ଆଦି ପୁସ୍ତକ 12 : 1 (ORV)
ଏଉତ୍ତାରୁ ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, ତୁମ୍ଭେ ଆପଣା ଦେଶ ଓ ଜ୍ଞାତି କୁଟୁମ୍ଵ ଓ ପୈତୃକ ଗୃହ ପରିତ୍ୟାଗ କରି, ଆମ୍ଭେ ଯେଉଁ ଦେଶ ତୁମ୍ଭକୁ ଦେଖାଇବା, ସେହି ଦେଶକୁ ଯାଅ ।
ଆଦି ପୁସ୍ତକ 12 : 2 (ORV)
ଆମ୍ଭେ ତୁମ୍ଭଠାରୁ ଏକ ମହାଗୋଷ୍ଠୀ ଉତ୍ପନ୍ନ କରିବା, ପୁଣି ଆମ୍ଭେ ତୁମ୍ଭକୁ ଆଶୀର୍ବାଦ କରି ତୁମ୍ଭର ନାମ ମହତ କରିବା; ତୁମ୍ଭେ ଆଶୀର୍ବାଦର ଆକର ହେବ ।
ଆଦି ପୁସ୍ତକ 12 : 3 (ORV)
ଯେଉଁମାନେ ତୁମ୍ଭକୁ ଆଶୀର୍ବାଦ କରନ୍ତି, ଆମ୍ଭେ ସେମାନଙ୍କୁ ଆଶୀର୍ବାଦ କରିବା; ପୁଣି ଯେକେହି ତୁମ୍ଭକୁ ଅଭିଶାପ ଦିଏ, ଆମ୍ଭେ ତାହାକୁ ଅଭିଶାପ ଦେବା; ଆଉ ତୁମ୍ଭଠାରୁ ପୃଥିବୀର ସବୁ ବଂଶ ଆଶୀର୍ବାଦ ପ୍ରାପ୍ତ ହେବେ ।
ଆଦି ପୁସ୍ତକ 12 : 4 (ORV)
ଅନନ୍ତର ଅବ୍ରାମ ସଦାପ୍ରଭୁଙ୍କ ଏହି ବାକ୍ୟାନୁସାରେ ପ୍ରସ୍ଥାନ କଲେ, ପୁଣି ଲୋଟ ତାଙ୍କ ସଙ୍ଗରେ ଗଲେ; ହାରଣଠାରୁ ପ୍ରସ୍ଥାନ କରିବା ସମୟରେ ଅବ୍ରାମଙ୍କର ବୟସ ପଞ୍ଚସ୍ତରି ବର୍ଷ ହୋଇଥିଲା ।
ଆଦି ପୁସ୍ତକ 12 : 5 (ORV)
ଏହିରୂପେ ଅବ୍ରାମ ଆପଣା ଭାର୍ଯ୍ୟା ସାରୀଙ୍କୁ ଓ ଭ୍ରାତୃପୁତ୍ର ଲୋଟକୁ ଓ ହାରଣଠାରେ ଆପଣାମାନଙ୍କ ସଞ୍ଚିତ ଧନ ଓ ଲବ୍ଧ ପ୍ରାଣୀମାନଙ୍କୁ ଘେନି କିଣାନ ଦେଶ ଉଦ୍ଦେଶ୍ୟରେ ଯାତ୍ରା କରି କିଣାନରେ ଉପସ୍ଥିତ ହେଲେ ।
ଆଦି ପୁସ୍ତକ 12 : 6 (ORV)
ଅବ୍ରାମ ସେହି ଦେଶ ଦେଇ ଭ୍ରମଣ କରୁ କରୁ ଶିଖିମ ନିକଟସ୍ଥ ମୋରିର ଅଲୋନ ବୃକ୍ଷ ମୂଳରେ ଉତ୍ତରିଲେ । ସେହି ସମୟରେ କିଣାନୀୟମାନେ ସେହି ଦେଶରେ ବାସ କରୁଥିଲେ ।
ଆଦି ପୁସ୍ତକ 12 : 7 (ORV)
ଅନନ୍ତର ସଦାପ୍ରଭୁ ଅବ୍ରାମଙ୍କୁ ଦର୍ଶନ ଦେଇ କହିଲେ, ଆମ୍ଭେ ତୁମ୍ଭ ବଂଶକୁ ଏହି ଦେଶ ଦେବା; ଏନିମନ୍ତେ ଅବ୍ରାମ ଆପଣା ନିକଟରେ ଦର୍ଶନଦାତା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେହି ସ୍ଥାନରେ ଯଜ୍ଞବେଦି ନିର୍ମାଣ କଲେ ।
ଆଦି ପୁସ୍ତକ 12 : 8 (ORV)
ଏଥିଉତ୍ତାରୁ ସେ ସେହି ସ୍ଥାନ ଛାଡ଼ି ବୈଥେଲର ପୂର୍ବଆଡ଼ ପର୍ବତକୁ ଯାଇ ଆପଣା ତମ୍ଵୁ ଠିଆ କଲେ; ତହିଁର ପଶ୍ଚିମରେ ବୈଥେଲ ଓ ପୂର୍ବ ଦିଗରେ ଅୟ ନଗର ଥିଲା; ପୁଣି ସେହିଠାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲେ ।
ଆଦି ପୁସ୍ତକ 12 : 9 (ORV)
ତହିଁ ଉତ୍ତାରେ ଅବ୍ରାମ ଭ୍ରମଣ କରୁ କରୁ ଆହୁରି ଦକ୍ଷିଣ ଦିଗକୁ ଗଲେ ।
ଆଦି ପୁସ୍ତକ 12 : 10 (ORV)
ସେହି ସମୟରେ ସେହି ଦେଶରେ ଦୁର୍ଭିକ୍ଷ ହେବାରୁ ଅବ୍ରାମ ମିସର ଦେଶରେ ପ୍ରବାସ କରିବାକୁ ଯାତ୍ରା କଲେ; ଯେହେତୁ ଦେଶରେ ଅତିଶୟ ଦୁର୍ଭିକ୍ଷ ପଡ଼ିଥିଲା ।
ଆଦି ପୁସ୍ତକ 12 : 11 (ORV)
ଅନନ୍ତର ମିସର ଦେଶରେ ପ୍ରବେଶ କରିବାକୁ ଉଦ୍ୟତ ହୁଅନ୍ତେ, ଅବ୍ରାମ ଆପଣା ଭାର୍ଯ୍ୟା ସାରୀଙ୍କୁ କହିଲେ, ଶୁଣ, ତୁମ୍ଭେ ଦେଖିବାକୁ ସୁନ୍ଦରୀ, ତାହା ମୁଁ ଜାଣେ ।
ଆଦି ପୁସ୍ତକ 12 : 12 (ORV)
ଏଣୁକରି ମିସର ଦେଶୀୟ ଲୋକମାନେ ତୁମ୍ଭକୁ ଦେଖି ମୋହର ଭାର୍ଯ୍ୟା ବୋଲି ଜାଣିଲେ, ମୋତେ ବଧ କରି ତୁମ୍ଭକୁ ଜୀବିତା ରଖିବେ ।
ଆଦି ପୁସ୍ତକ 12 : 13 (ORV)
ଏହେତୁ ମୁଁ ବିନୟ କରୁଅଛି, ତୁମ୍ଭେ ମୋହର ଭଉଣୀ, ଏହା କହିବ; ତହିଁରେ ତୁମ୍ଭ ସକାଶେ ମୋହର ମଙ୍ଗଳ ହେବ ଓ ତୁମ୍ଭ ହେତୁରୁ ମୋʼ ପ୍ରାଣ ରକ୍ଷା ପାଇବ ।
ଆଦି ପୁସ୍ତକ 12 : 14 (ORV)
ଅନନ୍ତର ଅବ୍ରାମ ମିସର ଦେଶରେ ପ୍ରବେଶ କରନ୍ତେ, ମିସରୀୟ ଲୋକମାନେ ସେହି ସ୍ତ୍ରୀଙ୍କୁ ପରମ ସୁନ୍ଦରୀ ଦେଖିଲେ ।
ଆଦି ପୁସ୍ତକ 12 : 15 (ORV)
ପୁଣି ଫାରୋଙ୍କର ଅଧିପତିମାନେ ତାଙ୍କୁ ଦେଖି ଫାରୋଙ୍କ ଛାମୁରେ ତାଙ୍କର ପ୍ରଶଂସା କରନ୍ତେ, ସେହି ସ୍ତ୍ରୀ ଫାରୋଙ୍କର ଗୃହକୁ ଅଣାଗଲେ ।
ଆଦି ପୁସ୍ତକ 12 : 16 (ORV)
ଫାରୋ ତାଙ୍କ ଲାଗି ଅବ୍ରାମଙ୍କୁ ସମାଦର କରି ତାଙ୍କୁ ମେଷ, ଗୋରୁ, ଗର୍ଦ୍ଦଭ ଓ ଦାସଦାସୀ ଓ ଗର୍ଦ୍ଦଭୀ ଓ ଓଟ ଦେଲେ ।
ଆଦି ପୁସ୍ତକ 12 : 17 (ORV)
ମାତ୍ର ଅବ୍ରାମଙ୍କର ଭାର୍ଯ୍ୟା ସାରୀଙ୍କ ହେତୁରୁ ସଦାପ୍ରଭୁ ଫାରୋ ଓ ତାଙ୍କର ପରିବାର ଉପରେ ଭାରୀ ଭାରୀ ଉତ୍ପାତ ଘଟାଇଲେ ।
ଆଦି ପୁସ୍ତକ 12 : 18 (ORV)
ଏହେତୁ ଫାରୋ ଅବ୍ରାମଙ୍କୁ ଡାକି କହିଲେ, ତୁମ୍ଭେ ଆମ୍ଭ ସହିତ ଏ କି ବ୍ୟବହାର କଲ?
ଆଦି ପୁସ୍ତକ 12 : 19 (ORV)
ସେହି ସ୍ତ୍ରୀ ତୁମ୍ଭର ଭାର୍ଯ୍ୟା, ଏକଥା ଆମ୍ଭକୁ କାହିଁକି କହିଲ ନାହିଁ? ତାଙ୍କୁ କାହିଁକି ଆପଣାର ଭଗିନୀ ବୋଲି କହିଲ? ତହିଁରେ ଆମ୍ଭେ ତାଙ୍କୁ ବିବାହ କରିବାକୁ ନେଲୁ; ଏବେ ତୁମ୍ଭ ଭାର୍ଯ୍ୟାଙ୍କୁ ଦେଖ, ତାଙ୍କୁ ଘେନି ଚାଲିଯାଅ ।
ଆଦି ପୁସ୍ତକ 12 : 20 (ORV)
ତହୁଁ ଫାରୋ ଲୋକମାନଙ୍କୁ ତାଙ୍କ ବିଷୟରେ ଆଜ୍ଞା ଦେଲେ, ଆଉ ସେମାନେ ସର୍ବସ୍ଵ ସହିତ ତାଙ୍କୁ ଓ ତାଙ୍କ ଭାର୍ଯ୍ୟାଙ୍କୁ ବିଦାୟ କଲେ ।
❮
❯