦାପ୍ରଭୁଙ୍କ ଦୂତ ଆହୁରି କହିଲେ, ଦେଖ, ତୁମ୍ଭର ଗର୍ଭ ହୋଇଅଛି, ତୁମ୍ଭେ ପୁତ୍ର ପ୍ରସବ କରିବ, ତାହାର ନାମ ଇଶ୍ମାଏଲ (ଅର୍ଥାତ୍, ପରମେଶ୍ଵର ଶୁଣନ୍ତି) ଦେବ, ଯେହେତୁ ସଦାପ୍ରଭୁ ତୁମ୍ଭ ଦୁଃଖ ଶୁଣିଲେ ।
ଆଦି ପୁସ୍ତକ 16 : 12 (ORV)
ପୁଣି ସେ ମନୁଷ୍ୟମାନଙ୍କ ମଧ୍ୟରେ ବନ ଗର୍ଦ୍ଦଭ ସ୍ଵରୂପ ହେବ, ତାହାର ହସ୍ତ ସମସ୍ତଙ୍କ ବିରୁଦ୍ଧରେ ଓ ସମସ୍ତଙ୍କ ହସ୍ତ ତାହାର ବିରୁଦ୍ଧରେ ଥିବ, ପୁଣି ସେ ଆପଣା ଭାଇମାନଙ୍କ ସମ୍ମୁଖରେ ବାସ କରିବ ।
ଆଦି ପୁସ୍ତକ 16 : 13 (ORV)
ଆଉ ହାଗାର ଆପଣା ସହିତ କଥାବାର୍ତ୍ତାକାରୀ ସଦାପ୍ରଭୁଙ୍କର ଏହି ନାମ ରଖିଲା, ଯଥା, ମଦ୍ଦର୍ଶକ ପରମେଶ୍ଵର, (ହେ ପରମେଶ୍ଵର, ତୁମ୍ଭେ ମୋତେ ଦେଖୁଅଛ); ଯେହେତୁ ସେ କହିଲା, ଯେ ମୋତେ ଦେଖନ୍ତି, ତାଙ୍କ ଦର୍ଶନ ଉତ୍ତାରେ ମୁଁ କି ଏଠାରେ ଆହୁରି ବଞ୍ଚିଛି!
ଆଦି ପୁସ୍ତକ 16 : 14 (ORV)
ଏଣୁ ସେହି କୂପର ନାମ ବେର-ଲହୟ-ରୋୟୀ (ଅର୍ଥାତ୍, ଦର୍ଶନାନ୍ତେ ଜୀବନକୂପ) ରଖାଗଲା । ସେହି କୂପ କାଦେଶ ଓ ବେରଦ ମଧ୍ୟରେ ଅଛି ।
ଆଦି ପୁସ୍ତକ 16 : 15 (ORV)
ଅନନ୍ତର ହାଗାର ଅବ୍ରାମଙ୍କ ନିମନ୍ତେ ପୁତ୍ର ପ୍ରସବ କରନ୍ତେ, ଅବ୍ରାମ ହାଗାରଠାରୁ ଜାତ ଆପଣାର ସେହି ପୁତ୍ରର ନାମ ଇଶ୍ମାଏଲ ଦେଲେ ।
ଆଦି ପୁସ୍ତକ 16 : 16 (ORV)
ଅବ୍ରାମଙ୍କର ଛୟାଅଶୀ ବର୍ଷ ବୟସରେ ହାଗାର ଅବ୍ରାମଙ୍କ ନିମନ୍ତେ ଇଶ୍ମାଏଲକୁ ପ୍ରସବ କଲା ।

1 2 3 4 5 6 7 8 9 10 11 12 13 14 15 16

BG:

Opacity:

Color:


Size:


Font: