ଯାତ୍ରା ପୁସ୍ତକ 14 : 1 (ORV)
ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
ଯାତ୍ରା ପୁସ୍ତକ 14 : 2 (ORV)
ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, ତୁମ୍ଭେମାନେ ଫେରି ପୀହହୀରୋତର ପୂର୍ବ ଦିଗରେ ମିଗ୍ଦୋଲ ଓ ସମୁଦ୍ର ମଧ୍ୟରେ ଛାଉଣି ସ୍ଥାପନ କର; ତୁମ୍ଭେମାନେ ବାଲସଫୋନ ଆଗରେ, ଅର୍ଥାତ୍, ତାହାର ସମ୍ମୁଖରେ ସମୁଦ୍ର ନିକଟରେ ଛାଉଣି ସ୍ଥାପନ କର ।
ଯାତ୍ରା ପୁସ୍ତକ 14 : 3 (ORV)
ତହିଁରେ ଫାରୋ ଇସ୍ରାଏଲ-ସନ୍ତାନଗଣ ବିଷୟରେ କହିବ, ସେମାନେ ଦେଶ ମଧ୍ୟରେ ଧନ୍ଦଳା ହୋଇ ରହିଅଛନ୍ତି ଓ ପ୍ରାନ୍ତର ସେମାନଙ୍କ ପଥ ରୁଦ୍ଧ କରିଅଛି ।
ଯାତ୍ରା ପୁସ୍ତକ 14 : 4 (ORV)
ଆଉ, ଆମ୍ଭେ ଫାରୋର ହୃଦୟ କଠିନ କରିବା, ତହିଁରେ ସେ ସେମାନଙ୍କ ପଛେ ପଛେ ଦୌଡ଼ିବ; ପୁଣି ଆମ୍ଭେ ଫାରୋ ଓ ତାହାର ସକଳ ସୈନ୍ୟ ଦ୍ଵାରା ସମ୍ଭ୍ରମ ପାଇବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ, ଏହା ମିସ୍ରୀୟ ଲୋକମାନେ ଜାଣିବେ । ତହୁଁ ସେମାନେ ସେହିପରି କଲେ ।
ଯାତ୍ରା ପୁସ୍ତକ 14 : 5 (ORV)
ଅନନ୍ତର ଲୋକମାନେ ପଳାଇ ଅଛନ୍ତି, ଏହି ସମ୍ଵାଦ ମିସ୍ରୀୟ ରାଜାଙ୍କୁ ଜଣାଯାଆନ୍ତେ, ଲୋକମାନଙ୍କ ବିଷୟରେ ଫାରୋଙ୍କର ଓ ତାଙ୍କର ଦାସମାନଙ୍କ ଅନ୍ତଃକରଣ ପରିବର୍ତ୍ତିତ ହେଲା; ତହୁଁ ସେମାନେ କହିଲେ, ଆମ୍ଭେମାନେ ଏ କି କର୍ମ କଲୁ? କାହିଁକି ଇସ୍ରାଏଲକୁ ଆପଣାମାନଙ୍କ ଦାସତ୍ଵରୁ ଛାଡ଼ି ଦେଲୁ?
ଯାତ୍ରା ପୁସ୍ତକ 14 : 6 (ORV)
ତହୁଁ ରାଜା ଆପଣା ରଥ ପ୍ରସ୍ତୁତ କରାଇଲେ ଓ ଆପଣା ଲୋକମାନଙ୍କୁ ସଙ୍ଗରେ ନେଲେ ।
ଯାତ୍ରା ପୁସ୍ତକ 14 : 7 (ORV)
ପୁଣି ଛଅଶହ ବଚ୍ଛା ରଥଓ ମିସ୍ରୀୟମାନଙ୍କର ସମସ୍ତ ରଥ ଓ ପ୍ରତ୍ୟେକ ରଥରେ ଯୋଦ୍ଧାମାନଙ୍କୁ ନେଲେ ।
ଯାତ୍ରା ପୁସ୍ତକ 14 : 8 (ORV)
ଆଉ ସଦାପ୍ରଭୁ ମିସ୍ରୀୟ ରାଜା ଫାରୋଙ୍କର ହୃଦୟ କଠିନ କରନ୍ତେ, ସେ ଇସ୍ରାଏଲ-ସନ୍ତାନଗଣର ପଛେ ପଛେ ଗୋଡ଼ାଇଲେ; ସେତେବେଳେ ଇସ୍ରାଏଲ-ସନ୍ତାନମାନେ ଊର୍ଦ୍ଧ୍ଵ ହସ୍ତରେ ଯାତ୍ରା କରୁଥିଲେ
ଯାତ୍ରା ପୁସ୍ତକ 14 : 9 (ORV)
ତହୁଁ ମିସ୍ରୀୟମାନେ, ଅର୍ଥାତ୍, ଫାରୋଙ୍କର ସମସ୍ତ ଅଶ୍ଵ ଓ ରଥ ଓ ଅଶ୍ଵାରୂଢ଼ ସୈନ୍ୟଗଣ ସେମାନଙ୍କ ପଛେ ପଛେ ଦୌଡ଼ି ବାଲସଫୋନ ଅଗ୍ରତେ ପୀହହୀରୋତ ନିକଟରେ ସମୁଦ୍ର ତୀରରେ ସେମାନେ ଛାଉଣି କରିବା ସମୟରେ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ ।
ଯାତ୍ରା ପୁସ୍ତକ 14 : 10 (ORV)
ଆଉ ଫାରୋ ନିକଟବର୍ତ୍ତୀ ହୁଅନ୍ତେ, ଇସ୍ରାଏଲ-ସନ୍ତାନଗଣ ଅନାଇ ଆପଣାମାନଙ୍କ ପଶ୍ଚାତ୍ ପଶ୍ଚାତ୍ ଆଗମନକାରୀ ମିସ୍ରୀୟମାନଙ୍କୁ ଦେଖି ଅତିଶୟ ଭୀତ ହେଲେ, ପୁଣି ଇସ୍ରାଏଲ-ସନ୍ତାନମାନେ ସଦାପ୍ରଭୁଙ୍କୁ ଡାକ ପକାଇଲେ ।
ଯାତ୍ରା ପୁସ୍ତକ 14 : 11 (ORV)
ପୁଣି ମୋଶାଙ୍କୁ କହିଲେ, ମିସରରେ କବର ନ ଥିଲା ବୋଲି କି ପ୍ରାନ୍ତରରେ ତୁମ୍ଭେ ଆମ୍ଭମାନଙ୍କୁ ମାରିବାକୁ ଆଣିଲ? ଆମ୍ଭମାନଙ୍କ ସଙ୍ଗରେ ଏରୂପ ବ୍ୟବହାର କରି ଆମ୍ଭମାନଙ୍କୁ ମିସରରୁ କାହିଁକି ବାହାର କରି ଆଣିଲ?
ଯାତ୍ରା ପୁସ୍ତକ 14 : 12 (ORV)
ଆମ୍ଭମାନଙ୍କୁ ରହିବାକୁ ଦିଅ, ଆମ୍ଭେମାନେ ମିସ୍ରୀୟମାନଙ୍କର ଦାସ୍ୟକର୍ମ କରିବା, କାରଣ ପ୍ରାନ୍ତରରେ ମରିବା ଅପେକ୍ଷା ମିସ୍ରୀୟମାନଙ୍କର ସେବା କରିବା ଆମ୍ଭମାନଙ୍କର ମଙ୍ଗଳ, ଆମ୍ଭେମାନେ କି ମିସରରେ ତୁମ୍ଭଙ୍କୁ ଏହି କଥା କହି ନ ଥିଲୁ?
ଯାତ୍ରା ପୁସ୍ତକ 14 : 13 (ORV)
ତହୁଁ ମୋଶା ଲୋକମାନଙ୍କୁ କହିଲେ, ତୁମ୍ଭେମାନେ ଭୟ କର ନାହିଁ, ସୁସ୍ଥିର ହୁଅ; ସଦାପ୍ରଭୁ ଆଜି କିପ୍ରକାରେ ତୁମ୍ଭମାନଙ୍କୁ ଉଦ୍ଧାର କରିବେ, ତାହା ଦେଖ; ତୁମ୍ଭେମାନେ ଆଜି ଯେପରି ମିସ୍ରୀୟମାନଙ୍କୁ ଦେଖୁଅଛ, ସେପରି ଅନ; କାଳଯାଏ ଆଉ କେବେ ଦେଖିବ ନାହିଁ ।
ଯାତ୍ରା ପୁସ୍ତକ 14 : 14 (ORV)
ପରମେଶ୍ଵର ତୁମ୍ଭମାନଙ୍କ ନିମନ୍ତେ ଯୁଦ୍ଧ କରିବେ, ତୁମ୍ଭେମାନେ ନିରବ ରହିବ।
ଯାତ୍ରା ପୁସ୍ତକ 14 : 15 (ORV)
ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଆମ୍ଭଙ୍କୁ କାହିଁକି ଡାକୁଅଛ? ଇସ୍ରାଏଲ-ସନ୍ତାନଗଣକୁ କୁହ, ସେମାନେ ଅଗ୍ରସର ହେଉନ୍ତୁ ।
ଯାତ୍ରା ପୁସ୍ତକ 14 : 16 (ORV)
ପୁଣି ତୁମ୍ଭେ ଆପଣା ଯଷ୍ଟି ଉଠାଅ ଓ ସମୁଦ୍ର ଉପରେ ହସ୍ତ ବିସ୍ତାର କରି ତାହା ଦୁଇ ଭାଗ କର; ତହିଁରେ ଇସ୍ରାଏଲ-ସନ୍ତାନଗଣ ଶୁଷ୍କ ପଥ ଦେଇ ସମୁଦ୍ର ମଧ୍ୟରେ ପ୍ରବେଶ କରିବେ ।
ଯାତ୍ରା ପୁସ୍ତକ 14 : 17 (ORV)
ପୁଣି ଆମ୍ଭେ, ଦେଖ, ଆମ୍ଭେ ମିସ୍ରୀୟମାନଙ୍କ ହୃଦୟ କଠିନ କରନ୍ତେ, ସେମାନେ ସେମାନଙ୍କ ପଛେ ପଛେ ଯିବେ, ତହିଁରେ ଆମ୍ଭେ ଫାରୋ ଓ ତାହାର ସମସ୍ତ ସୈନ୍ୟ ଓ ରଥ ଓ ଅଶ୍ଵାରୂଢ଼ ଲୋକମାନଙ୍କ ଦ୍ଵାରା ସମ୍ଭ୍ରମ ପ୍ରାପ୍ତ ହେବା ।
ଯାତ୍ରା ପୁସ୍ତକ 14 : 18 (ORV)
ଆଉ ଫାରୋ ଓ ତାହାର ରଥ ଓ ତାହାର ଅଶ୍ଵାରୂଢ଼ ଲୋକମାନଙ୍କ ଦ୍ଵାରା ସମ୍ଭ୍ରମ ପ୍ରାପ୍ତ ହେଲା ଉତ୍ତାରେ ଆମ୍ଭେ ଯେ ସଦାପ୍ରଭୁ, ଏହା ମିସ୍ରୀୟ ଲୋକମାନେ ଜାଣିବେ ।
ଯାତ୍ରା ପୁସ୍ତକ 14 : 19 (ORV)
ସେତେବେଳେ ଇସ୍ରାଏଲୀୟ ଦଳର ଅଗ୍ରଗାମୀ ପରମେଶ୍ଵରଙ୍କ ଦୂତ ସ୍ଥାନାନ୍ତର ହୋଇ ସେମାନଙ୍କର ପଶ୍ଚାଦ୍ଗାମୀ ହେଲେ, ପୁଣି ମେଘସ୍ତମ୍ଭ ସେମାନଙ୍କ ଅଗ୍ରତୁଁ ସ୍ଥାନାନ୍ତର ହୋଇ ସେମାନଙ୍କ ପଛେ ଛିଡ଼ା ହେଲା ।
ଯାତ୍ରା ପୁସ୍ତକ 14 : 20 (ORV)
ସେହି ମେଘସ୍ତମ୍ଭ ମିସ୍ରୀୟ ଦଳ ଓ ଇସ୍ରାଏଲୀୟ ଦଳ ମଧ୍ୟକୁ ଆସିଲା, ପୁଣି ମେଘ ଓ ଅନ୍ଧକାର ହେଲେ ହେଁ ତାହା ରାତ୍ରିକି ଆଲୁଅମୟ କଲା; ଏଥିପାଇଁ ସମସ୍ତ ରାତ୍ରି ଏକ ଦଳ ଅନ୍ୟ ଦଳ ନିକଟକୁ ଆସି ପାରିଲେ ନାହିଁ ।
ଯାତ୍ରା ପୁସ୍ତକ 14 : 21 (ORV)
ଅନନ୍ତର ମୋଶା ସମୁଦ୍ର ଉପରେ ଆପଣା ହସ୍ତ ବିସ୍ତାର କରନ୍ତେ, ସଦାପ୍ରଭୁ ସେହି ସମସ୍ତ ରାତ୍ରି ପ୍ରବଳ ପୂର୍ବୀୟ ବାୟୁ ଦ୍ଵାରା ସମୁଦ୍ରକୁ ପଶ୍ଚାତ୍ ହଟାଇ ଶୁଷ୍କ କଲେଓ ଜଳ ଦୁଇ ଭାଗ ହେଲା ।
ଯାତ୍ରା ପୁସ୍ତକ 14 : 22 (ORV)
ତହିଁରେ ଇସ୍ରାଏଲ-ସନ୍ତାନଗଣ ଶୁଷ୍କ ପଥ ଦେଇ ସମୁଦ୍ର ମଧ୍ୟରେ ଗମନ କଲେ, ପୁଣି ସେମାନଙ୍କ ଦକ୍ଷିଣରେ ଓ ବାମରେ ଜଳ ପ୍ରାଚୀର ତୁଲ୍ୟ ହେଲା ।
ଯାତ୍ରା ପୁସ୍ତକ 14 : 23 (ORV)
ଅନନ୍ତର ମିସ୍ରୀୟମାନେ, ଅର୍ଥାତ୍, ଫାରୋଙ୍କର ସମସ୍ତ ଅଶ୍ଵ, ରଥ, ଓ ଅଶ୍ଵାରୂଢ଼ ଲୋକ ସମସ୍ତେ ଦୌଡ଼ି ସେମାନଙ୍କ ପଛେ ପଛେ ସମୁଦ୍ରରେ ପ୍ରବେଶ କଲେ ।
ଯାତ୍ରା ପୁସ୍ତକ 14 : 24 (ORV)
ମାତ୍ର ରାତ୍ରିର ଶେଷ ପ୍ରହରରେ ସଦାପ୍ରଭୁ ଅଗ୍ନି ଓ ମେଘସ୍ତମ୍ଭ ଦେଇ ମିସ୍ରୀୟମାନଙ୍କ ସୈନ୍ୟକୁ ଅନାଇଲେ ଓ ମିସ୍ରୀୟମାନଙ୍କ ସୈନ୍ୟକୁ ଅସ୍ତବ୍ୟସ୍ତ କଲେ ।
ଯାତ୍ରା ପୁସ୍ତକ 14 : 25 (ORV)
ସେ ସେମାନଙ୍କ ରଥର ଚକ୍ର ବାହାର କରି ପକାନ୍ତେ, ସେମାନେ ଅତି କଷ୍ଟରେ ରଥ ଚଳାଇଲେ; ତହିଁରେ ମିସ୍ରୀୟ ଲୋକମାନେ କହିଲେ, ଆସ, ଆମ୍ଭେମାନେ ଇସ୍ରାଏଲ ସମ୍ମୁଖରୁ ପଳାଇ ଯାଉ; କାରଣ ସଦାପ୍ରଭୁ ସେମାନଙ୍କର ସପକ୍ଷ ହୋଇ ମିସ୍ରୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଅଛନ୍ତି ।
ଯାତ୍ରା ପୁସ୍ତକ 14 : 26 (ORV)
ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ସମୁଦ୍ର ଉପରେ ଆପଣା ହସ୍ତ ବିସ୍ତାର କର; ତହିଁରେ ମିସ୍ରୀୟମାନଙ୍କ ଓ ସେମାନଙ୍କ ରଥ ଓ ଅଶ୍ଵାରୂଢ଼ ଲୋକମାନଙ୍କ ଉପରେ ପୁନର୍ବାର ଜଳ ଆସିବ ।
ଯାତ୍ରା ପୁସ୍ତକ 14 : 27 (ORV)
ତହୁଁ ମୋଶା ସମୁଦ୍ର ଉପରେ ହସ୍ତ ବିସ୍ତାର କଲେ, ଆଉ ପ୍ରଭାତ ସମୟକୁ ସମୁଦ୍ର ପୁନର୍ବାର ସମାନ ହେବାକୁ ଲାଗିଲା; ତହୁଁ ମିସ୍ରୀୟମାନେ ଉଜାଣି ପଳାୟନ କରନ୍ତେ, ସଦାପ୍ରଭୁ ସମୁଦ୍ର ମଧ୍ୟରେ ସେମାନଙ୍କୁ ନିକ୍ଷେପ କଲେ ।
ଯାତ୍ରା ପୁସ୍ତକ 14 : 28 (ORV)
ପୁଣି ଜଳ ପୁନର୍ବାର ଆସି ସେମାନଙ୍କ ରଥ ଓ ଅଶ୍ଵାରୂଢ଼ ଲୋକମାନଙ୍କୁ ଆଚ୍ଛାଦନ କଲା; ତହିଁରେ ଫାରୋଙ୍କର ଯେଉଁ ସବୁ ସୈନ୍ୟ ସେମାନଙ୍କ ପଛେ ପଛେ ସମୁଦ୍ର ମଧ୍ୟରେ ପ୍ରବେଶ କରିଥିଲେ, ସେମାନଙ୍କ ମଧ୍ୟରୁ ଜଣେହେଁ ଅବଶିଷ୍ଟ ରହିଲା ନାହିଁ ।
ଯାତ୍ରା ପୁସ୍ତକ 14 : 29 (ORV)
ମାତ୍ର ଇସ୍ରାଏଲ-ସନ୍ତାନଗଣ ଶୁଷ୍କ ପଥରେ ସମୁଦ୍ର ମଧ୍ୟଦେଇ ଗମନ କଲେ; ପୁଣି ଜଳ ସେମାନଙ୍କ ବାମ ଓ ଦକ୍ଷିଣରେ ପ୍ରାଚୀର ତୁଲ୍ୟ ହେଲା।
ଯାତ୍ରା ପୁସ୍ତକ 14 : 30 (ORV)
ଏହି ପ୍ରକାରେ ସେହି ଦିନ ସଦାପ୍ରଭୁ ମିସ୍ରୀୟମାନଙ୍କ ହସ୍ତରୁ ଇସ୍ରାଏଲଙ୍କୁ ରକ୍ଷା କଲେ ଓ ଇସ୍ରାଏଲ ମିସ୍ରୀୟମାନଙ୍କୁ ସମୁଦ୍ର ତୀରରେ ମୃତ ଦେଖିଲେ।
ଯାତ୍ରା ପୁସ୍ତକ 14 : 31 (ORV)
ସଦାପ୍ରଭୁ ମିସ୍ରୀୟମାନଙ୍କ ବିରୁଦ୍ଧରେ ଏହି ଯେଉଁ ମହତ କର୍ମ କଲେ, ତାହା ଇସ୍ରାଏଲ ଦେଖିଲେ; ତହିଁରେ ଲୋକମାନେ ସଦାପ୍ରଭୁଙ୍କୁ ଭୟ କରି ସଦାପ୍ରଭୁଙ୍କଠାରେ ଓ ତାହାଙ୍କ ଦାସ ମୋଶାଙ୍କଠାରେ ବିଶ୍ଵାସ କଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31

BG:

Opacity:

Color:


Size:


Font: